HIMANSHUBHUSHAN SAHOO

My photo
ନିରୋଳା ଦେଖି ଗଳ୍ପ ଗୁଡିକ ମୋତେ ପ୍ରଶ୍ନ କଲେ "ତୁ ଗଳ୍ପ କେମିତି ଲେଖୁ ?" ମୁଁ ହସିଦେଇ କହିଥିଲି "ଆପଣ ନିଜକୁ ଦେଖନ୍ତୁ , ନିଜ ଚତୁର୍ଦ୍ଦିଗ କୁ ଅନୁଭବ କରନ୍ତୁ ! ଅସରନ୍ତି ସୁଖ-ଦୁଃଖ , ଅକଳନ ହାନି-ଲାଭ , ଗଭୀର ପ୍ରେମ-ବିରହ , ଅପର୍ଯ୍ୟାପ୍ତ ଜନ୍ମ-ମୃତ୍ୟୁ !!! ସବୁତ ପ୍ରଦର୍ଶିତ ଏଠି " ଆଉ କବିତା କ'ଣ କହିଲା ଜାଣନ୍ତି ? କହିଲା, "ତୁ' ତ ନିଜକୁ ଗାଳ୍ପିକ ଭାବିଛୁ , କବିତା କିପରି ଲେଖିବୁ ?" ମୋ ଉତ୍ତର ଥିଲା.. " ସତେ'ତ ! ତୁମ ହସ ହସ ତୃପ୍ତ ବଦନରୁ ଟିକିଏ ଦୁଃଖ ଟାଣିଆଣି.. ଗାରେଇ ନଦେଲେ ମୋ ଭାବନାରେ ! ସେ କି କବିତା ?"

Wednesday, June 25, 2025

‘ରଜ’ ; ଗଣପର୍ବ ଓ ଗୁଣୀ କଥାକାରଗଣ

   ଗଳ୍ପ ହେଉ କିମ୍ବା କବିତା ! ଓଡ଼ିଆ ସାହିତ୍ୟ ମାଧ୍ୟମରେ ଭାଷା , ସଂସ୍କୃତି ଓ ସ୍ଥିତିକୁ ତାହା ଦୃଢ଼ ପ୍ରତିପାଦନ କରେ ଭିନ୍ନଭିନ୍ନ ଅନୁଭବ ବଖାଣି ପଠାକଙ୍କ ହୃଦୟକୁ ବିଗଳିତ କରି । ପ୍ରାଚ୍ୟ କିମ୍ବା ମଧ୍ୟପ୍ରାଚ୍ୟ ସାହିତ୍ୟ ପରେପରେ ଯେଉଁ ଆଧୁନିକତାର ସୀମାରେ ସାହିତ୍ୟ ପହଞ୍ଚିଛି ଓ ସୀମା ଲଙ୍ଘନ କରୁଛି ସେଥିରେ ଗଢ଼ିଉଠିଛି ଅଗଣିତ କ୍ଷୁଦ୍ର ଆଲୋଚନା , ସମାଲୋଚନା , ବିମର୍ଷ ଓ ପ୍ରକାଶର ନୂଆ ଶୈଳୀ । ପୂର୍ବଭଳି ଆଲୋଚନା-ସମାଲୋଚନା କେବଳ ଚିଠି , ମନ୍ତବ୍ୟ , ଦୂରସଂଚାର କିମ୍ବା ସମ୍ବାଦପତ୍ରରେ ସୀମିତ ହୋଇ ରହିନାହିଁ । ସାମାଜିକ ଗଣମାଧ୍ୟମ ଅନ୍ତରାଳେ ଏହା ମଧ୍ୟ ବ୍ୟାପକ ହୋଇସାରିଛି । ଏବେ ସମ୍ପୂର୍ଣ୍ଣ ମୁକ୍ତ ଭାବେ ଆମେ ଆଲୋଚନା ଓ ନିନ୍ଦା କରୁଛେ ସତ୍ୟ କିନ୍ତୁ ସାହିତ୍ୟ ପ୍ରତି ସେତେଅଂଶରେ ସଜାଗ , ସ୍ଫର୍ଦ୍ଧିତ ଭାବନା ଓ ଅନୁରକ୍ତ ରହିବା ଊଣା ହୋଇପଡୁଛି । ସେ ଊଣା ମନୋଭାବକୁ ହ୍ରାସ କରିବା ଅର୍ଥେ ଅନେକ ସଂସ୍ଥା , ସରକାରୀ ସାହିତ୍ୟ ବିଭାଗ , ଆଲୋଚକ , ସାହିତ୍ୟ ସମ୍ମେଳନ ଗୋଷ୍ଠୀ , କଥାକାର , ମୁକ୍ତ ମଞ୍ଚ , ପାଠକ-ପାଠିକା ଓ ପ୍ରକାଶନୀ ସଂସ୍ଥା ରୀତିମତ ଲାଗିପଡ଼ିଛନ୍ତି । ସେଥିମଧ୍ୟରୁ ଅନ୍ୟତମ 'ଶୁଭପଲ୍ଲବ' ପ୍ରକାଶନୀ ।

