HIMANSHUBHUSHAN SAHOO

My photo
ନିରୋଳା ଦେଖି ଗଳ୍ପ ଗୁଡିକ ମୋତେ ପ୍ରଶ୍ନ କଲେ "ତୁ ଗଳ୍ପ କେମିତି ଲେଖୁ ?" ମୁଁ ହସିଦେଇ କହିଥିଲି "ଆପଣ ନିଜକୁ ଦେଖନ୍ତୁ , ନିଜ ଚତୁର୍ଦ୍ଦିଗ କୁ ଅନୁଭବ କରନ୍ତୁ ! ଅସରନ୍ତି ସୁଖ-ଦୁଃଖ , ଅକଳନ ହାନି-ଲାଭ , ଗଭୀର ପ୍ରେମ-ବିରହ , ଅପର୍ଯ୍ୟାପ୍ତ ଜନ୍ମ-ମୃତ୍ୟୁ !!! ସବୁତ ପ୍ରଦର୍ଶିତ ଏଠି " ଆଉ କବିତା କ'ଣ କହିଲା ଜାଣନ୍ତି ? କହିଲା, "ତୁ' ତ ନିଜକୁ ଗାଳ୍ପିକ ଭାବିଛୁ , କବିତା କିପରି ଲେଖିବୁ ?" ମୋ ଉତ୍ତର ଥିଲା.. " ସତେ'ତ ! ତୁମ ହସ ହସ ତୃପ୍ତ ବଦନରୁ ଟିକିଏ ଦୁଃଖ ଟାଣିଆଣି.. ଗାରେଇ ନଦେଲେ ମୋ ଭାବନାରେ ! ସେ କି କବିତା ?"

Monday, March 20, 2023

ଆଜି ପଖାଳ ଦିବସ ଦେଖିଲି


ଭିନ୍ନଭିନ୍ନ ମତ ଭିନ୍ନଭିନ୍ନ ପ୍ରସଙ୍ଗରେ

ଓଡ଼ିଆତ୍ୱ ଦେଖିଲି ।

ଏକାଠି ହେବାର ମଦମତ୍ତ

ପଖାଳ କଂସାଟେ ଦେଖିଲି ।

ଆଜି…

ପଖାଳ ଦିବସ ଦେଖିଲି ।


ଗରିବର ଦିନିକିଆ କଂସା ପାଖେ

ଧନୀଙ୍କ ସାଜସଜା ଦେଖିଲି ।

ଧନୀର ଚକାଆସନ ପାଖେ

ଅଣ୍ଟା ଦରଜର କଷ୍ଟ ଦେଖିଲି ।

ଆଜି…

ପଖାଳ ଦିବସ ଦେଖିଲି ।


ସୁନା ଚାନ୍ଦି ଚାମଚରେ

ପଖାଳ ତୋରାଣି ଦେଖିଲି ।

ନିପଟ ଗାଉଁଲି ଟିଏ

ଅତ୍ୟାଧୁନିକ ହେବାର ଦେଖିଲି ।

ଆଜି…

ପଖାଳ ଦିବସ ଦେଖିଲି ।


ମେଜ ଉପରୁ ନିଗିଡ଼ା ତୋରାଣି

କହୁଣୀ ବାଟରେ ଦେଖିଲି ।

ସୁଡୁସୁଡୁ କରି ନୂଆ ନୂଆ ଲୋକ

ପଖାଳ ପିଇବା ଦେଖିଲି

ଆଜି…

ପଖାଳ ଦିବସ ଦେଖିଲି ।


ବାସୀ ବୋଲି ସୁନାନାକୀ ଝିଅର

ପରିବା ଫୋପଡା ଦେଖିଲି ।

ବାସୀ ପଖାଳକୁ ଆମ୍ବୁଲ ଫଡ଼ାର

ଝୋଳକୁ ତା ପାଖେ ଦେଖିଲି ।

ଆଜି..

ପଖାଳ ଦିବସ ଦେଖିଲି ।


ପଖାଳ ଉପରେ ଓଡ଼ିଆ କବିତା

ଗପ ଯେ କେଇଟି ଦେଖିଲି ।

ଖାଣ୍ଟି ଓଡ଼ିଆ ଦିବସରେ ପୁଣି

'ଲ' ରେ ହଳନ୍ତ ଦେଖିଲି ।

ଆଜି…

ପଖାଳ ଦିବସ ଦେଖିଲି ।


ସାରା ଓଡ଼ିଶାର ସୁଖ ଦୁଃଖର

ସାଥିଟିଏ ଦେଖିଲି ।

ସକାଳ ,ଖରାବେଳ ହେଉ ଅବା ସଞ୍ଜ

ପେଟମନ ପୁରୁଥିବା ଶବ୍ଦଟିଏ ଦେଖିଲି ।

ଆଜି…

ପଖାଳ ଦିବସ ଦେଖିଲି ।

                ◆◆◆


#ଗଳ୍ପକବିତା

✍️ହିମାଂଶୁ ଭୂଷଣ ସାହୁ

ସୋଲଗାଡ଼ିଆ , ଢେଙ୍କାନାଳ ୭୫୯୦୧୬







No comments:

Post a Comment

"ଗୌରୀପ୍ରଭା"ର ପ୍ରଥମ ବର୍ଷ

 ଏବେ “ ଗୌରୀପ୍ରଭା ” ପହଞ୍ଚିଛି ତୃତୀୟ ବର୍ଷରେ । ତିନି ବର୍ଷର ଯାତ୍ରାରେ ଭେଟିଛି ଅନେକ ଅନୁଭବ । ଆସନ୍ତୁ ଜାଣିବେ “ଗୌରୀପ୍ରଭା” ବାର୍ଷିକ ପତ୍ରିକାର ପ୍ରଥମ ବର୍ଷର ପା...