HIMANSHUBHUSHAN SAHOO

My photo
ନିରୋଳା ଦେଖି ଗଳ୍ପ ଗୁଡିକ ମୋତେ ପ୍ରଶ୍ନ କଲେ "ତୁ ଗଳ୍ପ କେମିତି ଲେଖୁ ?" ମୁଁ ହସିଦେଇ କହିଥିଲି "ଆପଣ ନିଜକୁ ଦେଖନ୍ତୁ , ନିଜ ଚତୁର୍ଦ୍ଦିଗ କୁ ଅନୁଭବ କରନ୍ତୁ ! ଅସରନ୍ତି ସୁଖ-ଦୁଃଖ , ଅକଳନ ହାନି-ଲାଭ , ଗଭୀର ପ୍ରେମ-ବିରହ , ଅପର୍ଯ୍ୟାପ୍ତ ଜନ୍ମ-ମୃତ୍ୟୁ !!! ସବୁତ ପ୍ରଦର୍ଶିତ ଏଠି " ଆଉ କବିତା କ'ଣ କହିଲା ଜାଣନ୍ତି ? କହିଲା, "ତୁ' ତ ନିଜକୁ ଗାଳ୍ପିକ ଭାବିଛୁ , କବିତା କିପରି ଲେଖିବୁ ?" ମୋ ଉତ୍ତର ଥିଲା.. " ସତେ'ତ ! ତୁମ ହସ ହସ ତୃପ୍ତ ବଦନରୁ ଟିକିଏ ଦୁଃଖ ଟାଣିଆଣି.. ଗାରେଇ ନଦେଲେ ମୋ ଭାବନାରେ ! ସେ କି କବିତା ?"

Tuesday, February 17, 2026

‘ଈଶ୍ୱରଙ୍କ ଉତ୍ଥାନ ପତନ’ - ବ୍ୟକ୍ତିତ୍ୱର ଚୟନ

   ନିଜର ଉତ୍ଥାନ ପତନ ବେଳେ "ଈଶ୍ୱରଙ୍କ ଉତ୍ଥାନ ପତନ" ବହିଟି ପାଇବା ଓ ପଢ଼ିବା , ହୁଏତ ଏକ ସଂଯୋଗ ମାତ୍ର !  ସ୍ବୀକାରୋକ୍ତିରୁ ଅବଶ୍ୟ ମୋର ସନ୍ଦିହାନ ରହିନଥିଲା କି 'ଅଶ୍ୱମେଧର ଘୋଡ଼ା' ଉଲ୍ଲେଖ ରହିନଥିବ ! ଉପନ୍ୟାସ ଗୋଟିକ ସେତିକି ରୋଚକ ମଧ୍ୟ ଥିଲା । କିନ୍ତୁ ପାଠକ ହିସାବରେ ଅନେକ ବହି ନପଢ଼ିପାରିଥିବାର ଏକ ଦୁଃଖ ରହେ । ଯାହା ଅଗୋଚର ରହୁ । କିନ୍ତୁ କଥାକାର ଯାହା ଉଲ୍ଲେଖ କରିଗଲେ ତାହା ପାଠକଙ୍କ ପାଇଁ ପାପୁଲିଏ ଆଶୀର୍ବାଦ ବୃଷ୍ଟି ।

   ପ୍ରଥମତଃ "ଈଶ୍ୱରଙ୍କ ଅନ୍ତ୍ୟେଷ୍ଟି" ଉକ୍ତିଟି ସହିତ "ଈଶ୍ୱରଙ୍କ ଉତ୍ଥାନ ପତନ" ଯେ କି ପ୍ରଥମ ବିଷୟ ତାହା ସମାନ୍ତରାଳ ସୃଷ୍ଟି ।  ଅନେକ ଦଶକର ଅନେକ ତତ୍ୱବିତ ମାନଙ୍କ ଦୃଢ଼ ଉକ୍ତି ଉପସ୍ଥାପନ କରି ସାଧାରଣ ପାଠକ କିମ୍ବା ଈଶ୍ୱର ବିଶ୍ୱାସୀଙ୍କୁ  କଥାକାର ଅସିଧାରେ କହିଦେଲେ "ତୁମେ ସବୁ ଅନ୍ଧ ବିଶ୍ୱାସୀ" । ଆଉ ଉଦାହରଣରେ ରଖିଲେ ଗୋଟିଏ ହାତର ଆଙ୍ଗୁଠି ଗଣତି କେଇଜଣ ଲେଖକ/ଦାର୍ଶନିକଙ୍କ ଦୃଢ଼କ୍ତି । କିନ୍ତୁ ଈଶ୍ୱର ବିଶ୍ୱାସୀ ଙ୍କ ପକ୍ଷ କାହିଁ ? ନିଜ ମତ କାହିଁ ? ଏ ପକ୍ଷପାତ କାହିଁକି ? ଈଶ୍ୱରଙ୍କୁ ମାନିବା ଓ ନମାନିବାର ଏକ ରେଖା ମଧ୍ୟ ନରଖି ସିଧା ସିଧା ଈଶ୍ୱରଙ୍କୁ ଅବିଶ୍ୱାସ ଦୃଷ୍ଟିଭଙ୍ଗୀ ରଖିଦେଲେ । ଦେଖିବା ଆଗକୁ କ'ଣ ଅଛି !!!

    ଦ୍ଵିତୀୟ ବିଷୟ "ଦଳିତ ସାହିତ୍ୟ"  ୧୯୨୬ରୁ ସୃଷ୍ଟି ହୋଇଥିବା ଏକ ଅବସମ୍ଭାବ୍ୟ ଘଟଣାକ୍ରମର ପର୍ଯ୍ୟାୟ ପର୍ଯ୍ୟାୟ ହୋଇ ଆରମ୍ଭ ହୋଇଥିବାର ଏକ ଦୃଢ଼ ଆଲୋକପାତ ପଢ଼ିବାକୁ ମିଳିଲା । ଅବଶ୍ୟ ତଥ୍ୟ ଓ ଘଟଣାକ୍ରମକୁ ଲକ୍ଷ୍ୟକରି ବିମୁଖ ହୋଇପାରିବେ ନାହିଁ କେହି । ଜାତିବାଦ ଓ ଘୃଣା ଯେ ଏହାର ମୂଳ କାରଣ ତାହା ହିଁ ସ୍ପଷ୍ଟ । ସମ୍ପୂର୍ଣ୍ଣ ସହମତ ।

