HIMANSHUBHUSHAN SAHOO

My photo
ନିରୋଳା ଦେଖି ଗଳ୍ପ ଗୁଡିକ ମୋତେ ପ୍ରଶ୍ନ କଲେ "ତୁ ଗଳ୍ପ କେମିତି ଲେଖୁ ?" ମୁଁ ହସିଦେଇ କହିଥିଲି "ଆପଣ ନିଜକୁ ଦେଖନ୍ତୁ , ନିଜ ଚତୁର୍ଦ୍ଦିଗ କୁ ଅନୁଭବ କରନ୍ତୁ ! ଅସରନ୍ତି ସୁଖ-ଦୁଃଖ , ଅକଳନ ହାନି-ଲାଭ , ଗଭୀର ପ୍ରେମ-ବିରହ , ଅପର୍ଯ୍ୟାପ୍ତ ଜନ୍ମ-ମୃତ୍ୟୁ !!! ସବୁତ ପ୍ରଦର୍ଶିତ ଏଠି " ଆଉ କବିତା କ'ଣ କହିଲା ଜାଣନ୍ତି ? କହିଲା, "ତୁ' ତ ନିଜକୁ ଗାଳ୍ପିକ ଭାବିଛୁ , କବିତା କିପରି ଲେଖିବୁ ?" ମୋ ଉତ୍ତର ଥିଲା.. " ସତେ'ତ ! ତୁମ ହସ ହସ ତୃପ୍ତ ବଦନରୁ ଟିକିଏ ଦୁଃଖ ଟାଣିଆଣି.. ଗାରେଇ ନଦେଲେ ମୋ ଭାବନାରେ ! ସେ କି କବିତା ?"

Sunday, October 19, 2025

"ତାପସୀ" ଦୁର୍ଗା ହୁଅ , ସଂହାର କର । ପ୍ରଣାମରେ ଲୁହ ନୁହଁ ଗର୍ବ ରହିବ ।

 ଉପନ୍ୟାସ “ତାପସୀ

"(କର୍ମ-କଷଣ ଦେହ ସହେ ,

 ଅରଣ୍ୟେ ଅଜଗର ପ୍ରାୟେ)"

✍️ ଶ୍ରୀଯୁକ୍ତ କାହ୍ନୁଚରଣ

ପ୍ରଥମ ସଂସ୍କରଣ ୧୯୮୭ , ଶ୍ରୀ ରାମ ନବମୀ

    ଉପନ୍ୟାସ ବିଷୟରେ ବହିରେ ଅନ୍ୟ କୌଣସି ତଥ୍ୟ ନଥିଲେ ମଧ୍ୟ କଥାକରଙ୍କ ଅନ୍ୟ ୫୩ ଟି ସୃଜନ ବିଷୟରେ ଶେଷ ପୃଷ୍ଠାରେ ଲିଖିତ ଅଛି । ୩୬୪ ପୃଷ୍ଠାର(ଅର୍ଦ୍ଧପାଖ ଗଣା) କାହାଣୀ ।

   ୫୦ ଗୋଟି କାଗଜ ଖେଦି ଗଲାପରେ ଅନୁଭବ ଭିନ୍ନ ନେଉଛି କିନ୍ତୁ କୁସୁମ ଓ ପରଶୁ ଜେନା ଝୁଅ 'ନଉଲି' ର ଚିଠି ସରୁନି ! କେତେ କେତେ କଥା-ନଥା , ଲୁହ-ଲହୁ , ଭଲ-ମନ୍ଦ ଅଛି । ସତରେ ଯାହା ସହ ଘଟେ ସେ ଘାଟେ ମୁହଁ ଦେଇ ବଖାଣେ । କିଏ ଗୋଟିଏ ଓଡ଼ିଆ ଅଛି ଏଇ ଚିଠିରେ ତା’ ନିଜ ଜୀବନର ଗଣ୍ଠିଏ ଦୁଃଖ ନଦେଖିବ ଦେଖିଆ ?

