HIMANSHUBHUSHAN SAHOO

My photo
ନିରୋଳା ଦେଖି ଗଳ୍ପ ଗୁଡିକ ମୋତେ ପ୍ରଶ୍ନ କଲେ "ତୁ ଗଳ୍ପ କେମିତି ଲେଖୁ ?" ମୁଁ ହସିଦେଇ କହିଥିଲି "ଆପଣ ନିଜକୁ ଦେଖନ୍ତୁ , ନିଜ ଚତୁର୍ଦ୍ଦିଗ କୁ ଅନୁଭବ କରନ୍ତୁ ! ଅସରନ୍ତି ସୁଖ-ଦୁଃଖ , ଅକଳନ ହାନି-ଲାଭ , ଗଭୀର ପ୍ରେମ-ବିରହ , ଅପର୍ଯ୍ୟାପ୍ତ ଜନ୍ମ-ମୃତ୍ୟୁ !!! ସବୁତ ପ୍ରଦର୍ଶିତ ଏଠି " ଆଉ କବିତା କ'ଣ କହିଲା ଜାଣନ୍ତି ? କହିଲା, "ତୁ' ତ ନିଜକୁ ଗାଳ୍ପିକ ଭାବିଛୁ , କବିତା କିପରି ଲେଖିବୁ ?" ମୋ ଉତ୍ତର ଥିଲା.. " ସତେ'ତ ! ତୁମ ହସ ହସ ତୃପ୍ତ ବଦନରୁ ଟିକିଏ ଦୁଃଖ ଟାଣିଆଣି.. ଗାରେଇ ନଦେଲେ ମୋ ଭାବନାରେ ! ସେ କି କବିତା ?"

Thursday, February 26, 2026

"ଗୌରୀପ୍ରଭା"ର ପ୍ରଥମ ବର୍ଷ


 ଏବେ “ଗୌରୀପ୍ରଭା” ପହଞ୍ଚିଛି ତୃତୀୟ ବର୍ଷରେ । ତିନି ବର୍ଷର ଯାତ୍ରାରେ ଭେଟିଛି ଅନେକ ଅନୁଭବ । ଆସନ୍ତୁ ଜାଣିବେ “ଗୌରୀପ୍ରଭା” ବାର୍ଷିକ ପତ୍ରିକାର ପ୍ରଥମ ବର୍ଷର ପାଠକୀୟ ଆଲୋଚନା । କେମିତି ଥିଲା ସେ ବର୍ଷର ମୋ ପାଠକୀୟ ଅନୁଭବ ।

   ଜଣେ ପ୍ରତିଭାବାନ୍ ଯୁବ ସମ୍ପାଦକଙ୍କ ମାତୃସ୍ମୃତି ରୂପକ ଅଲୌକିକ ସନ୍ତକ । ଭଦ୍ରକର ଭଦ୍ର , ସାହିତ୍ୟର ସହଯୋଗୀ ଓ ମାତା ପିତାଙ୍କ ଆଜ୍ଞାବାହକ ।

ସମ୍ପାଦକ:- ଶ୍ରୀ ପତିତପାବନ ପାଣି

ସହ ସମ୍ପାଦକ:- ଶ୍ରୀଯୁକ୍ତ ସୁରଞ୍ଜନ ପାତ୍ର

ସମ୍ପାଦନା ମଣ୍ଡଳୀ :- ଶ୍ରୀଯୁକ୍ତ ଚନ୍ଦ୍ରମୋହନ ମହାପାତ୍ର , ଶ୍ରୀଯୁକ୍ତ ପ୍ରକାଶ କୁମାର ବେହେରା , ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ପାଣି

ଉପଦେଷ୍ଟା ମଣ୍ଡଳୀ :- ଶ୍ରୀଯୁକ୍ତ ଗୌରୀଶ୍ୟାମ ପାଣି , ଶ୍ରୀଯୁକ୍ତ ପବିତ୍ର ପାଣିଗ୍ରାହୀ , ଶ୍ରୀଯୁକ୍ତ କିଶୋର ପାଣିଗ୍ରାହୀ

ପ୍ରଚ୍ଛଦ :- ଚୂଡ଼ାମଣି

ପ୍ରକାଶକାଳ- ୨୦୨୪

୭ଟି ପ୍ରବନ୍ଧ ,୧୦୯ଟି କବିତା ଓ ୧୦ଟି ଗଳ୍ପ ସହିତ ୧୦୦ ପୃଷ୍ଠାର ସମାହାର ଏଇ ପ୍ରଥମ ବର୍ଷର ପତ୍ରିକା ।

   ଶକ୍ତ ଓ ମସୃଣ ପୃଷ୍ଠା ଗୁଡ଼ିକ ପ୍ରତି ମୋର ଅହେତୁକ ଲୋଭ ଥାଏ । କୌଣସି ବହି ପୃଷ୍ଠା ମୋତେ ସେତିକି ଆକର୍ଷଣ କରେ ଯେତିକି ପ୍ରଚ୍ଛଦ । ପତ୍ରକର ପ୍ରଚ୍ଛଦଟି ଅତି ସୁନ୍ଦର ଓ ଲୋଭନୀୟ । ଏବଂ ପ୍ରଥମ ପୃଷ୍ଠା ପୂର୍ବରୁ ସମ୍ପାଦକଙ୍କ ମା ଗୌରୀପ୍ରଭା ଦେବୀଙ୍କ ଶାନ୍ତ ନିରୀହ ଭାବମୂର୍ତ୍ତିର ଏକ ଚିତ୍ର । 


ସମ୍ପାଦକୀୟ... "ମାଆର ସ୍ମୃତିରେ ମାଆ ପାଇଁ"

   ଅନେକ ସମ୍ପାଦକୀୟ ମଧ୍ୟରୁ ଶ୍ରୀଯୁକ୍ତ ପତିତପାବନ ପାଣିଙ୍କ ସମ୍ପାଦକୀୟ ଲେଖାଟି ଅତି ଭାବବିହ୍ଵଳ ଲାଗିଲା । ମାଆଙ୍କ ସ୍ମୃତି ପାଇଁ ଏ ସାହିତ୍ୟ ଯାତ୍ରା ଓ ମାଆଙ୍କ ଆଶା ସଫଳ ହେଉ ଏତିକି ମୋର ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖେ ପ୍ରାର୍ଥନା ।

.

.

.

.

ଆସନ୍ତୁ ଆରମ୍ଭ କରିବା ❣️ପ୍ରବନ୍ଧ❣️ । ଶୁଣିଥିଲି "ପ୍ରବନ୍ଦ ସାହିତ୍ୟର ମୁଖବନ୍ଧ"

   

'ମାଟି ଅଗଣାରେ ବିରହ ବିଧୁର ଗାଥା -ମୋ ଗାଁ'ର କଥା'

✍️ଶ୍ରୀଯୁକ୍ତ ଉମାକାନ୍ତ ରାଉତ

  ମୁଖ୍ୟତଃ ପ୍ରବନ୍ଧମାନଙ୍କରେ ସାହିତ୍ୟ ଶବ୍ଦ ଓ ନିଶବ୍ଦ ରୂପ ନେଇ ଯେଉଁ ପାଠକ ମନରେ ଗଭୀର ଘାତପ୍ରତିଘାତ ରୂପକ ବାଧ୍ୟତାମୂଳକ ଚିନ୍ତା ରଖିଥାଏ ! ଏଇ ପ୍ରବନ୍ଧଟି ସେଥିରୁ ମୁକ୍ତ । ଗାଁ କୁ ନେଇ ଏଇ ଚର୍ଚ୍ଚା ଅତି ଆତ୍ମିକ ଓ ଭାବଯୁକ୍ତ ଲାଗିଲା । ଆଃ…!


