HIMANSHUBHUSHAN SAHOO

My photo
ନିରୋଳା ଦେଖି ଗଳ୍ପ ଗୁଡିକ ମୋତେ ପ୍ରଶ୍ନ କଲେ "ତୁ ଗଳ୍ପ କେମିତି ଲେଖୁ ?" ମୁଁ ହସିଦେଇ କହିଥିଲି "ଆପଣ ନିଜକୁ ଦେଖନ୍ତୁ , ନିଜ ଚତୁର୍ଦ୍ଦିଗ କୁ ଅନୁଭବ କରନ୍ତୁ ! ଅସରନ୍ତି ସୁଖ-ଦୁଃଖ , ଅକଳନ ହାନି-ଲାଭ , ଗଭୀର ପ୍ରେମ-ବିରହ , ଅପର୍ଯ୍ୟାପ୍ତ ଜନ୍ମ-ମୃତ୍ୟୁ !!! ସବୁତ ପ୍ରଦର୍ଶିତ ଏଠି " ଆଉ କବିତା କ'ଣ କହିଲା ଜାଣନ୍ତି ? କହିଲା, "ତୁ' ତ ନିଜକୁ ଗାଳ୍ପିକ ଭାବିଛୁ , କବିତା କିପରି ଲେଖିବୁ ?" ମୋ ଉତ୍ତର ଥିଲା.. " ସତେ'ତ ! ତୁମ ହସ ହସ ତୃପ୍ତ ବଦନରୁ ଟିକିଏ ଦୁଃଖ ଟାଣିଆଣି.. ଗାରେଇ ନଦେଲେ ମୋ ଭାବନାରେ ! ସେ କି କବିତା ?"

Friday, February 24, 2023

ଦମ୍ ବିରିୟାନି



ଦୃଶ୍ୟ ୦୧

   ଗୋଟିଏ ହୃଦୟ ବିଦାରକ ଘଟଣା ଘଟିଯିବା ପରେ ସେ ରାଜ୍ୟ ଓ ଆଖପାଖ କିଛି ରାଜ୍ୟ ଚିହିଁକି ଉଠିଲେ । ସେମାନଙ୍କ ଗେଣ୍ଡାଳିଆ , ପେଚେକା , ପଦ୍ମାସନିଆ ଓ ବତାଳିଆ ନାକ ପୁରେଇଲେ ଗୋଟିଏ ଅଭିଯାନରେ । କୁକୁର ଧରା ଅଭିଯାନ ! ସଂସଦ ଉଠିଲା ପଡିଲା । ଚିଠା ପ୍ରସ୍ତୁତ ହୋଇ କାମ ଆରମ୍ଭ ହେଲା ଆଉ ଦିନ ରାତି ଏକାକାର କରି ସରକାରୀ ଚାକିରିଆ କୁକୁର ସଫା କରିଦେଲେ ସବୁତକ ସହରରରୁ । ରାସ୍ତା ଘାଟ କୁକୁରଶୁନ୍ୟ ହେଲା । ସହରୀ ଲୋକ ଶାନ୍ତିରେ ବୁଲିଲେ ତାଙ୍କ ନିଜ ଇଲାକାରେ ।

 


ଦୃଶ୍ୟ ୦୨

   ବିରିୟାନି ୧୫ ଟି ପାର୍ସଲ କରି ତରତର ହୋଇ ସରକାରୀ ଗାଡିରୁ ଓଲ୍ହେଇ ପିନିଆ ଦୌଡ଼ିଲା ଭଳି ପହଞ୍ଚିଲା ବଙ୍ଗଳା ଭିତରେ । ସେତେବେଳକୁ ବାବୁ ବାବୁଆଣି ସବୁ, ନାଲି ପାଣିକୁ ପିନିଆର ଛଣା ଦେଶୀ କୁକୁଡ଼ା ଷ୍ଟାର୍ଟପ୍ ରୂପେ ସଦୁପଯୋଗ କରୁଥାନ୍ତି । ଦାନ୍ତ ଦେଖେଇ ପିନିଆ କହିଲା "ବାବୁ ଆପଣଙ୍କ ନାଁ କହିବାରୁ… ଦେଖିଥାନ୍ତେ ସେ ପହଲା ଅଜାର ମୁହଁ ! ଆଃ କେଡ଼େ ତୋଡ଼ ଦେଖାଏ ମୋତେ । କିନ୍ତୁ ମାଈ କୁତ୍ତି ହୋଇଗଲା କି ଆଉ ଆପଣଙ୍କ ନାଁ ଶୁଣି...! ନିଜେ ଦୌଡ଼ିଯାଇ ପାର୍ସଲ ଆଣିଲା ପା ।"