   ଶୁଭପଲ୍ଲବ ଭେଟିଦେଇଛି ଗଳ୍ପ ସଙ୍କଳନ “ରଜ” । ସାହିତ୍ୟ କିପରି ରୁଦ୍ଧିମନ୍ତ ସହିତ ସହଜ ପଠନରୁଚିକର ହେବ ସେଥିପ୍ରତି ଦୃଷ୍ଟି ଆକର୍ଷଣ ଅକରୁଛି ସଙ୍କଳନଟି । ପ୍ରଚ୍ଛଦ ଅଳଙ୍କରଣ ଦେଇଛନ୍ତି ପ୍ରଖ୍ୟାତ ଚିତ୍ରଶିଳ୍ପୀ ଶ୍ରୀଯୁକ୍ତ ବିଜୟ ବିଶ୍ୱାଳ ମହୋଦୟ ଏବଂ ସମ୍ପାଦନା କରିଛନ୍ତି ଶ୍ରୀଯୁକ୍ତ ତାପସ ରଞ୍ଜନ । ସଂକଳକ ରେ ଅଛନ୍ତି ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ସେନାପତି

   ଗୋଟିଏ କବିତା ଓ ଚଉଦଗୋଟି ଗଳ୍ପ ସମଷ୍ଟିରେ ବନ୍ଧା ହୋଇଛି ବହିଟି । ଅନେକଙ୍କ ମନରେ ପ୍ରଶ୍ନ ଆସିପାରେ “ଗଳ୍ପ ସଙ୍କଳନରେ କବିତାର ସ୍ଥାନ କାହିଁକି ?” ମୋ ମତରେ ତାହା ଅର୍ଚ୍ଚନା ଆରମ୍ଭର ପ୍ରଥମ ଅର୍ଘ୍ୟ ରୂପକ ଗୋଟିଏ କୋମଳ ପୁଷ୍ପ ! ସୁଶ୍ରୀ 'ଶୁଭଲକ୍ଷ୍ମୀ ଦାସ’ଙ୍କ ଲେଖନୀରେ “ରଜ ମଉଜ”ର ସୁଆଦ ସହିତ ବର୍ଷାଓଦା ମାଟିବାସ୍ନା । ସେଇ ବାସ୍ନା ଅବ୍ୟାହର ରଖିଲେ ପ୍ରଥମ ଗଳ୍ପ “ଅଦିନିଆ ବର୍ଷା ଓ ନିରୁତା ପ୍ରେମର ଗପ”ରେ ଶ୍ରୀମତୀ ‘ସୋନାଲି ସୁରଚିତା’ । ବର୍ତ୍ତମାନର ସୁରମ୍ୟ ପ୍ରେମ ପଥରେ ଅତୀତର ଏକ କଣ୍ଟକିତ କଳା ଦିନକୁ ରଖିଦେଲେ ପାଠକଙ୍କ ସ୍ୱଚେତନା ଚୟନ ପାଇଁ । ଅସଂଖ୍ୟ ଲୋକ ଥିବେ ଯାହାଙ୍କ ମନ ଭିତରେ ଗଳ୍ପର ସେ ପାଞ୍ଚ ବର୍ଷୀୟ ଝିଅଟିର ଲୁହ , କୋହ ଓ ଘୃଣା ଏପର୍ଯ୍ୟନ୍ତ ଜମାଟ ବାନ୍ଧିଥିବ । ପିଲାଦିନରୁ ଏପର୍ଯ୍ୟନ୍ତ , ହୁଏତ ଅବଧି ଜୀବନତକ ଚୁପ୍ ହୋଇ ରହିବେ ! କିନ୍ତୁ ରୀତା କ୍ଷେତ୍ରରେ ଘଟିଛି କ୍ରମିକ ପରିବର୍ତ୍ତନ । ଡାକ୍ତର ଆଭାସ ପ୍ରେମିକରୁ ପାଲଟିଯାଉଥିଲେ ସାନ୍ତ୍ୱନା ଦେଉଥିବା ଜଣେ ଅଭିଜ୍ଞ ମା’ ! ହୁଏତ ସେଇଥିପାଇଁ ଡାକ୍ତରମାନଙ୍କୁ ଈଶ୍ୱର ରୂପୀ ପଦ ଦିଆଯାଏ କି ?

    ଦ୍ଵିତୀୟ ଗଳ୍ପ “ପାରିଜାତ” । ପ୍ରେମ , ଆଶା ଓ ସଙ୍କଳ୍ପରେ ପେଶିହେଉଥିବା ଜଣେ ପୂର୍ବକର୍ମ ଅନୁତପ୍ତ ପୁରୁଷର କାହାଣୀ କିପରି ନିଖୁଣ ରୂପରେ ଉପସ୍ଥାପନ କଲେ ଲେଖିକା “ସୁଶ୍ରୀ ଆଭା ପ୍ରଧାନ” ତାହା ପ୍ରଶଂସନୀୟ । ଗଳ୍ପ ଶେଷବେଳକୁ ପାରିଜାତ ଧୀରେଧୀରେ ପାଲଟିଯାଉଛିକି ଆଉ ମୃଗ କସ୍ତୁରୀ ! ଗୋଟିଏ ପାଖେ ଅତୀତର ଅଗୌରବମୟ ପୃଷ୍ଠା ତ ଅନ୍ୟପଟେ ଅଦୃଶ୍ୟ ଜୀବନ ଜିଇଁବାର ଲୋଭ ସମୀରଙ୍କର । ହଁ , ଗଳ୍ପଟି ପଢ଼ିସାରିବା ପରେ ପାଠକ ନିଶ୍ଚିତ ଚାହିଁବେ ଶୁଭପଲ୍ଲବର ପଞ୍ଚମ ସଂସ୍କରଣରେ ପ୍ରକାଶ ପାଇଥିବା ଅନ୍ୟ ଏକ କଥାକାରଙ୍କ ଗଳ୍ପ “ପାରିଜାତ” ପଢ଼ିବାକୁ ।

