‘ଅଘୋରୀ’ ଶବ୍ଦ ଏକ ସ୍ମୃତିମାନସର ବିଚିତ୍ର ଚରିତ୍ର ! ଭସ୍ମ , ଭୂମା , ନିତ୍ୟ ଓ ଈଶ୍ୱରରେ ନିରନ୍ତର ନିମିଳିତ ହେଉଥିବା ଏକ ଉର୍ଦ୍ଧ୍ବମାନବ । ଯେ ସଂସାରରେ ନିମିତ୍ତ ମାତ୍ର ସ୍ଥୂଳ ଉପସ୍ଥିତ ଥାଇ ଚେତନାରେ ଅହରହ ସୂକ୍ଷ୍ମ ଉଜାଗର । ଯେ ସମ୍ପୂର୍ଣ୍ଣ ସମର୍ପିତ ସମାଜକୁ , ଭବିତବ୍ୟକୁ । ଅଘୋରୀ ସର୍ବଦା ଅବୁଝା ସାଧାରଣ ଜୀବନ ପାଇଁ , ତେବେ ସେଇ ଅଘୋରୀଙ୍କ ଚରିତ୍ରର ଏକ ଉପନ୍ୟାସ ! ଆଶ୍ଚର୍ଯ୍ୟ କିନ୍ତୁ ସତ୍ୟ ।
ସେଇ ସତ୍ୟର ସମୀପ ହୋଇଥିଲେ ଗୁରୁ ତତ୍ତ୍ୱଦର୍ଶୀଙ୍କ ଅକବଳିତ ଶିଷ୍ୟ ‘ସ୍ଥିତପ୍ରଜ୍ଞ’ !
ଉପନ୍ୟାସିକା ଶ୍ରୀମତୀ ଡ. ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ ନିଜ ଶୈଳୀକୁ ଉପସ୍ଥାପନା ମାଧ୍ୟମରେ ଅତି ଗୁରୁତ୍ୱ ଭାବରେ ବାଢ଼ିଦେଲେ ପାଠକଙ୍କ ଚିନ୍ତାଯୁଦ୍ଧ ଭିତରେ “ଦ୍ୱିପାକ୍ଷିକ ବିଚାର , ବାମପନ୍ଥୀ ସନ୍ଦେହ ଓ ଉପନ୍ୟାସ ଉପକରଣ”ର ଉପାଦାନ ପ୍ରସ୍ତୁତ କରି । କାରଣ ଯେଉଁ ଅଘୋରୀ ଦେଶ , ଧର୍ମ ଓ ମାନବ ଜାତିର ସୁମନାସ ପାଇଁ ରୁଦ୍ର ଉଦାହରଣ ହୋଇ ରହିଆସିଛନ୍ତି ସେଇ ପୁଣି କାପାଳିକ ? ଅସହ୍ୟ ନା ! କିନ୍ତୁ କାହାଣୀର ଭିତ୍ତିଭୂମି ଦୃଷ୍ଟିରୁ ସ୍ଥିତପ୍ରଜ୍ଞ ଧୀରେ ଧୀରେ ହୋଇଆସିଥିଲେ ଜଣେ ପ୍ରତିହିଂସାମନସ୍କ କାପାଳିକ , ଅଘୋରୀ ନୁହେଁ । ଏବଂ ସେଇଥିପାଇଁ ଲାଭକଲେ ଆସନ୍ତା ଜନ୍ମଜନ୍ମର ଘୋର ଶ୍ରାପ୍ୟ ଗୁରୁଙ୍କଠାରୁ । ସେଇଠୁ ଆରମ୍ଭ କାହାଣୀ । ପ୍ରଥମ ଭାଗ ସମାପ୍ତରେ , କାପାଳିକ ସ୍ଥିତପ୍ରଜ୍ଞର ଭସ୍ମରେ ।