✍️ଶ୍ରୀଯୁକ୍ତ ଡ଼ ରବୀନ୍ଦ୍ର ବିହାରୀଙ୍କ ପ୍ରବନ୍ଧ "କବିତା ଚର୍ଚ୍ଚା:-ଜଣେ ବିପକ୍ଷବାଦୀଙ୍କ ଦୃଷ୍ଟିରେ" ପଢ଼ି ଭଲ ଲାଗିଲା ଯେ ସମାଜର କିଛି ଅକବି ଯଥା ନିର୍ଦ୍ୱନ୍ଦରେ ନିଜ କବିତାକୁ ଶ୍ରେଷ୍ଠ ମଣୁଥିବା ସ୍ୱଗର୍ବୀଙ୍କୁ ଗୋଟିଏ "ସମୀକ୍ଷାସମ ପ୍ରବନ୍ଧ" ମାଧ୍ୟମରେ ଆରିସି ଦେଖାଇଲେ ।


ହେ ସମୟ ! ହେ ସମୟ !

✍️ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ପୃଷ୍ଟି 

ଜୀବନ ଶବ୍ଦ ଓ ଆଶ୍ଚର୍ଯ୍ୟବାଚକକୁ ଦେଖି ପ୍ରବନ୍ଧଟି ମନମତାଣିଆ ହେବ ସମ୍ଭାବନାଟି ଯାହା ଥିଲା ତାହା ମଉଳିଗଲା । ଲେଖାରେ ନୂତନତ୍ୱ ମିଳିଲା ନାହିଁ । ପୁନରାବୃତ୍ତି ଲାଗିଲା ଆଗରୁ ପଢ଼ୁଥିବା କିଛି ଅଳ୍ପ ସମୀକ୍ଷାର । ସମୟର ସଠିକ ସମୀକ୍ଷା ମଧ୍ୟ ହେଲା ନାହିଁ ।


✍️ ଶ୍ରୀ କୈବଲ୍ୟ ନାୟକଙ୍କ ପ୍ରବନ୍ଧ ରୂପୀ ଏ ଏକ "ଆତ୍ମସମୀକ୍ଷା" ଭଦ୍ରକ ପ୍ରତି ,ମାନବତା ପ୍ରତି । "ସାଳନ୍ଦୀ ,ଭଦ୍ରକର ଗଳାହାର"

   ତାଙ୍କ ଲିଖିତ ଗଦ୍ୟ ପଢ଼ିଲା ବେଳେ ତାଙ୍କ ସ୍ୱର ଓ ମୁଖଶୈଳୀର କବିତା ମୋତେ ମନେପଡ଼ିଯାଏ । ତାଙ୍କର ଏ ଚେଷ୍ଟା ଧନ୍ୟବାଦ ଓ ପ୍ରଶଂସା ଯୋଗ୍ୟ ।

 ଶବ୍ଦ ଓ ଜାଗୃକତାର ବାଣ ଆହୁରି ଭୀଷଣ ହେବାର ପ୍ରୟୋଜନ ।



ଅମୁଲ୍ ଦି ଟେଷ୍ଟ ଅଫ ଇଣ୍ଡିଆ"

✍️ଶ୍ରୀଯୁକ୍ତ ରମାକାନ୍ତ ସାମନ୍ତରାୟଙ୍କୁ ଧନ୍ୟବାଦ ଅର୍ପଣ ଏପରି ଏକ ବିଷୟ ଓ ତଥ୍ୟ ପ୍ରବନ୍ଧ ପାଇଁ । ଏହି ପ୍ରବନ୍ଧଟି ପ୍ରତ୍ୟକଙ୍କୁ ପଢ଼ିବା ଆବଶ୍ୟକ । ଏହା ସେ ସମୟର ଏକ ବିପ୍ଳବ ଥିଲା , ଏବେ ମଧ୍ୟ ଅଛି ।

ମୋର ମଧ୍ୟ ଏହି କ୍ଷୀରଗୁଣ୍ଡ ପସନ୍ଦ । ଆଜି ଏମିତିକି ମୋ ପୁଅ ର ମଧ୍ୟ ପ୍ରିୟ ।


✍️ଶ୍ରୀ ବିଚିତ୍ର ବିଶ୍ୱାଳଙ୍କ "ଗାଁ' କୁ ଫେରିବାର ବେଳ" ପ୍ରତି ମୋର ସନର୍ଥନ ଯେତିକି ରହିଲା ସେତିକି ଅଭିମାନ , ସହର ପ୍ରତି କଥାକାରଙ୍କ ଆକ୍ଷେପ ! ଭାଗିଦାରୀ ଓ ଭାଗମାପ ଜୀବନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଥାଏ "ପରିବାର" । ସହରୀଙ୍କ ପାଇଁ ସହର ଓ ଗାଉଁଲିଙ୍କ ପାଇଁ ଆମ ଗାଁ । ନିଜ ନିଜର ପୃଥିବୀ ,ତଥାପି ଗାଁକୁ ଦେଇଥିବା ତାଙ୍କ ସ୍ନେହ ।



"ସମାଜ ପ୍ରତି ଆମର କର୍ତ୍ତବ୍ୟ" ✍️ଡ଼ ସଦାନନ୍ଦ ପରିଡ଼ାଙ୍କ  ସମାଜ-ଜୀବନ-କର୍ତ୍ତବ୍ୟ-ଦର୍ଶନ ପଢ଼ିସାରି ସିଧା ମୁଁ ପାରି ହେଲି ପ୍ରବନ୍ଧ ଓ ପହଞ୍ଚିଲି ପ୍ରିୟ କବିତା ଗୁଡିଙ୍କ ପାଖେ ।


                            💕  କବିତା ଭିଭାଗ 💕

ମୋ ପାଇଁ...

"କବିତା ହେଉଛି ପ୍ରେମିକା

ଗଦ୍ୟ ତା'ର ଭାଇ ,

ଗଳ୍ପ ତା'ର ଜେଜେମା

ପ୍ରବନ୍ଧ ଅଟଇ ଧାଈ ।

ଉପନ୍ୟାସ ତା'ର ଦାଦା-ଖୁଡି-ମାମୁଁ

ଅଟେ ପଇସା ପିଉସୀ ନାଟକ

ଭଉଣୀ ତା'ର ଏକାଙ୍କିକା ଗୋଟେ

ପ୍ରେମିକା ପଦ୍ୟ ରୂପେ ଅତି ଛଟକ ।"


   ୧୦୯ ଟି କବିତାର ଆରମ୍ଭ ମୋ ପିଲାଦିନର ଅବୁଝା ପ୍ରିୟ କବି "ଶ୍ରୀଯୁକ୍ତ ଫନି ମହାନ୍ତି"ଙ୍କ ଠାରୁ ! ପିଲାବେଳେ କେତେ କେତେ କବିତା ଯେ ପଢ଼ିଛି ତା'ର ହିସାବ ନାହିଁ । କିଛି କବିତା ଖବରକାଗଜ କି ପତ୍ରିକାରୁ କାଟି ସାଇତିଥିବି । ଆଉ ଆଜିର କବିତା "ବାଟବଣା ଲୋକଟିଏ" ।

.

