HIMANSHUBHUSHAN SAHOO

My photo
ନିରୋଳା ଦେଖି ଗଳ୍ପ ଗୁଡିକ ମୋତେ ପ୍ରଶ୍ନ କଲେ "ତୁ ଗଳ୍ପ କେମିତି ଲେଖୁ ?" ମୁଁ ହସିଦେଇ କହିଥିଲି "ଆପଣ ନିଜକୁ ଦେଖନ୍ତୁ , ନିଜ ଚତୁର୍ଦ୍ଦିଗ କୁ ଅନୁଭବ କରନ୍ତୁ ! ଅସରନ୍ତି ସୁଖ-ଦୁଃଖ , ଅକଳନ ହାନି-ଲାଭ , ଗଭୀର ପ୍ରେମ-ବିରହ , ଅପର୍ଯ୍ୟାପ୍ତ ଜନ୍ମ-ମୃତ୍ୟୁ !!! ସବୁତ ପ୍ରଦର୍ଶିତ ଏଠି " ଆଉ କବିତା କ'ଣ କହିଲା ଜାଣନ୍ତି ? କହିଲା, "ତୁ' ତ ନିଜକୁ ଗାଳ୍ପିକ ଭାବିଛୁ , କବିତା କିପରି ଲେଖିବୁ ?" ମୋ ଉତ୍ତର ଥିଲା.. " ସତେ'ତ ! ତୁମ ହସ ହସ ତୃପ୍ତ ବଦନରୁ ଟିକିଏ ଦୁଃଖ ଟାଣିଆଣି.. ଗାରେଇ ନଦେଲେ ମୋ ଭାବନାରେ ! ସେ କି କବିତା ?"

Thursday, October 2, 2025

ହୃଦୟର ସ୍ୱର୍ଗପୁର - ଯାଜପୁର

    ମୋ ନାଁ ହିମାଂଶୁ ଭୂଷଣ ସାହୁ , ଶ୍ରୀଯୁକ୍ତ ନୃସିଂହ ଚରଣ ସାହୁ ଓ ବିଦ୍ୟୁତ ଲତା ସାହୁଙ୍କ ବଡ଼ପୁଅ , ଘର-ସୋଲଗାଡ଼ିଆ , ଜିଲ୍ଲା-ଢେଙ୍କାନାଳ ୭୫୯୦୧୬ । ଏଇ ହେଉଛି ମୋ ପରିଚୟ । ଏଇ ପରିଚୟ ମୋର ଖୁବ ଏକ କୌତୁକ ସୃଷ୍ଟି କରାଇଥିଲା ପିଲାଦିନେ , ଯାଜପୁରର ଭିନ୍ନଭିନ୍ନ ଗାଁ’ରେ, ଯେହେତୁ ମୋ ଦୁଇ ମାମୁଁଘର (ଡଙ୍କାରୀ ଓ ଘାସିବର) , ପାଞ୍ଚ ପିଉସୀଙ୍କ ଘର , ୬/୭ ଜଣ ଭଉଣୀଙ୍କ ଘର , ଓ ଆଠ/ଦଶ ଅନ୍ୟ ବନ୍ଧୁବାନ୍ଧବଙ୍କ ଘର ଓ ଏବେ ଶ୍ବଶୁରଙ୍କ ଘର ଏଇ ଜିଲ୍ଲାରେ । ସେଇ ଦୃଷ୍ଟିରୁ ତ ମୁଁ ନିଜକୁ ଅଧା ଯାଜପୁରିଆ ଭାବେ । ଅନେକବେଳେ ମୋତେ ଶୁଣିବାକୁ ମିଳେ “ଢେଙ୍କାନାଳିଆ , ଢେଙ୍କୁ କିମ୍ବା ବଣୁଆ” । କିନ୍ତୁ ଏଇ ପରିଚୟ ମୋର ବହୁତ ସୁନ୍ଦର ଓ ପସନ୍ଦ ଥିଲା , ଅଛି । ଆତ୍ମୀୟ ଲାଗେ । ଯେଉଁଠି ନିଜ ଭୂଇଁର ପରିଚୟ ଆତ୍ମୀୟ ଲାଗେ ସେଇ ସବୁ ଅଞ୍ଚଳରେ ନିଜକୁ ଆନନ୍ଦ ଲାଗେ ଠିକ ଏଇ ଯାଜପୁର ଗଳ୍ପ ସଙ୍କଳନ ସଦୃଶ । ପହିଲି ପ୍ରେମ ସଦୃଶ ।

  ପ୍ରଥମ ଗଳ୍ପରୁ କଥାକାର ଶ୍ରୀଯୁକ୍ତ ଜ୍ୟୋତି ପ୍ରକାଶ ମହାପାତ୍ର ଆରମ୍ଭ କରିଛନ୍ତି ନିଜ କାହାଣୀରୁ । ସ୍ମୃତି ଗୁଡ଼ିକ କିପରି ଅଭୁଲା ହୋଇ ଚିରକାଳ ରହିଯାଏ ସେଇ କଥା । ପ୍ରେମ ହେଉ କିମ୍ବା କାହାପ୍ରତି ଏକ ନିବିଡ଼ ସମ୍ପର୍କ ଗଢ଼ିଉଠିବା ଏକ ଅନ୍ତରଙ୍ଗ ଆଳାପ ଭାବେ ଦ୍ଵିତୀୟ କାହାଣୀରେ ଉପସ୍ଥାପିତ କରେଇଦେଲେ । କାହାଣୀଟି ମୁଁ ଟ୍ୱିଟର ରୁ ପଢ଼ିଥିଲି , ଶ୍ରୀଯୁକ୍ତ ଅରବିନ୍ଦ ପାଢ଼ୀ ମହାଶୟଙ୍କ ଏକ ରିପ୍ଲେ ମଧ୍ୟ ଦେଖିଥିଲି । ଏଇତ ସମ୍ପର୍କ । ଆଜି ମଧ୍ୟ ଶ୍ରୀମତୀ ଉଷା ପାଢ଼ୀଙ୍କୁ ଢେଙ୍କାନାଳ ଝୁରୁଛି ସେଇଭଳି ଯାଜପୁରରେ ଶ୍ରୀଯୁକ୍ତ ଅରବିନ୍ଦ ପାଢ଼ୀଙ୍କୁ । କିନ୍ତୁ ମୁଁ ବହିଟି ପ୍ରାପ୍ତ ମୁହୂର୍ତ୍ତରେ ଖୋଜିବା ଆରମ୍ଭ କରିଥିଲି “ଅପରାହଣର ଚିଠି” ! କାହିଁକି କେଜାଣି ସାର୍ ଙ୍କ ଅନେକ ଗଳ୍ପ କବିତା ଭିତରେ ସେଇ କାହାଣୀଟି ମୋତେ ଖୁବ୍ ଛୁଇଁଥିଲା । ହୁଏତ ମୋର ଚିଠି ପ୍ରତି ଦୁର୍ବଳତା ପାଇଁ କିମ୍ବା କାହାଣୀରେ ଥିବା ସ୍ପଷ୍ଟ ବନ୍ଧୁତା ପାଇଁ ଜାଣିନି । ଆଃ… ସେଇ କାହାଣୀଟି କେତେଥର ପଢୁଛି ନୂଆ ଲାଗୁଛି । ସେତେ ଆତ୍ମିକ ଲାଗୁଛି ।

   ଷଷ୍ଠ ଗଳ୍ପ ‘ଅନୁନାନୀ’ ଦୁଃଖର ଏକ ଅନୁନୟ ପରିପ୍ରକାଶ । ବେଳେବେଳେ ଦୁଃଖ ସବୁକିଛି ନେଇଯାଏ କିନ୍ତୁ ଅନୁନାନୀ ଭଳି ବଞ୍ଚିବାକୁ ହୁଏ ଆଉ କାହା ପାଇଁ । ଯେମିତି ପରବର୍ତ୍ତୀ ଗଳ୍ପ ‘ବୁଢ଼ୀ କଂଟେଇ’ ରେ କେଇ ଦିନର ସମ୍ପର୍କ ! ଏଇତ ଯାଜପୁର ! ଲୁହ , ହସ , ବିଚ୍ଛେଦ ଓ ବନ୍ଧୁତାର ଖିଅ । ଭାବ ଦିଆନିଆର ସୁଅ । ସେଇ ଭାବ ଟିକକ କେତେବେଳେ ଆଣିଦିଏ ‘ଜଇଆ ପାଗଳ’ ପ୍ରତି ସହାନୁଭୂତି ତ ‘ଜହ୍ନ ରାତିର ଝିଅ’ ପାଇଁ ଟିକିଏ ମିଠା ଯନ୍ତ୍ରଣା ।

