କବିତା: ଅଳକା ସନ୍ୟାଲ
ଆଜି ଆକାଶରେ ଆକାଶ ହିଁ ନାହିଁ
ପାଣି ବିଷାକ୍ତ
ମାଟି ବି ଦିଶୁଛି ପ୍ଲାଷ୍ଟିକ କ୍ଷେତ ପରି
ଚାଲୁଛନ୍ତି ଯାହା ଆଠ ଦଶଟି ପକ୍ଷହୀନ ପକ୍ଷୀ ଗୋଡ଼ ଟେକିଟେକି
କବିତା: ସ୍ଥାନ ନିରୂପଣ
ମୁଁ ଗଲିନାହିଁ ତୁମ ପାଶେ
ଛୁଇଁଲିନି ତୁମ ମଲା ଦେହ
କାଳେ ତୁମେ ଚେଇଁ ଉଠି କହିବ
ମୁଁ ତୁମର କେହି ନୁହଁ, କେହି ନୁହଁ.....
ଏଇତ ମାତ୍ର ଦୁଇଟି କବିତାର ପଂକ୍ତି ମାତ୍ର ! ଏଇପରି ଶହଶହ କବିତା ରଚନା କରିଥିବା କବିଙ୍କ ହାତରୁ ଯେ ସୁଠାମ ଗଳ୍ପ ଜନ୍ମନେବେ ତାହା ଆଶ୍ଚର୍ଯ୍ୟର କଥା ନୁହେଁ ବରଂ ମୋତେ ଦ୍ଵନ୍ଦରେ ରହିଲା ଭଳି ଲାଗିଥିଲା । ସତରେ କବିତାଗୁଡ଼ିଙ୍କୁ ଅଧିକ ତର୍ଜମା କରିହେବ ନା ଗଳ୍ପଙ୍କୁ ? ସେଇ ସନ୍ଦିହାନ ନେଇ ଆରମ୍ଭ କଲି ଗଳ୍ପ “ମଧୁ କିନ୍ନର” । ମଧୁ’ର ଶାରୀରିକ ତର୍ଜମା ଓ ଭାବ ବିନ୍ୟାସ ନେଇ ଯେଉଁ କାହାଣୀ ସୃଷ୍ଟି ହେଲା ତନ୍ମଧ୍ୟରୁ ଜଣେ ପାଠକ ନିଶ୍ଚିତଭାବେ ମଧୁ’କୁ ସହାନୁଭୂତି ଦେବା ହୁଏତ ସ୍ୱଭାବିକ । କିନ୍ତୁ ମୋ ମନରେ ଯେଉଁ କାର୍ପଣ୍ୟତା ସୃଷ୍ଟି ହେଲା , ତାହା ମଧୁ’ର ଦିନର ଧନ୍ଦା ଓ ରାତିର ଧନ୍ଦାକୁ ନେଇ ! ହଁ ଅବଶ୍ୟ ଏହା ସାଧାରଣ କଥା ହୋଇପାରେ ସେମାନଙ୍କ ପାଇଁ । ଭିମାକୁ କାହାଣୀରେ ଖଞ୍ଜିବାଟା ଆଶୁତୋଷଙ୍କ ଲେଖନୀ ସଞ୍ଚାଳନର ପ୍ରକ୍ରିୟା ଟିକିଏ ଭିନ୍ନ ଲାଗିଲା । ମଧୁ ସହିତ ଯାନିଆ , ବେଙ୍ଗଲି ଓ ହୀରା ଜଣାଇଦେଲେ ଯେ ; “ଅଟ୍ଟହାସ୍ୟ ଓ ଦେହର ମିଳନ ପ୍ରକ୍ରିୟା ଭିନ୍ନ । ସମ୍ପୂର୍ଣ୍ଣ ଭିନ୍ନ ।”
ଗଳ୍ପ ସରିଆସିଲା ବେଳକୁ ମୋ ଉନ୍ମାଦ ଟିକିଏ ଊଣା ହୋଇପଡ଼ିଲା ଶେଷ ଦୃଶ୍ୟ ନିମନ୍ତେ । ଏହା ସମ୍ଭବ କି ନା ଜାଣିନି କିନ୍ତୁ ଏପରି ସମ୍ପର୍କରେ ଭୀମା ଉପରେ ମୋର ଏକ ସନ୍ଦେହ ପରଳ ଲାଗିଆସିଥିଲା ।
ସେଇ ପରଳଟି ନିର୍ବିଘ୍ନରେ ହଟିଗଲା ଦ୍ଵିତୀୟ ଗଳ୍ପ “ମୟୁରୀ ଗୋ”ରେ । ଚରିତ୍ରର ଯେଉଁ ଉଦ୍ଦେଶ୍ୟ ଥାଏ ତାହା ଗଳ୍ପ ମାଧ୍ୟମରେ କେତେ ପୂରଣ ହୁଏ ; ସେଇଟା ଅଧିକ ଦୃଷ୍ଟି ଆକର୍ଷଣ କରେ । ଜଣକ ଚାଲିଯିବା ପରେ ତା’ ସ୍ମୃତି କେତେ କବଳିତ କରି ରଖେ ସେ ହିଁ ଅସଲ ଭଲପାଇବା ଦର୍ଶାଏ । ସେଇ ସନ୍ଦର୍ଭରେ ମଣିଷଙ୍କ ଭିତରେ ଲେଖକ କେତେବେଳେ ଖୋଜିଛନ୍ତି ପ୍ରେମ , “ବୁର୍ଖା” ଭିତରେ ସମ୍ପର୍କର ଭିଡ଼ ତ “ସାଂସାରିକ”ରେ ଏକ ସାମାଜିକ ମାନସିକ , “କାଳୁ ଛୋଟୁ” ଭିତରେ ଦୁଇ ପ୍ରକାର ପୃଥିବୀର ସତ୍ୟତା କିମ୍ବା “ଆକର୍ଷଣ”ରେ ଅତିଭୌତିକତାରେ ସୂକ୍ଷ୍ମତା !
