୨୦୨୦ ମସିହାରେ ଏକ ପୁସ୍ତକ ଯାହା ଯୁବପୀଢ଼ିଙ୍କ ଭାବନାରେ ନୂଆ ଉନ୍ମାଦ ଆଣିଦେଇଥିଲା ସେ ହେଉଛି କଥାକାର ଶ୍ରୀଯୁକ୍ତ ଅମରେଶ ବିଶ୍ୱାଳ ମହାଶୟଙ୍କ “ପ୍ରେମିକାର ସାନ ଭଉଣୀ” । ୨୦୧୫ ଅଗଷ୍ଟ ସଂଖ୍ୟାରେ “ପ୍ରେମିକାର ସାନ ଭଉଣୀ” ଜୁନ ୨୦୧୬ ସଂଖ୍ୟାରେ “ଶିବାନୀ ଏକ ପ୍ରେମ କଥା” ଓ “ଘୃଣା ମିଶ୍ରର ଫଟୋ” ଜୁନ ୨୦୧୭ ମସିହା କଥା ସଂଖ୍ୟାରେ ପ୍ରକାଶିତ ହୋଇସାରିଥିଲା । ବାକି ଗଳ୍ପ ଗୁଡ଼ିଙ୍କୁ ମୁଁ ଭେଟିଲି ବହି ମଧ୍ୟରେ । ତେବେ ସଙ୍କଳନର ଶୀର୍ଷକ ପ୍ରତ୍ୟେକ ପ୍ରେମିକଙ୍କୁ ବାଧ୍ୟ କରେଇ ଦେଉଥିଲା ପ୍ରେମିକା ପରର ଅନ୍ୟ ଏକ ସୁପ୍ତ ଚରିତ୍ର ଯେ କି କଥାକାରଙ୍କ ମତରେ “ପ୍ରେମିକାର ସାନ ଭଉଣୀ , ଯେଉଁମାନେ ଭିତରେ ଭିତରେ ଜଳିଜଳି ପ୍ରେମ ଭୋଗନ୍ତି ।” ସେମାନଙ୍କ ଚାରିତ୍ରିକ ଭୂମିକାକୁ ଗୁରୁତ୍ୱ ଦେବା । ବିଶ୍ୱାସ କରନ୍ତୁ , ଗଳ୍ପ “ପ୍ରେମିକାର ସାନ ଭଉଣୀ” ୨୦୧୫ ମସିହାରେ ଯେତେବେଳେ ମାସିକ ପତ୍ରିକା ‘କଥା’ରେ ପ୍ରକାଶ ପାଇଥିଲା ତା ପୂର୍ବରୁ ଏ ଦୃଷ୍ଟିକୋଣ ଅନେଶ୍ୱତ ଭାଗ ପ୍ରେମିକଙ୍କ ଭିତରେ ଆସିନଥିଲା !!!
୨୦୧୫ ରୁ ୨୦୨୬ , ଦୀର୍ଘ ୧୧ ବର୍ଷ ମଧ୍ୟରେ ଗଳ୍ପ ସଙ୍କଳନ ତା’ର କିପରି ପ୍ରଭାବ ଅର୍ଥାତ ସମୟାନୁପଯୋଗୀ ରହିଆସିଛି ତାହାର ନିଦା ଉଦାହରଣ ପ୍ରଥମ ଗଳ୍ପ “ଫେସବୁକ ଫ୍ରେଣ୍ଡ”ରେ ପ୍ରାଞ୍ଜଳ ଅଛି । ଏବେର ଜେନ-ଜି ହୁଏତ ହସରେ ନେଇପାରନ୍ତି କିନ୍ତୁ ଫେସବୁକ ଏକ ଅତ୍ୟାଧୁନିକ ମାଧ୍ୟମ ଥିଲା ଜୀବନ୍ତ ସ୍ୱପ୍ନ ମାନଙ୍କର ସେ ସମୟରେ । ଗଳ୍ପରେ ଖୁବ ଚମତ୍କାର ଭାବେ କଥାକାର ପରିସ୍ଥିତି ଗୁଡ଼ିକୁ ଗୁନ୍ଥିଛନ୍ତି । ଓବେଗ ଇମା ଓ ସମରେନ୍ଦ୍ରଙ୍କ ସମ୍ପର୍କ ଧୀରେ ଧୀରେ କିପରି ଆତ୍ମିକ ହୋଇଉଠୁଛି ଏବଂ ଗଳ୍ପରେ ଦୁଇଟି ଦେଶର ଆର୍ଥିକ ଓ ମାନସିକ ଅବସ୍ଥିତି ଦର୍ଶାଉଛି ତାହା ବିଚାର ଯୋଗ୍ୟ । ବନ୍ଧୁ ବୟସ ଖୋଜେନା ବରଂ ହଜାର ହଜାର ମାଇଲ ଦୂରରୁ ଟିକିଏ ସହାନୁଭୂତି ଲୋଡ଼େ ।
ଦ୍ଵିତୀୟ ଗଳ୍ପରେ ଟିକିଏ ବ୍ୟତିକ୍ରମ ଲାଗିଲା । ହୁଏତ ପ୍ରଥମ ଗଳ୍ପର ଅପୂର୍ବ ସ୍ପର୍ଶ ପାଇଲା ପରେ ଦ୍ଵିତୀୟକୁ ଭୋଗି ହେଲା ନାହିଁ । କାହାଣୀ ପ୍ରଥମରୁ ଯେପରି ରୋମାଞ୍ଚ ଆଣିଦେଉଥିଲା ସାରିଆସିଲା ବେଳକୁ ପ୍ରଶ୍ନ ଉଠିଲା କି “ଏପରି ହୁଏ କି ? ଜଣେ ଯୁବତୀର ପରପୁରୁଷ ପ୍ରେମ ଏମିତି ହଠାତ ସଦାନନ୍ଦ ପାତ୍ର ପ୍ରତି ସଦୟ କାହିଁକି ? ବିନା କାରଣରେ ?”