   ବେଳେବେଳେ ଗଳ୍ପଗୁଡ଼ିକ ଦୀର୍ଘ ହୋଇଯାଆନ୍ତି । ସମୟ ଓ ଶୈଳୀ ବଦଳେ ଉପସ୍ଥାପନରେ । କଅଣୁଗଳ୍ପର ଆକାର ନିଏ ବିସ୍ତୃତ ଥିବା ଏକ କାହାଣୀ । କେଇଧାଡ଼ିରେ ସୀମିତ ଥାଇ ଆହ୍ୱାନ କରେ କେଇ ପୃଷ୍ଠାର କାହାଣୀକୁ ! ଗଳ୍ପ ‘ପାସ୍ପୋର୍ଟ ସାଇଜ ଫୋଟୋ’ ହେଉଛି ତାହାର ଏକ ଉଦାହରଣ ଶ୍ରୀଯୁକ୍ତ ଡ. ଜୟପ୍ରକାଶ ପରିଡ଼ାଙ୍କ କଲମରୁ । କିନ୍ତୁ ଶ୍ରୀଯୁକ୍ତ ସତ୍ୟବ୍ରତ ପରିଡ଼ାଙ୍କ କ୍ଷୁଦ୍ରଗଳ୍ପ “ପଣା” କ୍ଷେତ୍ରରେ ସାରାଂଶ ଏକ ଶକ୍ତ ଉଦାହରଣ ହୋଇଥିଲେ ମଧ୍ୟ ନାଟକୀୟ ହୋଇଗଲା କାହାଣୀ ! ସତରେ କ’ଣ ଏଇ ନାଟକୀୟ ସଂଳାପରୂପୀ ଘଟଣାଚକ୍ର କାମ ଦିଏ ? ବାସ୍ତବ ଜୀବନରେ କ’ଣ ଏପରି ଉଦାହରଣ ଜୀବନ୍ତ ଥାଏ !? ତଥାପି ଗଳ୍ପଟି ଉଚ୍ଚ ପ୍ରଶଂସାର ପାତ୍ର ।

   ବହି କିଛିଙ୍କ ପାଇଁ ନିଶା ହୋଇପାରେ । କିନ୍ତୁ ସେ ନିଶାର ମୁଖ୍ୟ ଉପାଦାନ କାହାଣୀ , ଶୈଳୀ , ଚାରିତ୍ରିକ ଢଙ୍ଗ ଓ ଶବ୍ଦ ଥାଏ । ରଜ ବହିର ର ଉପାଦାନ ମୁଖ୍ୟତଃ ଏଇସବୁ ଉପରେ ପଢ଼ିବାକୁ ମିଳୁଛି । ଗୋଟିଏ ପରେ ଗୋଟିଏ ଭିନ୍ନ ଓ ସଙ୍କଳନ ପ୍ରତି ନିଶା ଧରାଉଥିବା କାହାଣୀ ! ଶ୍ରୀଯୁକ୍ତ ସ୍ୱରୂପ କୁମାର ନାୟକଙ୍କ “କଳାଯାଇ” ଠିକ୍ ଗୋଟିଏ ନିଶାର ଅୟମାରମ୍ଭ !!! ଏପରି ଗଳ୍ପ ହୁଏତ ଆପଣ ପଢ଼ିଥାଇପାରନ୍ତି , କିନ୍ତୁ ଏ ଗଳ୍ପ ଭିନ୍ନ । ଏଠାରେ କୀର୍ତ୍ତି ଗୋଟିଏ ଅତିଭୌତିକ ସତ୍ତା ମୋ ପାଇଁ ନୁହେଁ ବରଂ ଆତ୍ମିକ ସଂଯୋଗର ଏକ ସତ୍ୟ ପ୍ରହେଳିକା । ବାସ୍ତବ , ଅବାସ୍ତବ ଓ  ସଂଜ୍ଞା ନିରୂପଣ କରୁଥିବା କଥାକାର କିପରି ଭ୍ରମରେ ରହିଲେ ? ତାହା ଭ୍ରମ ନା ଆତ୍ମିକ ସଂଯୋଗ !!  ଏବଂ ଏଇ ଆତ୍ମିକ ସଂଯୋଗ ଦୀର୍ଘ ୩୮ବର୍ଷ ଧରି ଅବିନାଶ ଖୋଜୁଥିଲେ କି ନିଜ ଭିତରେ ଗଳ୍ପ “କରୁଣା”ରେ ? ଶ୍ରୀମତୀ ଡ. ଶ୍ରଦ୍ଧାଞ୍ଜଳି ପଣ୍ଡାଙ୍କ ଗଳ୍ପରେ ମିଳେ ଲୀନ ହେଉନଥିବା ଗୋଟିଏ ବାତ୍ସଲ୍ୟ ।

