ସାହୁଏଙ୍କ ଦୋକାନ ଭୋର ୪ଟାରେ ଖୋଲିନଥିବ ସେ ଟୋକା ହାଜର । ବର୍ଷା,ଶୀତ କି ଗୁଳୁଗୁଳି ! ସେ ମାନେନାହିଁ ବଳକା ଖଣ୍ଡେ ଛେନାପୋଡ଼ ପାଇଁ । ସାହୁଏ ମଧ୍ୟ ମାଗଣାରେ ଦିଅନ୍ତି ନାହିଁ । ବେଳେବେଳେ ସେ ମେଞ୍ଚଡ ଟୋକାକୁ ତାଙ୍କ ପିକପ୍ ପଛରେ ବସେଇ ସଉଦା ଆଣିବାରେ ଲଗାନ୍ତି ତ କେବେକେବେ ଦୋକାନ ଖୋଲିବା ବେଳେ ସଟର ଉଠା କି ପହଁରାରେ ଦୋକାନ ବାହାର ସଫା କରିବାରେ ଲଗେଇଦିଅନ୍ତି ।
ଲୋକେ କୁହନ୍ତି ସେ ଟୋକା କୁଆଡେ ଏ ଗୁଡ଼ିଆର ସକାଳୁଆ ମାଗଣା ଖିଆ ଗ୍ରାହକ । ବଇନି ନହେଉଣୁ ଖାଉଛି । ଯେମିତି କାଉ କୁକୁର ଇତ୍ୟାଦି ଛିଣ୍ଡା ବାସୀ ବରା-ଗୁଲୁଗୁଲା ଖୁମ୍ପି ଖାଆନ୍ତି ! କିନ୍ତୁ ଏ ଟୋକା ବେଳେବେଳେ ବୋଲହାକ କରେ । କାଉ କୁକୁରଙ୍କ ଭଳି ଉଡି-ଦୌଡ଼ି ପଳାଏନା ।
ଆଜି ସକାଳୁ ସାହୁଏ ଦୋକାନ ଖୋଲି ଦେଖନ୍ତି ତ ବଳକା ଛେନାପୋଡ଼ ଖଣ୍ଡିଏ ବି ନାହିଁ । ସେ ଟୋକା ବି ନଥାଏ । ସଜ ସଜ ଅଧକେଜିଆରୁ ଦୁଇକେଜିଆ ପର୍ଯ୍ୟନ୍ତ ରସ ପାତ୍ରରେ ଶାଳପତ୍ର ଘୋଡେଇ ହୋଇ ପ୍ରାୟ ୫୦ ଖଣ୍ଡ ଛେନାପୋଡ଼ ଥୁଆ ହୋଇଛି । ତାଙ୍କୁ ଟିକେ ଚିଡି ଲାଗିଲା ।
ପୁଅ ଦୁଇଟା ପାରିବା ଦିନରୁ ସାହୁଏ କେବଳ ଦୋକାନ ଖୋଲିବା କିମ୍ବା ସଟର ବନ୍ଦ କରିବା ଅଭ୍ୟାସ ରଖିଛନ୍ତି । ଆଜିକାଲି ଟଙ୍କା ପଇସା ଉପରେ ବି ସେ ଧ୍ୟାନ ଦେଉନାହାନ୍ତି । କିନ୍ତୁ ତାଙ୍କ ତାଗିଦ୍ ଥାଏକି ଖଣ୍ଡେ ଛେନାପୋଡ଼ ଆଉ ୧୦/୧୫ ଟି ବରା କି ଗୁଲୁଗୁଲା ଯେମିତି ସକାଳକୁ ରୁହେ ।
ଅଣ୍ଟାରୁ ମୋବାଇଲ୍ ଟି କାଢି ମିସ୍ତ୍ରୀକୁ ଫୋନ୍ କଲେ "ଆରେ ତତେ କିଏ କହିଥିଲା ଏତେଗୁଡାଏ ପୋଡ଼ କରିବାକୁ, ଆଁ ? ପାଞ୍ଚ କେଜି ତ ହେଉଥିଲା । ଆଉ ଆଜି ଏତେ ? ଆଉ ବଳକା ଖଣ୍ଡିଏ କାହିଁ ରଖିନ ?"