   ୧୯୨୬ , ପୂର୍ବ କିମ୍ବା ପର ସମୟରେ ବଦଳିଛି କ'ଣ ? ହଁ , କିଛି ଛୁଆଁ ଅଛୁଆଁ ଭଳି ଶବ୍ଦ ମାନର "ଆକ୍ଷରିକ ମାନ" ବଦଳିଛି କିମ୍ବା କହାଯାଇପରେ କି ଦବି ରହିଛି ଆଧୁନିକତାର ଚାପରେ । ନଚେତ ଗୋତ୍ର , ଜାତି ଓ ଧର୍ମ ଲୋପ ପାଇ ସାରନ୍ତାଣି !! କିନ୍ତୁ ଏହା କେତେଦୂର ଆଲୋଚ୍ୟ ବିଷୟ ? ହୁଏତ ଅସରନ୍ତି ଏ ଆଲୋଚନା ହବ । ଏହିଦୃଷ୍ଟିରୁ କଥାକାର ଦୁଇଟି 'ଦଳିତ ସାହିତ୍ୟ' ଆଲୋଚନା ଅନ୍ତର୍ଭୁକ୍ତ କରିଛନ୍ତି । ୧- ସାହିତ୍ୟ ରଚନାକାରଙ୍କ ଦଳିତ ସାହିତ୍ୟ ୨- କେବଳ ଦଳିତ ଜାତି ରଚିତ ଦଳିତ ସାହିତ୍ୟ । ହଁ ସାହିତ୍ୟର ବିଭକ୍ତିକରଣ ଯଦି ଆପଣ ଭାବୁଛନ୍ତି ତେବେ ତାହା ମଧ୍ୟ ଠିକ । ଯଦି ବାମପନ୍ଥୀ ସାହିତ୍ୟ , ଦେଶଭକ୍ତି ସାହିତ୍ୟ , ସମାଜ ସଂସ୍କାର ସାହିତ୍ୟ କିମ୍ବା ଭାଷା ଜନିତ ପୃଥକ ପୃଥକ ସାହିତ୍ୟ ସୃଷ୍ଟି ହେଉଛି ତେବେ ଦଳିତ ସାହିତ୍ୟ କାହିଁକି ସମ୍ଭବ ନୁହେଁ ? ଏହା ବ୍ୟାପକ ନହୋଇପାରିଲେ ମଧ୍ୟ କିଛିଙ୍କୁ ଭାବିବାକୁ ଖୋରାକ ଯୋଗାଇବ । ମୋ ମତରେ ଏଭଳି ସାହିତ୍ୟ ସୃଷ୍ଟି କରି ଯେତିକି ଜାତିଭେଦ ଭିତରେ ବିରୋଧ ଅବଲମ୍ବନ ହେଉଛି ସେତିକି ହିନ୍ଦୁ ସମାଜକୁ ଛିନ୍ନ କରୁଛି । 

   ପରବର୍ତ୍ତୀ ଆଲୋଚନା 'କୃଷ୍ନାଙ୍ଗ-କାହାଣୀ' ! ଈଶ୍ୱର , ଜାତିପ୍ରଥା ଉପରେ ସାହିତ୍ୟର ମତଭେଦ ଓ ରଙ୍ଗ ର ପାର୍ଥକ୍ୟତା ନେଇ ଆଲୋଚନା ଧୀରେ ଧୀରେ ମଣିଷର ବ୍ୟବହାର ଓ ପ୍ରକୃତି ପ୍ରକ୍ରିୟାକୁ ଖୋଲି ରଖୁଛି । ଅବଶ୍ୟ ଏ ଆଲୋଚନା ଭାରତ ବାହାର ଆମେରିକାରୁ ଆରମ୍ଭ ହୋଇ ଶେଷ ହୋଇଛି । କାରଣ ସେ ଶତାବ୍ଦୀରେ ଭାରତୀୟ କଳା ଥିଲେ ।

   ଏପର୍ଯ୍ୟନ୍ତ ମଧ୍ୟ କଳା ଗୋରା ପ୍ରତି ଭାରତୀୟ ଏତେ ଅସହଜ ହୋଇନାହାନ୍ତି । ଭବିଷ୍ୟତ କଥା କିଏ କହିବ ! ତଥାପି ବେଳେବେଳେ ଏଇ ତାରତମ୍ୟ ବିବାହ କିମ୍ବା ପ୍ରେମ ସମ୍ବନ୍ଧିତ ରେ ଦେଖାଯାଏ ପ୍ରଚୁର । କିନ୍ତୁ ବହିରେ ଯେଉଁ ଆମେରିକା ଗୋରା ଓ ଆଫ୍ରିକୀୟ କଳା ବିଷୟରେ ଦର୍ଶା ଯାଇଅଛି ତାହା ବିଚାର ଯୋଗ୍ୟ । କ୍ରୀତଦାସ ଓ କ୍ରେତା ମଧ୍ୟରେ ପାର୍ଥକ୍ୟ ! ସେଇ ପରିପ୍ରେକ୍ଷୀରେ ଗୋଟିଏ ଉପନ୍ୟାସର ଉଦାହରଣ ରଖିଛନ୍ତି କଥାକାର । "Uncle Tom's Cabin' ଯେଉଁଥିରେ ଜଣେ ନିଗ୍ରୋ ଜାତୀୟ ନିଜକୁ ପାଇଛନ୍ତି ଆଫ୍ରିକାରେ ନିଜ ପୂର୍ବପୁରୁଷଙ୍କ ମୂଳ । ଅବଶ୍ୟ ଏଇ ଉପନ୍ୟାସ ଟି ଏବେ କିଣି ପଢ଼ିବାକୁ ଇଛୁକ ମୁଁ ହୋଇସାରିଛି । କାହାଣୀର ପଟ୍ଟଭୂମି ଜାଣିଲେ ଆପଣ ମଧ୍ୟ ନିଜକୁ ରୋକି ପାରିବେ ନାହିଁ ।

