ଗତ ମାସ ଅର୍ଥାତ ମେ ୨୦୨୫ରେ ପ୍ରକାଶିତ ହୋଇସାରିଛି ଉପନ୍ୟାସ “ଈଶ୍ୱର ମରିଗଲା ପରେ” । ଉପନ୍ୟାସ ମାଧ୍ୟମରେ ମୁଁ ଭେଟିଲି ଏକ ଭିନ୍ନ ଓ ଅଦ୍ଭୁତ ଚରିତ୍ର ‘ମାଓଲି’କୁ । ମାଓଲି ଅଗଣାରେ ଫୁଟି ଉଠୁଥିବା ସଦ୍ୟସୁବାସିତ ପ୍ରଶଂସିତ ମଲ୍ଲୀରୁ କିପରି ସମାୟାନୁକ୍ରମେ ବଣମଲ୍ଲୀ ପାଲଟି ମଧ୍ୟ ଈଶ୍ୱରଙ୍କ ଚରଣରେ ସମାହିତ ହୋଇପଡୁଛି ତାହା ହିଁ କାହାଣୀ । କିନ୍ତୁ ଶୀର୍ଷକରେ ସ୍ଥାନ ପାଇଥିବା ନାଁ ‘ଈଶ୍ୱର’ କିଏ ! ପରମେଶ୍ୱର ନା ସାମାନ୍ୟ ଜଣେ ମଣିଷ ? ‘ଈଶ୍ୱର’ ଶବ୍ଦେ ଯେଉଁ ଭାବ ଜାଗୃତ ହୋଇଉଠେ; ହଁ , ସେଇ ଭାବର ଗୋଟିଏ ଈଶ୍ୱର ଚରିତ୍ର ମିଳିବ ଉପନ୍ୟାସର ପୃଷ୍ଠାଗୁଡ଼ିକରେ । ସେଇ ଈଶ୍ୱରର ପୂଜାରିଣୀ ମାଓଲି !
ତେବେ ପାଠକଙ୍କ ମନରେ ପ୍ରଶ୍ନ ଆସୁଥାଇପାରେ “ଉପନ୍ୟାସର ନାୟକ କିମ୍ବା ମୂଖ୍ୟଚରିତ୍ର ରୂପେ ଗାଳ୍ପିକା ଈଶ୍ୱରକୁ ଚୟନ କରିଥିବା ସତ୍ତ୍ୱେ ମାଓଲିର ପର୍ଯ୍ୟାଲୋଚନା କିମ୍ବା ଆଲୋକପାତ କାହିଁକି ?” ତାହାର ଉତ୍ତର କେବଳ ଉପନ୍ୟାସ ପଠନରେ ହିଁ ମିଳିଯିବ ଆପେଆପେ ।
ଶ୍ରୀମତୀ ସାହୁ କାହାଣୀଟି ଖୋଜି ଆଣିଛନ୍ତି ଲୁପ୍ତଇତିହାସର ଅବହେଳିତ କେଇଟି ପୃଷ୍ଠାରୁ ଯେଉଁଟି ସତ୍ୟ-ପ୍ରଶାସନ ତଥ୍ୟ-ଲୋକକଥା-ଆଲୋଚନା-ଆନ୍ଦୋଳନ-ସମାଲୋଚନା ଓ ଗବେଷଣାରୁ ଆରମ୍ଭ ହୋଇ ବିଲୀନ ପଡ଼ିଥିଲା କେବଳ ଈଶ୍ୱର ଓ ମାଓଲିଙ୍କ ସନ୍ତାନ ଶ୍ରୀନୁ ପର୍ଯ୍ୟନ୍ତ ।
ଉପନ୍ୟାସର ଉପକଥାରେ ଦର୍ଶାଯାଇଅଛି କି ପ୍ରଥମେ ଗଳ୍ପରୂପେ ପ୍ରକାଶ ପାଇଥିଲା “ପଶ୍ଚିମା ପୂଜାସଂଖ୍ୟା ୨୦୧୯ ପତ୍ରିକାରେ”। ପରେ ଶବ୍ଦ , ଚରିତ୍ର , ଚାରିତ୍ରିକ ସମ୍ଭାବନା ଓ ଥାକ ଥାକର ସୁଖ ଦୁଃଖକୁ ଯୋଡ଼ି ଆକାର ଦେଇଥିଲେ ଉପନ୍ୟାସର । ଢାଳିଦେଇଛନ୍ତି ନିଜ ଆତ୍ମପ୍ରକାଶର ବ୍ୟାକୁଳତା ମାଓଲି