  “ଅନନ୍ତ ଗୋପାଳ ମେସ୍ (ଏବଂ ଲିଟିଲ ସିସ୍) ଓ ନକୁଳ ଦୋକାନ” କାହାଣୀ ନୁହେଁ ବରଂ ଅତୀତ ଝୁରି ହେଉଥିବା ପୂର୍ବ ଦଶକଗୁଡ଼ିକରେ ବଞ୍ଚି ଆସିଥିବା ଏକ ହୁତାସପଣ । ମଣିଷ କିପରି ମଣିଷଙ୍କୁ ଝୁରିହୁଏ ଏତେ ଭାବ ହୃଦୟରେ ସାଇତି ସେଇ ବ୍ୟାଖ୍ୟା । ‘ମହାବାତ୍ୟା’ ପରେ “ଝିଅ ଦେଖା” ଗଳ୍ପଟି ମୋତେ ଏକ ଅଦୃଶ୍ୟ ମହାବାତ୍ୟାର କୀୟଦଂଶ ଲାଗିଲା । ଯେପରି ‘ଲୀନା’ ଚରିତ୍ର ନୁହଁ , ଆଜିପର୍ଯ୍ୟନ୍ତ କଥାକାର ହିଁ ନିଜକୁ ସେଇଠି ନିଶ୍ଚଳ କରେଇ ଠିଆ କରି ଦେଇଛନ୍ତି । ବୁଦ୍ଧ ପାଲଟି ଯାଉଛନ୍ତି ନିଜେ ।

   ଅବଶ୍ୟ ଗୋଟିଏ ଦୁଇଟି କାହାଣୀ ଟିକିଏ ବ୍ୟତିକ୍ରମ ଲାଗିଲା ଅନ୍ୟ ପକ୍ଷରେ । ଅଧିକ ଭାବପ୍ରବଣତା ନେଇ କାହାଣୀର ମୂଳଦୁଆ ଟିକିଏ ଭିନ୍ନତା ଆଣିଦେଉଥିଲା ତ ବେଳେବେଳେ କଥାକାରଙ୍କ କାହାଣୀରେ ଯାଜପୁର କେବଳ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନର ବଳୟରେ ବିଦ୍ଧ ହୋଇଯାଉଥିଲା । ଚେଷ୍ଟା କରୁଥିଲା ସେଇଠୁ ମୁକୁଳି ଚାଲିଯିବାକୁ ବିସ୍ତୃତ ଭାବରେ ଅନେଇ ରହିଥିବା ପ୍ରତ୍ୟକ ଗାଁ , ନଈ , ଯୋର ପାହାଡ଼ ଆଡ଼କୁ । ସେ ଲଳିତଗିରିର ଏକାନ୍ତକୁ ।

   ‘ମଝିଆଁ ପିଉସୀ’ ଓ ‘ପୁରୀ ଗପ’ ଦ୍ୱୟରେ ପାରିବାରିକ ଆନ୍ତରିକତା ଯେତେ ମିଳିଲା ଠିକ ସେଇଭଳି ଅତ୍ମୀୟତା ମିଳିଥିଲା ‘ପାଟପୁର’ ଗଳ୍ପରେ । ପାଟପୁର ହୁଏତ ମୁଁ କେବେ ଯାଇଥିବି କିନ୍ତୁ ମନେନାହିଁ । ଏଥର ପାଟପୁର ଗଲେ ଗଳ୍ପ ଚରିତ୍ରମାନେ ହୁଏତ ମନେପଡ଼ିଯିବେ । ପ୍ରତ୍ୟକ ଗଳ୍ପରେ ଏଇ ସମ୍ବନ୍ଧ ଗୁଡ଼ିକୁ ଏତେ ନିଖୁଣ ଭାବେ ଖଞ୍ଜିଛନ୍ତି ଯେ ପାଶୋରିବା ଟିକିଏ କଠିନ ହୋଇଯିବ ।