ଇତିମଧ୍ୟରେ ଦୁଇଟି ଗଳ୍ପରେ ସାମଞ୍ଜସ୍ୟ ଥିଲେ ମଧ୍ୟ ଶୈଳୀ ଭଲ ଲାଗିଲା ଅନ୍ୟ ପକ୍ଷରେ ବିଚାର କଲେ । ତାହା ହେଉଛି “ଆମ ଗାଁର ପ୍ରଥମ ଗ୍ରାଜୁଏଟ” ଓ “ପୁରୁଣା ସାଇକେଲ” । କାହାଣୀ ଓ ଶୈଳୀ ମଧ୍ୟରେ ପାର୍ଥକ୍ୟ କେବଳ ସମୟ ଓ ସ୍ଥିତିର । ପ୍ରତ୍ୟକ ଗଳ୍ପରେ ବାରିହେଉଅଛି ଗାଁ’ର ଓଦା ଶୁଖିଲା ଛିଟା । ଗାଁ’ ଶବ୍ଦ(ଅବଶ୍ୟ ଏହା ସହରୀ ବୁଝନ୍ତି କିନ୍ତୁ ବ୍ୟବହାର ମିଠାରେ ଲୁଣ ସଦୃଶ) , ଗାଁ’ ଚାଲିଚଳନକୁ ନେଇ ଗଳ୍ପଗୁଡ଼ିକ ରଞ୍ଜିତ ହୋଇଉଠେ । ଆଉ ମୁଁ ଆରମ୍ଭରୁ ଯେଉଁ କଥାଟି ଉଲ୍ଲେଖ କରିଥିଲି କି ଜଣେ କବିତା ଲେଖୁଥିବା କବିର ଗଳ୍ପ କେମିତି ହୋଇଥିବ ? ତେବେ ମୋ ମତରେ ଏବେ ମୋତେ ଗଳ୍ପଗୁଡ଼ିକର ଓଜନ ଜଣା ପଡୁଛି ।
କିନ୍ତୁ କବିତା ଯାହା କବିର ପ୍ରଥମ ପରିଚୟ ଥିଲା ତାହା ଆପେଆପେ ପ୍ରସ୍ଫୁଟିତ ହୋଇଉଠିଲା “ପିଙ୍ଗଳାର ପଥେ” ଗଳ୍ପର ଏକ କବିତା କୀୟଦଂଶ ରୂପ ନେଇ ।
“ମୋ ପାଉଣା ବାବଦକୁ ଗଲାବେଳେ
ବରଟିଏ ଫିଙ୍ଗିଦେଇ ଯାଅ
ମୋ ଲଙ୍ଗଳା ଶରୀରକୁ ପିଙ୍ଗଳା କରାଅ ।”
ଗଳ୍ପରେ ଯେଉଁ ସମର୍ପଣ ଭାବ ଅଛି ତାହା ହୁଏତ ଏକ ଗାଳ୍ପିକ ଓ ପାଠକ ମଧ୍ୟରେ ଏକ ନୂଆ ସମ୍ବନ୍ଧ ସୃଷ୍ଟି କରିଦେଉଛି । ଗାଳ୍ପିକ ନିଜକୁ ପିଙ୍ଗଳା କରିବାକୁ ଯେଉଁ ଚେଷ୍ଟା କରିଛନ୍ତି ମୁଁ ପାଠକ ହିସାବରେ ସେଇ ଭାବ ମନକୁ ଆସୁଛି । ଦେହରୁ ଦେହାତୀତ ହୋଇଉଠୁଛି କାହାଣୀ , ଠିକ ଧର୍ମରୁ ମାନବୀୟ ହେଲାଭଳି କାହାଣୀ “ରୁକସାନା ପରବିନ” ଗଳ୍ପର ଗୋବିନ୍ଦ ଚରିତ୍ର ଆଖିର ତତଲା ଲୁହ ଭଳି !