ଠିକ୍ ସେଇ ବିନା କାରଣରେ ଜଣେ ମଧ୍ୟ ବୟସ୍କ ଆତ୍ମିକ ପ୍ରେମ କରିବସେ “ଅଘଟଣ” ଗଳ୍ପର ଅଳ୍ପ ବୟସ୍କା ପ୍ରତ୍ୟାଶାକୁ ଯେତେବେଳେ ସେ ଜାଣେ ପ୍ରତ୍ୟାଶାର ଜୀବନ ଆଉ ଅଳ୍ପ ଦିନର । ସେଠାରେ ପ୍ରେମ ଆତ୍ମିକ ହୋଇଉଠେ , କାରଣବିହୀନ ସମ୍ପର୍କ ଗଢ଼ିଉଠେ । ଦ୍ଵିତୀୟ ଗଳ୍ପରେ ପ୍ରେମ (ଯାହା ପ୍ରେମ ନୁହେଁ) କ୍ଷଣିକ ଦେହ ଖୋଜିଥିଲା ବେଳେ ତୃତୀୟ ଗଳ୍ପରେ ଖୋଜିଲା ନିରୀହ ଏକ ମନକୁ । ତେବେ କଥାକାର ଶ୍ରୀଯୁକ୍ତ ଅମରେଶ ବିଶ୍ୱାଳ ମହୋଦୟ ପ୍ରତ୍ୟେକ ଗଳ୍ପରେ ‘ମୁଁ’ ରୂପୀ ଏକ ଉହ୍ୟ ଚରିତ୍ରକୁ ରଖି ନିଜକୁ ଭୋଗୁଛନ୍ତି ବୋଲି ମୋର ମନେହୁଏ । କେଉଁଠି ଲୁହ ତ କେଉଁଠି ନିଜ ଲହୁ ଝରାଉଛନ୍ତି । କେଉଁଠି ଯୁଗ ଅପେକ୍ଷାର ଅହଲ୍ୟା ହୋଇଉଠୁଛନ୍ତି ନିଜର ସମର୍ପଣ ଭାବ ଦେଇ ତ କେବେ ଲୀନା ହୋଇ ଅପେକ୍ଷା କରିଛନ୍ତି ଗୋଟିଏ ଅମୃତ ସମୟକୁ । ପ୍ରେମ ଏକ ତତ୍କାଳିନ ନିଷ୍ପତ୍ତି ନୁହେଁ ବରଂ ଅପେକ୍ଷାର ସୃଜନ । ଲୀନା ମାଡ଼ ଖାଏ , ଗାଳି ଖାଏ , ତିରସ୍କାର ସହେ କିନ୍ତୁ ଅପେକ୍ଷା କରେ । ସେଇ ଅପେକ୍ଷାରେ ସେ ଫେରିପାଏ ତା ସ୍ୱାମୀକୁ ।
ପରବର୍ତ୍ତୀ ଗଳ୍ପ ଦୁଇଟି ଅର୍ଥାତ “ବଂଶ” ଓ ଗୋଟିଏ ମୃଦୁ ଶାରୀରିକ ଉତ୍ତେଜନାର ଆତ୍ମପ୍ରକାଶ । କିନ୍ତୁ ଆଶ୍ଚର୍ଯ୍ୟ ଲାଗୁଛି କି ଦ୍ଵିତୀୟ ଗଳ୍ପ ଏବଂ ପଞ୍ଚମ/ଷଷ୍ଠ ଗପ ତ୍ରୟରେ ନାରୀଙ୍କ ଏପରି ମୁକ୍ତ ମାନସିକତା ଓ ପୁରୁଷଙ୍କ ଅସଙ୍କୋଚ ଗ୍ରହଣୀୟତା କେତେଦୂର ଠିକ୍ ର ସନ୍ଦେହ ପାଠକ ମନରେ ଆସିବ କି ?! ଅବଶ୍ୟ ଏତେ ଅଗ୍ରହଣୀୟ ନୁହେଁ , କାରଣ ପରକୀୟା ପ୍ରୀତି ସମାଜରେ ଚରି ସାରିଛି ଓ ଏହା ଆଦିମ ଅଭ୍ୟାସ ମଣିଷ ସମାଜର । ଗଳ୍ପ ତ୍ରୟରେ ଦେହ ଓ ଦେହାତୀତ ଭାବନା ଉଭୟ ଭାବରେ ପରିପୃଷ୍ଟ । ଅସଲ ହେଲା ପାଠ ବେଳେ ପାଠକ ଦେହ କିମ୍ବା ଯୌନ ଉଗ୍ରତା ଉପରେ ଧ୍ୟାନ ଦେବ ନା ନିର୍ଦ୍ଦିଷ୍ଟ ଏକ ଚରିତ୍ରର ଚାରିତ୍ରିକ ଆଭିମୁଖ୍ୟରେ ? ଯଦି ‘ବଂଶ’ ଗଳ୍ପରେ ପାଠକ ଗୋବିନ୍ଦର ଜାଗାରେ ନିଜକୁ ନରଖିପାରିବ ଜାଣିବେ ସେଇ ପାଠକ ଦେହରୁ ଦେହାତୀତ ଆଡ଼କୁ ଅଗ୍ରସର ହେଉଛି । ଏ ଗଳ୍ପ ଏକ ପରୀକ୍ଷା ।
ସପ୍ତମ ଗଳ୍ପ “ପ୍ରେମିକାର ସାନ ଭଉଣୀ” ପୂର୍ବ ଛଗୋଟି ଗଳ୍ପରୁ ବହୁତ ଭିନ୍ନ । ଏଠାରେ କଥାକାର ଗଳ୍ପର ମୁଖ୍ୟ ଚରିତ୍ର “ଅମରଜ୍ୟୋତି”କୁ କରିଥିବା ସତ୍ତ୍ୱେ ଧୀରେଧୀରେ ମୁଖ୍ୟ ଚରିତ୍ରରେ “ଲୋପାମୁଦ୍ରା” ଅବତରଣ କରୁଛନ୍ତି । ସତରେ ଲୋପାମୁଦ୍ରା ଜଳିଜଳି ପ୍ରେମ ଭୋଗିଥିଲା । ବଡ଼ ଭଉଣୀର ଆଳରେ ଜଣେ ପ୍ରାପ୍ତ ପ୍ରେମିକକୁ ପ୍ରେମକରି ଦୀର୍ଘ ବର୍ଷର ପ୍ରେମ ଚିଠି ସାଇତି ରଖିବା ଓ ଶେଷକୁ ବଡ଼ ଭଉଣୀର ପ୍ରେମିକଙ୍କୁ (ଯେ କି ବାସ୍ତବରେ ନିଜର , ଏକପାଖର) ପ୍ରେମିକଙ୍କୁ ସବୁତକ ଚିଠି ଫେରେଇବା ! ଏପରି ପ୍ରେମ କାହାଣୀର ପ୍ରଶଂସା କରିବାକୁ ମଧ୍ୟ ଛାତିରେ ଗାଦେ କୋହ ରଖିବାକୁ ହୁଏ । ଆଃ… ପ୍ରେମ ଅପେକ୍ଷା ଦୀର୍ଘ ଦିନର ଇପ୍ସିତ ଆକାଂକ୍ଷା ଯେପରି ପାଠକକୁ ଜାଳିଦେବ !!! ଅମରଜ୍ୟୋତି କେଇ କ୍ଷଣ ହେଉ ପଛେ ଲୋପା ପ୍ରତି ନିଜର ପୂର୍ବ ଇଛା ଜାଣିଥିଲେ ମଧ୍ୟ ସେ ଚିଠି ଗୁଡ଼ିକରେ ଥିଲା ଏକ ବିରାଟ ବିସ୍ଫୋରଣ । ସେ ଚିଠି ଦେଉଥିଲେ ଦୀପାକୁ କିନ୍ତୁ ଏ ଦୀର୍ଘ କୋଡ଼ିଏ ବର୍ଷ ଧରି ଦୀପା ଚିଠି ପାଇନି । ଦୀପା ନାଁ କଟା ହୋଇ ଲିପା ନାଁ ଅଛି । ସେଇ ଲିପା ଫେରାଉଛି ସବୁତକ ଚିଠି ପୁଣି ଅଜଣା ହୋଇଯିବା ଆଶାରେ ! ଆଃ…।