  ୨୦୦ଫର୍ଦ୍ଦ ସରିଲା ବେଳକୁ ଲାଗେ କାହାଣୀ ଆରମ୍ଭ ହୋଇନି ଯେମିତି । ୧୦୦ ସରିକି ପୃଷ୍ଠାରେ କିନ୍ତୁ ଚିଠି ନସରିଲା ! ତାପସୀ ଅର୍ଥାତ ତପସ୍ୱୀନି ! ସଂସାର ଭିତରେ ଏତେ ଦୁଃଖ କଷ୍ଟ ସହି ସ୍ଥିତପ୍ରଜ୍ଞ ରହିଛି ନଉଲି । ଗାଁ’ରେ ପ୍ରତି ଘରେ ଘରେ ଜଣେ ନଉଲି ଅଛନ୍ତି । କାହା ଭାଗ୍ୟରେ ପତି ପରମେଶ୍ୱର ଗୋଟିଏ ଦୈତ୍ୟ ତ କାହା ଭାଗ୍ୟରେ ଶାଶୁମା ଗୋଟିଏ ଡାକିନୀ ! ସବୁ ବିଧାତାର ଖେଳ ଲୋ ମା !! ଶଃ... ଏଭଳିଆ ଘୋଡ଼ା ମଦୁଆଙ୍କୁ ବାହା ହୋଇ ଜୀବନ ରଖିବା ଅପେକ୍ଷା ବିଷ ଦେଇ ମାରିଦେବା ଭଲ । କିନ୍ତୁ ସଉତୁଣୀ ହିସାବରେ ନଉଲୀଟି ଭାରି ଭଲ ପିଲା । କିଏ ଅବା ନିଜ ଦୁଇମାସ ଛୁଆ ଭୁଲି ସଉତୁଣୀ ପୁଅକୁ ଥନ ମେଣ୍ଢେଇ ଦେବ ? ଖାଲି ଯାହା ବାପ ଟି ତା’ର ମରିଗଲା ବୋଲି ବିଧବା ମା’ର ଦକ ବଢ଼ିଥିଲା ନା ! ନଚେତ କ'ଣ ଗାଁ’ରେ ନଉଲୀ ବିହା ହୋଇ ନଥାନ୍ତା ନା କଣ୍ ? 

ଲୋକ ବଚନ

ଆଜିକାଲି ଭାରି ପାଚନ !


ଲୋକ ମୁହଁରେ ତୁଣ୍ଡି ବାନ୍ଧିବ କିଏ ? ପୋକ ପଡ଼ୁ ।

   ଅବଶ୍ୟ ମୁଁ ଭାବିଥିଲି "ପରଶୁ ରାଉତ" ଜଣେ ଖଳନାୟକ ! କିନ୍ତୁ ଓଲଟା କଥା । ସେ ଜଣେ ନିର୍ମାୟୀ ଲୋକ । ସାଧାରଣ ବାପଟିଏ । ଆହାଃ... ଏପରି ମରଣ କାହିଁ ଲେଖେ ବିଧାତା କେଜାଣି ? ଆଉ ଏ ଦୁଃଖନ ? ବାଇଆଟିଏ । ମୁଁ ଭାବିଥିଲି ନାୟକ ! କିନ୍ତୁ ଏ ନଉଲୀ, ତା ବୋଉ, ଶାଶୁ ଆଉ ଶୋଭା ଗୋଟିଏ ଦୁଃଖର ଯାତ୍ରୀ ଯାହା ।

   ଇତିମଧ୍ୟରେ ଆଉ ଗୋଟିଏ ଚରିତ୍ର କଥା ନଲେଖି ରହିହେବ ନାହିଁ । ନାଁ "ଦୂତିକା" । ନାଁ କୁ ନେଇ କାହାଣୀର ଭାଗରେ ଗୋଟିଏ ଚରିତ୍ର ଦେଇଛନ୍ତି ଶ୍ରୀ କାହ୍ନୁଚରଣ । ଗାଁ ର ସୋସିଆଲ ମିଡ଼ିଆ ମାଇପି ଗୋଟିଏ !!!  ଆଉ ନଉଲୀ ? ଗାଁ ଝିଅ ଟି !!! ଏଇଭଳି ମାଇକିନାଙ୍କୁ ଗୋଡ଼େଗୋଡ଼େ ଚିହ୍ନେ ଯେ ! ଯା ! ଆଇଥିଲା କ’ଣ ନା ଦାନ କର ! ଶଃ । ମଦ ପିଇ ମାରୁଥିବା ଲୋକ ପାଇଁ ଦାନ ରେ କଣ ସବାଡ଼ ହେବ ?