.

.

କବିତା "ବାଟବଣା ଲୋକଟିଏ" ରେ କବି ✍️ଶ୍ରୀଯୁକ୍ତ ଫନି ମହାନ୍ତିଙ୍କ ବିଧିବଦ୍ଧ ସୁଚିନ୍ତିତ ବିରୋଧ , ସମାଜ ପାଇଁ ବିଦ୍ରୋହର ବାର୍ତ୍ତା ଓ ଏକ ନିର୍ଦ୍ଦିଷ୍ଟ ସମାଜ ପାଇଁ ଚିନ୍ତାଜନକ ମତାମତ ଅତି ଚମତ୍କାର ଓ ଜଣେ ପାଠକ ପାଇଁ ତାହା ବିଯୁକ୍ତାତ୍ମକ ସାମ୍ୟକ ଭାବନା ହୋଇପାରେ ।


✍️ ଶ୍ରୀମତୀ ଅପର୍ଣ୍ଣା ମହାନ୍ତି

"ଲୁହ ଜୁଡୁବୁଡୁ ଗୋଟିଏ ନିରୀହ କବିତା"


... ତଥାପି ଥରୁଥିଲା ,

ଗଣଭୋଜନରେ ,

ଝିଅଟିଏ କି

ପୋଡ଼ା କୁକୁଡ଼ାଟିଏ ର

ତଫାତ ବାରିହେଉନଥିଲା , ..."


ଆଃ ଚମତ୍କାର କବିତାଟି ।


ଆୟୋଜନ'

✍️ ବିପିନ ନାୟକ


"...କାଳେ ଜଳିଉଠିବି ବୋଲି

ମୋତେ ଲିଭେଇ ଦେବାକୁ ହେବ

ସାମାନ୍ୟତମ ସ୍ଫୁଲିଙ୍ଗ ବିଜୁଳିର ,

କାଳେ ସୁନ୍ଦର ଦିଶିବ ବୋଲି

ମୁଁ ବିନ୍ଧିବି ଅନ୍ଧାର..."


କବିତାଟି ବଢ଼ିଆ ହୋଇଛି…


✍️ଶ୍ରୀଯୁକ୍ତ ସୌଭାଗ୍ୟବନ୍ତ ମହାରଣା ସାର୍ ଙ୍କୁ ଆଗରୁ କେଇଥର ପଢ଼ିଛି । ଆଜିର କବିତା "ସର୍ଜନାର ସ୍ୱରୂପ" ମଧ୍ୟ ତାଙ୍କ ରଚନାର ଏକ ସୁନ୍ଦର ନିଦର୍ଶନ ।

"ମାନବ ମାନବ ବାସୁଥିବାର ଫୁଲ ବଗିଚାରେ

ନାରୀମାନେ ମାର୍ଗଦର୍ଶିକା ପାଲଟିଯାଆନ୍ତି

ସାଂସାରିକ ହେବାର ରହସ୍ୟକୁ

ତାଙ୍କ ଛାତି ତଳର ନିଷିଦ୍ଧ କୋଠରୀରେ

ସାରା ଜୀବନ ବନ୍ଦୀ କରିବାକୁ ।"

   ବେଳେବେଳେ କବିତାରେ ନିଜକୁ ଦେଖିବାର ପ୍ରୟାସ କିମ୍ବା ପ୍ରଶ୍ନ କରିହୁଏ । ଲାଗେ କବିତାଟି ଭିତରେ ମୁଁ ଅଛି । ନିଜକୁ ପଚାରୁଛି ଓ ଉତ୍ତର ନିଜେ ଖୋଜୁଛି । ସେଇ ଆଲୋଡନ ଅଛି ଶ୍ରୀମତୀ ପ୍ରବାସିନୀ ମହାକୁଡ଼ଙ୍କ କବିତା "ପ୍ରବାସିନୀ ଆଜିକାଲି କ'ଣ କରୁଛ ରେ " ।

କବିତାଟିରେ ମୁଁ ପ୍ରବାସିନୀ ବଦଳରେ "ହିମାଂଶୁ"କୁ ସ୍ଥାନଦେଇ ଥରେ ପଢ଼ିନେଲି ।


✍️ଶ୍ରୀଯୁକ୍ତ ତ୍ରିନାଥ ସିଂହ ଙ୍କ କବିତା "କେନ୍ଦୁଝର" ଅତି ଚମତ୍କାର ରଚନା । କିଛି ବନ୍ଧୁ ଓ ମୋ ସାନ ଭାଇ ସର୍ବଦା କେନ୍ଦୁଝରର ଗୁଣଗାନ କରନ୍ତି । ଏଇ କବିତା ମାଧ୍ୟମରେ ପୁରା ବନରାଜିପାହାଡ଼ ଝରଣା ସବୁ ଯେପରି ଦେଖି ହୋଇଗଲା ।

"ନହୁଲିପାଦରେ ଛମ୍ ଛମ୍ ସୁନାର ପାଉଁଜି ବିଭୂଷିତା

ଗୋଟେ ଭୁଆସୁଣୀ ଝିଅ : କେନ୍ଦୁଝର..."


✍️ଶ୍ରୀଯୁକ୍ତ କିଶୋର ମିଶ୍ରଙ୍କ କବିତା "ବସ୍ତ୍ର ହରଣ" ଟି ପୁରୁଷଙ୍କ ରାକ୍ଷସ ପ୍ରବୃତ୍ତି ପ୍ରତି ଅତି ଚମତ୍କାର ଭାବେ ରଚନା କରାଯାଇଅଛି । ପୁରୁଷର ମାନସିକତା ହିଁ ନାରୀର ଉଲଗ୍ନତାକୁ ଦର୍ଶାଇଥାଏ ତାହା କବିତା ମାଧ୍ୟମରେ ଇଙ୍ଗିତ ।


କବିତା "କର୍ଣ୍ଣ"

✍️ ଭାସ୍କର ବାରିକ


"ସବୁ ଜାରଜଙ୍କୁ କହିବା କି କର୍ଣ୍ଣ

କେବଳ ଜନ୍ମକୁ ନେଇ

ଯଦି ନାହିଁ ତା'ର ବୀରତ୍ବର ସ୍ଵଭାବ

ଯଶରେ ବଞ୍ଚିବା ପାଇଁ ?"


"କୁନିଝିଅର ନାନାବାୟା ଗୀତ" ରେ ✍️ଶ୍ରୀଯୁକ୍ତ ଯୋଗେନ୍ଦ୍ର କୁମାର ନାୟକ ଙ୍କ କବିତାଖଞ୍ଜା ଓ ତା ଭିତରେ ଥିବା ରାଜନୈତିକ ଓ ସାମାଜିକ ବିଶ୍ଳେଷଣ ଟି ଭଲ ଲାଗିଲା । ପ୍ରଶ୍ନ ସହିତ ଆପେକ୍ଷ ଓ ପାଠକ ପ୍ରତି ଏକ ଦାୟିତ୍ବର ବାର୍ତ୍ତା ମଧ୍ୟ ଦେଇଥିବାରୁ ଅନେକ ଧନ୍ୟବାଦ ଓ ସାଧୁବାଦ ।

    କିଛି କବିତା ଆଧୁନିକ । କିନ୍ତୁ ମୋ ମତରେ ଏତେ ଆଧୁନିକତା ର ଆବଶ୍ୟକରେ 'ଉର୍ଦୁ' ଶବ୍ଦ ବଳାତ୍କାର ପୂର୍ବକ ରଖିବା ଉଚିତ ନୁହେଁ । ଇତିମଧ୍ୟରେ ଦୁଇ ତିନୋଟି କବିତାରେ ଅପର୍ଯ୍ୟାପ୍ତ ଉର୍ଦୁ ଶବ୍ଦ ମିଳିଲାଣି ଯାହା କବିତାରେ ଅନାବଶ୍ୟକ । ଓଡ଼ିଆ ଶବ୍ଦ ରହିଥିଲେ କବିତାର ମାନ ଉଚ୍ଚା ହୋଇଥାନ୍ତା ମୋ ମତରେ । ଯେମିତି କି ଗୋଟିଏ ଶୁଦ୍ଧ ଓଡ଼ିଆ କବିତା "ପାଦ ଚିହ୍ନ" ✍️ଶ୍ରୀମତୀ ରତ୍ନପ୍ରଭା ବାଈ ଙ୍କ କଲମରୁ ।

"ମୁଁ , ବେଦନା ବନର ପକ୍ଷୀ

ମୋର , ବିଳପିତ ଦୁଇ ଆଖି ,

ପତ୍ର ଝଡା ଏଇ ତରୁର ଶାଖାରେ

ବସିଛି ଆଜି ଏକାକୀ ।"

ଆଃ..କବିତାଟି ପଢ଼ିବାକୁ ପାଠକ ଜଣେ ଆରମ୍ଭ ରୁ ଉଚ୍ଛନ୍ନ ହୋଇଉଠିବ ।


✍️ଶ୍ରୀଯୁକ୍ତ ତ୍ରିଲୋଚନ ଦାସଙ୍କ "କବିତା ଗୋ..." ଏବଂ ✍️ଶ୍ରୀଯୁକ୍ତ ସୁନୀଲ ମିଶ୍ରଙ୍କ କବିତା "ନଈର କପାଳ" ବଢ଼ିଆ ଲାଗିଲା  । ଦୁଇଟି ଭିନ୍ନ ଭିନ୍ନ ସ୍ୱାଦ ।


"ଫୁଲ ବିକୁଥିବା ଝିଅ" କବିତାର କବୟତ୍ରୀ  ✍️ ପ୍ରିୟଙ୍କା ପ୍ରିୟଦର୍ଶିନୀ ଦାସ ଅତି ଚମତ୍କାର ଓ ଅତି ସୁଚାରୁରୂପେ କବିତାରେ ଗୋଟିଏ ଗରିବ ଝିଅର ଜୀବନ ଆଙ୍କିଛନ୍ତି । ବଢ଼ିଆ ଲାଗିଲା । ଲାଗିଲା ଯେପରି ଆଗରୁ କେବେ ଏଇ କବିତାଟି ପଢ଼ିଛି । ବଢ଼ିଆ କବିତାଟି ।


ଚିତ୍ରଲେଖା" ✍️ଶ୍ରୀମତୀ ପଦ୍ମଜା ଚରଣ

"ଲିଭି ଆସୁଥିଲା ଚିତ୍ରଲେଖାର ଦେହ

ମିଳେଇ ଯାଉଥିଲା ମାଂସ , ହାଡ଼

ଖୋଲି ଯାଉଥିଲା ଖଞ୍ଜାର ବନ୍ଧନ

ଅଚାନକ ପବନରେ

ଉଡ଼ିଗଲା ମୁଠେ ପାଉଁଶ..."


ଦେଶ"

✍️ଶ୍ରୀଯୁକ୍ତ ପ୍ରସନ୍ନ କୁମାର ସ୍ୱାଇଁ ।

ଅତି ସୁନ୍ଦର କବିତା । ପ୍ରତ୍ୟକ ଧାଡ଼ିରେ ଦେଶ-ଜାତି-ପ୍ରଥା ପ୍ରତି ଆଦର , ପ୍ରଶ୍ନ ଆଉ ଉତ୍ତର ଖଞ୍ଜି ଦେଲେ । ଖୁବ କମ କବିତା ଥାଏ ଯାହାର ରଚନାରେ ସବୁ ପଂକ୍ତି ଗୁଡିକ ସାବଲୀଳ ଥାଏ । ସେଥିମଧ୍ୟରୁ ଏଇ କବିତାଟି ଅନ୍ୟତମ ।


✍️ସୁଦୀପା ସାହୁ ଙ୍କ କବିତା "ଜୀବନ ଗୋଟିଏ ବାଲିଘର" ର ଆରମ୍ଭରୁ ଅଧା ପର୍ଯ୍ୟନ୍ତ ଗୋଟିଏ ଛନ୍ଦ ଓ ପରେ କବିତାର ଅଧାରୁ ଶେଷ ପର୍ଯ୍ୟନ୍ତ ଅନ୍ୟ ! ହଠାତ ଯେମିତି ଭାବନା ସମୁଦ୍ରରୁ ତନ୍ଦ୍ରା ଛିନ୍ନ କରି ମୁକୁଳିଗଲା ନିଦଟି ! ମୋତେ ଅଧା ପରେ ଅଡୁଆ ଲାଗୁଥିଲା । ପୁଣି ସେଇ ଅଧାରୁ ପଢ଼ିଲି । ଭଲ ଲାଗିଲା ।


✍️ଶ୍ରୀଯୁକ୍ତ ଭଗବାନ ସାହୁଙ୍କ କବିତା "ମୁଣ୍ଡପୋତା"

କବିତାଟି ପଢ଼ିଲା ବେଳେ ଆଖିଆଗରେ ମୁଣ୍ଡପୋତା ଜଣେ ମଣିଷ ପିଲାଦିନର ସ୍ମୃତିରୁ ଆସିଗଲା । ଏବେ ସେସବୁ ଖେଳ ଲୁପ୍ତ । ଟାକରା ମାରି ନାକରେ ଆମ୍ବ ଟାକୁଆ ଲଗେଇ ଡେଉଁଥିବେ । ସମ୍ପୂର୍ଣ୍ଣ ମାଟି ଦେହ ।

ଚମତ୍କାର ରଚନା । କିନ୍ତୁ ଶେଷ ତିନିଧାଡ଼ି ଗୋଟିଏ ଭାବନା ବ୍ୟୁହ ! ସତରେ ଆମ ଦେଖଣାହାରୀ କେତେ ଅସହଜ , ଅସମ୍ବେଦନଶୀଳ । ହଁ , ଆମେ ଗୋଟିଏ ଗୋଟିଏ ମୁଣ୍ଡପୋତା ନୁହେଁ କି ?


