HIMANSHUBHUSHAN SAHOO

My photo
ନିରୋଳା ଦେଖି ଗଳ୍ପ ଗୁଡିକ ମୋତେ ପ୍ରଶ୍ନ କଲେ "ତୁ ଗଳ୍ପ କେମିତି ଲେଖୁ ?" ମୁଁ ହସିଦେଇ କହିଥିଲି "ଆପଣ ନିଜକୁ ଦେଖନ୍ତୁ , ନିଜ ଚତୁର୍ଦ୍ଦିଗ କୁ ଅନୁଭବ କରନ୍ତୁ ! ଅସରନ୍ତି ସୁଖ-ଦୁଃଖ , ଅକଳନ ହାନି-ଲାଭ , ଗଭୀର ପ୍ରେମ-ବିରହ , ଅପର୍ଯ୍ୟାପ୍ତ ଜନ୍ମ-ମୃତ୍ୟୁ !!! ସବୁତ ପ୍ରଦର୍ଶିତ ଏଠି " ଆଉ କବିତା କ'ଣ କହିଲା ଜାଣନ୍ତି ? କହିଲା, "ତୁ' ତ ନିଜକୁ ଗାଳ୍ପିକ ଭାବିଛୁ , କବିତା କିପରି ଲେଖିବୁ ?" ମୋ ଉତ୍ତର ଥିଲା.. " ସତେ'ତ ! ତୁମ ହସ ହସ ତୃପ୍ତ ବଦନରୁ ଟିକିଏ ଦୁଃଖ ଟାଣିଆଣି.. ଗାରେଇ ନଦେଲେ ମୋ ଭାବନାରେ ! ସେ କି କବିତା ?"