   ପଞ୍ଚମଭାଗ "ଜୟଦେବ ବିତର୍କ"ର ପ୍ରଥମ ସଂଧ୍ୟା ! ଗୋଟିଏ ପଟେ ଓଡ଼ିଆଙ୍କ ଜୟଦେବ କୃତ ଗୀତ ଗୋବିନ୍ଦ ପ୍ରେମ ତ ଗୋଟିଏ ପଟେ ବଙ୍ଗାଳୀଙ୍କ ଜୟଦେବ ଜନ୍ମର ବାରମ୍ବାର ଯୁକ୍ତି । ଅବଶ୍ୟ ଏହା ଏପର୍ଯ୍ୟନ୍ତ ଓଡ଼ିଆ ପ୍ରମାଣସିଦ୍ଧ କରିପାରି ନାହିଁ । ଯଦି 'ରସଗୋଲା ଆମର' ଭଳି ଗୋଟିଏ ଟ୍ରେଣ୍ଡ ହୋଇନଥାନ୍ତା ତେବେ ଏବେ ମଧ୍ୟ ରସଗୋଲା ବଙ୍ଗାଳୀ ସୃଷ୍ଟି ବୋଲି ବାକି ରାଜ୍ୟ ମାନିସାରିଥାନ୍ତା । ଏଥିପାଇଁ ସରକାର ଯେତିକି ଦାୟୀ ଇତିହାସ ସେତିକି ଦୋଷୀ । ତେବେ କବି ଶ୍ରୀଯୁକ୍ତ ସଚ୍ଚିଦାନନ୍ଦ ରାଉତରାୟଙ୍କ ମତ ଭିନ୍ନ ରହେ ବୋଲି ପ୍ରକାଶିଛନ୍ତି କଥାକାର ଶ୍ରୀଯୁକ୍ତ ବିଭୂତି ପଟ୍ଟନାୟକ । ଅବଶ୍ୟ କଥାଟି ଅକାଟ୍ୟ ଓ ପ୍ରମାଣ ସିଦ୍ଧ ହୋଇଥିଲେ ମଧ୍ୟ ସନ୍ଦେହ ସୃଷ୍ଟି ହୁଏ ଚୈତନ୍ୟଙ୍କ ଆଗମନ ନେଇ ।

୧- ଗୀତ ଗୋବିନ୍ଦ ରଚନାରେ (ଦ୍ୱାଦଶ ଶତାବ୍ଦୀ ମଧ୍ୟଭାଗ) ଶ୍ରୀରାଧା ଆରାଧ୍ୟା ହେଲେ ।

୨- ଚୈତନ୍ୟଙ୍କ ଆଗମନ ବେଳେ ଚୈତନ୍ୟ ଗୀତଗୋବିନ୍ଦ ବିଷୟରେ ଅଜ୍ଞ ଥିଲେ ।

ଅର୍ଥାତ ଦୁଇଟି ଯୁକ୍ତି ଦେଖିଲେ 'ଜୟଦେବ' ଖାଣ୍ଟି ଓଡ଼ିଆ ହିଁ ଲାଗିବେ

ପ୍ରଶ୍ନ ଆସେ ଜୟଦେବ ଯଦି ବଙ୍ଗାଳୀ ତେବେ ଗୀତଗୋବିନ୍ଦ ପରେ ଓ ପୂର୍ବରୁ ସେଇପରି ରଚନା କାହିଁକି ହୋଇନାହିଁ ? ବାକି ଚୈତନ୍ୟଙ୍କ ଜ୍ଞାନ ଓ ମୋଗଲଙ୍କ ଷଡ଼ଯନ୍ତ୍ର ବିଷୟରେ ଶ୍ରୀଯୁକ୍ତ ସୁରେନ୍ଦ୍ର ମହାନ୍ତି ତ ଲେଖିଛନ୍ତି ! ଯଦି "କୃଷ୍ନାବେଣୀରେ ସଂଧ୍ୟା" କୁ ଠିକଭାବେ ଅନୁଧ୍ୟାନ କରାଯାଏ ତେବେ ଚୈତନ୍ୟଙ୍କ ଜ୍ଞାନରେ ଗୀତଗୋବିନ୍ଦ କାହିଁକି ନଥିଲା ଧରିହେବ । ସେ ଆଲୋଚନା ଏଠାରେ ପ୍ରୟୋଜନ ନଥିଲେ ମଧ୍ୟ ଏତିକି କହାଯାଇପରେ କି ଓଡ଼ିଆଙ୍କୁ ଭୁଆଁ ବୁଲେଇବା ସେବେଠୁ ଅଛି । 

   ତେବେ ଦ୍ଵିତୀୟ ସନ୍ଧ୍ୟାରେ ଆଲୋଚନା ହୋଇଛି ସ୍ପଷ୍ଟ ଭାବରେ । କିଛି ପତ୍ରିକାରେ କଥାକାର ସଚ୍ଚିଦାନନ୍ଦ ରାଉତରାୟ ଙ୍କ ବକ୍ତବ୍ୟକୁ ଉତ୍ଥାପନ କରାଯିବା ସହିତ ଜୟଦେବଙ୍କ ଜନ୍ମସ୍ଥାନ ଓ ତାଙ୍କ ଜନ୍ମର ଶହ/ହଜାର ବର୍ଷ ପରେ ତାଙ୍କୁ ନେଇ ବିତର୍କ କେମିତି ସୃଷ୍ଟି ହେଉଛି ସେଥିରେ ସେ ବଙ୍ଗାଳୀ ବୋଲି ପ୍ରମାଣ ମିଳୁନାହିଁ ।

   ଯଦି ଭାଷାର ଆଧୁନିକ ଭୌଗୋଳିକ ଦୃଷ୍ଟିରୁ ଦେଖିବା ତେବେ ଇଂରେଜିରେ "Jayadeva" ଓ "Gita gobinda" ଆସେ । ବଙ୍ଗାଳୀଙ୍କ ଭାଷାଶ୍ରୁତି ହିସାବରେ "ଜୋୟୋଦେବୋ" "ଗୀତୋ ଗୋବିନ୍ଦ(ନ୍ଦ ରେ ଓ କାର) ଆସେ ନାହିଁ । ଯାହା ମୂଳ ଭାଷାରୁ ଭିନ୍ନ । ଏ ବ୍ୟତିକ୍ରମ ବଙ୍ଗାଳୀ ସହିଛନ୍ତି କେମିତି? କାରଣ ସେମାନେ ଜାଣନ୍ତି ସେମାନଙ୍କ ଯୁକ୍ତି ବ୍ୟର୍ଥ ହବ । ଆଉ ହଁ ,ମୋ ମତରେ ଶ୍ରୀଯୁକ୍ତ ସଚ୍ଚିଦାନନ୍ଦ ରାଉତରାୟଙ୍କୁ ଶ୍ରୀ ଜୟଦେବଙ୍କ ଅର୍ଥେ ସମାଲୋଚନା ଚକ୍ରକୁ ଆଣିବାପାଇଁ ଶ୍ରୀଯୁକ୍ତ ବିଭୂତି ପଟ୍ଟନାୟକ ଏକ ଆଲୋଚନାର ବ୍ୟୁହ ରଖିଛନ୍ତି ବହିରେ । ଯଦି ଆଲୋଚନାଟି ସତ୍ୟ , ତେବେ ହୋଇଥାଇପରେ କି ବାକି ସଦସ୍ୟ କାଳ୍ପନିକ ନୁହନ୍ତି ।