ମିସ୍ତ୍ରୀ ହସି ହସି କହୁଥିଲେ "ଭାଇନା ! ଆଜି ପରା ଛେନାପୋଡ଼ ଦିବସ । ତମ ସାନ ପୁଅ କହିବାରୁ ଆମେ କଲୁ ନାଉଁ ! ୩୦ଟି ଅର୍ଡର ସରିଛି ପା । ବାକି ବିକ୍ରି ହୋଇଯିବ ଯେ । ଆଉ ବଳିବ କ'ଣ ! ଗତ କାଲି ସନ୍ଧ୍ୟା ରେ ଆଞ୍ଚରୁ ବାହାରିବା ପରେପରେ ସବୁ ବିକ୍ରି ସାରିଥିଲା । ଛୁଆ ଲୋକ, ମନେ ରଖିନଥିବେ ଖଣ୍ଡେ ରଖିବାକୁ ।"
ସାହୁଏ ଟିକେ ଶାନ୍ତ ପଡିଗଲେ । କିଛି ବରା ଆଉ ଗୁଲୁଗୁଲା ଛିଣ୍ଡାଇ ଛୋଟ ଗାଙ୍ଗୁଲାରେ ଭର୍ତ୍ତି କରି ବାହାରକୁ ଗଲେ । ସେ ଛୋଟ ବଜାରର ସବୁତକ କାଉ ଆସି ରାଉ ରାଉ ହେଉଥାନ୍ତି ତାଙ୍କ ଦୋକାନ ଛାତ ଉପରେ । ଆଉ ଦୁଇ ଚାରିଟା ଡ଼ହରିଆ କୁକୁର ବୁଲୁଥାନ୍ତି ଜିଭ କାଢି ।
ଚଷମାଟିକୁ ଟିକେ ଉପରକୁ କରି ମୁଠା ମୁଠା ଫିଙ୍ଗିଲେ ଛାତ ଉପରକୁ ଆଉ କିଛି କୁକୁରଙ୍କ ପାଖକୁ । କାଉ ଗୁଡିକ ସବୁଦିନ ଭଳି କିଛି ଖାଇ ବାକି ପାଟି ଭିତରେ ଭର୍ତ୍ତି କରି ଉଡ଼ିଗଲେ । କିନ୍ତୁ କୁକୁର ଗୁଡାକ ଖାଇ ସାରି ଟୁଙ୍ଗୁ ଥାଆନ୍ତି ଦୋକାନ ଭିତର ଆଡ଼କୁ । ସେବେ ସେ ମେଞ୍ଚଡ ଟୋକା ପହଞ୍ଚି ଦାନ୍ତ ଦେଖେଇଲା ।
ତା ହାତରେ ସେ ଓହଳାଇ ଧରିଥିଲା ନୂଆ ପିନ୍ ପିନ୍ ଜରିଟିଏ । ଅଳ୍ପ ମାଟିଆ ରଙ୍ଗ ଜରି ଭିତରୁ ସାହୁଏ ଦେଖିପାରୁଥିଲେ ପ୍ରାୟ ଅଧ କେଜିଏ ହାଲକା ନାଲି ପାଡିଯାଇଥିବା ଛେନାପୋଡ଼ ଖଣ୍ଡେ ।
ସାହୁଏ କିଛି କହିବା ପୂର୍ବରୁ ପିଲାଟି କହିଲା "ଜେଜେ ! ସବୁଦିନ ତମେ ଦେଉଥିଲ , ଆଜି ମୁଁ ଆଣିଛି ତମ ପାଇଁ । ମୋ ବୋଉ ତିଆରି କରିଛି । ଆଜି ଛେନାପୋଡ଼ ଦିବସ ପା । ତମେ'ତ ଜାଣିଥିବ,ଖାଇବ ତ ? ତମ ଡାଇବିଟିସି କମି ଯାଇଥିଲା ! ନା ?"
ସାହୁଏ ହସିଦେଇ କହିଲେ "ହୋଉ ତୋ ବୋଉ ତିଆରି କରିