HIMANSHUBHUSHAN SAHOO

My photo
ନିରୋଳା ଦେଖି ଗଳ୍ପ ଗୁଡିକ ମୋତେ ପ୍ରଶ୍ନ କଲେ "ତୁ ଗଳ୍ପ କେମିତି ଲେଖୁ ?" ମୁଁ ହସିଦେଇ କହିଥିଲି "ଆପଣ ନିଜକୁ ଦେଖନ୍ତୁ , ନିଜ ଚତୁର୍ଦ୍ଦିଗ କୁ ଅନୁଭବ କରନ୍ତୁ ! ଅସରନ୍ତି ସୁଖ-ଦୁଃଖ , ଅକଳନ ହାନି-ଲାଭ , ଗଭୀର ପ୍ରେମ-ବିରହ , ଅପର୍ଯ୍ୟାପ୍ତ ଜନ୍ମ-ମୃତ୍ୟୁ !!! ସବୁତ ପ୍ରଦର୍ଶିତ ଏଠି " ଆଉ କବିତା କ'ଣ କହିଲା ଜାଣନ୍ତି ? କହିଲା, "ତୁ' ତ ନିଜକୁ ଗାଳ୍ପିକ ଭାବିଛୁ , କବିତା କିପରି ଲେଖିବୁ ?" ମୋ ଉତ୍ତର ଥିଲା.. " ସତେ'ତ ! ତୁମ ହସ ହସ ତୃପ୍ତ ବଦନରୁ ଟିକିଏ ଦୁଃଖ ଟାଣିଆଣି.. ଗାରେଇ ନଦେଲେ ମୋ ଭାବନାରେ ! ସେ କି କବିତା ?"

Thursday, September 15, 2022

ଚାଙ୍ଗୁଡିଏ ପ୍ରେମ


   ସୂର୍ଯ୍ୟ ନଇଁ ଆସୁଥିବା ବେଳେ ସରୋ ଭେଟ ହେଲା । ତା ହଳଦୀରଙ୍ଗ ଚୁଡ଼ିଦାର, ଈଷତ୍ ନାରଙ୍ଗୀରଙ୍ଗ ଓଢଣୀକୁ ବଳିଯାଉଥିଲା ତା ମଥାରେ ବେଢଙ୍ଗ ସେ ନୀଳ ବିନ୍ଦିଟି । ପାଖକୁ ଟାଣି ଆଣିଲି । ଏକାଏକା ଆଶ୍ୱିନ ମାସର ସିତଳତା ମଧ୍ୟ ଦୁହିଁଙ୍କ ଆଂଶିକ କ୍ଷଣ ମିଳନରେ ଲାଜେଇଯାଇ ଝାଳେଇ ଯାଉଥାଏ । ତା ଗାଢ଼ା ଲାଲ୍ ଓଠଟି ଧୀରେ କହିଲା "ମୋର ଗୋଟିଏ କଥା ମାନିବ"? 

   ତା'ଗଭା ପାଖରୁ ଅଚିରେ ଭାସିଆସୁଥିବା ମଲ୍ଲୀ ଫୁଲ ବାସ୍ନାର ମହକକୁ ଦ୍ୱାହି ଦେଇ କହିଥିଲି "ତୁମ ପାଇଁ ରାମ , ତୁମ ପାଇଁ ରାବଣ ମୁଁ ପାଲଟିପାରେ"। ଉତ୍ତରରେ ସେ କହିଥିଲା "ଛିଃ…"! ତା ସେ ଅଧସେକେଣ୍ଡ ଛିଃ ରେ ମୁଁ ଶୁଣିପାରିଥିଲି ସତସହସ୍ର କୋକିଳ କୁହୁତାନର ମୂର୍ଚ୍ଛନା । 

   ଦୀର୍ଘ ଆଠ ମାସ ଚାରିଦିନ ପରେ ତାମିଲନାଡୁରୁ ସୌଖ୍ୟ ଦାଦନ ଜୀବନ କାଟି ଫେରିଥିବା ମୋ ବନ୍ଧୁ ଅଜୟ ଦଳବେହେରାକୁ ମତେଇ ନିଶାର୍ଦ୍ଧର ପୂର୍ବ ଏକ ଘଡି ରେ ପହଞ୍ଚି ଯାଇଥିଲି କିଆଡ଼ିରେ । ସେ ଅଜ୍ଞ,ମୋ ମନରେ ତା ଆସନ୍ତା ବିଜ୍ଞ ର ଭୀତ ଖାଇ ଗୋଡଉଥାଏ, ଆଉ ସେ କିନ୍ତୁ ଚମକିପଡୁଥାଏ ତୁହାକୁ ତୁହା ବିଲୁଆଙ୍କ 'ହୁକେ ହୋ' ରେ । 