    କୋରନା ସମୟର ଘା’କୁ ଉଖୁରେଇ ପାଠକଙ୍କ ମନରେ ପିଲାଦିନ ଜୀବିତ କରିଦେବାର ଏକ ସଂଜୀବନି ଗଳ୍ପ ଇଏ । ପ୍ରଥମ କବିତା ଓ ପ୍ରଥମ ଗଳ୍ପ ସଦୃଶ ପାଠକ ଅନୁଭବ କରିପାରିବେ ଗଳ୍ପ କ୍ରମାଙ୍କ ସାତ(କରୁଣା) ଓ ଆଠ(ଥାଙ୍କ ୟୁ କାର୍ଡ଼) ମଧ୍ୟର ପୃଷ୍ଠଭୂମି । କୋରନା ସମୟର ଏକ ଭିନ୍ନ ପୀଡ଼ା । କାହାଣୀଟି ଅତି ସୁନ୍ଦର ଭାବରେ ରଚନା କରିଛନ୍ତି ସୁଶ୍ରୀ 'ସୌମାଶ୍ରୀ ତ୍ରିପାଠୀ'  ଓ ପରବର୍ତ୍ତୀ ଗଳ୍ପ “ଭଗବାନ ! ତମେ ବି ଭୁଲ୍” ରେ ଗାଳ୍ପିକା "ସୁଶ୍ରୀ ସଂଗୀତା ପ୍ରିୟଦର୍ଶିନୀ" । କ୍ଷୁଦ୍ରଗଳ୍ପ ମଧ୍ୟରେ ବିଶାଳ ଏକ ବାର୍ତ୍ତା ମିଳେ , ତାହା ହିଁ ଗଳ୍ପର ସାର୍ଥକତା । ଶିଶୁଙ୍କ ଅଭିସାର ଓ ପ୍ରକୃତିର ଅଭିଶାପ ମଧ୍ୟରେ ଏକ ତୀବ୍ର ଅଟକଳକୁ ଉପସ୍ଥାପନ କରିବା ସହଜ ମଧ୍ୟ ନୁହେଁ ।

    ପ୍ରେମ ଅସହ୍ୟ , ନା ବିସ୍ତୃତ ? ସନ୍ଦିହାନ , ନା ସମ୍ପର୍କ ସନ୍ଦର୍ଭ ? ଭୁଲ ବୁଝାମଣାରେ ଏସବୁର ଅର୍ଥ କିଛି ରହିଯାଏ ନାହିଁ । ବିଯୁକ୍ତ ବୁଝାମଣାରେ ପ୍ରେମୀ ହୁଅନ୍ତୁ କିମ୍ବା ପରିବାରର କୌଣସି ସଦସ୍ୟ । ଦୁଇଟି ଗଳ୍ପ ; ୧- ‘ରାଜାରାଣୀ-ଏକ ଅଲୋଡ଼ା ପ୍ରେମ କାହାଣୀ’ ଓ ୨- ‘ଯୌବନ’ । ପ୍ରଥମ ଗଳ୍ପଟି ଶ୍ରୀଯୁକ୍ତ 'ରମେଶ ଚନ୍ଦ୍ର ପାଲ୍' ରଖିଛନ୍ତି କୈଶୋରାବସ୍ଥାର ଓ ଅନ୍ୟଟି ସୁଶ୍ରୀ 'ସଙ୍ଗିତା ଦାସ' ରଖିଛନ୍ତି ଯୌବନ ଯବନିକାର ସୋପାନ । ପ୍ରଥମ କାହାଣୀରେ ଅନ୍ୟର ଭୁଲ ନିଷ୍ପତ୍ତି ଓ ଦ୍ଵିତୀୟ ଗଳ୍ପରେ କାହାଣୀର ମନ୍ଥର ଗତି ସହିତ ସ୍ୱୟଂ ଲେଖିକାଙ୍କ ସନ୍ଦିହାନ !!! ଯେପରି କାହାଣୀରେ ସେ ଯାହା ଶେଷକୁ ରଖିବାକୁ ଚାହିଁଥିଲେ ତାହା ସୁଚାରୁରୂପେ ରଖିପାରିନାହାନ୍ତି ।