ମାଧ୍ୟମରେ ; ଯିଏ ଜନ୍ମରୁ ଅବହେଳିତା , ଘୃଣିତା , ଅସ୍ପୃଶ୍ୟ ଓ ବେଦନାସିକ୍ତା । ନିଜର ବିଶାଳ ପରିବାରର ପୋଷଣ ନିମନ୍ତେ ଦିନ ମଜୁରିଆର ପନ୍ଥା ବାଛିଚି , ସହିଛି ସମାଜ ଆଖିର ନଗ୍ନତା , ପେଟ ପୃଥିବୀର ଭୂକମ୍ପ , ସ୍ୱପ୍ନ ଦେଖୁଛି ଖସିପଡୁଥିବା ରଞ୍ଜାରୂପକ ଆଲୋକବିସ୍ମିତ ଏକ ରାଜକୁମାରର ତା’ ଛାତି ଉପରେ । ମୁଣ୍ଡେଇଛି ଅନ୍ୟର ଖୁସି ଆଉ ସେଇ ଖୁସି ପାଇଁ ଗୀତ ଶୁଣୁଛି ଈଶ୍ୱର କଣ୍ଠରୁ ନିଜ ପାଇଁ ! ବିଭୋର ହୋଇଛି , ପ୍ରେମର ମାଳା ଗୁନ୍ଥିଛି ଈଶ୍ୱର ରିକ୍ସାବାଲାର କୁଡ଼ିଆରେ ।
କାହାଣୀରେ କେବଳ ଦୁଇଟି ମଣିଷ ବଳୟରେ ପହଞ୍ଚିଛି ତାହା ନୁହେଁ , ପ୍ରତ୍ୟକ ପର୍ଯ୍ୟାୟରେ ନୂଆ ନୂଆ ଚରିତ୍ରଙ୍କୁ ଉପଯୁକ୍ତ ଚାରିତ୍ରିକ ଢଙ୍ଗରେ ନିଖୁଣ ଭାବେ ଗୁନ୍ଥା ହୋଇଛି । ନଗୁ , ମନୀଷା , ଚକରା , ଫୁଲୁରୀ , ଟୁନୀ ଅପା କିମ୍ବା ମାଓଲିର ଶାଶୁ ! ପ୍ରତ୍ୟକ ଚରିତ୍ରର ପରୋକ୍ଷତା କିମ୍ବା ପ୍ରତ୍ୟକ୍ଷତା ଧିରେଧିରେ ମାଓଲିର ପରିଧିରେ ସମାବେଶ ହୋଇଉଠନ୍ତି ।
ଅନେକ ଉପନ୍ୟାସ/ଗଳ୍ପ/ପ୍ରବନ୍ଧ ମୁଖ୍ୟତଃ ସତ୍ୟ କିମ୍ବା କଳ୍ପନାରେ ଆଧାରିତ । କିନ୍ତୁ “ଈଶ୍ୱର ମରିଗଲା ପରେ” ଉପନ୍ୟାସଟି ସତ୍ୟ ଓ ଅଦୃଶ୍ୟ କିଛି ସତ୍ୟଘଟଣା ଉପରେ କଠୋର ପରିଶ୍ରମ ଦେଖିବାକୁ ମିଳିବ । ସେଇଥିପାଇଁ ତ ପ୍ରତ୍ୟକ କଥାକାରଙ୍କୁ ‘ସ୍ରଷ୍ଟା’ର ଅଳଙ୍କାର ଦିଆହୁଏ ଯାହା ଈଶ୍ୱରୀୟ ସାମ୍ୟକ ଶକ୍ତି ସହିତ ତୁଳନା ! ଦୃଶ୍ୟ ଓ ଉହ୍ୟ ଘଟଣାବଳୀକୁ ଉପସ୍ଥାପନ କରିବାରେ ହୁଏତ ସେଇଥିପାଇଁ ସମର୍ଥ ହୋଇପାରନ୍ତି । ଉପନ୍ୟାସରେ ତାହା ହିଁ ପଢ଼ିବାକୁ ମିଳୁଛି ।