କବିତା "ଆସନ୍ତାକାଲି ର ମୁର୍ଦ୍ଦାର"

✍️ ମନୋଜ କୁମାର କୁଣ୍ଡ

"ଯେବେ ରୋଗୀଠାରୁ

ଔଷଧର ମୂଲ୍ୟ ବଢିଯାଏ

ସେତେବେଳେ ଅପେକ୍ଷାରେ ଥାଏ

ହେବାକୁ ଆସନ୍ତାକାଲିର ମୁର୍ଦ୍ଦାର.."


ଚମତ୍କାର..।

ଏଇତ ଜୀବନ ! ବଢ଼ିଆ ଲେଖିଛ ।


“ସଂଜ୍ଞା ସନ୍ଧାନ"

✍️ଶ୍ରୀଯୁକ୍ତ ବିପ୍ଳବ ରଞ୍ଜନ ପତି

".... ଟଙ୍କାକରେ କିଲେ ଚାଉଳ କିଣି ଆଣି

ଲୁହ ଭରା ଡ଼େକିଚିରେ ପାଣି ଦେବା ହିଁ

ସ୍ୱାଧୀନତା ।"

କବିତାଟି ଅତି ସୁନ୍ଦର ହୋଇଛି ।


"କାହିଁତ କିଛି

ବଦଳିବା ପରି ଲାଗୁନି

ଆମ ଗାଁ ,

ଯେଉଁଠି ମାଟିକାନ୍ଥ ଠଣାରେ

ଆଜି ବି ଡିବିରି ଜାଳି ଖୋଜୁଛି

ତା' ପିଲାଙ୍କ ଭବିଷ୍ୟତ

ନବେ ବର୍ଷର ବିଧବା"


ଗାଁ କବିତାଟି ଅତ୍ୟନ୍ତ ଭାବୁକ ✍️ଶ୍ରୀଯୁକ୍ତ ବିଭୂତି ଭୂଷଣ ଗ୍ରହାଚାର୍ଯ୍ୟ ଙ୍କ କବିତା "ଆମ ଗାଁ" ରେ ।


ଶ୍ରୀଯୁକ୍ତ ✍️"ପୂର୍ଣ୍ଣ ଦାସ" ଙ୍କ "ମାଟି ମନ୍ତ୍ରରେ ମେଘ" କବିତା ମଧ୍ୟ ଏକ ଭିନ୍ନ ସ୍ୱାଦ ଦେଉଛି ପ୍ରେମିକ ହୃଦୟ କଥାର । ପାଞ୍ଚ ପଦ ରେ ସମ୍ପୂର୍ଣ୍ଣ ସମର୍ପଣ ରହୁଛି । କବିତାରେ ଯେତିକି ପ୍ରେମ ସେତିକି ଅଭିମାନ । ସେତିକି ଅପୂର୍ଣ୍ଣତା ସେତିକି ପୂର୍ଣ୍ଣତା ।


 

...ଧୁ ଧୁ ଖରାବେଳ

ଥଳ ହେଉ କି ଅଥଳ

ଭରପୁର ନଦୀ ଅନ୍ତପୁର

ପ୍ରେମ ଛଇଳା ନଦୀ

ପ୍ରେମିକ ନିମିତ୍ତ ମାତର ।"

✍️ଡ଼ ମମତା ସାହୁ

"ନାରୀ କେବେ ନଈ"


✍️ଲିପିରେଖା ଶତପଥୀ ଙ୍କ "ଗପ" ଟି ୨୩ ଧାଡି । ଗୋଟିଏ ଜୀବନ ଅସରନ୍ତି ଆଶା ଓ ଗୋଟିଏ "୨୩ ପୃଷ୍ଠାର ଗଳ୍ପ" । ଅଳ୍ପରେ ଅନେକ ଭାବନା ରହିଥିବା କବିତାଟି ।



ତୁମେ ଆସନ୍ତନି ଟିକେ.."

✍️ସୌମ୍ୟା ସତ୍ୟତୀର୍ଥ

"...ଅନେକ ପ୍ରତିକ୍ଷିତ ବେଳାର ପୁଞ୍ଜି ତୁମେ ।

ହଁ , ମୋର ଏତିକି ପ୍ରିୟ ତୁମେ ।"

ଅତି ସୁନ୍ଦର ଓ ଭାବ ଆବେଗର ସ୍ପର୍ଶରେ ଲେଖାଯାଇଥିବା ଗୋଟିଏ  ଏକାନ୍ତ ମୁହୂର୍ତ୍ତର "ଆବାହନ କାବ୍ୟ" ଲାଗିଲା । ପ୍ରତ୍ୟକ ପୂର୍ଣ୍ଣଛେଦରେ ଭିନ୍ନ ଭିନ୍ନ ଭାବନାରେ ପୁଲକିତ ଭରିଦେଉଥିବା କବିତା ।


"ମୁଁ ଆଉ ନୀଳରଙ୍ଗ" 

✍️ଶ୍ରୀମତୀ ମିତା ପଟ୍ଟନାୟକ

ଏଇ କବିତାର  ନୀଳ ରଙ୍ଗ ମୋର ମଧ୍ୟ ପସନ୍ଦ , ଅନ୍ତରଙ୍ଗ । ଆକାଶ ଆଉ ଜୀବନ । ନୀଳ ଆଉ ଅନାବିଳ । ଦୈନନ୍ଦିନ ଜୀବନର ଗୋଟିଏ ସୁନ୍ଦର କବିତା ।


କବିତା "ବୋଉ"

✍️ଆଶୁତୋଷ ମିଶ୍ର

ବୋଉ ପାଇଁ ଲେଖାଯାଉଥିବା ଓ ପଢ଼ା ଯାଉଥିବା ଅନେକ କବିତା ମଧ୍ୟରୁ ଏଇ କବିତାରେ ଭାବପ୍ରବଣତା , ସ୍ନେହ-ଶ୍ରଦ୍ଧା ଅଧିକ । ଆପଣଙ୍କ ପ୍ରତ୍ୟକ କବିତା ବହୁତ ସୁନ୍ଦର ଭାବେ ବର୍ଣ୍ଣନା କରାଯାଇ ଥାଏ । ଯେତେଥର ପଢ଼ିଲେ ନୂଆ ଲାଗେ ।


   ଈଶ୍ୱରୀ ହେବାର ଆଶାରେ କେତେ ଜଳାଞ୍ଜଳି ଦିଏ ନାରୀ ? ଈଶ୍ୱରୀ ହେବାର ଇଛାରେ କେତେ ଜଳିପୋଡ଼ି ମରେ ନାରୀ ? ଈଶ୍ୱରୀ ହେବା ଆଶୀର୍ବାଦ କି ଅଭିଶାପ ତାହା ଜଣେ ନାରୀ ହିଁ ଠିକ ବ୍ୟାଖ୍ୟା ଦେଇପାରେ । ଆମେ ପୁରୁଷ ଯାହା ଅନୁମାନ କରୁ । କବିତା "ଈଶ୍ୱରୀ" ଟି କବୟିତ୍ରୀ ✍️ବନସ୍ମିତା ନାୟକଙ୍କ କଲମରୁ ଅତି ସୁନ୍ଦର ଭାବରେ ନିସୃତ ହୋଇଛି ।


“ଶାନ୍ତି”

✍️ ବିଚିତ୍ରାନନ୍ଦ ଜେନା

ଗୋଟିଏ ଶାନ୍ତିର ନିରୀହ-କଠୋର ଗୁହାର । ବୁଝ ନଚେତ ବୁଝେଇଦିଆଯିବ ର ଶକ୍ତ ବାର୍ତା । ଶାନ୍ତି କିଏ ଅବା ନଖୋଜେ ! କବିତାଟି ଶାନ୍ତିର ଏକ ତାଗିଦ ସ୍ୱର ।


ପ୍ରିୟମ୍ବଦ !