   ଗଳ୍ପ କ୍ରମାଙ୍କ ୧୨ ; ‘ତିନିଟଙ୍କା ପଚାଶ ପଇସା’ , ଶିଳ୍ପୀ ଶ୍ରୀଯୁକ୍ତ ‘ଲକ୍ଷ୍ମୀକାନ୍ତ ବେହେରା’ । ଏଇ କ୍ଷୁଦ୍ରଗଳ୍ପର ପ୍ରସଂଶାରେ ହୁଏତ ବିଶାଳ ଆଲୋଚନା ହୋଇପାରେ ! ତିନିଗୋଟି ସୋପାନ ମାଧ୍ୟମରେ ତିନୋଟି ଚରିତ୍ରର ସମ୍ପୂର୍ଣ୍ଣ ବ୍ୟାଖ୍ୟା ଯେମିତି ହୋଇଛି ତାହା ଲେଖକଙ୍କ କଲମର ତୀକ୍ଷ୍ଣତାକୁ ଦର୍ଶାଇଛି । କ୍ଵଚିତ ମିଳେ ଏପରି ଗଳ୍ପ । ନିଃସନ୍ଦେହ , ଗଳ୍ପଟି ପୁରସ୍କାର ଯୋଗ୍ୟ ।

   ଶେଷ ତିନି ଗଳ୍ପରୁ ପ୍ରଥମ “ଜୀଇଁବାର କଳା”ରେ ଦୁଇଟି ଚରିତ୍ରଙ୍କୁ ନେଇ ସ୍ୱଳ୍ପ ଆଲୁଅରେ ବିଶାଳ ଅନ୍ଧାରକୁ ହରେଇବାର କଳାକୁ ବଖାଣିବାକୁ ଚେଷ୍ଟା କରିଛନ୍ତି ସୁଶ୍ରୀ 'ରାଜଶ୍ରୀ ସ୍ୱାଇଁ' । ସେପରି ଗଳ୍ପ “ଅଧୁରା ବୋହୂ”ରେ ସମାଜ , ବ୍ୟକ୍ତି ଓ ସମ୍ପର୍କର ବଦଳୁଥିବା ରଙ୍ଗକୁ ଚିହ୍ନାଇଛନ୍ତି ଗାଳ୍ପିକା ସୁଶ୍ରୀ 'ତାରାରାଣୀ ନାୟକ' । ଏଇ ଗଳ୍ପରେ ଅନେକ ଗଳ୍ପ ଆପେଆପେ ଗୁନ୍ଥି ହୋଇଯିବ । ନାଚିଯିବ ଅତୀତ , ନିଜର ନହେଲେ ମଧ୍ୟ ପାରିପାର୍ଶ୍ବିକ ସମ୍ପର୍କୀୟଙ୍କ । ଏବଂ ଶେଷକୁ ସେଇ ରଙ୍ଗରେ ଅତୀତ , ବର୍ତ୍ତମାନ ଓ ଭବିଷ୍ୟତକୁ କଳନା କରିଛନ୍ତି ସୁଶ୍ରୀ 'ନିବେଦିତା ମହାପାତ୍ର' ନେହା' ଚରିତ୍ର ମାଧ୍ୟମରେ ଗଳ୍ପ "ସ୍ମୃତିରେ ପ୍ରତାରଣାର ରଙ୍ଗ"