ପ୍ରତ୍ୟେକ ଗଳ୍ପ ନିଜନିଜ ଭିତରେ ଗୋଟିଏ ଶକ୍ତ ଧାରା ପ୍ରବାହିତ କରିଦେଇଛି । ସେଇ ଧାରାରେ ପାଠକଟି ବହିଯିବ ଗଳ୍ପର ଭିନ୍ନ ଚରିତ୍ରକୁ ସାଥିକରି , ନୂଆ ନୂଆ ସମ୍ଭାବନା ପାଇବ ସେଇ ଯାତ୍ରାରେ । କାହାଣୀ ଯେତେ ରୋଚକ ହୁଏ ସେତିକି ଅର୍ଥପୂର୍ଣ୍ଣ । ସେଇ ରୋଚକରେ ନୂଆ କାହାଣୀ ଏତେ କସିକରି ଭିଡ଼ିଧରେ ଯେ ପାଠକ ପୁରୁଣା କାହାଣୀର ଭିତ୍ତିଭୂମି ପାଶୋରିପଡ଼େ । ଯେମିତି ପୂର୍ବ ଗଳ୍ପଟି ଏତେ ସୁନ୍ଦର , ରୋଚକ ଓ ଅର୍ଥପୂର୍ଣ୍ଣ ଥିଲେ ମଧ୍ୟ ଗଳ୍ପ “ଚେଙ୍କ” ସେ ସବୁକୁ ଭୁଲେଇ ନୂଆ ଭାବନା ଜାଗ୍ରତ କରେଇଦେଲା । ଗୋଟିଏ ନାରୀର ଦୀର୍ଘ ଯନ୍ତ୍ରଣାକୁ ପରସ୍ତ ପରସ୍ତ କରି ଖୋଲିଦେଲେ ଶେଷକୁ ।
କେବଳ କାହାଣୀ ନୁହେଁ , ଚରିତ୍ରଙ୍କୁ ନିଖୁଣ ଆଙ୍କିବାରେ କୌଣସି ବାଗ ଆଉ ଛାଡ଼ି ନାହାଁନ୍ତି ଅମରେଶ ସାର୍ । ପ୍ରତ୍ୟେକ ଗଳ୍ପର ପ୍ରତ୍ୟକ ଚରିତ୍ର ଓ ସେମାନଙ୍କ କାର୍ଯ୍ୟକଳାପର ସୂକ୍ଷ୍ମ ବ୍ୟାଖ୍ୟା ଦେଇଛନ୍ତି । ଘଟଣାର ମୌଳିକତା ଉପରେ ଯେଉଁ ବ୍ୟକ୍ତ ରହିଛି ତାହା ଅଧିକ ଆକର୍ଷଣୀୟ । ପଢ଼ିଲା ବେଳେ ଲାଗିବ ଯେପରି ସଭିଏଁ ପାଠକଙ୍କ ପାଖରେ ଅଛନ୍ତି । ପାଠକ ଗୋଟିଏ କ୍ୟାମେରା ଧରି ରେକଡ଼ିଂ କରୁଛି ସେମାନଙ୍କ ଅଜାଣତରେ ।
ହଁ , ଦ୍ଵିତୀୟ ଗଳ୍ପ ପରି "ପାରୋମିତା" ମଧ୍ୟ ଗୌଣ ନୈରାଶ୍ୟ ଆଣିଦେଇଥିଲେ ମଧ୍ୟ ଯଦି ମୁଁ କାହାଙ୍କୁ ମନେପକେଇବାକୁ ଚାହିଁବି ତେବେ ସେ ହେଉଛନ୍ତି ଚେଙ୍କ ଗଳ୍ପର “ଇର୍ଷା ମିଶ୍ର” ଓ ଶେଷ ପ୍ରସ୍ତାବ ଗଳ୍ପର “ସୁବ୍ରତ”ଙ୍କୁ । ଗଳ୍ପ ଦ୍ବୟରେ ଦୁଇଟି ଭିନ୍ନ ଦୃଢ଼ ଚିନ୍ତାଧାରା ରହିଛି । ‘ଇର୍ଷା ମିଶ୍ର’ ନିଜକୁ ଜଳାଞ୍ଜଳି ଦେଇଥିଲେ ମଧ୍ୟ ଜୀବନରେ କଷ୍ଟ ଭୋଗି ଜୀବନକୁ କିପରି ଉପଭୋଗ କରିବାକୁ ପଡ଼େ ତାହା ଶିଖାଇଦେଇ ଗଲା ବେଳେ ‘ସୁବ୍ରତ’ ନିଜକୁ ଏକ ସାନ୍ତ୍ୱନାର ସମିଶ୍ରଣ ନେଇ ପହଞ୍ଚିଥିଲା ବାଟବଣା ହୋଇପଡ଼ିଥିବା ସୁଲେଖା ପାଖେ । ତେବେ ପ୍ରତ୍ୟେକ ଗଳ୍ପ ଭିନ୍ନ ଭିନ୍ନର ବାର୍ତ୍ତା ନେଇ ଅଛି । ପ୍ରେମ , ପରକୀୟା , ପ୍ରବଞ୍ଚନା କିମ୍ବା ପ୍ରତାରଣା ! ଗଳ୍ପ କିଛିରେ ହାଲ୍କା ଦେହ ଉତ୍ତେଜନାମୟ ପଠନ ସୌଖିନ ରହୁଥିଲେ ମଧ୍ୟ ଗଳ୍ପଗୁଡ଼ିକର ଧାଡ଼ି ଧାଡ଼ିର ଶୈଳୀ ଆପଣଙ୍କୁ କ୍ଷଣଟିଏ ନିରାଶ କରିବ ନାହିଁ । ଯଦି ପାଠକ କିଶୋର/କିଶୋରୀ ହୋଇଥିବେ ତେବେ ଗଳ୍ପ ଗୁଡ଼ିକ ନୂଆ ରୋମାଞ୍ଚ ଆଣିଦେବ , ଯଦି ଯୁବକ/ଯୁବତୀ ତେବେ ଅସରନ୍ତି ଉନ୍ମାଦନାରେ ଭରିହୋଇଯିବ , ଯଦି ବୟସ୍କ ତେବେ ସ୍ମୃତି ରୂପେ ପୁରୁଣା ଦିନଗୁଡ଼ିକ ଛନଛନ ଦିଶିବ ।
ଆଶାକରିବି "ପ୍ରେମିକାର ସାନ ଭଉଣୀ" ପ୍ରତି ବର୍ଗର ପ୍ରେମିକ ମହଲରେ ବାରମ୍ବାର ଚର୍ଚ୍ଚା ହବ , ଜୋରଦାର୍ ହବ....
◆◆◆
✍️ ହିମାଂଶୁ ଭୂଷଣ ସାହୁ
ସୋଲଗାଡ଼ିଆ , ଢେଙ୍କାନାଳ ୭୫୯୦୧୬
"ପ୍ରେମିକାର ସାନ ଭଉଣୀ" ଗଳ୍ପ ବହି ସହ ୭ମ ରାଜ୍ୟସ୍ତରୀୟ ପୁସ୍ତକମେଳାର ଏକ ଫଟୋ ।


ଅତି ଚମତ୍କାର ବିଶ୍ଳେଷଣ ହିମାଂଶୁ। ମୁଁ ନିଜେ ମଧ୍ୟ ସଚେତନ ନଥିଲି ଅନେକ ସ୍ଥାନରେ ଯାହା ତୁମେ କରେଇ ଦେଲ। ଏହାକୁ ମୁଁ କୌଣସି ପତ୍ରିକାରେ ପ୍ରକାଶନ ପାଇଁ ଅନୁମତି ଦିଅ।
ReplyDeleteନମସ୍କାର ସାର୍ 🙏 ଏହା ତ ମୋ ସୌଭାଗ୍ୟ ହବ । 🥰🙏
Deleteବହୁତ୍ ସୁନ୍ଦର ଶବ୍ଦ ସଂଯୋଜନା.. ବହି ପଢି ନଥିଲେ ବି ପଢିବାର ଆଗ୍ରହ ଆଣିଦେଇ ପାରିଛନ୍ତି ଆପଣ ଏଇ ବିଶ୍ଳେଷଣ ମାଧ୍ୟମରେ... ଏମିତି ଲେଖା ସବୁ ପଢିବାକୁ ଖୁବ୍ ଭଲ ଲାଗେ..
ReplyDeleteଆଗକୁ ଏମିତି ଲେଖି ଚାଲନ୍ତୁ 🙏 😀
ଅଶେଷ ଧନ୍ୟବାଦ 🙏😊
Delete