   ଧେତ୍ … ନଉଲୀ ଲେଖିଥିବା (ଲେଖୁଥିବା) ଚିଠିରେ ରାଣ୍ଡି ପୁଅ(ମୋତେ ଦୋଷ ଦିଅନ୍ତୁ ନାହିଁ , ଫକୀରମୋହନଙ୍କ ଠାରୁ କାହ୍ନୁଚରଣ ଙ୍କ ପର୍ଯ୍ୟନ୍ତ ଏ ଶବ୍ଦ ଅଛି) ଯୋଗିଆର ଯେଉଁ କଲିଜା ! ସେ କଳିଜା ସାନ ସାନ୍ତରା ପୁଅ ଦୁଃଖନର କାହିଁ ? ଖାଲି ପୋଖରୀ କୁ ଡେଇଁ ଦି-ଟା ନିଆଶ୍ରି ପତର ଓଜନ ଜୁଆନ ଟୋକିଙ୍କୁ କଇଁ ନାଡ଼ ରୁ ଟାଣି ଆଣି ବଞ୍ଚେଇଲେ କଣ ନିଆଲ ହୋଇଯାଉଛି ! ମରିଥିଲେ ବରଂ ନଉଲୀ ସେଇ ପୋଖରୀ ପଙ୍କ ପାଣିରେ ତରି ଯାଇଥାନ୍ତା ଯେ ! 

   ୨୩୦ ପୃଷ୍ଠା ଅଧରୁ ଚିଠିଟି ସରିଲା । ଅନେଶତ ଅଧରୁ ବୋଧେ ଆରମ୍ଭ ହୋଇଥିଲା । ୧୩୦ ପୃଷ୍ଠାର(ଫାଳିକିଆ) ଚିଠି ଗୋଟିଏ ! ହୁଏତ ସାହିତ୍ୟ ଉପନ୍ୟାସ ଇତିହାସର ଏକମାତ୍ର ଦୀର୍ଘଚିଠି । ତଥାପି ଲାଗିଲା ଅଧାରେ ରହିଲା । 

 ଚିଠି ସରିଲା ନହୁଲିର । କିନ୍ତୁ ଦୁଃଖର ଘଡ଼ା ଟା ଖୋଲିଗଲା ଦୁଃଖନ ର ଛାତିରେ । ସୁଖର ଦିନ କଟାଇବାକୁ ଯାହାକୁ ଦୂର କରିଥିଲା ! ତାହାର ହାଡ଼ ରକ୍ତ ରୁ ବଜ୍ର ସଦୃଶ ଚିଠି ଚୁରମାର କରିଲା ଦୁଃଖନ କୁ । ଲୋକେ କହିଲେ "ଭଲରେ ଥାଉ କି ମନ୍ଦରେ ଥାଉ , ତା ଭାଗ୍ୟ ସେ ଭୋଗ କରୁଛି । ମୋର କି ଚାରା ?" 


   ସତରେ ଆମେ ଜଣେ ଜଣେ । ନିଜ ନିଜର ପୃଥିବୀରେ ।


"...ସେବେକା ନହୁଲୀ ଏବେକା ନହୁଲୀ ନୁହେଁ । ଅରଣ୍ୟର ଅଜଗର ପରି ସେ ତା'ର କର୍ମର କଷଣ ସହି ପାଷାଣ ପରି ଟାଣ ହୋଇଯାଇଛି । ଏବେକାର ଜୀବନ ତାକୁ ଆରେଇଗଲାଣି ।" ଏଇ ପଦକ କଥାରେ ଛାତିରେ ଗୋଟିଏ ପାହାଡ଼ ଲଦି ଦୁଃଖନ କହିଥିବ ! ଅନ୍ୟ ଜଣେ ଭାଗ୍ୟକୁ ଆଦରି ନେଇ ବଞ୍ଚିବା ଶିଖିଛି ଯଦି ଆଉ କିଏ ଜାଣିଥାଏ ତେବେ ଏ ସମ୍ବନ୍ଧ ଖୁବ୍ ଗହୀର ।

