ଆସ ମୋ ଗାଁ ବୁଲିବା ,
ନିଶ୍ଚନ୍ତାର କୋଳେ ଯେଉଁ ଘାସ ସମୁଦ୍ର
ତାକୁ ପାରିହୋଇ ଜିରେଶାଳି ବିଲ ଦୁଇହୁଡ଼ା ଭିତରେ
ଯେଉଁ ପାଣି ମାଲଟି ଆତ୍ମହତ୍ୟା କରିଥିଲା ?
ସେଇଠି ଠିଆ ହେଲେ ମୋ ଗାଁ ପ୍ରାଞ୍ଜଳ ଦିଶେ ।
ସେଇ ଶୁଖିଲା ବିଲରୁ ମୋ ଗାଁ ବୁଲିବା ।
ଚଢ଼ିଯିବା ବନ୍ଦ ପଡ଼ିଥିବା
ଜୋର ପାଖରେ ଯେଉଁ ଅଧାଗଢା ପାଣି ଟାଙ୍କି ?
ତା ମଥାନରୁ କେଇଟି ଶୁଖିଲା ପୋଖରୀ ଦେଖିବା ।
ସେଇଠି ଚଢ଼ିଗଲେ ମୋ ଗାଁ ମାନଚିତ୍ର ଦିଶେ
ସେଇ ପାଣି ନଥିବା ଟାଙ୍କିରୁ ଶୁଖିଲା ରାଜନୀତି ଶିଖିବା ।
ବୁଲିଯିବା ଗାଁ ବିଦ୍ୟାଳୟ
ରଙ୍ଗହୀନ କାନ୍ଥ , ଢଙ୍ଗହୀନ ପରିବେଶ
ତାରି ଭିତରୁ କୁନି କୁନି ପିଲାଙ୍କ
"ସତ କହି ପଛେ ମଲେ ମରିବି" ଶୁଣି ଆସିବା ।
ସେଇଠି କୁଆଡେ ଅତୀତର ବାସ୍ନା ଥାଏ
କେଇ କ୍ଷଣ ନିଜକୁ ସଚ୍ଚୋଟ ତ ଭାବିନେବା !
ଘେରାଏ ପହଁରିବା ଆଦର୍ଶ ନାଁ ନେଇ
ପ୍ରଶାସନିକ ହତ୍ୟା ହୋଇଥିବା ପୋଖରୀ ରେ
ଅଣ୍ଡାଳିବା ପିଲାଦିନର ବୁଡ଼ ପରେ ବୁଡ଼ ଅତୀତ ।
ସେଇଠି ପରା ଲୁଚିରହିଛି ଲକ୍ଷଲକ୍ଷ ଟଙ୍କାର କାର୍ଯ୍ୟଫଳକ
ଆସ , ସଚ୍ଚୋଟ ମୁଖା ପିନ୍ଧା ଦୈତ୍ୟ ଦେଖିଆସିବା ।
ସେଇ ହୁଡ଼ାରୁ ତ ଦିଶେ ମୋ ଗାଁ ମନ୍ଦିର !
ଯେଉଁଠି ତାସ୍ ପାଲି କି ହେଁ ହେଁ ଫେଁ ଫେଁ ମନା !!!
କିନ୍ତୁ ମୁଁ ଶୁଣେ ଗାଁ ଭାଗ ଭାଗ ଯୋଜନା
ଶହ ଶହ ରାଜନୈତିକ ବୈଠକ
ସେଇଠି ତ ମୌନ ରୁହନ୍ତି ଈଶ୍ୱର ପଥର ଭିତରେ
ଆସ , ଭକ୍ତି ଥାଉ କି ନଥାଉ ମଥାନତ ହୋଇଯିବା ।
ଦେଖିଯିବା ଖେଳପଡ଼ିଆ ,ଦୋଳିଆ-ନବା-ଭୁତିଆ ପୋଲ
ହାତୀ ପଡ଼ିଆରୁ ମାନିଆଁ ଦାଣ୍ଡି କି କଇଁଆ ଧାଡି ବୁଲିବା !
ପାଦେ ପାଦେ ଗଣିନେବା ମାତାଲ ଯୁବକଙ୍କ ଛାତି
ଗୋଟିଏ ନିଶାଖୋର ପଞ୍ଚାୟତ
ଶହ ଶହ ନିର୍ଲଜ ଯୁବକଙ୍କ ମୃତ ଭବିଷ୍ୟ…
ସେଇ ନିଶାରୁ ଆମ ଗାଁ ଅଣ୍ଡାଳିବା ।
ଆସ ମୋ ଗାଁ ଦେଖିବା ।
◆◆◆
✍️ହିମାଂଶୁ ଭୂଷଣ ସାହୁ
ସୋଲଗାଡ଼ିଆ
#ଗଳ୍ପକବିତା

No comments:
Post a Comment