ହଁ , ଯଦି ଆପଣ କେଇପୃଷ୍ଠା ପଢ଼ି ଭାବିଥିବେ କାହାଣୀର ଅନ୍ତ କିମ୍ବା ଚଳନ ତେବେ ମୋ ମତରେ ପ୍ରଥମ ଅଧ୍ୟାୟ ଶେଷ ଅର୍ଥାତ ବାଇଶି ପୃଷ୍ଠାଟି ଆପଣଙ୍କ ଆନୁମାନିକ ଭାବନାକୁ ଚିପୁଡ଼ି ଶୁଖେଇ ଦବ ।
କାରଣ ଦ୍ଵିତୀୟ ଭାଗରେ ମୂଳ କାହାଣୀ ସହିତ ବ୍ୟତିକ୍ରମ ଘଟେ । ଅନୁମେୟ , ଉପନ୍ୟାସ ଏକ ଖଣ୍ଡନ୍ୟାସରେ ପରିଣତ ହେଉଅଛି କି ? ଏପରି ଉପନ୍ୟାସର ଭୂମି ମୁଁ ପ୍ରଥମ ଥର ଭେଟୁଛି ଯେଉଁଠି “ଶୀର୍ଷକ” ନିଜର ବ୍ୟାଖ୍ୟା ଭିନ୍ନଭିନ୍ନ ଚରିତ୍ର ମାଧ୍ୟମରେ କରୁଅଛି । ଯେପରି ଏକ ଭ୍ରମ କିମ୍ବା ଆଚମ୍ବିତ ତତ୍ତ୍ୱ ସୃଷ୍ଟି କରୁଛନ୍ତି କି ଉପନ୍ୟାସିକା କାହାଣୀ କଳ୍ପନା ବୃତ୍ତରେ !!! ହୁଏତ ହଁ , କାରଣ ଦ୍ଵିତୀୟ ଭାଗରେ ‘ପ୍ରଭଞ୍ଜନ’ର ଜ୍ଞାନ ଉତ୍ପତ୍ତି , ପୂର୍ବମୋହ , ଦୈନ୍ୟଦାରୁଣ ଦର୍ଶନ ଓ ତୃତୀୟ ଭାଗରେ ‘ଅଭିପ୍ରାୟ’ କରୁଣ ଅଭିଳାଷ , ଅତୀତ-ବର୍ତ୍ତମାନ ମାନସିକ ସ୍ତର ଇତ୍ୟାଦି ପ୍ରଥମ ଭାଗର ଅଭିଶାପକୁ ଦର୍ଶାଉ ନାହିଁ ତ ? ତେବେ ପୁନର୍ଜନ୍ମ କି ? ଆଉ ରାଜକୁମାରୀ ସୁଗନ୍ଧା ? ସେ କାହିଁକି ବିତ୍ୟୁପ୍ତିର ଭଟ୍ଟା ମୁହାଁ କାହାଣୀରେ ? ଅନେକ ପ୍ରଶ୍ନ , ଅନେକ ସନ୍ଦେହ , ଅନେକ ଅଭିଳାଷ ଓ ଅଭିଯୋଗ ସୃଷ୍ଟି ହୋଇପଡ଼େ ଷାଠିଏ ପୃଷ୍ଠା ପର୍ଯ୍ୟନ୍ତ । ପୁନର୍ଜନ୍ମ ନା କାହାଣୀର ପୁନର୍ନିବାସ / ପୁନର୍ବିନ୍ୟାସ ? ଅରଣ୍ୟାର ଭୂମିକା ଗୁରୁତ୍ୱପୂର୍ଣ୍ଣ କି ?