ଗୋଟିଏ ଶବ୍ଦ ହିଁ ଯଥେଷ୍ଟ ଦୁଇଟି ହୃଦୟ ବୁଝିବାକୁ । କେଇ ବର୍ଷର ଗୋଟିଏ ପୁରୁଣା ପୃଷ୍ଠା ଯେପରି ମୁଁ ପଢ଼ିନେଲି ମୋ ଭିତରେ । ଗୋଟିଏ ଲୁକ୍କାୟିତ ନିଜ ଇତିହାସ ଜିଇଁ ଗଲି କେଇ ଧାଡ଼ିରେ । 

"ଚମତ୍କୃତ....!!!"

କବିତାଟିର ପ୍ରଶଂସାରେ କେବଳ ଏତିକି କହିବି "ଅଶେଷ ଧନ୍ୟବାଦ” ✍️ନିର୍ଲିପ୍ତା ସେଠୀ


“ଆଜିବି ମାଆ ଠିକ ସେଇମିତି ଅଛି” ✍️ମମତାରାଣୀ ଦାଶ

କବିତାଟି ଓଡ଼ିଆ ଘରର ବୋଉ ପାଇଁ । ଗୋଟିଏ ନିରୀହ ଈଶ୍ୱରୀ , ଗୋଟିଏ ଉଜ୍ବଳ ଦିକିଦିକି ତାରକା ଓ ଶାନ୍ତ ଗୋଟିଏ ପୂର୍ଣ୍ଣିମାର ଜହ୍ନ । ମାଆ ଠିକ ସେଇମିତି ଥିଲା , ଅଛି ଆଉ ରହିବ । 


   ଛୋଟ କବିତାରେ କେଡ଼େ ସୁନ୍ଦର ସାରମର୍ମ ରଖିଦେଲେ ✍️ଦୀପିକା ଦାଶ । କବିତା  "ତେଜଣାପକାଠି" ।


କୁହ ହଜୁର” ସହ ସମ୍ପାଦକ ✍️ସୁରଞ୍ଜନ ପାତ୍ର

   ମନୁଷ୍ୟର ମୌନତାକୁ ଏକ ତିକ୍ତ ପ୍ରଶ୍ନ । ଉଜାଗର କରିବାକୁ ଏକ ଆବାହନ ।

…… “ଆଉ କେତେ ଦଶନ୍ଧି ଧରି 

ଭିଜୁଥିବ କୁହ

ଲୁହର ସକାଳ

ବୟସକୁ ବାର୍ଚ୍ଛାମାରି ଆଉ କେତେକାଳ

ଗଢ଼ିହେବ ସୁଖର ସ୍ଥାପତ୍ୟ ?”.....


   ଜୀବନର "ଛକି ଶୂନ" ଖୁବ ଜଟିଳ । କିନ୍ତୁ କବିତା ବୁଝିଲେ ସେଇ ଜୀବନ ଗଣିତ ଉପରେ ନିଜକୁ ଦେଖିହୁଏ । ଦେଖିହୁଏ ଜୀବନଟା ଖାଲି ନୁହେଁ କି ପୂର୍ଣ୍ଣ ନୁହେଁ । ✍️ଶ୍ରୀଯୁକ୍ତ ସତ୍ୟ ସାହୁଙ୍କ କବିତାଟି ମଧ୍ୟ ଅତି ସୁନ୍ଦର ଲାଗିଲା ।


ଋତୁରାଜକୁ ନବଜନ୍ମା କୋଇଲିର ନିରୀହ ଆକୁଳ ଏ କବିତା “ନୀରବରେ ତୁମେ ଭଲପାଅ” ✍️ତେଜସ୍ୱିନୀ ପଣ୍ଡା


✍️ଶାଶ୍ୱତୀ ପତି’ଙ୍କ କବିତା "ଏକ ନୂଆ ଆରମ୍ଭ" । କବିତାଟି ପଢ଼ିଲା ବେଳେ ଯେପରି ସମତାଳରେ ୟୁଟିୟୁବ ରୁ ତାଙ୍କ ସ୍ୱର ମୋ କାନରେ ଗୁଞ୍ଜନ ହୋଇଉଠୁଥିଲା ଭଳି ପ୍ରତେ ହେଲା । ଲାଗୁଥିଲା କବିତାଟି ମୁଁ ଶୁଣୁଛି । ବଢ଼ିଆ ଲାଗିଲା କବିତାଟି ।


"ତୁମ ନାଁର କଳଙ୍କ ନ ନେଇ ମଧ୍ୟ

ଛାଇର ରଙ୍ଗ କଳା ,

ତୁମେ ଥିଲେ କ'ଣ

ଏ କଳା ରଙ୍ଗକୁ ଆବୋରି ନଥାନ୍ତ..?"

ଚମତ୍କାର କବିତାଟି ସୃଷ୍ଟି ହୋଇଛି ✍️ଶ୍ରୀଯୁକ୍ତ କ୍ରିଷ୍ଣା ବିଶ୍ୱନାଥ ସାର୍ ଙ୍କ କଲମରୁ । ବହୁତ ସୁନ୍ଦର କବିତାଟି "ଛାଇ" ।


କବିତା "ଅଫଲାଇନ୍" 👌

✍️ଶ୍ରୀସିକ୍ତା ଶୁଭଦର୍ଶିନୀ ନାୟକ

ଏ ଆଧୁନିକ କବିତାଟି ବହୁତ ଭଲ ଲାଗିଲା । ଅନ୍ତରଙ୍ଗ ମୁହୂର୍ତ୍ତ ଗୁଡିକୁ କିପରି ସାଉଁଟି ଜଣେ ପାଠିକା ଏଇ କବିତା ମାଧ୍ୟମରେ ନିଜକୁ ନାୟିକା ସାଜି ପାରିବ ତାହାର ସମ୍ପୂର୍ଣ୍ଣ ବାତାବରଣ ଯେପରି ଖୁନ୍ଦି ହୋଇ ଅଛି ।


ଶେଷ କବିତାଟି ସମ୍ପାଦକ ✍️ଶ୍ରୀଯୁକ୍ତ ପତିତପାବନ ପାଣିଙ୍କ  "ମା' ତୁ ଗଲା ପରେ!! " କବିତାରେ ନିଜ କଥା , ବ୍ୟଥା ଓ ମା'ଙ୍କ ପ୍ରତି ସେଇ ଭଲପାଇବା ପଢ଼ିଲି ଯାହା ଦୀର୍ଘ ମାସ ହେବ ତାଙ୍କ ଅନେକ କବିତାରୁ ମିଳିଛି । ଏକ ନିରବଚ୍ଛିନ୍ନ ଅନ୍ତରଙ୍ଗ ଭକ୍ତି ଓ ଭଲପାଇବା ।


                                  ❣️ ଗଳ୍ପ ବିଭାଗ ❣️


   ମୋ ମତରେ ଗଳ୍ପ ଏକପ୍ରକାର ଅନୁଭୂତି ଅତୀତ ପୃଷ୍ଠାର । ପୁଣି ପ୍ରେମ ଗଳ୍ପ ଏକ ଅତିର ଜୀବନର ଅଙ୍ଗ । ଗଳ୍ପ ହେଉଛି ମନୁଷ୍ୟର ଛାଇ ।


ଗଳ୍ପ "ନିଜ ଠିକଣା ଖୋଜୁଥିବା ଲୋକ" ✍️ଶ୍ରୀଯୁକ୍ତ ପବିତ୍ର ପାଣିଗ୍ରାହୀ

ଗଳ୍ପର ନାଁ ଓ କାହାଣୀରେ ଯେଉଁ ଅନ୍ତରଟି ଅଛି ତାହା ହେଉଛି "କିଏ ? ଅନୁ ! ନା , ଅମିତ ?" । ଅଳ୍ପ ବୟସୀ ଅନୁ ଏପର୍ଯ୍ୟନ୍ତ ସେଇ ଅମିତ କାହାଣୀରେ ରହିଗଲା ।


ଗଳ୍ପ "ମତଦାନ"

✍️ଶ୍ରୀଯୁକ୍ତ ଚନ୍ଦ୍ରମୋହନ ମହାପାତ୍ର

ଗଳ୍ପଟି ସମାଜ ପାଇଁ ଯେତିକି ଆବଶ୍ୟକ ସେତିକି ନୂତନ ମତଦାତାଙ୍କ ପାଇଁ । ହୁଏତ ଗଳ୍ପଟି ମୁଁ ଏଇ ନିର୍ବାଚନ ପୂର୍ବରୁ ପଢ଼ିଥାନ୍ତି କି ! କିଛି ଲୋକଙ୍କୁ ଏଇ ଗଳ୍ପର ଉଦାହରଣ ଦେଇପାରିଥାନ୍ତି । 

ଅତି ସୁନ୍ଦର ଓ ମାର୍ମିକ ଗଳ୍ପଟି । ପ୍ରତ୍ୟକ ନାଗରିକଙ୍କୁ ପଢିବା ଉଚିତ ।


ଗଳ୍ପ "ଝଡ଼"

✍️ ଶ୍ରୀଯୁକ୍ତ ରାଜୀବ ଗୋପାଳ ସ୍ୱାଇଁ

ଗଳ୍ପଟି ଭାବୁକ । ଗଳ୍ପର ପ୍ରଶଂସା ରେ କେବଳ ଏତିକି କହିବି କି "ଜୀବନର ସାର୍ଥକତା ଏଇ ଗଳ୍ପର ଦୁଇଟି ଚରିତ୍ରରେ ଅଛି । ଯଦି ଆପଣ ପୁରୁଷ ତେବେ ଆପଣ ଅନିମେଶ ହୋଇଯାଆନ୍ତୁ । ଯଦି ନାରୀ ତେବେ ସରଳା ।"


ଗଳ୍ପ "ନାଚାର ପ୍ରେମିକ"

✍️ଶ୍ରୀଯୁକ୍ତ ବିପ୍ଳବ

   ଦୁଇଦିନ ପୂର୍ବରୁ ଟୁଇଟରରେ ଶ୍ରୀଯୁକ୍ତ ପ୍ରଶାନ୍ତ ସାହୁ ସାର୍ ଙ୍କ କାହାଣୀରୁ ମୋ ଭାବନା ସ୍ତରକୁ ମୁଁ ମୁକୁଳାଇ ନାହିଁ ଆଉ ହଠାତ ଏ କାହାଣୀର ଗୋଟିଏ ପୃଷ୍ଠା ପଢ଼ିବା ଭିତରେ ମୁଁ ଗମ୍ଭୀର ହୋଇପଡିଥିଲି । କିନ୍ତୁ ଶେଷ ଭାଗ ଆକର୍ଷଣୀୟ ନଥିଲା । ଏକ ବିଯୁକ୍ତାତ୍ମକ ଚିନ୍ତା ଆଣିଦେଲା ଭାବନାରେ ,ତଥାପି ଚଳିବ ।


ଗଳ୍ପ "ଘର ବାହୁଡା"

✍️ଅନିତା ଦାସ

ଗଳ୍ପଟି ବହୁତ ଭଲ ଲାଗିଲା । ସମ୍ପର୍କ ଦୈହିକ କିମ୍ବା ନିବିଡ଼ ହେବାରେ ସଂସାର ନଥାଏ । ସମ୍ପର୍କ ସାଧାରଣ ଭାବେ ବନ୍ଧୁତା ରେ ମଧ୍ୟ ଦୃଢ଼ ହୋଇରହେ । ଦୁଇଟି ଚରିତ୍ରଙ୍କୁ ଏପରି ଅଦ୍ଭୂତ ଭାବେ ସଂଯୋଜନା କରିଛନ୍ତି ଲେଖିକା ଗଳ୍ପ ମାଧ୍ୟମରେ । ଚମତ୍କାର …


ଗଳ୍ପ "ଜୀବନ ଜାତକ"

✍️ ହିମାଂଶୁ ଭୂଷଣ ସାହୁ (ମୁଁ ନିଜେ) 

   କେବଳ ଏତିକି କହିପାରେ କି କାଗଜ ପୃଷ୍ଠାରେ ଗଳ୍ପଟି ଦେଖି ମୋ ବୋଉଙ୍କ ବହୁତ ଖୁସି ହୋଇଯାଇଥିଲେ ବୋଲି ମୋ ସାନ ଭାଇ ଫୋନ କରି ମୋତେ ଜଣାଇଲା । ଗଳ୍ପର ପ୍ରଶଂସା ନିଜେ କରିପାରିବି ନାହିଁ । କିନ୍ତୁ ଗଳ୍ପ ଅତି ଆଦରରେ ଲେଖିଥିଲି କିଛି ଜାଗାରେ ନିଜକୁ ଅସହାୟ ମଣି , ଲୁହ ଝରାଇ ।  । ଯଦି କେହି ପଢ଼ିଥିବେ , ଭଲ/ମନ୍ଦ ଲାଗିଲେ ଜଣେଇବେ ।



ଗଳ୍ପ "ନିଃସଙ୍ଗତାର ସ୍ୱରଲିପି"