   ଷଷ୍ଠ ଭାଗରେ ଉପନ୍ୟାସ "ୟୁଲିସିସ୍"କୁ ଯେଉଁଭଳି ପୁଙ୍ଖନୁପୁଙ୍ଖ ଭାବେ ଅବତାରଣା କରାଯାଇଛି ତାହା ବିଚାର ସାପେକ୍ଷ । ଏଭଳି ସମୀକ୍ଷା କିମ୍ବା ସପକ୍ଷବାଦୀ ଆଲୋଚନା କ୍ଵଚିତ ମିଳେ ।  ବିଷୟବସ୍ତୁ , ସାମାଜିକ ଆକଳନ ଓ ସେ ସମୟର ଲେଖକଙ୍କ ମନସ୍ତତ୍ତ୍ୱକୁ ଆକଳନ କରି ତଥ୍ୟ ଲେଖିବା କେବଳ ଶ୍ରୀଯୁକ୍ତ ବିଭୂତି ପଟ୍ଟନାୟକଙ୍କ ଦ୍ୱାରା ହିଁ ସମ୍ଭବ । ଏଥିରେ ଦ୍ବିମତ ନାହିଁ ।

   ସପ୍ତମ ଭାଗ "ବିଂଶ ଶତାବ୍ଦୀର ଶ୍ରେଷ୍ଠ ନାଟ୍ୟକାର : ଆର୍ଥର ମିଲର୍" । 

ମୋର ମନେପଡୁଛି ମୁଁ ସ୍ୱଚକ୍ଷୁରେ ଦେଖିଥିବା ଶେଷ ନାଟକ "ରେବତୀ , ସେବତୀ ଓ ଏବତୀ" ସାଳନ୍ଦୀ ସାହିତ୍ୟ ମଞ୍ଚରୁ । ପ୍ରତ୍ୟେକ ନାଟକର ଏକ ଧର୍ମ ଥାଏ । ତାହା ହେଲା କୌଣସି ବିଷୟବସ୍ତୁକୁ ମନୁଷ୍ୟର କୌଣସି ନିହିତ ଭାବନା ସହିତ ଜଡ଼ିତ କରି ତାକୁ ସର୍ବସମ୍ମୁଖରେ ରଖିବା । ସେଇ ଭିତରୁ ମଣିଷ ବାଛିନିଏ ନିଜ ଅନ୍ତର୍ନିହିତ ବାଦକୁ । ଯଦି ଅନ୍ତରରେ ଗଭୀର ଛାପ ପଡ଼େ ତେବେ ଭୁଲେ ନାହିଁ । ଯେପରି "ରେବତୀ ସେବତୀ ଓ ଏବତୀ" ନାଟକ ଓ ପିଲାବେଳେ ଆକାଶବାଣୀ କଟକରୁ ଶୁଣିଥିବା ନାଟକ "ମଶାଣି ଫୁଲ" । କିନ୍ତୁ  ସାହିତ୍ୟର ସମୟବଦ୍ଧତା ଭିତରେ 'ଏବତୀ'ର କାହାଣୀରୁ ମୁଁ ବଞ୍ଚିତ ହୋଇଯାଇଥିଲି ।

   ତେବେ ଆର୍ଥରଙ୍କ କାହାଣୀ ଉପରେ କଥାକରଙ୍କ ପର୍ଯ୍ୟବେକ୍ଷଣ ଗୁରୁତ୍ୱପୂର୍ଣ୍ଣ ରହିଆସିଛି । ସାମ୍ୟବାଦ ହେଉ କି କମ୍ୟୁନିଜିମ ! ଜଣେ ନାଟ୍ୟକାରର ଜୀବନ କିଭଳି ଏଇ ରାଜନୀତି ଉତ୍ଥାନ ପତନରେ ନାଟକୀୟ ହୋଇଉଠିଛି ତାହା ସୂକ୍ଷ୍ମ ରୂପେ ଦର୍ଶାଇଛନ୍ତି । ଅବଶ୍ୟ ମୁଁ ପଢ଼ିଥିବା ଶ୍ରୀଯୁକ୍ତ ବିଜୟ ମଲ୍ଲଙ୍କ "ଦଶ ଦିଶାରୀ"ରେ ଏଇଭଳି ତଥ୍ୟ ଥିଲା ଓଡ଼ିଆ ନାଟ୍ୟକାରଙ୍କ ବିଷୟରେ । ଟିକିଏ ସୁସ୍ଥିଆ ଓଡ଼ିଆ ଭଙ୍ଗୀରେ ଆମ ନାଟ୍ୟକାର ଥିଲେ ନିର୍ଭୟ । ତଥାପି କହାଯାଇପାରେ କି ଆର୍ଥରଙ୍କୁ ଯେଉଁ ଉଦ୍ଦେଶ୍ୟ ନେଇ ତତ୍କାଳୀନ ସରକାର ହଇରାଣ କରୁଥିଲେ ତାହା ସମୟ ସାପେକ୍ଷ ,କିନ୍ତୁ ଆର୍ଥରଙ୍କ ଉତ୍ତର ଯଥାର୍ଥ । ଅଷ୍ଟମ ଭାଗ ଅର୍ଥାତ "ନାଟ୍ୟକାର ଓ ଅଭିନେତ୍ରୀ" ପର୍ଯ୍ୟନ୍ତ ଆର୍ଥରଙ୍କ କାହାଣୀ ଲମ୍ବିଛି । ମୋ ମତରେ ଜଣେ ଭଲ ନାଟ୍ୟକାର ଓ ଅଭିନେତ୍ରୀ , ଅନ୍ୟପକ୍ଷରେ ସେମାନଙ୍କ ବାରମ୍ବାର ବିବାହ-ବିବାହବିଚ୍ଛେଦ ମଧ୍ୟରେ କଥାକାର ବିବାହ ବିଚ୍ଛେଦକୁ ଏଇ ଭାଗରେ ଏପରି ପ୍ରାଧାନ୍ୟ ଦେଇଛନ୍ତି ଯେ ଲାଗିବ ଶାଶ୍ୱତ ପ୍ରେମ ଏକ ପ୍ରହସନ । ପାଶ୍ଚାତ୍ୟ ଦେଶରେ ହୁଏତ ଏସବୁ ସାଧାରଣ କଥା । କିନ୍ତୁ ଯଦି ଦୁଇଟି ମଣିଷ ନିଜ ନିଜ ମଧ୍ୟରେ ପ୍ରେମ , ବୁଝାମଣା , ସହାବସ୍ଥାନ କିମ୍ବା ଅତ୍ମୀୟତା ବଜାୟ ରଖିପାରୁନାହାନ୍ତି ତେବେ ଜୀବନ ନାଟକୀୟ ନୁହେଁ ନାରକୀୟ ମୋ ମତରେ । ଆର୍ଥର ହୁଅନ୍ତୁ କିମ୍ବା ମେରଲିନ୍ , କଥାକରଙ୍କ ବ୍ୟାଖ୍ୟାନରେ କିନ୍ତୁ ଦୁଇଟି ମହାନ ଚରିତ୍ର ହୋଇପାଇଛନ୍ତି । 