   ଗହନ କାର୍ଯ୍ୟଟି ଅତି ସୁରୁଖୁରୁରେ ସମାପନ ହେଲା । ଏକ ଅମାପ ତୃପ୍ତିରେ ଘର ଛାତରେ ହାଁ.. ଟିଏ.. କରି ଶୋଇପାରିଥିଲି ବାକିତକ ସକାଳ ,ଖାତିର ନକରି ପରାର୍ଦ୍ଧ ପରାର୍ଦ୍ଧ ଶିଶିର ବିନ୍ଦୁ, ଭଉଣୀର ମୃଦୁ ଗୋଇଠା କିମ୍ବା ବାପାଙ୍କ ଦାନ୍ତ କଟ୍ ମଟ୍ ଶବ୍ଦରେ ଲୁଚିରହିଥିବା ଏକ ମାତ୍ର ବେରୋଜଗାରିଆ ପୁଅପ୍ରତି ସହାନୁଭୂତି ରୂପକ ପ୍ରେମ ଏବଂ ବୋଉଙ୍କ କୁଆପାଡ ଗାଳିକୁ । 

   ସକାଳ, ଖରାବେଳ ଯାଇଁ ଉପନତ ହେଲା ମେଘୁଆ ମେଘୁଆ ଅପରାହ୍ନ । ଦୁଇ ବକତ ପଖାଳ ଠେସିଦେଇ ଯେବେ ଅଜୟକୁ ଆମ୍ଭ କତ୍ତୃତ୍ୱର କିଛି'ତ ଆସନ୍ତା ଝଡ଼ର ଆଭାଷ ଜଣାଥିବ ବୋଲି ପଚାରିଲି, ତା ସନ୍ତୋଷ ମନୋଭାବ ଦେଖି ପେଟ ଭିତର ମୋ ପଖାଳଟି ଆମ୍ବିଳା ହାକୁଟି ଦେଲା, କାହିଁକି କେଜାଣି ! ବୁଝିଲି, ତା ସୁତା କଳର ଘର୍ଘର ଶବ୍ଦ ଠାରୁ ଅତ୍ୟନ୍ତ ଦୁଃଖଦାୟକ ଏକ ମଶା ବିହୀନ ଜଗୁଆଳି ସାଜିବା । 

   ସନ୍ଧ୍ୟା ହେଲା, କିଛି ହୁଳହୁଳି, କୋଳାହଳକୁ ଟପି ରାହା-ସ୍ୱର ଧରି ମୋ ଭାଣିଜୀର ଅମୃତମୟ କଣ୍ଠରୁ ଭାସିଆସୁଥିଲା ଜହ୍ନି ଓଷାର ସଙ୍ଗୀତ । କୁମାର ପୂର୍ଣ୍ଣିମା ପାଇଁ ସେ ପିନ୍ଧିଥାଏ କୁନି ଶାଢ଼ୀଟିଏ,ମଥାରେ ଧଳା ବିନ୍ଦି ଆଉ ହାତରେ ଲାଲ ରଙ୍ଗର ଦି-ଡ଼ର୍ଜନ ପ୍ଲାଷ୍ଟିକ ସ୍ପ୍ରିଂଗ ଚୁଡି । ସେ କୁନି ପରୀଟି ଉପରୁ ମୋ ନଜର ହଟୁନଥାଏ, ଏମିତିକି ମୋ ଆଡ଼ ନଜର ମଧ୍ୟ ଅନଉଥାଏ 'ସରୋଶ୍ରୀ'ର ଗୋରୀ ରକ୍ତ ଅଳତାଭିଜା ପାଖେ ଶୋଇରହି ନିମନ୍ତ୍ରଣ ଦେଉଥିବା ରୂପା ଝୁମୁକା-ପାଉଁଜି ପାଖକୁ । 