Saturday, November 19, 2022

ହଁ, ମୁଁ ପୁରୁଷଟିଏ


ହଁ ମୁଁ ପୁରୁଷଟିଏ

ସର୍ବସଂହା ବୋଉର କୋଳରେ

କୁଆଁ କୁଆଁ ରୋଦନରେ

ତା ଓଠରେ ହସ ଭରିଦେଉଥିବା

କୁନି ଛୁଆଟିଏ ।


ହଁ ମୁଁ ପୁରୁଷଟିଏ

ବାପାଙ୍କ କାନ୍ଦରେ ବସି

ନିଜ ଇଚ୍ଛାର

ଦୁନିଆ ଦେଖିଥିବା

ଅଝଟ ପିଲାଟିଏ ।


ହଁ ମୁଁ ପୁରୁଷଟିଏ

ଭଉଣୀର ଲୁହରେ

ନିଜକୁ ସାରା ଜୀବନ

ବନ୍ଧକ ରଖିଦେଉଥିବା

ସ୍ନେହର ଭାଇଟିଏ ।


ହଁ ମୁଁ ପୁରୁଷଟିଏ

ପ୍ରେମିକାର ପ୍ରତାରଣା ପରେ

ଏକା ଏକା ସାରା ରାତି 

ନିଜ ଲୁହ ନିଜେ ପିଇଥିବା

ଅବୁଝା ପ୍ରେମିକଟିଏ ।


ହଁ ମୁଁ ପୁରୁଷଟିଏ

ତୁମ ସୁଖ ଦୁଃଖରେ

ପାଦରେ ପାଦ ମିଶାଇ

ଏ ଜନ୍ମରୁ କାହିଁ କେତେଜନ୍ମ

ପ୍ରତିବଦ୍ଧ ଥିବା ସାଥିଟିଏ ।


ହଁ ମୁଁ ପୁରୁଷଟିଏ

ସୁଖର ପେଡିରେ

ସମୁଦ୍ରେ ଦୁଃଖକୁ

ଲୁଚାଇ ଦେଉଥିବା

ମଣିଷଟିଏ ।


ହଁ ମୁଁ ପୁରୁଷଟିଏ


#ଗଳ୍ପକବିତା

ହିମାଂଶୁ ଭୂଷଣ ସାହୁ

ସୋଲଗାଡ଼ିଆ



Saturday, November 12, 2022

ଆମେ ହେବୁ ଖାଣ୍ଟି ଓଡ଼ିଆ


ସକାଳ ହେଲା କା କା କରି କାଉ ରାବିଲା

ନିଦୁଆ ନିଦୁଆ ଅଳସ କଥାରେ

"ବାବା..କ୍ରୋ..'କ୍ରୋ.."କହି ପୁଅ ରଡ଼ିଲା ।


ଥଣ୍ଡାପାଣି କିଛି ଛିଞ୍ଚି ମୁହଁରେ ପୁଅକୁ ଧରିଲି ଯତନେ

ପତ୍ନୀ ହସ ହସ ମୁହେଁ କହିଗଲେ

"ନିଅ… ତୁମ ବେଡ଼୍ ଟି, ଆଉ ପୁଅର ମେଡ଼ିସିନ୍ ପାନେ ।


ଶୌଚ ସ୍ନାନାଦି ସମାପ୍ତ କରିଣ ପୂଜାରେ ବସିଲି ଯାଇ

ହିନ୍ଦୀ ଉର୍ଦୁ ମିଶା ବଲିଉଡ୍ ଭଜନ

କାନରେ ଜାଣ , ବାଜୁଥାଏ ଧାଇଁ ଧାଇଁ ।


ଚୁଡା,ଗୁଡ଼,ଦହି ନଡ଼ିଆ କୋରାର ଜଳଖିଆ ଦେଲି ଖାଇ

ଭାଇ ! "ନୁଡୁଲ୍ସ ର ସମୋସା ଆଣିଥିଲି ପରା… !"

ମୁହଁ ଓହଳେଇ , କହୁଥାଏ ସାନ ଭାଇ ।


ଖବରକାଗଜ ଧରିଣ ହାତରେ ଛାତଉପରକୁ ଗଲି

"ପୂଜୋ ରେ ରିହାତି"ଆଉ ଫିଲ୍ମ "ଦିଲ୍ କରେ କ୍ରାନ୍ତି"

ଅନେଇ କାଗଜକୁ , ମୋଡ଼ି କରି ଫିଙ୍ଗିଦେଲି ।


ପତ୍ନୀ ସଜବାଜ ହୋଇସାରିଥିଲେ ଦଶହରା କିଣା ପାଇଁ

ବରାଦ ଆସିଲା ବୋଉ ବାପାଙ୍କର

"ଛୋଟା ଭୀମ୍ ଖେଳନା , ଆଣିବୁ ତ ନାତି ପାଇଁ !!!"


ଦୁଇଚକା ଯାନେ ଯାତ୍ରା ଅରମ୍ଭିଲୁ ପାଖ ବଜାର ଦେଖି

ମେହେନ୍ଦୀ , ଲେହେଁଗା , ପାୟଲ , ବିନ୍ଦି

ପତ୍ନୀ କେତେ କ'ଣ , କିଣିଲେ ପରଖି ନିରେଖି ।


ଭୋଜନ "ଓଡ଼ିଆ ହାଣ୍ଡିଶାଳ"ରେ ଖାଇଲୁ ସାଉଥ ଇଣ୍ଡିଆ ଥାଳି

ହାକୁଟି ଯେ ଦେଲା ଆମ୍ବିଳା ଆମ୍ବିଳା

ଓଡ଼ିଆପଣ ଯେ ଗଲା ମୋର ଢଳି ।


ବଜାରେ ଦେଖିଲୁ ପୁସ୍ତକ ମେଳା ଥାକଥାକ ଯେ ଇଂଗ୍ରେଜୀ ବହି

ଭିଡକୁ ଖେଳେଇ ପିଲାଙ୍କ ବହିଟେ ଖୋଜିଲି

'ଔ' ଶବ୍ଦ ରେ 'ଔରତ' ପାଇଲି ଯାଇ ।


ଡ଼ାକବାଜି ଯନ୍ତ୍ର କୁହାଟ ବାଜିଲା ସାହିତ୍ୟ ସଭା ପାଖରୁ

 "ଆମେ ହେବୁ ଖାଣ୍ଟି ଓଡ଼ିଆ ମଣିଷ"

ଓଡ଼ିଆତ୍ୱ ଝରିବ , ସୋସିଆଲ ମିଡିଆ କଲମ ମୁନରୁ ।


ମୁହଁ ସଞ୍ଜ ଦେଖି ପରିବା କିଣିକି ବାହୁଡିବା ପାଇଁ ଭାବିଲୁ

"କାନ୍ଦା ଲକୀ ମିର୍ଚି ଦସ୍ କେ ପାଞ୍ଚ"

ଡାକୁଥିବା ବିକାଳିଟି ହାତରେ, ଶହେ ନୋଟ ଧରେଇ ଆସିଲୁ ।


"ବାବା ବାବା"କହି ଆଲିଙ୍ଗନ ଦେଇ ଚୁମାଟିଏ ପୁଅ ଦେଲା

ଖେଳନା ସହିତ ଏ ବି ସି ଡ଼ି ବହିଟିଏ ଦେଇ

ପତ୍ନୀ ବୋଉଙ୍କୁ କହିଲେ , "ଆଜି ମାର୍କେଟରେ ଭିଡ଼ ଥିଲା ।"


