ଗଳ୍ପ ଲେଖିବା ଶୈଳୀ ମୁଖ୍ୟତଃ ଶବ୍ଦସଜା , ଅଭିଜ୍ଞତା , କଳ୍ପନାଜଳ୍ପନା ଓ ପ୍ରତ୍ୟକ୍ଷତା ଉପରେ ଅଧିକ ନିର୍ଭର କରେ । ବେଳେବେଳେ ଶେଷ ଦୁଇଟି ଶୈଳୀରେ ଚାଳିଯାଏ । କିନ୍ତୁ , ଯଦି ଗଳ୍ପରେ ଏ ସବୁ ଉପାଦାନ ରହେ ! ତେବେ ?
ମୋ ମତରେ ତାହା ଜୀବନ୍ତରୁ ଜୀବନ୍ତକ ହୋଇଉଠେ ପାଠକଙ୍କ ପାଇଁ । ଲାଗେ ଗଳ୍ପ ନୁହେଁ , ଲାଗେ କେହିଜଣେ ଝରକା ସେପାଖେ ମୁହଁଟି ଗଳେଇ ଦେଖୁଛି ସୁଖଦୁଃଖର ସଂସାର ଏବଂ ଆମେ ବୁଝିପାରୁଥିବା ଭାଷା ଓ ଶୈଳୀରେ ବୁଝେଇଚାଲିଛି ।
ଏଇ ନିକଟ ଅତୀତରେ ଏପରି ଏକ ବହି ପ୍ରକାଶ ପାଇସାରିଛି ଯାହା ଉପରେ ଆଲୋଚନା କିମ୍ବା ସମୀକ୍ଷାର ପ୍ରକାଶ ପଡ଼ିବା ଅତ୍ୟନ୍ତ ଆବଶ୍ୟକ । ବାରଗୋଟି ପ୍ରତ୍ୟକ୍ଷ କାହାଣୀକୁ ନେଇ ପ୍ରକାଶନୀ ସଂସ୍ଥା ଶୁଭପଲ୍ଲବ ଆଣିଦେଇଛି ଗଳ୍ପକାନ୍ତି। ଗଳ୍ପକାନ୍ତିକୁ ଲେଖିଛନ୍ତି ଶୁଶ୍ରୀ ଚନ୍ଦ୍ରକାନ୍ତି ପ୍ରଧାନ ଓ ସମ୍ପାଦନା କରିଛନ୍ତି ଶ୍ରୀଯୁକ୍ତ ତାପସ ରଞ୍ଜନ । ପ୍ରଚ୍ଛଦପଟ ଓ ପୃଷ୍ଠା ପୃଷ୍ଠାରେ ଦେଖିବାକୁ ମିଳେ ଶ୍ରୀଯୁକ୍ତ ସମ୍ବିତ ଦାସଙ୍କ କାରିଗରୀ । ଅଳଙ୍କର ଦେଇଛନ୍ତି ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ସେନାପତି ।
ବି.ଏସ.ସି ନର୍ସିଂର ସ୍ନାତକୋତ୍ତର ପରେ ଜୀବିକାରେ ଜଣେ ସରକାରୀ ନର୍ସିଂ ଅଫିସର ଭାବେ କାର୍ଯ୍ୟରତ ଚନ୍ଦ୍ରକାନ୍ତି ପ୍ରଧାନ । ଓଡ଼ିଆ ସାହିତ୍ୟ ପ୍ରତି ଦୁର୍ବଳତା ହିଁ ତାଙ୍କ ସହିତ୍ୟନ୍ମୁଖୀ ପ୍ରତିଭା ପ୍ରକାଶର ଅନ୍ୟଏକ କାରଣ । ଶବ୍ଦସଜା ଓ ପ୍ରତ୍ୟକ ଚରିତ୍ରର ହୃଦୟକୁ ଚିହ୍ନିପାରି ତାଙ୍କୁ ଅବିକଳ ଲେଖା ମାଧ୍ୟମରେ ଅବତରଣ କରିବାରେ ସେ ଧୁରୀ । ସେବା