ଈଶ୍ୱର ! ମାଓଲିର ପ୍ରେମିକ , ଜୀବନସାଥୀ । ମାଓଲିର ଦ୍ଵନ୍ଦ ରୂପକ ଅଥଳ ସମୁଦ୍ରର ଶୋଷରେ ପ୍ରେବେଶ କରେ ଶୀତଳ ମିଠା ଜଳ ନେଇ । ଆକୁଣ୍ଠ ପାନକରେ ମାଓଲି । ଈଶ୍ୱରର ପ୍ରେମ , ଚେତନା ଓ ପ୍ରତିକୂଳ-ଅନୁକୂଳ ପରିସ୍ଥିତିରେ ସାଥି ହୋଇପଡ଼େ । ଦୁହିଁଙ୍କ ଦେହ ଦେହାତୀତ ହୋଇଉଠେ , ସ୍ୱର୍ଗୀୟ ହୋଇଉଠେ ଦୁହିଁଙ୍କ ଆଖପାଖର ପୃଥିବୀ । ତା’ପରେ କିପରି ଜୀବନର ଚରମ ସତ୍ୟ ନେଇ ପହଞ୍ଚେ ଈଶ୍ୱର , ସବୁ କିପରି ଓଲଟପାଲଟ ହୋଇଯାଏ ! କିପରି ମାଓଲିର ସ୍ୱପ୍ନ ଗୁଡ଼ିକ ଝଣ ଝଣ ହୋଇ ଭାଙ୍ଗିପଡ଼େ !! ତାହା ଜାଣିବାପାଇଁ ଆପଣଙ୍କୁ ପଢ଼ିବାକୁ ହେବ ଉପନ୍ୟାସଟି ଯାହାକୁ ପ୍ରକାଶିତ କରିଛନ୍ତି ଟାଇମପାସ୍ ପ୍ରକାଶନୀ ସଂସ୍ଥା ଓ ପୃଷ୍ଠା ଅଳଙ୍କର ଦେଇଛନ୍ତି ଶ୍ରୀଯୁକ୍ତ ସରୋଜ ବଳ ।
ଉପନ୍ୟାସର ରଚୟିତା ଶ୍ରୀମତୀ ମହାଶ୍ବେତା ସାହୁ । ଜନ୍ମସ୍ଥାନ ଯାଜପୁର ଜିଲ୍ଲାରେ । ଶ୍ରୀମତୀ ସାହୁ ମାତ୍ର ୧୭/୧୮ ବୟସ ସମୟରେ ବିଭିନ୍ନ ଗଳ୍ପ ଓ କବିତା ରଚନା କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ଏପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବେ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନରେ ବିଦ୍ୟମାନ ରହିଆସୁଛନ୍ତି । ବର୍ତ୍ତମାନ Sushilavati government women's college, sector 2,ROURKELA ରେ ଅଧ୍ୟାପିକା ଦାୟିତ୍ୱ ତୁଲାଇବା ସହ ସାମାଜିକ ଉନ୍ନତିକରଣ କାର୍ଯ୍ୟକ୍ରମ ଓ ନାରୀ ଶିକ୍ଷାକୁ କିପରି ପ୍ରାଧାନ୍ୟ ଦିଆଯିବ ସେ ଦିଗରେ ନିଜର ଯୋଗଦାନ ମଧ୍ୟ କରିଆସୁଛନ୍ତି ।
ଉପନ୍ୟାସଟି ପାଠକ ଆଦୃତି ଓ ସଫଳତାର ଶିର୍ଷ ଛୁଇଁବ , ମୋର ସମ୍ପୂର୍ଣ୍ଣ ଆଶା ।
ଉପନ୍ୟାସ ଆମାଜନରେ ଉପଲବ୍ଧ ।👇
https://amzn.in/d/aDGBrKz
କଥାକାରଙ୍କ ଅନ୍ୟାନ୍ୟ ଅନନ୍ୟ ସୃଷ୍ଟି…👇


No comments:
Post a Comment