   ପ୍ରଶ୍ନ ଆସେ "ଈଶ୍ୱରଙ୍କ ଉତ୍ଥାନ ପତନ" ସହିତ ଏସବୁର ସଂଯୋଗ କ'ଣ ? କାହିଁକି ଶ୍ରୀଯୁକ୍ତ ବିଭୂତି ପଟ୍ଟନାୟକ ମହୋଦୟ ପ୍ରଥମ ଭାଗରେ ଈଶ୍ୱରଙ୍କୁ ଅବମାନନା ତଥ୍ୟ ପ୍ରଦାନରେ ଜୋର ଦେଇ ଧୀରେଧୀରେ ପାଶ୍ଚାତ୍ୟ ସଭ୍ୟତାର କୁସଂସ୍କାର ଉପରକୁ ଢଳିଗଲେ ? ଏହା ମଧ୍ୟ ପ୍ରଶ୍ନ ଆସିପାରେ କି ବହିଟିର ନାଁ ‘ସଭ୍ୟତାର ଉତ୍ଥାନ ପତନ’ ହେଲାନି କାହିଁକି ?

   କିନ୍ତୁ ନବମ ଅଧ୍ୟାୟ "ଡ୍ରମ ବାଦକର ନୋବେଲ ପ୍ରାପ୍ତି" ଓ ଦଶମ ଅଧ୍ୟାୟ "ଲେଖକ , ପାଠକ ଓ ଏବଂ ଭ୍ଲାଦମିର୍ ନବକୋଭ" ଆଣିଦେବ ଭିନ୍ନ ଦୃଷ୍ଟିଭଙ୍ଗୀ । ସାମୟିକ ଚରିତ୍ର ଉର୍ଦ୍ଧ୍ବରେ ଦିଶିବ ପରିଶ୍ରମ ଓ ସାହିତ୍ୟ ପ୍ରତି ଉଦିତ ଉତ୍ସର୍ଗ । ସମ୍ପ୍ରଦାୟ ଦାୟରେ କିଭଳି ଜଣେ ଲେଖକଙ୍କୁ ଭୋଗିବାକୁ ପଡୁଛି ବର୍ଷ ବର୍ଷ ଧରି ଆକ୍ରୋଶ । ନାଜିବାଦ ଓ ଇହୁଦି ସମ୍ପ୍ରଦାୟ ସମ୍ମୁଖରେ ଡ୍ରମ ବାଦକ "ଅକସାର୍ ମାଚଥେରାସ" ପାଲଟନ୍ତି ଏକ କିମ୍ବଦନ୍ତୀ 'ଟିନ ଡ୍ରମ' ଉପନ୍ୟାସ ମାଧ୍ୟମରେ । ଆଉ ଆତ୍ମହତ୍ୟା କରନ୍ତି ସେଇ ବାଦକ ଉପହାର ଦେଇଥିବା 'ମାରକୁସ୍' ! ଆଃ..ସମାଜ ସଂସ୍କରଣ ପାଇଁ ଏକ ଲଜ୍ଜାବୋଧ ଇତିହାସ ଏ । ଗୁଣ୍ଟର ଗ୍ରାସ୍ ମାଧ୍ୟମ ପାଲଟନ୍ତି ଏଇ କଳଙ୍କରୁ ଉଜ୍ଜ୍ୱଳ ଦିଗ ମଧ୍ୟରେ ।

    ତେବେ ଦଶମ ଭାଗରେ ପାଠକଙ୍କ ପାଇଁ ଉଦ୍ଦିଷ୍ଟ ଯେଉଁ ତଥ୍ୟ ରହିଛି ତାହା ବିଚାରଯୋଗ୍ୟ । ହୁଏତ ଅଧିକାଂଶ ଜାଣିନଥିବେ ଓଡ଼ିଆରେ ଯେଉଁ ମିଛୁଆ ରାଧୁଆ କାହାଣୀ ସର୍ବ ବିଦିତ ତାହା ରୁଷ ଦେଶ ଲେଖକ ଭ୍ଲାଦିମିର ନବକୋଭଙ୍କ ରଚିତ ।  ଅବଶ୍ୟ ସାହିତ୍ୟ ଏକ ପାଠକ ପୃଥିବୀ ସଂମ୍ପନ , ଆକାଶ ଭଳି ବ୍ୟାପ୍ତ । ସେଇପରି ପାଠକ ଏକ ବିଚାରୀୟ ବିଷୟ । ଏହି ପର୍ଯ୍ୟାୟର ଏକ ଆଲୋଚନା ଚକ୍ରରେ ନବକୋଭଙ୍କ ମତରେ ପାଠକର ସଂଜ୍ଞା ନିରୂପଣ ଖୁବ ଭଲ ଲାଗିଲା । ୧୦ ଗୋଟି ସଂଜ୍ଞା ମଧ୍ୟରୁ ପାଠକ ଓହରି ଯାଇନପାରେ । ଏହି ଗୁଣ ହିଁ ପାଠକଙ୍କୁ ଲେଖା ଓ ଚରିତ୍ରର ମୌଳିକତା ସହିତ ଯୋଡ଼ି ରଖେ । ଜଣେ ମହାନ ପାଠକ ହିଁ ସାହିତ୍ୟକୁ ରୁଦ୍ଧିମନ୍ତ କରିବାରେ ସହାୟକ ହୋଇଥାଏ ।

   ପୂର୍ବ ଏକ ପର୍ଯ୍ୟାୟରେ ଆର୍ଥରଙ୍କ ପ୍ରେମ/ନାରୀ ଉଦ୍ଦୀପନା କଥାରେ ସହମତ ହେଉନଥିଲେ ମଧ୍ୟ ଏକାଦଶ ଭାଗରେ ପ୍ରେମ ସମ୍ବନ୍ଧକୁ ଯେଉଁଭଳି କଥାକାର ଉତ୍ଥାପନ କରିଛନ୍ତି ତାହା ମଧ୍ୟରେ ମୋ ମନରେ ଜାପଲ୍ ଙ୍କ ପ୍ରତି କରୁଣତା ଭରି ଆସିଲା । ଅବଶ୍ୟ ପତ୍ନୀଙ୍କ ବ୍ୟତୀତ ବହୁ ଯୁବତୀଙ୍କ ସହିତ ପରୋକ୍ଷରେ ସମ୍ବନ୍ଧ ଥିଲେ ମଧ୍ୟ !

 ପ୍ରେମ ଓ ପ୍ରେମ ପାରିପାର୍ଶ୍ବିକ ସମ୍ବନ୍ଧୀୟ ଆଲୋଚନା ଅସରନ୍ତି । ସେଇମିତି “ଇଂରେଜୀ ଭାଷାରେ ଭାରତୀୟ କୀର୍ତ୍ତି” ରେ ଶ୍ରୀଯୁକ୍ତ ବିକ୍ରମ ଶେଠଙ୍କ ଉପନ୍ୟାସ “An equal music” ର ଦୁଇ ଚରିତ୍ର “ମଇକେଲ ଓ ଜୁଲିୟା” କଥାରେ ଜାଣିହେଉଛି କିପରି ଜଣେ ଭାରତୀୟ ଲେଖକ ପାଶ୍ଚାତ୍ୟ ଦେଶର କଥାକୁ ଟିକିନିଖି ଲେଖିପାରି ସାରା ବିଶ୍ୱରେ ସୁନାମ ଅର୍ଜନ କରିପାରନ୍ତି ! ଅବଶ୍ୟ ଭାରତ ସ୍ୱାଧୀନ ପରେ ଇଂରେଜୀ ଭାଷାର ଯେଉଁ ଆଦର ପାଉଥିଲା ପରୋକ୍ଷରେ କିମ୍ବା କହାଯାଇପରେ କି ଏହା ଏକ ବାଧ୍ୟତାମୂଳକ ହୋଇଯାଇଥିଲା ସେଥିପ୍ରତି ସେ ସମୟରେ କୌଣସି ଭାରତୀୟ ଲେଖକ ସର୍ବ ବିଦିତ ହେବା ଅବଶ୍ୟ ଆଶ୍ଚର୍ଯ୍ୟ କଥା । କିନ୍ତୁ ଓଡ଼ିଆ ସାହିତ୍ୟ ମଞ୍ଚରେ ଶ୍ରୀଯୁକ୍ତ ବିକ୍ରମ ଶେଠ’ଙ୍କ ଆଲୋଚନା ନହେବା ହୁଏତ ଏକପ୍ରକାର ଦୁଃଖଦ କଥା । ଯାହାଙ୍କ ଉପନ୍ୟାସ ୧୯୯୩ରେ ଦୁଇକୋଟି ଷାଠିଏ ଲକ୍ଷ ଟଙ୍କା ଅଗ୍ରୀମ ପାଇଥିଲା !!!

   ବହିଟିର ମୂଳଲକ୍ଷ୍ୟ ଏକ ଇତିହାସ ସମ୍ପନ୍ନଯୁକ୍ତ ଯୁକ୍ତିକୁକ୍ତ ତଥ୍ୟ ଭିତ୍ତିକ ଉଦାହରଣ ନବାଗତ ପାଠକ କିମ୍ବା ଉପନ୍ୟାସ/ଉପନ୍ୟାସିକା ଲେଖୁଥିବାଙ୍କ ପାଇଁ । କାରଣ ବିଗତ କିଛିବର୍ଷ ହବ ଓଡ଼ିଆ ଉପନ୍ୟାସରେ ଆଶାନୁରୂପ ତୀବ୍ରତା ଆସିନାହିଁ । ଅନେକ ସାହିତ୍ୟ ମଞ୍ଚରେ ଓଡ଼ିଆ ଉପନ୍ୟାସ ଗୋଟିଏ ବୃଦ୍ଧ କଇଁଛ ଗତି ବୋଲି ଆଲୋଚ୍ୟ ହେଉଅଛି । ସେଇ ଦିଗରେ ଗଳ୍ପ କିମ୍ବା କବିତା ଦେଖିଲେ ତାହାର ତୀବ୍ର ଅକଳନୀୟ ଅର୍ଥାତ ଉପନ୍ୟାସ ଯେ ଧୀରେଧୀରେ ପ୍ରବନ୍ଧର ସ୍ଥାନ ନେଉଛି କହିଲେ ଭୁଲ ହବନାହିଁ । ସେଇଥିପାଇଁ ଶ୍ରୀଯୁକ୍ତ ବିଭୂତି ପଟ୍ଟନାୟକ ସାର୍ ବହିରେ ମୂଳ ଚରିତ୍ର ଭାବେ ଉପନ୍ୟାସକୁ ବାଛିଛନ୍ତି ।

   ସେଇ ଉପନ୍ୟାସ କେଉଁଠି ପ୍ରେମର କଥା କହୁଛି ତ କେଉଁଠି ଜାତି ଉପଜାତିର ବ୍ୟଥା ବଖାଣୁଛି । ଶ୍ରୀଯୁକ୍ତ ମୁଲକରାଜ ଆନନ୍ଦଙ୍କ ଉପନ୍ୟାସ  ଆଲୋଚନାରେ ଜାତିବାଦ କଥା ଉଲ୍ଲେଖ ହୋଇଅଛି । କିନ୍ତୁ ଏସବୁ ଯେ ଦଳିତ ସାହିତ୍ୟର ଅନ୍ତର୍ଭୁକ୍ତ ତାହା ଉଲ୍ଲେଖ ନାହିଁ । ଅର୍ଥାତ ଜାତିବାଦ କଥା ଥିଲେ ମଧ୍ୟ କେବଳ ଉପନ୍ୟାସ ଜାତିକୁ ହିଁ ଅବଲୋକନ କରିପାରିଛି । ଠିକ ସେଇପରି ପରବର୍ତ୍ତୀ ବିଷୟରେ ଅର୍ଥାତ “ନଇପଲ , ରୁସିଦ ଏବଂ ସେମାନଙ୍କ ଉପନ୍ୟାସ” ଓ “ବିଂଶ ଶତାବ୍ଦୀର ବିତର୍କିତ ଉପନ୍ୟାସ , ଦି ସାଟାନିକ ସର୍ଭେସ” ରେ ଧାର୍ମିକ ଭାବନାକୁ ନେଇ ବାଦ ବିବାଦ କଥା ଅଛି । କିନ୍ତୁ ମୁଁ ଯେତିକି ଜାଣିଛି କିମ୍ବା ବିଗତ କିଛିବର୍ଷ ଭିତରେ ସଲମାନ ରୁସିଦଙ୍କୁ ଯେତିକି ସମାଲୋଚନା କିମ୍ବା ଘୃଣା ଦେଇଛନ୍ତି କିଛି ଭାରତୀୟ ସେ କଥା ଏଠାରେ ଆଲୋଚନା ହୋଇନାହିଁ । ସିଧାସଳଖ କଥାକାର ନିଜକୁ ସଂଯତ ରଖିଛନ୍ତି ଅର୍ଥାତ ସେ ବିବାଦରେ ପଶିବାକୁ ଚାହିଁ ନାହାନ୍ତି ।

  ଭାଗ ୧୬ “ପିଜୁଳି ବଗିଚାରେ ହୋ ହଲ୍ଲା” ସଲମାନ ରୁଷଦିଙ୍କ ଏକ ଗ୍ରନ୍ଥର ଉକ୍ତି ଓ ଲେଖିକା କିରଣ ଦେଶାଇଙ୍କ ସମ୍ପର୍କରେ ଏକ ତଥ୍ୟ ଯାହା ପରୋକ୍ଷରେ ଆଜିର ସାହିତ୍ୟ (ମୁଖ୍ୟତଃ ଓଡ଼ିଆ ସାହିତ୍ୟକୁ ଆମେ ନେଇପାରିବା) କ୍ଷେତ୍ରରେ ସମ୍ପର୍କର କିମ୍ବା ଆମେ କହିପାରିବା ‘ନାଲିସ’ ଉପରେ ପର୍ଯ୍ୟବେସିତ । ସଲମାନ ରୁଷଦି ନିଜ ଇଚ୍ଛାରେ ଗୋଟିଏ ବହିର ପ୍ରଶଂସା କରିଥିଲେ କିନ୍ତୁ ବର୍ତ୍ତମାନ ସାହିତ୍ୟରେ ଲେଖକ ଲେଖିକା ନିଜ ବହି ବ୍ୟତୀତ ଅନ୍ୟମାନଙ୍କ ବହିର ଉଚ୍ଚାରଣ ମଧ୍ୟ କରିବାକୁ କୁଣ୍ଠା କରନ୍ତି । ସେଇ ହେଉଛି ସାମଞ୍ଜସ୍ୟ । ତୋଷାମଦ ଆବଶ୍ୟକ ।
   କିନ୍ତୁ “ଅରୁନ୍ଧତୀ ରାୟ : ଦି ଗଡ଼ ଅଫ ସ୍ମଲ୍ ଥିଙ୍ଗସ୍” ଉପନ୍ୟାସର କ୍ଷୁଦ୍ର ସମୀକ୍ଷା ଗୋଟିକ ଭଲ ଲାଗିଲା । ସେଇଭଳି ଲେଖା ଏବେ ପାଇଁ ଆବଶ୍ୟକ । ତଥାପି ମୋତେ ଲାଗିଲା କି ଯେଉଁ ବିବାଦ ଅରୁନ୍ଧତୀ ରାୟଙ୍କୁ ନେଇ ସମାଜରେ ହୁଏ ସେଥିପ୍ରତି ଶ୍ରୀଯୁକ୍ତ ବିଭୂତି ପଟ୍ଟନାୟକ ସାର୍ ଅଧିକ ଦୃଷ୍ଟି ଆକର୍ଷଣ କରେଇବାକୁ ଦେଲେନାହିଁ । ପୁଣି ବିବାଦକୁ ଟାଣି ବିବାଦ ଗୋଟିଏ ଠିଆକରେଇବା ଉଚିତ ମଣିଲେ ନାହିଁ । ଅବଶ୍ୟ ଏହା ହିଁ ଉଚିତ ବିଚାର ।
   ପରବର୍ତ୍ତୀ ଦୁଇଟି ଅଧ୍ୟାୟ ଶ୍ରୀଯୁକ୍ତ ଫଣୀଶ୍ୱର ନାଥ ରେଣୁଙ୍କ ଜୀବନୀ ଓ ସାହିତ୍ୟ ଯାତ୍ରା କଥା ବିସ୍ତୃତ ଭାବେ ପରିଚିତ କରାଇଦେଲେ କଥାକାର । ମୋତେ ଲାଗିଲା ଦୁଇଟି ବିଷୟରେ ମୁଁ ଗୋଟିଏ ଉପନ୍ୟାସ ପଢ଼ିଲି ଜଣେ ଔପନ୍ୟାସିକଙ୍କର । ଶ୍ରୀଯୁକ୍ତ ରେଣୁଙ୍କ ଜୀବନୀ ମଧ୍ୟ ସେଇପରି । ଗୋଟିଏ ଅସମାହିତ ଉପନ୍ୟାସ ।
  ‘ଶୋଭା ଦେ’ଙ୍କ ଆତ୍ମକଥା’ ଓ ମହାଶ୍ବେତା ଦେବୀଙ୍କ ରଚିତ ଉପନ୍ୟାସ ସମୂହ ବିଷୟରେ ପଢ଼ି ବହୁତ କିଛି ଜାଣିବାକୁ ମିଳିଲା । ମୁଁ ଯେଉଁ “ଈଶ୍ୱରଙ୍କ ଉତ୍ଥାନ ପତନ”ରେ ଜାତି , ଧର୍ମ କିମ୍ବା କର୍ମ ଖୋଜୁଥିଲି ହୁଏତ ତିନୋଟି ବିଷୟ ପଢ଼ି ଜାଣିଲି ଯେ ସେଇ ଈଶ୍ୱରମାନ ହେଉଛନ୍ତି ବହିରେ ଦିଆଯାଇଥିବା ଲେଖକ-ଲେଖିକାଙ୍କ ରଚନା ଓ ସ୍ୱୟଂ ସେମାନେ । ପରିବାର , ସମାଜ , ବିବାହ , ବିଚ୍ଛେଦ , ନିଜ ସୃଷ୍ଟ ଚରିତ୍ରର ଲୁହ ଏମିତି ସବୁକିଛି ଲେଖି ବଞ୍ଚୁଥିବା ମରୁଥିବା ରଚନାକାରୀ ତ ଗୋଟିଏ ଗୋଟିଏ ଈଶ୍ୱର ! ଶ୍ରୀମତୀ ଶୋଭା ଦେ’ଙ୍କ ଜୀବନୀ ହେଉ କି ଶ୍ରୀମତୀ ମହାଶ୍ୱେତା ଦେବୀଙ୍କ ଜୀବନୀ ! ସାଧାରଣ ତ ନୁହେଁ । ଏବଂ ଈଶ୍ୱର ମଧ୍ୟ ସାଧାରଣ ନୁହେଁ ।
   ଇତିମଧ୍ୟରେ ଯେତିକି ଉପନ୍ୟାସର ଆଲୋଚନା ପଢ଼ିଲି ତନ୍ମଧ୍ୟରୁ ଦୁଇଟି ପଢ଼ିବାକୁ ବହୁତ ଇଚ୍ଛୁକ ହୋଇଗଲିଣି । ୧- ମିସେସ୍ ହାରିଏଟ୍ ଏଲିଜାବେଥ ବିଚର ଷ୍ଟୋ’ଙ୍କ “UNCLE TOM'S CABIN” ଓ ଶ୍ରୀମତୀ ମହାଶ୍ବେତା ଦେବୀଙ୍କ “ହାଜାର ଚୁରାଶିର ମା” ! ଉପନ୍ୟାସ ବିଷୟରେ ଅବଗତ ହେଲାପରେ ମନଟା ଆନ୍ଦୋଳିତ ହୋଇଗଲାଣି ।
   “ନବନାଟ୍ୟ ଆନ୍ଦୋଳନର ଅନ୍ୟତମ ନିର୍ମାତା : ଗିରିଶ କାନ୍ନାଡ଼” ରେ ଉକ୍ତ ନାଟକ “ହୟବଦନ” ବିଷୟରେ ତଥ୍ୟ ଜାଣି ବହୁତ ଆଶ୍ଚର୍ଯ୍ୟ ଲାଗିଲା । ଏଭଳି ଏକ କାହାଣୀ ଏତେବର୍ଷ ହେବ ଚଳଚ୍ଚିତ୍ର/ନାଟକ ଇତ୍ୟାଦି ମାଧ୍ୟମରେ କିପରି ଦେଖିପାରି ନାହିଁ ସେଥିପାଇଁ କ୍ଷୋଭ ମଧ୍ୟ ଲାଗିଲା । କିନ୍ତୁ ଶେଷ ପାରାଗ୍ରାଫ ପଢ଼ି ଶ୍ରୀଯୁକ୍ତ ଗିରିଶ କାନ୍ନାଡ଼ଙ୍କ ପ୍ରତି ଅଳ୍ପ ସହାନୁଭୂତି ମଧ୍ୟ ଜାଗ୍ରତ ହେଲା । କାରଣ ଏତେ ଜ୍ଞାନୀ କେବଳ ଧର୍ମନିରପେକ୍ଷବାଦ କଥାରେ ରହିଲେ କିନ୍ତୁ ନରସଂହାର ବିପକ୍ଷରେ ଚୁପ ରହିବାଟା ଏକ ଧର୍ମ ପ୍ରତି ଅସନ୍ତୁଷ୍ଟି ଦେଖିବାରେ ହିଁ ଜୀବନ ବିତିଗଲା । ଏଥିରେ ତାଙ୍କ ନିଜ ଜୀବନର ନିରପେକ୍ଷତା କାହିଁ ? ଏହି କ’ଣ ଈଶ୍ୱରଙ୍କ ପତନ ?!
   