✍️ ଶ୍ରୀମତୀ କମଳିନୀ ମଲ୍ଲିକ

ଗଳ୍ପର ପୃଷ୍ଠଭୂମି ଠିକ ଥିଲା । କିନ୍ତୁ ସତ୍ୟଜିତ ଓ ସ୍ନିଗ୍ଧା ର ସମ୍ପର୍କ ଭିତରେ ପାଠକ ହିସାବରେ ବିଲକୁଲ ଭଲ ଲାଗିଲା ନାହିଁ । ଏଭଳି ପ୍ରେମ କାହାଣୀ ଏକ ଅଯୁକ୍ତିକର ଘଟଣା ବୋଲି ମନେ ହେଲା ।


“ପୁରୁଷ ଆଖିରେ ଲୁହ"

✍️ ସୁଶ୍ରୀ ସଂଗୀତା ସେଠୀ

   ଗଳ୍ପଟିରେ ମୋର ମନେପଡ଼ିଲା କଲେଜ ବେଳର ଗୋଟିଏ ଘଟଣା । କଲେଜ ପାଖ ଜଣେ ପିଲା ପ୍ରେମ ପାଇଁ ଆତ୍ମହତ୍ୟା କରିବା ପରେ ଆମ ସାର୍ ପ୍ରଶ୍ନ କରିଥିଲେ "ପୃଥିବୀରେ କେଇଜଣ ନିଜ ବାପା ବୋଉ କି ଭାଇ ଭଉଣୀଙ୍କ ପାଇଁ ଆତ୍ମହତ୍ୟା କରିଥିବା ଖବର ଶୁଣିଛ କି ?"

ଏଇ କାହାଣୀର ଶିକ୍ଷା ଠିକ ସେଇଭଳି ।



ଗଳ୍ପ "ମିଳେଇ ଯାଉଥିବା ମାଟିର ସ୍ୱର"

✍️ଶ୍ରୀଯୁକ୍ତ କୈଳାସ ବେହେରା

   ଗଳ୍ପ ଗୋଟିକ ବହୁତ ଭଲ ଲାଗିଲା । ଏବେର ରାଜନୀତି, କୂଟନୀତି ଓ ହୀନନୀତି କୁ ନେଇ ଏକ ଜୀବନ୍ତ ଗଳ୍ପ । ଏବଂ କୌଣସି ଲଢେଇ କିମ୍ବା ପ୍ରତିବାଦ ପରେ ଯେଉଁ ରାଜନୈତିକ ଲାଭ ବାହାରେ ତାହା ଉପରେ ମାର୍ମିକ ବିବରଣୀ ମଧ୍ୟ ।



ଶେଷ ଗଳ୍ପ "ପ୍ରତୀକ୍ଷା"

✍️ରଚିତା ଋତୁପର୍ଣ୍ଣା ଜେନା

   ୧୦୦ ପୃଷ୍ଠା ମଧ୍ୟରେ କିଛି କବିତା ଓ ଗଳ୍ପରେ ଯେଉଁ ଅପୂର୍ଣ୍ଣତା ରହିଯାଇଥିଲା ଏଇ ଗଳ୍ପର କାହାଣୀ ଓ ଶବ୍ଦଭାବ ଛନ୍ଦାରେ ସବୁ ପୂର୍ଣ୍ଣ ହେଲା । ବଢ଼ିଆ ଲାଗିଲା କାହାଣୀଟି ।


    ଦୀର୍ଘ ତିନିବର୍ଷ ବିତିଗଲାଣି । ଅନେକ ସ୍ଥାନରେ ଏ ପତ୍ରିକାର ଆଲୋଚନା ହୋଇଥିବ , ଆଦର ପାଇଥିବ , ସ୍ନେହ ନେଇଥିବ କିମ୍ବା ପ୍ରଶଂସା ସାଉଁଟିଥିବ । ଏଇ ତିନିବର୍ଷ ଭିତରେ ତିନୋଟି ପତ୍ରିକା ଓଡ଼ିଶାର ସୁଧି ମହଲରେ ସୂକ୍ଷ୍ମ ଛାପ ଛାଡ଼ିଥିବ । କିଛି ନୂଆ ଲେଖକ/ଲେଖିକାଙ୍କୁ ନିଜର କୃତି ଦେଖାଇ ଚିମୁଟେ ହସ ଓ ଦଲକାଏ ଖୁସି ଦେଇଥିବ । ଅନେକ ପାଠକଙ୍କୁ ନୂଆ ନୂଆ ଅନୁଭୂତି ଦେଇଥିବ । ତେବେ ଏଇ ତିନିବର୍ଷ ଭିତରେ ମୁଁ ଗୋଟିଏ ବିଲକ୍ଷଣ ଦେଖିଲି କି ପ୍ରଥମ ବର୍ଷ ପତ୍ରିକା ପାଇଁ ଯେଉଁ ଲେଖାର ଆବଶ୍ୟକ ପଡୁଥିଲା ଅର୍ଥାତ ପ୍ରଚାର ହୋଇଥିଲା ତାହା ଏଇ ଦୁଇବର୍ଷ ହେବ ହଉନାହିଁ । ଏହାର ଦୁଇଟି କାରଣ ହୋଇପାରେ କି ପତ୍ରିକା ବହୁତ ଆଦୃତ ହୋଇସାରିଛି କିମ୍ବା ନୂଆ ଲେଖକ/ଲେଖିକା ଚାହୁଁନାହିଁ !

   ଶେଷରେ ସମ୍ପାଦକ ଓ ସହ ସମ୍ପାଦକଙ୍କୁ ଅନୁରୋଧ କରିବି କି ନୂଆ ଲେଖାର ଆବଶ୍ୟକ ପାଇଁ ପ୍ରଚାର ଆସିଲେ ଲୁକ୍କାୟିତ ପ୍ରତିଭା ଆଖିଆଗକୁ ଆସିବ । ଗୋଟିଏ ବୃକ୍ଷରେ କଅଁଳ ପତ୍ର ମଧ୍ୟ ବହୁତ ଆବଶ୍ୟକ !!! ପତ୍ରିକାର ସୁଦୀର୍ଘ ଯାତ୍ରା ପାଇଁ ସୁଭମନାସ । ଓଡ଼ିଶା ସାହିତ୍ୟ କ୍ଷେତ୍ରରେ ପତ୍ରିକାଟି ଅଗ୍ରଣୀ ରହୁ ଏତିକି ପ୍ରାର୍ଥନା କରିବି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖେ ।



ଜଣେ ପାଠକ ✍️ହିମାଂଶୁ ଭୂଷଣ ସାହୁ 




No comments:

Post a Comment

"ଗୌରୀପ୍ରଭା"ର ପ୍ରଥମ ବର୍ଷ

 ଏବେ “ ଗୌରୀପ୍ରଭା ” ପହଞ୍ଚିଛି ତୃତୀୟ ବର୍ଷରେ । ତିନି ବର୍ଷର ଯାତ୍ରାରେ ଭେଟିଛି ଅନେକ ଅନୁଭବ । ଆସନ୍ତୁ ଜାଣିବେ “ଗୌରୀପ୍ରଭା” ବାର୍ଷିକ ପତ୍ରିକାର ପ୍ରଥମ ବର୍ଷର ପା...