‘ପ୍ରଭଞ୍ଜନ’ ଚରିତ୍ରରେ ଅତି ଚତୁରତାର ସହିତ ଯେଉଁ ଅଘୋରୀ ଅସ୍ତିତ୍ୱକୁ ଯୋଡ଼ା ଯାଉଅଛି ତାହାର ସବୁଠୁ କଠିନ ମୁହୂର୍ତ୍ତ ମୋ ମତରେ ମହାଗୁରୁଙ୍କ ସେ ଆଜ୍ଞା ପତ୍ର ଥିଲା । ବୈଭବ , ବିତୃଷ୍ନା ଓ ମୃତ୍ୟୁ ଚିରନ୍ତନସତ୍ୟର ନିକଟବର୍ତ୍ତୀ ହୋଇଥିବା ଏକ ଉତ୍ପିଡ଼ିତ ବାଳକ , ପିତୃହରା ଓ ପ୍ରେମ ସନ୍ତାପର ଯୌବନ ଜୀବନ ବହୁଥିବା ଅଘୋରୀ ପାଇଁ ସେ ପତ୍ର ଥିଲା ଏକ ଅଗ୍ନି ପରୀକ୍ଷା । ମୋତେ ଲାଗୁଥିଲା ଯେପରି ସେ ଭସ୍ମ ବୋଳୁନାହିଁ , ନିଜେ ଭସ୍ମ ପାଲଟୁଛି !
ପ୍ରଶ୍ନ ଆସେ ଏହା କ’ଣ ସତ୍ୟ ? ହୋଇଥାଇପରେ ! ଜନ୍ମମୃତ୍ୟୁର ପରପାରେ ଦେହ ରୂପୀ ନଶ୍ୱରକୁ ନେଇ ଯେଉଁମାନେ ଈଶ୍ୱର ସାଧିତରେ ମଗ୍ନ କିମ୍ବା ସୃଷ୍ଟି ଈଶ୍ୱରଙ୍କର ଓ ସବୁକିଛି ତ ଭସ୍ମ ; ତେଣୁ ଏକ ଶବ ସହିତ ସଲଗ୍ନ ହେବା ହୁଏତ ଆଶ୍ଚର୍ଯ୍ୟ ନହୋଇପାରେ କିନ୍ତୁ ପଠନ/ଶ୍ରୁତି କଟୁ ହୋଇପାରେ ସାଧାରଣ ଜୀବନ ପାଇଁ ।
ପ୍ରଭଞ୍ଜନ ଅର୍ଥାତ ଅଭିପ୍ରାୟ ଯେଉଁ ସୂକ୍ଷ୍ମ ସତ୍ତାର ସତ୍ତାଧିକାରୀ ଅଘୋରୀ ରୂପେ ! ସେଇ ସୂକ୍ଷ୍ମ ଦର୍ଶନର ଅଘୋର ତପସ୍ୟା ହେଉଛି ଅରଣ୍ୟା । ପ୍ରେମ , ସମ୍ଭୋଗ ଓ ସନ୍ୟାସୀ ମଧ୍ୟରେ ଦ୍ଵନ୍ଦ କେବଳ ଗୋଟିଏ ଥାଏ , ଦେହ । ଦେହ ଯଦି ପଞ୍ଚଭୂତ ତେବେ ଜୀବିତ ଓ ଶବରେ ପାର୍ଥକ୍ୟ କ’ଣ ?