    ଅନ୍ତିମ ଭାଗ ପୂର୍ବରୁ କଥାକାର ଶ୍ରୀଯୁକ୍ତ ବିଭୂତି ପଟ୍ଟନାୟକ ସାର୍ ଙ୍କ ‘ନମିତା ଗୋଖଲେ’ଙ୍କ ପ୍ରତି ଚିନ୍ତାବ୍ୟକ୍ତ ବହୁତ ଖୁସି ଦେଲା । ଏତେ ତର୍ଜମା ମଧ୍ୟରେ ଜଣେ କଥାକାର ଅନ୍ୟଜଣଙ୍କୁ ସମାଜରେ ଭୁଲେଇ ନଦେବାର ପ୍ରୟାସ ହିଁ ତାଙ୍କୁ ମହାନ କରାଏ । ପୂର୍ବ ପ୍ରତ୍ୟେକ ଆଲୋଚନା/ସମୀକ୍ଷା ହିଁ ଏହି ଉପରେ ଆଧାରିତ ।
  ଶେଷ ଭାଗ “ସ୍ତବ୍ଧ ସ୍ରୋତସ୍ବତୀ” ରେ ଦୁଇଟି ମହାନଙ୍କୁ ପ୍ରତ୍ୟକ୍ଷ ଭେଟିଲା ଭଳି ଲାଗିଲା । ଶ୍ରୀଯୁକ୍ତ ଗୋପୀନାଥ ମହାନ୍ତିଙ୍କ ଉପନ୍ୟାସ ପଢ଼ି ମୁଁ ଅନେକ ଲୁହ ଝରେଇଛି । ଆଜି ତାଙ୍କ ବ୍ୟକ୍ତିଗତ ଜୀବନରୁ କିଛି ଜାଣି ଶାନ୍ତି ଲାଗିଲା । ଏଇ ହେଉଛି ସାହିତ୍ୟ ଓ ସାହିତ୍ୟିକଙ୍କ ମହାନତା । କୋଟି ପ୍ରଣାମ ।
   ବହିଟି ସରିଲା ପରେ ଲାଗୁଛି ନସରିଥାନ୍ତା କି ! ମୁଖ୍ୟତଃ ଶେଷ ଭାଗଟି ।
                                      ◆◆◆


✍️ହିମାଂଶୁ ଭୂଷଣ ସାହୁ
ସୋଲଗାଡ଼ିଆ , ଢେଙ୍କାନାଳ , ୭୫୯୦୧୬










No comments:

Post a Comment

"ଗୌରୀପ୍ରଭା"ର ପ୍ରଥମ ବର୍ଷ

 ଏବେ “ ଗୌରୀପ୍ରଭା ” ପହଞ୍ଚିଛି ତୃତୀୟ ବର୍ଷରେ । ତିନି ବର୍ଷର ଯାତ୍ରାରେ ଭେଟିଛି ଅନେକ ଅନୁଭବ । ଆସନ୍ତୁ ଜାଣିବେ “ଗୌରୀପ୍ରଭା” ବାର୍ଷିକ ପତ୍ରିକାର ପ୍ରଥମ ବର୍ଷର ପା...