   ସମର ବାବୁ ହସିଦେଇ କିଛି ଗୋଟିଏ କହିବାକୁ ଚାହୁଁଥିଲେ ତାଙ୍କ ମୋବାଇଲ ରଡ଼ିଲା…


 "ହ୍ୟାଲୋ…. 

…ହଁ…

ଆରେ କ'ଣ ଆଉ କରିବ ?(ବିରକ୍ତ ହୋଇ)...ହୋଉ ହୋଉ କିଛି ଗୋଟିଏ ବୁଝ…(ଟିକେ ଶାନ୍ତ ହୋଇ)….ଆଉ କଣ୍ ଭାବିଛ ଏଗୁଡାଙ୍କୁ ଉଠେଇ ନେଇ ପୋଷିବେ…ହଁ..ହଁ… ସେଇଆ କର । ସେଗୁଡା ତ ନାକ ତଳ ଗଡ଼ିଆ । ଶଳେ ୧୦୦/୨୦୦ ନେଇ ମୁଣ୍ଡ ବିକିବେ ଆଉ କେଇଟା କୁକୁର ପ୍ରାପ୍ୟ ହେଲେ କଣ୍ ଉଖାଡି ହୋଉଛି …!"



ଦୃଶ୍ୟ ୦୩

   ରାତି ପ୍ରାୟ ୨ଟା ହେବ । ଦେବୁର କୁକୁରିଆ ନିଦ ହଠାତ୍ ଭାଙ୍ଗିଗଲା । ଆଖି ମଳି ଚାହିଁଲା ତା ଦି-ମହଲା ଘର ଝରକା ପରଦା ଆଡେଇ । ଆରେ ବାବ୍ ରେ ..! ଏତେ କୁକୁର ! ଧଡ଼ପଡ଼ ହୋଇ ତଳକୁ ଦୌଡ଼ିଗଲା । ଗେଟ୍ ବନ୍ଦ ଅଛି । ରକ୍ଷା । ମନେମନେ ଭାବିଲା "ଏ ବେହିପୁଅ କୁକୁରଗୁଡା ଏତେ କୁଆଡୁ ଆସିଲେ ? ଗାଁ'ରେ ମୋଟେ ୧୦/୧୫ ଟି କୁକୁର ହେବେ । ସେଥିରୁ ପହଲା ସାହୁର ହାଇବ୍ରିଡ଼ ଆଉ ରଥ ଦାସର ଆମେରୀକି । କିନ୍ତୁ ଏ ତ ୫୦ ରୁ ଅଧିକ !"

    ଗାଁ'ରେ ସକାଳକୁ ପ୍ରାୟ ୨୦/୩୦ କୁକୁର ବୁଲୁଥାନ୍ତି । ଧୁର୍ମୁସିଆ ଆଉ ବିକଟାଳିଆ କେଇଟି ତା ଭିତରୁ । ଗାଁରେ ଯେଉଁ ବାସିନ୍ଦା କୁକୁର ଥିଲେ ବିଚରା ଭୁକି ଭୁକି ଶେଷକୁ ଲାଙ୍ଗୁଡ଼ ଜାକି କେଂ କେଂ ହେଉଥାନ୍ତି ।