   ମୋ କହୁଣୀରେ ଏକ ଶକ୍ତ କହୁଣୀ ମାଡ଼ ଅନୁଭବ କଲି । ସେ ଥିଲା ଅଜୟର ହାଡୁଆ କହୁଣୀର କିଛି "କୋପମ୍"। ତା ପତଳା ଅଳ୍ପ ଗୋରା ମୁହଁକୁ ଦେଖି ଅନୁଭବ ହେଲା ସତେ ଯେପରି ତା ଲାଲ ଡୋଳା ଦୁଇଟି ମୋତେ ଗିଳିପକେଇବ । କିଛି ରାଗମିଶା ତା ଇଶାରାକୁ ଅନୁସରଣ ଯେବେ କଲି, ହଠାତ୍ ମୋ ଆଖି ଦୁଇଟି ଆବିଷ୍କାର କଲା ଏକ ଆସନ୍ନ ବିପଦ । ଗତ ରାତିରେ ଚୋରି କରିଥିବା ବସ୍ତାଏ ବିଶାଳକାୟ "ଜହ୍ନି"ରୁ ସର୍ବବିଶାଳ ଦେଢ଼ ହାତିଆ ସେ ବୁଢା ଜହ୍ନିଟି କେତୋଟି ମୂଷଳିଆ ପିଂଛ ରେ ଡେରା ହୋଇ ସୋଇରହିଥାଏ । 

   ଲାଗୁଥିଲା ଯେପରି ଶହଶହ ସାଧବ ପୁଅଙ୍କୁ ନେଇ ବିଦେଶ ଫେରନ୍ତା ଏକ ପୁରୁଣା ଜାହାଜକୁ ଆମ ସୌମ୍ୟକାନ୍ତି ନଳନା ତକ ଆପ୍ରାଣ ଚେଷ୍ଟାରେ ଜାହାଜଟିକୁ ଉଦ୍ଧାର କରି ବିଶାଳକାୟ ଖୁଣ୍ଟି ଦ୍ୱାରା ଆଉଜେଇଦେଇଛନ୍ତି ସମୁଦ୍ର ତଟରେ । ଏକ ଭୀଷଣ ଝଡ଼କୁ ଚ୍ୟାଲେଞ୍ଜ କରି , ସେବେ କେବଳ ଆମ ଦୁହିଁଙ୍କ କାନ-ମନ ଶୁଣିପାରୁଥିଲା ସେ ଝଡ଼ର ଆଶ୍ରାବ୍ୟ ଗାଳି । ସେ ସ୍ୱର ଥିଲା ଅଜୟର ବାପାଙ୍କର । ଏବଂ ସେ ମୃଦୁ ଭାଷାରେ, ସଂଜ୍ଞାକୁ ଆୟତ୍ତ କରି ତାଙ୍କ ଜଣେ ହିତାକାଂକ୍ଷୀ ବନ୍ଧୁକୁ ଜବାବ ଦେଉଥାନ୍ତି, ଯିଏ ମାଗଣାରେ ଦୁଇଚାରି କେଜି ଜହ୍ନି ନେଇ ପୋଡି ଖାଇଥାନ୍ତେ । 

   { ଗାଳି ଥିଲା ଏପରି "ସେ *** ମୋ ବିଲରୁ ସବୁତକ ନେଇଗଲେ । ଭାଇରେ ସେ ***** ଗୋଟିଏ ବିହନ ମଧ୍ୟ ରଖିଲେ ନାହିଁ । ଆର ବର୍ଷକୁ କଣ *** ରଖିବି ଯେ ଜହ୍ନି ଫଳିବ ଆଉ ତୋତେ ଦେବି । **** ( ଯେହେତୁ ମୁଁ ପିଲାଦିନର ଏପରି ଅନେକ ଗାଳି ଶୁଣିଛି-ଶୁଣିଛି କିନ୍ତୁ ସୌଜନ୍ୟତା ଦୃଷ୍ଟିରୁ କେବେ କହିନି କାହାକୁ , ତେଣୁ ଲେଖିପାରିବି ନାହିଁ , ଅଭ୍ୟାସ ନାହିଁ ) }

   ଆମେ ଦୁଇଜଣ ଅନୁଭବ କରିଥାଉ ବନ୍ଦୀ ଜଳଦସ୍ୟୁ, ନିଜ ଭିତରେ ।

   ଭାଣିଜୀର ସ୍ନେହ ଆଦର ହସରୁ ଟିକେ ଆଡେଇହୋଇ ମନ୍ଦିର ଭିତରକୁ ଝାଙ୍କି ଦେଖେତ ବସ୍ତାଯାକ ଜହ୍ନିଙ୍କ ଏକା ଅବସ୍ଥା । ସମସ୍ତ କୁମାରୀଙ୍କ ଭକ୍ତି ଓ ଭାବନାର ଆମ ଚୋରା ଜହ୍ନି । 