୧୭ଗୋଟି ଗଳ୍ପ , ୧୭ ବିବିଧତା କାହାଣୀର ସମନ୍ୱୟ ପଟ୍ଟଭୂମିରେ । ଅତି ଚେଷ୍ଟା କରିଛନ୍ତି ସେଇ ବିବିଧତା ଭିତରେ ପାଠକଙ୍କୁ ଯୋଗେଇ ଦେବାକୁ ଭିନ୍ନ ଭିନ୍ନ ପାଠକ ରୁଚିର ମାଦକତାକୁ ଏବଂ ମୋ ମତରେ ସଫଳ ମଧ୍ୟ ହୋଇଛନ୍ତି କବି ଆଶୁତୋଷ । ଚମତ୍କାର ଭାବେ ଗଢ଼ି ତୋଳିଛନ୍ତି ଚରିତ୍ର ଗୁଡ଼ିକୁ । ଏ ବିବିଧତାରେ ଦୁଇଟି ଗଳ୍ପ ଭିନ୍ନତା ମଧ୍ୟ ଭଲ ଲାଗିବ । “କୃଷ୍ନାଭିଯୋଗ” ଓ “ପ୍ରେମିକାର ସର୍ତ୍ତ” । ଗୋଟିଏ ପଟେ ଈଶ୍ୱରଙ୍କ ପ୍ରତି ସମର୍ପଣ ତ ଅନ୍ୟପଟେ ପ୍ରେମିକାର ସ୍ୱାଧୀନତା ପ୍ରତି ଅର୍ପଣ । ପ୍ରତ୍ୟକ ଗଳ୍ପରେ କିଛି ନୂଆ ରହିଛି , ଆଜିର ଆଧୁନିକତାର ମୁଁ ଖୋଜିପାଉଛି ପୁରୁଣା ସେଇ ଦିନ ଯାହା ସ୍ପଷ୍ଟ ବାରିହେଉଛି ଅନେକ ଗଳ୍ପ ଅଙ୍କନରେ ।
କବି ଶ୍ରୀ ଆଶୁତୋଷ ମିଶ୍ରଙ୍କ ଗଳ୍ପ ସଂକଳନ ‘‘ମଧୁ କିନ୍ନର ଓ ଅନ୍ୟାନ୍ୟ ଗଳ୍ପ’’ ୨୦୨୨ ମସିହାରେ ଟାଇମପାସ ପ୍ରଥମା ପୁରସ୍କାର ପାଇଛି ! ଯାଜପୁର ଜିଲ୍ଲାର ଅରେଇ ଗ୍ରାମରେ ୮ ସେପ୍ଟେମ୍ବର ୧୯୯୯ରେ ଆଶୁତୋଷ ମିଶ୍ରଙ୍କର ଜନ୍ମ । ମାତା ଭାଗ୍ୟବତୀ ମିଶ୍ର ଓ ପିତା ଦେବେନ୍ଦ୍ର ପ୍ରସାଦ ମିଶ୍ର । ଗଣିତ ଅନର୍ସରେ ଯୁକ୍ତ ତିନି ବିଜ୍ଞାନ ସମାପ୍ତ କରିବା ପରେ ବର୍ତ୍ତମାନ ପ୍ରଶାସନିକ ସେବା ପାଇଁ ନିଜର ପ୍ରସ୍ତୁତି ସହିତ ନିଜର ଲେଖକ ମନୋଭାବକୁ ଅବ୍ୟାହତ ରଖିଛନ୍ତି ଦୁଇଟି ପୁସ୍ତକ ମାଧ୍ୟମରେ । ଗଳ୍ପ ସଙ୍କଳନ ବ୍ୟତୀତ ଗୋଟିଏ କବିତା ସଙ୍କଳନ ଲେଖିସାରିଛନ୍ତି । ଆଶାକରୁଛି ତାଙ୍କର ଏ ସାହିତ୍ୟିକ ଯାତ୍ରା ସୁଗମ ଓ ପାଠକଶ୍ରଦ୍ଧେୟ ହେଉ ।
◆◆◆
✍️ ହିମାଂଶୁ ଭୂଷଣ ସାହୁ
ସୋଲଗାଡ଼ିଆ , ଢେଙ୍କାନାଳ ୭୫୯୦୧୬
ଗାଳ୍ପିକଙ୍କ ସୃଜନ…
https://amzn.in/d/3aun1xi
https://amzn.in/d/dVSvr3c


No comments:
Post a Comment