   ଗାଁ ର କେଇଟା ଖେଚେଡା ପିଲା କୁକୁର ଗୁଡାଙ୍କ ପଛରେ ପେଟ୍ରୋଲ ଢାଳିଲେ ତ କେଇଟା ଲଙ୍କା ବାଣ ଲାଙ୍ଗୁଡରେ ବାନ୍ଧି ଛାଡିଲେ । ଗାଁ'ରେ ସଭା ବସିଲା । ବାରଣ ହେଲା ଏପରି କରିବାକୁ । ବିଚାରରେ ଜଣା ପଡିଲା କି ହୁଏତ ସହରୀ କୁକୁର ଚାଲିଆସିଛନ୍ତି କିମ୍ବା ଅନ୍ୟ ଦୂର ଗାଁ ଲୋକେ ତଡିଛନ୍ତି । କିନ୍ତୁ ବାହାର ଗାଁ ଗୁଡିକରେ ମଧ୍ୟ ଏଇପରି ସଭା ବସିଥିଲା । କିଛି ଲୋକ ତାତିଗଲାରୁ ପହଲାର ଭାଇ ଦୁରୁଜା କହିଲା "ସଭାଜନେ ! ଶାନ୍ତି ପୂର୍ବକ ଆଲୋଚନା ହେଉ । କିଛି ଉପାୟ ଅଛି ମୋ ପାଖରେ , ବାସ୍… ଆପଣମାନଙ୍କ ସାହାଯ୍ୟ ସହଯୋଗ ଲୋଡ଼ା ଯାହା ।"




ଦୃଶ୍ୟ ୦୪

    ସେ ସହରରେ ଖବର ତୀବ୍ର ଗତିରେ ଥାଏ ସବୁବେଳେ । 

ଚା' ଦୋକାନରେ ବସି ଜଣେ କହୁଥାଏ "ପ୍ରହଲ୍ଲାଦ ଦମ୍ ବିରିୟାନି" ଏକ ନମ୍ବର । 

   ଆଉଜଣେ କହିଲେ "ଯାହା କୁହ … ଗାଁ ରୁ ଆସି ସହରୀ ଲୋକଙ୍କ କଲିଜା ଜିତିବା ଏତେ ସହଜ ନୁହେଁ ମ…!"

   ପ୍ରଥମ ଜଣକ ପୁଣି କହିଲେ "ତା ହାତରେ ଅଛି ଜାଦୁ… ମ୍ୟାଜିକ୍ …"



ଦୃଶ୍ୟ ୦୫

    ଦେବୁ ଫେରିଲା ଗାଁ ବସ ରେ । କୋଉ ନୂଆ କଥା ଯେ ଲୋକେ ଦେଖିବେ କିଏ ଆଇଲା ନଆଇଲା !!! କିନ୍ତୁ ଦେବୁର ଝିଅ ଦିବ୍ୟା ଅନେଇ ରହିଥିଲା ଦେବୁର କାନ୍ଦ ଗଳା ବେଗକୁ । ସଙ୍ଗେସଙ୍ଗେ ଖୋଲି ପକାଇ କହିଲା "ବାବା ! ଏଥର ମଧ୍ୟ ଅଙ୍କଲ୍  ବିରିୟାନି ଦେଲେନି ନା ! ଏଇ ମିଠା ଖାଲି ପଠୋଉଛନ୍ତି , ଯା..! ମୁଁ ଖାଇବି ନାହିଁ । ଏଥିରେ କଣ୍ ନା ବୋହୂ କରିବେ !"