   "ଏବେ ଖସିବା ଉଚିତ ଅରୁଣ"। ଅଜୟର ଏଇ ପଦକ କଥା ଯେପରି ଏକ ମୋଦକ ଥିଲା ଆମ ଭିତରେ ଚରୁଥିବା ବିଷର । ଇଛା ହେଉଥିଲା ସବୁତକ ଦର୍ଶକ ରସିକିଆ ଟୋକାଙ୍କ ଭିଡକୁ ବିକ୍ଷିପ୍ତ କରି ଉଡିଯାଇଥାନ୍ତୁ , ଶକ୍ତିମାନ ଭଳି । 

   ଆମେ ମୁହଁ ବୁଲେଇଲୁ ପୂଜା ମଣ୍ଡପର ବିପରୀତ ଦିଗ ଆଡେ , ସେବେ ଅନିଚ୍ଛା ଓ କଠୋରତାକୁ ଅପଣେଇଥିବା କର୍ଣ୍ଣଦ୍ୱୟ ମୋର ଶୁଣିବାକୁ ପାଇଲା ସରୋଶ୍ରୀର ମୃଦୁ କଥାପଦିଏ । "ତୁମ ଭାଣିଜୀ ଘରକୁ ଯିବ, ବହି ପଢୁ ପଢୁ ଢୋଳୋଉଛି, ମୋ ସହ ଆସ ବାଟେଇଦେବାକୁ"। 

   "ସରୋ" ଅସ୍ତେକରି ଶୁଏଇ ପକେଇଥିଲା କୁନି ଝିଅଟିକୁ ତା କାନ୍ଧରେ । ପୁର୍ଣିମାର ସ୍ୱଚ୍ଛ ରଶ୍ମି ଝରିପଡୁଥିଲେ ମୋ ଭାଣିଜୀର ଗାଲ ଉପରେ । ଠିକ୍ ଗତ ସନ୍ଧ୍ୟାରେ ଯେପରି ମୋ ଗାଲରେ, ଯେବେ ମୁଁ "ସରୋ"ର କାନ୍ଧରେ ମୁଣ୍ଡ ଗେଞ୍ଜି ଶୁଣିଥିଲି ତା ଜହ୍ନି କେଇଟି ଯୋଗାଡ଼ କରିବାର ବ୍ୟାକୁଳତା । ଆମେ ଅଳ୍ପ ବାଟ ଆସିଯାଇଥିଲୁ ଘରମୁଖା ହୋଇ । ଆଉ ସେ ଅଜୟ ଭଳି ନିରୀହ ପ୍ରାଣୀଟିକୁ ଧରି ତା ଅଜାଣତରେ ତାଙ୍କରି ବିଲରୁ ବସ୍ତାଏ ଜହ୍ନିର ଲୁଣ୍ଠନ, ତାହା ପୁଣି ମଶାଣି ପାଖ ବିଲରୁ , ମାନେପଡ଼ିଗଲା । ଲାଗୁଥିଲା ସେ ବିଲୁଆ ଦଳ ସବୁ ଯେପରି ଖତେଇ ହୋଉଥିଲେ ବାଟସାରା ଏବେ ।

   ଏତେ ଶୀତଳତାରେ ଅନୁଭବ କଲି ହେଟାବାଘ ଭଳି ଘୁଡୁ ଘୁଡୁ ଏକ ଶବ୍ଦ , ଅଜୟ ପେଟରୁ । ଟିକେ ରାଗିଯାଇ ସରୋ ଆଡେ ଅନେଇ କହିଲି "ଆଲୋ ଏତେ କଷ୍ଟରେ ଜହ୍ନିତକ ଦେଇଥିଲି କଣ ଏଇଥିପାଇଁ ! ତୁ ଜାଣିଛୁ ସେଗୁଡା ୟା ବାପା ବିଲର(ଅଜୟକୁ ସାନ୍ତ୍ୱନା ଅର୍ଥେ) । ମୁଁ ଭାବିଥିଲି କାକୁଡି ଭଳି ଏଇ ବି ତ୍ୱଚା ନରମ କରିବାକୁ ମାଗିଥିବୁ"।