ସହିତ ସୁଖଦୁଃଖକୁ ଚିହ୍ନିବା , କାହା ହସରେ ହସ , ଲୁହରେ ଲୁହ ଝରାଇବା ହିଁ ତ ଜଣକୁ ମହାନ କରାଏ । ଗାଳ୍ପିକାଙ୍କ ପ୍ରଥମ ଗଳ୍ପ ସଙ୍କଳନ ପ୍ରକାଶିତ ହୋଇସାରିଛି ଶୁଭପଲ୍ଲବ ପ୍ରକାଶନୀ ସଂସ୍ଥା ଦ୍ୱାରା । ସଙ୍କଳନଟି ଆମାଜନ ଓ ଶୁଭପଲ୍ଲବରେ ଉପଲବ୍ଧ ।
ହଁ , ପ୍ରଥମ ଗଳ୍ପରୂପୀ ତାଙ୍କ ଅନୁଭୂତି ! ଗୋଟିଏ ଅମାଅନ୍ଧାରର କ୍ଷୀଣ ଅସରନ୍ତି ଜ୍ୟୋତି । ଆଖିରୁ କେଇଠୋପା ଲୁହ ନିଗାଡ଼ି ନଦେବ କି ଅର୍ଦ୍ଧାଙ୍ଗିନୀ ! ସେଇଥିପାଇଁ ତ ଏହା ମୋପାଇଁ ଗଳ୍ପ ନୁହେଁ , ତାଙ୍କ ଦିନଲିପିରୁ ଫର୍ଦ୍ଧଫର୍ଦ୍ଧ ଜୀବନ୍ତ ଅନୁଭୂତି । ସେଇ ଅନୁଭୂତି ଅବ୍ୟାହତ ଦେଖିଲି ଦ୍ଵିତୀୟ ଓ ତୃତୀୟ ଗଳ୍ପରେ । ଜଣେ ଦେଶ ସେବକ ସୈନିକର ଶେଷ ଦିନଗୁଡ଼ିକୁ ଯେପରି ସେ ନିଜେ ବଞ୍ଚିଗଲେ କିଛିକ୍ଷଣ । ବଞ୍ଚିବା ମରିବା ଓ ଜୀବନ ଉପଭୋଗ/ଅଭୋଗ କରିବାର ସମୟ ମଧ୍ୟରେ ଯେଉଁ ସାମ୍ୟକ ପରିବର୍ତ୍ତନ ଠିଆହୋଇପଡ଼ିଥାଏ ତାହା ହୁଏତ କୌଣସି ଡାକ୍ତରଖାନା ! ପରେ କିଛି ଏମିତି କାହାଣୀ ମଧ୍ୟ ଅଛି ଯାହା ସମାଜରେ ଗୋଟିଏ ଅନ୍ଧାର କୋଣରେ ରହିଯାଏ ତାହା ମଧ୍ୟରେ ଲେଖିକା ନିଜ ଲିଖନୀ ମାଧ୍ୟମରେ ଆଲୋକର ପ୍ରକାଶ ଦେଇଛନ୍ତି । ଯେବେ ନିଜ ଲୋକ ଦୂରେଇ ଯାଆନ୍ତି କିଛିଦିନ ପାଇଁ , ନାରୀଟିଏ ଅଷ୍ପୃଶ୍ୟ ହୋଇଯାଏ ସେତେବେଳେ କେହିଜଣେ ଯେପରି କୋଳେଇ ନେଇ କହେ ତୁ ମୋ ଅମୃତ ସନ୍ତାନ । ତୁ ନୁହେଁ ବରଂ ସେମାନେ ଅଷ୍ପୃଶ୍ୟ !ସେଇଥିପାଇଁ ମୋ ମତରେ ଜୀବନରେ ଅନେକ ସୁଖଦୁଃଖ ସମ୍ଭାଳୁଥିବା ଲିଖିକା ଜଣେ ଦ୍ଵିତୀୟ ଉପଈଶ୍ୱରୀ ।