   ସିନେମା ଓ ଦୂରଦର୍ଶନ ପ୍ରତି ସେ ସମୟର ସଠିକ ଦୁର୍ବଳତାକୁ କାହାଣୀରେ ଅତି ଚମତ୍କାର ଭାବେ ଉପସ୍ଥାପନ କରାଯାଇଅଛି । କିନ୍ତୁ ‘ସାମ୍ବାଦିକ’ କାହାଣୀ ମୋତେ ବେଖାପ ଲାଗିଲା । ମନରେ ପ୍ରଶ୍ନ ଉଠିଲା ସତରେ ସାମ୍ବାଦିକ କେବେ ନିଜ ବୃତ୍ତି ଉପରେ ସଠିକ ଖବର ଦିଅନ୍ତି ନାହିଁ ବାକି ଗଳ୍ପ ସଦୃଶ ।

  ବିରଜା ବେଢ଼ାରେ ମୁଁ ନିଶବ୍ଦ ହୋଇଯାଇଥିଲି ପ୍ରାୟ ଦୁଇବର୍ଷ ଆଜିର ପୂର୍ବରୁ ଯେତେବେଳେ ଗଳ୍ପଟି ଟ୍ୱିଟର ମାଧ୍ୟମରେ ପଢ଼ିଥିଲି । ଅନେକ ଖୋଜିଥିଲି ଗୁଗଲରେ କଥାଟି ସତ କି ଉଡ଼ା । ଭାରି ମନଦୁଃଖ ହୋଇଥିଲା , ଏବେ ମଧ୍ୟ । ଭାବେ ସତରେ ମା’ଙ୍କ ମୂର୍ତ୍ତି ବଦଳି ହୋଇଯାଇଛି ? ତେବେ ଏ ଜାତି ସହୁଛି କେମିତି ? କି ବିଶ୍ୱାସ ରଖିଛି ସେଇ ସ୍ଥାନରେ ! ନୂଆ ମୂର୍ତ୍ତିରେ ପୁରୁଣା ଭାବ ! ସେଇଥିପାଇଁ ଆମ ଓଡ଼ିଆ ଅତି ଉଦାର ।

   କଥାକାରଙ୍କ ଏଇ ସମ୍ପର୍କ ଉଦାରତା ସୁଅରେ ଗୋଟିଏ ଗଳ୍ପ “ଏକ ଛୋଟି ସି ଲଭ ଷ୍ଟୋରି” ଅତି ସାବଲୀଳ ଲାଗିଲା , ସେତିକି ତାଙ୍କ ସମ୍ପର୍କ କୃପଣତା ଅର୍ଥାତ ଯୋଡ଼ି ପାରୁନଥିବା ଅତୀତକୁ ଆନମନା କରିବା ଲାଗିଲା । କିଛି ଗଳ୍ପରେ ଏଇମିତି ସମ୍ପର୍କକୁ ଅଧା ବାଟରେ ଛାଡ଼ି ବଢ଼ିଯାଇଛନ୍ତି । ନଈଟିଏ ପରି । କାହାଣୀ ଗୁଡ଼ିକରେ ନିଜ ଜୀବନର ସ୍ପଷ୍ଟତା , ଉଦାରତା ଓ ସତ୍ୟତା ହିଁ ଅତି ଘନିଷ୍ଠ କରିପକାଇବ ପାଠକଙ୍କୁ ।