ହୁଏତ ସେଇ ଦ୍ଵନ୍ଦର ବିପରୀତ ପ୍ରଶ୍ନରେ ବିପର୍ଯ୍ୟସ୍ତ ହୋଇପଡ଼ିଥିଲା ‘ଅଭିପ୍ରାୟ’ । “ଶ୍ରାଦ୍ଧ ଶରୀରର ଦିଆଯାଏ । ଆତ୍ମାର ନୁହେଁ ।” ତେବେ ଅଘୋରୀର ଆତ୍ମା କବଳିତ ତ ନୁହେଁ । ଶ୍ରାଦ୍ଧ ନହୋଇଥିଲେ ମଧ୍ୟ ଈଶ୍ୱରଙ୍କ ଶ୍ରଦ୍ଧାରେ ଆତ୍ମା ମଧ୍ୟ ଶ୍ରାଦ୍ଧସଲଗ୍ନ । ସେଇଥିପାଇଁ ଅଘୋରୀ ଶହଶହ ବର୍ଷ ଆତ୍ମାକୁ ଆଧାର କରି ବଞ୍ଚି ରହନ୍ତି , ଶରୀରକୁ ନୁହେଁ । ପ୍ରଥମ ଅଧ୍ୟାୟର ଶେଷରେ ଯେଉଁ କାହାଣୀ ପାଠକଙ୍କୁ ମୁହୂର୍ତ୍ତ ପାଇଁ ସ୍ତବ୍ଧ କରିଦେଇଥିଲା ଚଉରାଅଶି ପୃଷ୍ଠାରେ ପୁନର୍ବାର ସ୍ପନ୍ଦନଶୂନ୍ୟ କରିଦେବ । ତେବେ କଥାକାରଙ୍କ ବ୍ୟାଖ୍ୟା ମତରେ ‘ଅଭିପ୍ରାୟ’ ଅର୍ଥାତ ଅଘୋରୀ ‘ପ୍ରଭଞ୍ଜନ’ କେଉଁଥିପାଇଁ ବିଚଳିତ ! ଅରଣ୍ୟା ? ନା ପ୍ରଥମ ଅଧ୍ୟାୟର ‘ଶ୍ରାପ୍ୟ’ ? କେଉଁ ପ୍ରେମ ପ୍ରାପ୍ତିର ଭ୍ରମରେ ସେ ଅରଣ୍ୟା ଭ୍ରମିତ ?
କାହାଣୀ ପୁଣି ମୋଡ଼ ନିଏ । ପୂର୍ବ ମୋହଗ୍ରସ୍ତ ହୁଏ ପ୍ରଭଞ୍ଜନ । ଓ ମୋହମୁକ୍ତି ଥାଏ ଅରଣ୍ୟା । 'ମୋହ' ଅର୍ଥର ସ୍ଥୂଳ ଓ ସୂକ୍ଷ୍ମ ରୂପ କିପରି କିମ୍ବା କାହିଁକି ହୋଇଥାଏ ତାହାର ପୁଙ୍ଖାନୁପୁଙ୍ଖ ଆଲୋଚନା କିମ୍ବା ରୂପ(ଏକ ଆଲୋଚ୍ୟ / ପ୍ରତୀକାତ୍ମକ / ପ୍ରାମାଣିକ) ପ୍ରତିବଦଳରେ ତାହା ଶାରୀରିକ କିମ୍ବା ଆତ୍ମିକ କିପରି ହୁଏ ! ଏସବୁ ମୋ ପାଇଁ ଏକ କେବଳ ପଠନଗତ ଅଛି । ହୁଏତ ମୋହକୁ ବୁଝିବାରେ ଉପନ୍ୟାସଟି ସହାୟକ ହେବ । ଏହା ମୋହ କିମ୍ବା ସୂକ୍ଷ୍ମ ଭ୍ରମ ତାହା ଆଲୋଚ୍ୟ । ତେବେ ପଞ୍ଚାନବେ ପୃଷ୍ଠାରେ ଅରଣ୍ୟା ଯେଉଁ ଅକାଟ୍ୟ ଜିଦ୍ଦି ଧରିବସିଲା ତାହା ପ୍ରଭଞ୍ଜନ ସ୍ଥୂଳ ଶରୀର କିମ୍ବା ଅତୀତ ପ୍ରତି ମୋହ ନା ପ୍ରଭଞ୍ଜନ ସୂକ୍ଷ୍ମ ସତ୍ତାର ସନ୍ଧାନ ? ଆଉ ଶହେ ପନ୍ଦର ପୃଷ୍ଠାରେ ଯାହା ଘଟିଲା ତାହା କି ଅଲୌକିକତା ଆଣିଦେଉଛି ? ତେବେ ଏତେ ଅଲୌକିକତାର ଅଧିକାରିଣୀ ହୋଇ କେଉଁ ମୋହରେ ଥିଲା ତାହେଲେ ଅରଣ୍ୟା ? ପ୍ରେମ ଯଦି ନିଦ୍ୟ ଓ ସୂକ୍ଷ୍ମ ତେବେ କାହାଣୀରେ କଥାକାର ମହାଶୟା ଅରଣ୍ୟାକୁ କାହିଁକି ବାନ୍ଧି ରଖିଲେ ପ୍ରଭଞ୍ଜନର ବଳୟରେ ?