ନୈଶ ଭୋଜନ ଆତ୍ମତୃପ୍ତି ପରେ କାବ୍ୟ ବହିଟିଏ ଧରିଲି

ପୁଅକୁ ଶୁଏଇ ପତ୍ନୀ ଗୁଡ଼ ନାଇଟ୍ କହିଲେ

ଲଭ,ୟୁ,ଠୁ,ଡାର୍ଲିଂ କହି , କବିତା ପଢିବାରେ ମନ ଦେଲି ।


                       #ଗଳ୍ପକବିତା

ହିମାଂଶୁ ଭୂଷଣ ସାହୁ

ସୋଲଗାଡ଼ିଆ

ଢେଙ୍କାନାଳ


କବିତା:-ଗୋଟିଏ ଉତ୍ତର ଜାଣିବାକୁ ଥିଲା...


ଗୋଟିଏ ପ୍ରଶ୍ନ ଥିଲା ତୁମ ଓଢଣୀକୁ

ମୋ ଶ୍ଵାସରୁଦ୍ଧ ବେଳେ

କେମିତି ସେ ନିର୍ଦ୍ୱନ୍ଦରେ ଉଡୁଥିଲା ?


ଗୋଟିଏ ପ୍ରଶ୍ନ ଥିଲା ତୁମ ଟିକିଲିକୁ

ମୋ ଶେଥାଶେଥା ଚେହେରା ବେଳେ

କେମିତି ସେ ଝଟକୁ ଥିଲା ?


ଗୋଟିଏ ପ୍ରଶ୍ନ ଥିଲା ତୁମ କପାଳକୁ

ମୋ ଭାଗ୍ୟର ଦୁର୍ଦ୍ଦିନରେ

କେମିତି ସେ ଚମକୁ ଥିଲା ?


ଗୋଟିଏ ପ୍ରଶ୍ନ ଥିଲା ତୁମ ଅଧରକୁ

ତୁମ ନାଁ'ର ମୋ କମ୍ପନରେ

କେମିତି ସେ ହସୁଥିଲା ?


ଗୋଟିଏ ପ୍ରଶ୍ନ ଥିଲା ତୁମ ହୃଦୟକୁ

ଅତୀତର ମୋ ଯନ୍ତ୍ରଣାରେ

କେମିତି ସେ ସ୍ପନ୍ଦିତ ହେଉଥିଲା ?


ଗୋଟିଏ ପ୍ରଶ୍ନ ଥିଲା ତୁମ ଦୁଇ ହାତକୁ

ମୋ ଲୁହ ଆଉ ଲହୁର ବର୍ତ୍ତମାନରେ

ସେ ଅନ୍ୟ ପାଇଁ କେମିତି ଚୁଡ଼ି ପିନ୍ଧିଥିଲା ?


ଗୋଟିଏ ପ୍ରଶ୍ନ ଥିଲା ତୁମ ପାଉଁଞ୍ଜିକୁ

ତୁମ ପାଇଁ ମୋ ସ୍ପନ୍ଦନରୁଦ୍ଧ ବେଳେ

କେମିତି ସେ ଛମ୍ ଛମ୍ ବାଜୁଥିଲା ?


ଗୋଟିଏ ଉତ୍ତର ଜାଣିବାକୁ ଥିଲା

ମୋ ପ୍ରଶ୍ନ ଆଉ ଲୁହ ପରେ

ତୁମ ମୌନତାର କାରଣ କ'ଣ ଥିଲା ? 


 #ଗଳ୍ପକବିତା

 ହିମାଂଶୁ ଭୂଷଣ ସାହୁ

ସୋଲଗାଡ଼ିଆ

ଢେଙ୍କାନାଳ


"ଗୌରୀପ୍ରଭା"ର ପ୍ରଥମ ବର୍ଷ

 ଏବେ “ ଗୌରୀପ୍ରଭା ” ପହଞ୍ଚିଛି ତୃତୀୟ ବର୍ଷରେ । ତିନି ବର୍ଷର ଯାତ୍ରାରେ ଭେଟିଛି ଅନେକ ଅନୁଭବ । ଆସନ୍ତୁ ଜାଣିବେ “ଗୌରୀପ୍ରଭା” ବାର୍ଷିକ ପତ୍ରିକାର ପ୍ରଥମ ବର୍ଷର ପା...