   ସଙ୍କଳନଟି ପଢ଼ିଲା ବେଳେ ଅନୁଭବ ହେଲା ଯେପରି ଏସବୁ କାହାଣୀ ନୁହେଁ , କଥାକରଙ୍କ ସ୍ୱଜୀବନ ଉପନ୍ୟାସ । କାହାଣୀ ଗୁଡ଼ିକ ଗୋଟିଏ ପରେ ଗୋଟିଏ ଅନୁଚ୍ଛେଦର ଆକାର ନେଇ ଆସୁଛି ନିଜର ପର୍ଯ୍ୟାୟ ମେଲେଇ । ସେଇ ପର୍ଯ୍ୟାୟରେ ଅପର୍ଯ୍ୟାପ୍ତ ପାଖୁଡ଼ା ମେଲେଇ ଗାଥା ଶୁଣାଉଛନ୍ତି ଚରିତ୍ରମାନେ । ଗଳ୍ପରେ କେବଳ ଯାଜପୁର କାହାଣୀ ରହୁନାହିଁ , ରହୁଛି ଓଡ଼ିଶାର ରାଜନୀତି , ଭୂଗୋଳ , ସାହିତ୍ୟ ଓ ସମାଜର ସ୍ଥିତି । ସମୟ କିପରି ବଦଳିବା ସହିତ ବଦଳିଛି ମାନସିକତା ଓ ସାମାଜିକତା ତାହା ପଢ଼ିବାକୁ ମିଳୁଛି । କିନ୍ତୁ କଥାକାର ଯାଜପୁର ପୁରପଲ୍ଲୀଙ୍କୁ ଅତି ଅଳ୍ପ ଆଙ୍କିଛନ୍ତି । କେଉଁଠି କଦପା ଯଦି ଯାଜପୁର ଟାଉନ ବ୍ୟତୀତ ଗାଁ ନାଁ ଆସିଯାଏ ମୁଁ ଗଳ୍ପଟି ତନ୍ନତନ୍ନ କରି ପଢ଼େ । ମନେପଡ଼େ ମାମୁଁ ଘର , ବ୍ରାହ୍ମଣୀ , ବୈତରଣୀ , ଗେଙ୍ଗୁଟି ନଦୀ , ନଈ ବଢ଼ି, ଆଖୁ , ବାଦାମ କିଆଡ଼ି ଓ ଅନେକ ପଳାଶ ବନ ।

   ଶେଷରେ ଯାଜପୁର କବିତା । ଆଃ... ସମ୍ପୂର୍ଣ୍ଣ ଗଳ୍ପ ସଙ୍କଳନର ମୁଖପତ୍ର ଏ । କଥାକାରଙ୍କ ଗଳ୍ପ ପରି କବିତାରେ ମଧ୍ୟ ନିବିଡ଼ ଆବେଗ । ଏଇ ଆବେଗ ଓ ପ୍ରେମ ରହୁ । ଯାଜପୁର ବହିଟି ପାଠକ ସ୍ନେହୀ ହେଉ । ଠିକ୍ ମା ବିରାଜାଙ୍କ ଆଶୀର୍ବାଦ ସଦୃଶ ।


            ଯାଜପୁର !

            ତୁମକୁ ଦେଖେ ମୁଁ ନିତି

            ବିରଜା ବେଢ଼ାରେ ,

            ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଲାବେଳେ

            ନାଭିଗୟା ଅନ୍ଧାରି ଗୁମ୍ଫାରେ । (ସଙ୍କଳନରୁ ଉଦୃତ)

                                     ◆◆◆

✍️ହିମାଂଶୁ ଭୂଷଣ ସାହୁ



No comments:

Post a Comment

"ଗୌରୀପ୍ରଭା"ର ପ୍ରଥମ ବର୍ଷ

 ଏବେ “ ଗୌରୀପ୍ରଭା ” ପହଞ୍ଚିଛି ତୃତୀୟ ବର୍ଷରେ । ତିନି ବର୍ଷର ଯାତ୍ରାରେ ଭେଟିଛି ଅନେକ ଅନୁଭବ । ଆସନ୍ତୁ ଜାଣିବେ “ଗୌରୀପ୍ରଭା” ବାର୍ଷିକ ପତ୍ରିକାର ପ୍ରଥମ ବର୍ଷର ପା...