   କି କପାଳ କେଜାଣି ! ଯେଉଁ ଦୂତିକା ର "ଆ ଘର କଥା ତା ଘରେ , ତା ଘର କଥା ଆ ଘରେ" ବୋଲି ନାକ ଟେକୁଥିଲା 'ନହୁଲୀ' ! ସେଇ ବଡ଼ ବୋଲା ଜେଲ ଜିଆ ଯୋଗିଆ ମା ଦୂତିକା କୁ ଲୋଡ଼ା ସବୁବେଳେ !! 


ଅଖଞ୍ଜ ଶାଶୁ ,

ଏକା ବୋହୂ !!!

କି ଉପାୟ ଆଉ ?

    ତଥାପି ଦୂତିକାର ପୁଅ ରାଜା ପୁଅ ବିକ୍ରମକୁ ବାଡ଼େଇ ଜେଲଗଲା । କ’ଣ ଢୋ ହୋଇଗଲା କି ତା'ର ! ତେବେ ସାନ୍ତରା ମଧ୍ୟ ଜେଲ ଗଲେ । ଛୁରୀ କିଏ କାହାକୁ ମାରିଛି ଦଇବ ଜାଣେ । ଏଣେ ଯୋଗିଆ ଭଳିଆ ଜଣେ ହେଣ୍ଟାଳିଆ ଗଜା ମରଦ ଦରକାର ବିଶି  ଇଶୋଇର ଗୋଦରା ଗୋଡଟି ଛାଡ଼ି ବାକି ତିନୋଟି ଠୁକେଇ ଦେବାକୁ । ବିଚାରି ଶୋଭା ଟିକିଏ ଶାନ୍ତିରେ ତା ଘରେ ରହନ୍ତା ।

   ଉପନ୍ୟାସଟି ସରିଲା । ସରିଲା ନାହିଁ ତ ଭାରେ ଦୁଃଖ ଲଦିଦେଲା କି ଆଉ ! ସତରେ ନହୁଲୀ ଟି ‘ତାପସୀ’ ପାଲଟି ଯାଇଛି । ଦେବୀଟିଏ ହୋଇସାରିଛି । ନହେଲେ ଧରିତ୍ରୀ ଭଳି ଏତେ ବୋଝ କେମିତି ସମ୍ଭାଳିଛି ?


   ନଉଲୀ ପରି ନାରୀଙ୍କୁ ନତମସ୍ତକ ପ୍ରଣାମ । କିନ୍ତୁ ଦୁର୍ଗା ହୁଅ , ସଂହାର କର । ପ୍ରଣାମରେ ଲୁହ ନୁହଁ ଗର୍ବ ରହିବ ।

                             ◆◆◆

✍️ହିମାଂଶୁ ଭୂଷଣ ସାହୁ

ସୋଲଗାଡ଼ିଆ , ଢେଙ୍କାନାଳ ୬୫୯୦୧୬

     #ଗଳ୍ପକବିତା


No comments:

Post a Comment

"ଗୌରୀପ୍ରଭା"ର ପ୍ରଥମ ବର୍ଷ

 ଏବେ “ ଗୌରୀପ୍ରଭା ” ପହଞ୍ଚିଛି ତୃତୀୟ ବର୍ଷରେ । ତିନି ବର୍ଷର ଯାତ୍ରାରେ ଭେଟିଛି ଅନେକ ଅନୁଭବ । ଆସନ୍ତୁ ଜାଣିବେ “ଗୌରୀପ୍ରଭା” ବାର୍ଷିକ ପତ୍ରିକାର ପ୍ରଥମ ବର୍ଷର ପା...