କଥାକାର ଡ. ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ ମହାଶୟା ଚରିତ୍ର ଚୟନ , ଶବ୍ଦ ପ୍ରୟୋଗ ଓ ପାଠକଙ୍କ ରୁଚିର ଇପ୍ସିତ ଇଛାକୁ ସମ୍ପୂର୍ଣ୍ଣ ଭାବରେ ମନସ୍ଥ ରଖି ଉପସ୍ଥାପିତ କରିଛନ୍ତି “ଅଘୋରୀ”ର ପଟ୍ଟଭୂମି । ପୁନର୍ଜନ୍ମର ନିଷ୍ଠାପର ବିଶ୍ୱାସ ଓ ପାପ-ପୁଣ୍ୟ ଅବଧିର ହିସାବରେ ଦର୍ଶାଇଛନ୍ତି ମନୁଷ୍ୟର ବର୍ତ୍ତମାନ କର୍ମ । ସେଇ କର୍ମରେ ଅରଣ୍ୟା ହୋଇଉଠିଛି ଏକ ଅଦୃଶ୍ୟ ଦେବୀ , ଯେ ଜନ୍ମଜନ୍ମାନ୍ତର ଯୋଗସୂତ୍ରକୁ ଗୁନ୍ଥିବାରେ ଏକ ପ୍ରମୁଖ ଭୂମିକା ନିର୍ବାହ କରେ । ପ୍ରଥମ ଭାଗ ଓ ଶେଷ ଭାଗର ଯୋଗସୂତ୍ରରେ ସନ୍ଧାନ କରେଇଦିଏ ଅନ୍ଧକାରରେ ବୁଡ଼ି ରହିଥିବା ପ୍ରଭଞ୍ଜନର ଏକ ଦିବ୍ୟ ଜ୍ୟୋତିକୁ ।
ଶେଷକୁ ଉପନ୍ୟାସ ଉପସ୍ଥିତ ହୋଇଉଠିଛି ଏକ ଉପକରଣ ରୂପେ , ଆତ୍ମସତ୍ତା ସନ୍ଧାନର । ଦୂର କରୁଛି ଅନେକ ସ୍ଥୂଳ ଭ୍ରମ । ଦ୍ୱିପାକ୍ଷିକ ବିଚାର , ବାମପନ୍ଥୀ ସନ୍ଦେହ(ଯଦି ପ୍ରଥମ ଅଧ୍ୟାୟରେ କାହା ମନରେ ଜାଗୃତ ହୁଏ ତେବେ !) ଓ ଉପନ୍ୟାସ ଉପକରଣ”ର ଉପାଦାନ ପ୍ରସ୍ତୁତ କରିଛି ଆତ୍ମକୈନ୍ଦ୍ରିକ ସତ୍ତା ଆଡ଼କୁ । ଆଣିଦେଉଛି ଏକ ସନ୍ତୋଷ ଭାବ ଓ ଚେତନାରେ ପୁନର୍ବିନ୍ୟାସ ।
ଆଶାକରୁଛି ଉପନ୍ୟାସ ପାଠକାଦୃତ ହେବ । ଚେତନାରେ ଆଣିଦେବ ଈଶ୍ୱରସଂମ୍ପନ୍ନ ଭାବ ।


Thank you so much for your peer review and honest appreciation. I'm really fortunate to get such an excellent review as the first one.
ReplyDeleteଧନ୍ୟବାଦ ଅପା 🙏😊
Delete