    ପ୍ରତ୍ୟକ ଗଳ୍ପ ଏକ ସୁଖଦ ଓ ଭାବୁକ ଅନୁଭୂତି ଦେଲା । ଗଳ୍ପ ଚୟନ ଓ ସମ୍ପାଦନା ପାଇଁ ଶ୍ରୀଯୁକ୍ତ ତାପସ ରଞ୍ଜନଙ୍କୁ ଅଶେଷ ସାଧୁବାଦ । ଆଶାକରୁଛି ଶୁଭପଲ୍ଲବ ଦ୍ୱାରା ପ୍ରତ୍ୟକ ବର୍ଷ ଏଇପରି ସୁନ୍ଦର ସୁନ୍ଦର ଗଳ୍ପକବିତା ଗୁନ୍ଥି ପାଠକଙ୍କୁ ଭେଟିଦେଉ ଏକ ବହିର ରୂପ ଦେଇ ।

'ରଜ' ସଙ୍କଳନ ପାଇବାର ଠିକଣା 👇 : https://amzn.in/d/1qDp4OQ


ବିଦ୍ର:- ଶୁଭପଲ୍ଲବ ୨୦ ଡିସେମ୍ବର ୨୦୧୭ ମସିହାରୁ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଅତୁଳନୀୟ ଅବଦାନ ଦେଇଆସୁଅଛି । କେବଳ ଓଡ଼ିଆ ନୁହେଁ ବରଂ ଅନ୍ୟାନ୍ୟ ଭାଷାରେ ମଧ୍ୟ ଏହାର ସେବାପ୍ରଭାବ ରହିଆସିଛି । ଶିଶୁ ସାହିତ୍ୟ ସହିତ ଅନେକ ଗଳ୍ପ ସଙ୍କଳନ ଓ କବିତା ସଙ୍କଳନ ପ୍ରକାଶ ପାଉଛି ଶୁଭପଲ୍ଲବ ପ୍ରକାଶନୀ ମାଧ୍ୟମରେ । ଶୁଭପଲ୍ଲବର ମୁଖ୍ୟ ସମ୍ପାଦକ ରହିଆସିଛନ୍ତି ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ସେନାପତିଶ୍ରୀଯୁକ୍ତ ତାପସ ରଞ୍ଜନ । ଅଳଙ୍କରଣ ଦେଇଆସୁଛନ୍ତି ଶ୍ରୀଯୁକ୍ତ ସମ୍ବିତ ଦାସ । ପୃଷ୍ଠଭୂମି ସଙ୍ଗୀତ ସଂଯୋଜନା କରିଛନ୍ତି ଶ୍ରୀଯୁକ୍ତ ମାନସ ରଞ୍ଜନ ଦାଶ ଓ ଗୀତଟି ଲେଖିଛନ୍ତି ଶ୍ରୀଯୁକ୍ତ ଶାଶ୍ୱତ ସ୍ୱାଇଁ

                                 🌼🌼🌼

✍️ହିମାଂଶୁ ଭୂଷଣ ସାହୁ


2 comments:

"ଗୌରୀପ୍ରଭା"ର ପ୍ରଥମ ବର୍ଷ

 ଏବେ “ ଗୌରୀପ୍ରଭା ” ପହଞ୍ଚିଛି ତୃତୀୟ ବର୍ଷରେ । ତିନି ବର୍ଷର ଯାତ୍ରାରେ ଭେଟିଛି ଅନେକ ଅନୁଭବ । ଆସନ୍ତୁ ଜାଣିବେ “ଗୌରୀପ୍ରଭା” ବାର୍ଷିକ ପତ୍ରିକାର ପ୍ରଥମ ବର୍ଷର ପା...