ପ୍ରତ୍ୟକ କାହାଣୀ ନିଜପାଇଁ ଗୋଟିଏ ଭିନ୍ନ ପୃଥିବୀକୁ ଚିହ୍ନାଇଥାଏ , ହା ହୁତାଶର ଗାଥା ଦେଖାଏ ତ ପ୍ରେମସ୍ନେହକୁ ଅଦାରିନେଇଥାଏ । କେଉଁଠି ଗଳ୍ପ ଶୁଦ୍ଧଶବ୍ଦରେ ଅଶୁଦ୍ଧତାକୁ ଉଦ୍ଧାର କରାଇଛନ୍ତି ତ କେଉଁଠି ରଙ୍ଗଆକାରରେ ରଙ୍ଗୀନ ଏ ଦୁନିଆରେ ପ୍ରଶ୍ନ କରିଛନ୍ତି ଯଦି ଆମ ଈଶ୍ୱର କଳା ତେବେ ଆମେ କେଉଁ କଳା କୁ ଘୃଣା କରୁଛେ ?ନିଜ ଆଖି ଓ ବିବେକରେ ଥିବା କାଳୀମାକୁ ଚିହ୍ନେଇ ଦେବାରେ ଖୁବ୍ ପ୍ରୟାସ କରାଇଛନ୍ତି । ଗଲେଇ ମାଉସୀରେ ସେ ଅସହାୟା ବୃଦ୍ଧାଙ୍କ ଆସନ୍ନ ଦୁଃଖ ନା ନିଜେ ଲେଖିକା କଳନା କରିପାରିବେ ନା କୌଣସି ଏକ ପାଠକ । ଏମିତି ପ୍ରତ୍ୟକ ଗଳ୍ପର ଛାତିରେ ନିଜନିଜ ପୃଥିବୀ ଗୋଟିଏ ଗଢ଼ି ଉଠିଛି । ତାହା ନପଢ଼ିଲେ ଜାଣିବେ କେମିତି ? କେମିତି ଜାଣିବେ କୋରନା ବେଳେ କେବଳ ଆମେ ନୁହେଁ ଡାକ୍ତରଖାନାରେ ନିଜ ଦାୟିତ୍ବ ତୁଲାଉଥିବା ପ୍ରତ୍ୟେକ କର୍ମଚାରୀ ମଧ୍ୟ କଷଣ ସହିଛନ୍ତି ! ପଢ଼ିଲେ ଜାଣିବେ ଯାହାଙ୍କୁ ଆମେ ଦ୍ଵିତୀୟ ଈଶ୍ୱରର ଆଖ୍ୟା ଦେଉଛେ ସେମାନେ ମଧ୍ୟ ଆମଭଳି ଲୁହ ଝରେଇ ପାରନ୍ତି । ଅନ୍ୟଙ୍କ ପାଇଁ କାନ୍ଦି ପାରନ୍ତି ।
ଅନେକ ଲୋକଙ୍କର ଗୋଟିଏ ଭ୍ରମ ଧାରଣା ଅଛି କି ଡାକ୍ତର , ନର୍ସ , କମ୍ପାଉଣ୍ଡର କିମ୍ବା ଡାକ୍ତରଖାନା ଆମକୁ ବୁଝନ୍ତି ନାହିଁ । ଆମ ଦୁଃଖରେ ସେମାନେ ଦୁଖୀ ନୁହଁନ୍ତି ।
ଏକଥା ସତ୍ୟ ନୁହେଁ , ସେମାନେ ବୁଝନ୍ତି ବୋଲି ଆମେ ନିରୋଗ ହଉ , ସେମାନେ ବୁଝନ୍ତି ବୋଲି ଆମକୁ ପୁନର୍ଜନ୍ମ ମିଳେ , ସେମାନେ ବୁଝନ୍ତି ବୋଲି ଆମ ଓଠରେ ହସ ଟିକିଏ ରହେ । ବିଶ୍ୱାସ ହେଉନି ? ତେବେ ଏ ପୁସ୍ତକଟି ପଢ଼ନ୍ତୁ , ଦେଖିବେ ଆପଣଙ୍କ ଦୁଃଖ ସୁଖରେ କେମିତି ଚନ୍ଦ୍ରକାନ୍ତି କାନ୍ଦେ , ହସେ , ନିଜକୁ ଖୋଜିପାଏ !