    ଦେବୁ ଆଉ ପହଲା ପିଲାଦିନର ବନ୍ଧୁ । ତରକାରୀ ଦିଆନିଆ ରୁ ନାଲିପାଣି ଆଉ କଡ଼ା ଧୂଆଁ ପର୍ଯ୍ୟନ୍ତ ବଢ଼ା ବଢ଼ି । ଦେବୁର ଝିଅ ଆଉ ପହଲାର ପୁଅ ଯେବେ କହିଲେ କି ସେମାନେ ଜଣେ ଅନ୍ୟକୁ ପସନ୍ଦ କରନ୍ତି ସେଦିନରୁ ଦେବୁ ଓ ପହଲା ସମୁଦି । ଦିନ ଧରା ହେବା ମଧ୍ୟ ଧାର୍ଯ୍ୟ ସରିଛି ଆସନ୍ତା ମାସକୁ । ପହଲା ଟିକେ ପଛେଇଚି ନୂଆ ସହରରେ ଆଉ ଦୁଇଟି ରେଷ୍ଟୁରାଣ୍ଟ ଖୋଲି ଧନ ସରିଯିବାରୁ । ଦେବୁର ପୋତା ଯେତେ ଉଭା ସେତେ କିନ୍ତୁ ପହଲା କଉଡିଏ ନେବ ନାହିଁ ବୋଲି ଶପଥ କରିଛି ପୁଅ ମୁଣ୍ଡ ଛୁଇଁ ।

   ଝିଅ ପଚାରିଲା "ବାବା ତମେ ସେଠାର ପ୍ରସିଦ୍ଧ ଚିକେନ୍ ବିରିୟାନି ଖାଇଲ ନା ସବୁଥର ଭଳି ପଖାଳ-ଚୁଙ୍ଗୁଡ଼ି ଭଜା ଆଉ ଦେଶୀ ଅଣ୍ଡା ସିଝା ?"

   ମୁହଁ ଓହଳେଇ ଦେବୁ କହିଲା "ଜାଣିଛୁ ତ ପଚାରୁଛୁ କାହିଁକି ?"



ଦୃଶ୍ୟ ୦୬

    ସେଦିନ ପିନିଆ ନୂଆ ନୂଆ କେଇଟି ନୋଟ ଗଣୁଥିଲା । ସମର ବାବୁ କହିଲେ "ହଇରେ ପିନିଆ ! ଦରମା ପାଇଲୁ ବୋଲି ରାସ୍ତା ଘାଟ ବୁଲି ସମସ୍ତଙ୍କୁ ଦେଖା ! ଶଳା ତୁ ସୁଧୁରିବୁ ନାହିଁ ।"

   ପିନିଆ ପାନ ଖାଇଥିଲା । ନାଲି ନାଲି ଦାନ୍ତ ଦେଖେଇ କହିଲା "ନାଇଁ ସାଆରେ… ଦରମା ତ ଘରକୁ ପଠେଇ ଦେଇଥିଲି ପହଲା ଅଜା ହାତରେ  । ଏ ପଇସା ମା ଦେଇଛନ୍ତି ପା ! ୨୦ ଟି ଚିକେନ୍ ଦମ୍ ବିରିୟାନି ଆଉ କିଛି ସ୍ନାକ୍ସ..!  କିଟି ପାର୍ଟି ପାଇଁ ।"

   ସମର ବାବୁ ଆଉ କିଛି କହିଲେ ନାହି ସେ ବିଷୟରେ । ପୁଣି ପଚାରିଲେ "ସେ ପ୍ରହଲ୍ଲାଦର ତୁ ଗାଁ ଲୋକ ?"

   "ହଁ ସାରେ । ସେ ପା ଘରକୁ ଯାଇଛି । ତା ପୁଅ ବାହାଘର କରେଇବ ଶୁଣିଥିଲି ।"

 



ଦୃଶ୍ୟ ୦୭

   ପହଲାକୁ କୁଣ୍ଢେଇ ବିଦା କଲା ପରେ ଦେବୁ ଗାଁ ମୁଣ୍ଡରୁ ଫେରିଲା । ମନଟା ଟିକେ ହାଲୁକା ଲାଗୁଥିଲା ତାକୁ । ପହଲା ସବୁ ବନ୍ଦୋବସ୍ତ କରି ଗଲା ବହାଘରର । ଯେମିତିକି ଦିବ୍ୟା ତା' ଝିଅ ।