   ଅଜୟକୁ ଖାତିର ନ କରି "ସରୋ" ଯୋର୍ କିନା ଚୁମୁଟି ଦେଲା ମୋ ଅଣ୍ଟାକୁ । ଆଃ କରି ମୁଁ ଡେଇଁପଡୁଥିଲା ବେଳେ କହିଲା- "ଆହାଃ ମୋ ରସିକ ନାଗର ! ଜାଣିନଥିଲକି କୁମାର ପୂର୍ଣ୍ଣିମା ଏବେ ବୋଲି , ତମକୁ ମୁଁ କହିଥିଲି ତିରିଶିଆ ଅଖାରେ ବସ୍ତାଏ ଜହ୍ନି ପାଇଁ ? ହୋଉ ଲୋକେ ପରା ଛାତିଚିରି ହୃଦୟରେ ତୀର ସହିଯାଉଛନ୍ତି , ଆଉ ୟା ବାପାଙ୍କ ଗାଳି ସହିପାରିବ ନାହିଁ "।

   ମୁଁ ହସିଦେଲି । କିନ୍ତୁ ଅଜୟ ଢ଼ମଣା ଭଳି ଫଁ ଫଁ ହୋଇ କହିଲା "ଶଳା ମୋତେ ତ ସବୁବେଳେ ଶସ୍ତା ପାଇଲା ଆଉ ! ଆଉ ଦିନେ ତମ ମାନଙ୍କ କଥା ଶୁଣିବି ନାହିଁ । ସେ ଗାଳି ଗୁଡିକ ମୋତେ ଖାଲି ବିନ୍ଧୁଛି ଯାହା"।

    ଅଜୟ ଚାଲିଗଲା କ୍ଳବ ଘର ଆଡ଼େ । ଦିଦି ଆଉ ଭିଣୋଇ ଖାଇବସିଥିଲେ । ବୋଉ ରୋଷେଇ ଘରେ ଡାକ ପକୋଉଥାଏ ବାପାଙ୍କୁ କୌଣସି କାମରେ । ଝିଅକୁ ନେଇ "ସରୋ" ଶୁଏଇଦେଇ ମୋ ପାଖକୁ ଲାଗିଆସି ଗାଲରେ ସରୁ ଚୁମାଟିଏ ଦେଇ କହିଲା "କାଲି ସକାଳେ ରସୁଣ, କଞ୍ଚାଲଙ୍କା , ଧନିଆପତ୍ର କୁ ତମେ ଦେଇଥିବା କେତୋଟି କଅଁଳିଆ ଜହ୍ନି ପୋଡା ଝୋଳ କରିବି । ଯଦି ମୋ ଠାରୁ ଚାଖିବ ତେବେ ନଈକୂଳ ଆଡେ ଯିବ"। 

   ତା'ର ଏଇ କେଇପଦ କଥାରେ, ସତରେ ! ମୋ ଛାତି କଲିଜା ଭିତରେ ଯେପରି ଗୋଟିଏ ତୀର ପଶିଗଲା । ତୀରଟା ଅଜୟର ବାପାଙ୍କର କିମ୍ବା କାଲି ନଈକୂଳର ସେଇକଥା ଭାବିଲା ବେଳକୁ ସାରୋ ଚାଲିଯାଇଥିଲା ମୋ ଗାଲରେ ଆଉ ଏକ ସରୁ ଲିପଷ୍ଟିକ ଗାର ଟାଣି ।

                            #ଗଳ୍ପକବିତା

ସୋଲଗାଡ଼ିଆ

ଢେଙ୍କାନାଳ

୭୫୯୦୧୬



No comments:

Post a Comment

"ଗୌରୀପ୍ରଭା"ର ପ୍ରଥମ ବର୍ଷ

 ଏବେ “ ଗୌରୀପ୍ରଭା ” ପହଞ୍ଚିଛି ତୃତୀୟ ବର୍ଷରେ । ତିନି ବର୍ଷର ଯାତ୍ରାରେ ଭେଟିଛି ଅନେକ ଅନୁଭବ । ଆସନ୍ତୁ ଜାଣିବେ “ଗୌରୀପ୍ରଭା” ବାର୍ଷିକ ପତ୍ରିକାର ପ୍ରଥମ ବର୍ଷର ପା...