ଆସନ୍ତୁ ସେଇ ସୁଖଦୁଃଖର ଚକ୍ରରେ ଖୋଜି ବାହାର କରିବା ଗଳ୍ପକାନ୍ତିରେ ଥିବା ନିଜ ନିଜର ଚରିତ୍ର ।
ସୁଶ୍ରୀ ଚନ୍ଦ୍ରକାନ୍ତି ପ୍ରଧାନଙ୍କ ଅନେକ କବିତା ଓ ଗଳ୍ପ ଭିନ୍ନ ଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇସାରିଛି । ସେ କେବଳ ଯେ ଜଣେ ଗାଳ୍ପିକା ତାହା ନୁହେଁ , ସେ ଜଣେ ସମାଜସେବୀ ସହିତ ଜଣେ ଦକ୍ଷ ଚିତ୍ରଶିଳ୍ପୀ ମଧ୍ୟ । ତାଙ୍କ ସୂକ୍ଷ୍ମଚିତ୍ର ଅନେକବାର ଦେଖିବାକୁ ମିଳେ ସାମାଜିକ ଗଣମାଧ୍ୟମରେ ।
ବିଭିନ୍ନ ପତ୍ର ପତ୍ରିକାରେ ଲେଖିକାଙ୍କ ଗଳ୍ପ ଓ କବିତାମାନ..
✍️ହିମାଂଶୁ ଭୂଷଣ ସାହୁ
ସୋଲଗାଡ଼ିଆ , ଢେଙ୍କାନାଳ
◆◆◆



ମହାବାହୁ, ମଣିମା ହେ.... ପ୍ରଭୁ! ଲୀଳାମୟ ଗଳ୍ପକାନ୍ତିମୟ ଜୀବନଟି ମତେ ଜିଇଁ ବାର ସୁଯୋଗ ହେଇଥିବାରୁ ମୁଁ ଚିର ରୁଣି। ମୁଁ ସ୍ନେହ କାଙ୍ଗାଳି ଝିଅଟିଏ। ସମ୍ପାଦକୀୟଙ୍କ ଆଦରର ନିର୍ଦେଶରେ ଗଳ୍ପକାନ୍ତି ଲେଖିବସିଲି। ଆଜି ତାକୁ ଏତେ ସ୍ନେହ ଶ୍ରଦ୍ଧା ମିଳିପାରିଛି କେବଳ ଶୁଭପଲ୍ଲବ ପ୍ରକାଶନ ମାଧ୍ୟମରେ। ଗଳ୍ପକାନ୍ତି ଆମ ସମସ୍ତଙ୍କ ଜୀବନ ସହିତ ଜଡ଼ିତ। ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଲୋକମାନେ କେମିତି ଜୀବନ ସହ ସଂଘର୍ଷ କରୁଛନ୍ତି । ଗଳ୍ପକାନ୍ତି ତା'ର ମୂକ ସାକ୍ଷୀ। ପ୍ରଣାମ ନେବେ ହିମାଂଶୁ ଭାଇ,
ReplyDeleteଗଳ୍ପକାନ୍ତି ଇଶ୍ୱରଙ୍କ ସୃଷ୍ଟି। ମୁଁ ମାଧ୍ୟମ କେବଳ। ଏମିତି ଆଶୀର୍ବାଦ ଥାଉ ମୋ ଉପରେ। ଆପଣଙ୍କ ଶବ୍ଦ ଚୟନ ଖୁବ୍ ଆକର୍ଷଣୀୟ। ଗଳ୍ପକାନ୍ତି ଆପଣଙ୍କୁ ତା'ର ସ୍ନେହ ଶ୍ରଦ୍ଧା ରେ ଭିଜାଇ ପାରିଛି ଜାଣି। ବହୁତ ଖୁସି ହେଲି। ରହିଲି। ନମସ୍କାର।
-ଚନ୍ଦ୍ରକାନ୍ତି ପ୍ରଧାନ
🙏😊
Deleteସୁନ୍ଦର ସମୀକ୍ଷା ପାଇଁ ଧନ୍ୟବାଦ ଭାଇ ।
ReplyDelete🙏😊
Delete