   ପହଲାର ଗାଡି ପଛେ ପଛେ ଆଉ ଗୋଟିଏ ଗାଡ଼ିରେ ତା ସାନ ଭାଇ ପହଞ୍ଚି ଗଲା । ତିନି ଚାରିଜଣ ଲୋକ ଥିଲେ ଆହୁରି । କେଇ ବସ୍ତା କଞ୍ଚା ଓ ସଜ ମାଂଶ ସହ । ପହଲା ଫୋନ କଲା ଦୁଇତିନି ଜାଗାକୁ । ସବୁ ଠିକ୍ ଠାକ୍ ।

   ଗାଡି ଚାଲିଲା ବେଳେ ଗୋଟିଏ କୁକୁର ଧାଇଁ ଆସି ଭୁକିଲା । କେହିଜଣେ କହିଲା "ଭାଇ ! କହିବ ଯଦି ଏ ଶଳାର ଛାଲ ଉତାରି ଭର୍ତ୍ତି କରିଦେବି ।"




ଦୃଶ୍ୟ ୦୮

   ସବୁ ଖବରକାଗଜ ଆଉ ଦୂରଦର୍ଶନରେ ଖବର ଆସୁଥାଏ । "ସରକାରଙ୍କ ସୁବିଚାର ପାଇଁ ସହର ଗୁଡିକଙ୍କ ଅବସ୍ଥା ସୁଧୁରିଛି ।"

 



ଦୃଶ୍ୟ ୦୯

    ଗୋଟିଏ ଗାଁ ରେ ଠିକ୍ ସନ୍ଧ୍ୟା ବେଳେ ପୁଣି ଗୋଟିଏ ଘଟଣା ଘଟିଲା । ପହଲାର ଭାଇ ଗାଁ ଲୋକଙ୍କୁ କହୁଥାଏ "ଦେଖିଲ ! ମୋ କଥା ମାନିଲ ବୋଲି ଆଜି ଆମ ଗାଁ ପିଲା ଛୁଆ ସୁରକ୍ଷା ରେ ଅଛନ୍ତି ଆଉ ତୁମେ ସବୁ ଶାନ୍ତିରେ ଶୋଇପାରୁଛ ।"




ଦୃଶ୍ୟ ୧୦

    ପିନିଆ କୁ ବାବୁଆଣି ପଚାରିଲେ "ହଇରେ ପିନି…! ଏତେ ବିରିୟାନି ଆଣୁଛୁ ସେଠାରୁ । ସେ ମାଗଣାରେ ବିରିୟାନି ଦଉଚି କି ନାହିଁ ତୋତେ !" 

   ପିନିଆ ମନଦୁଃଖ କରି କହିଲା "ନାଇଁ ମ ମା'…! ପହଲା ଅଜା କହେ କି ସହରୀ ବିରିୟାନି ଗାଁ ଲୋକଙ୍କୁ ହଜମ ହେବ ନାହିଁ । ମୁଁ ଯେବେ ଯାଏ ସେ ବଡ଼ ବଡ଼ ଚିଙ୍ଗୁଡ଼ି ଆଉ କଙ୍କଡା ଝୋଳ ଦିଏ ।"

                          ◆◆◆


#ଗଳ୍ପକବିତା

ହିମାଂଶୁ ଭୂଷଣ ସାହୁ

ସୋଲଗାଡ଼ିଆ

ଢେଙ୍କାନାଳ ୭୫୯୦୧୬



"ଗୌରୀପ୍ରଭା"ର ପ୍ରଥମ ବର୍ଷ

 ଏବେ “ ଗୌରୀପ୍ରଭା ” ପହଞ୍ଚିଛି ତୃତୀୟ ବର୍ଷରେ । ତିନି ବର୍ଷର ଯାତ୍ରାରେ ଭେଟିଛି ଅନେକ ଅନୁଭବ । ଆସନ୍ତୁ ଜାଣିବେ “ଗୌରୀପ୍ରଭା” ବାର୍ଷିକ ପତ୍ରିକାର ପ୍ରଥମ ବର୍ଷର ପା...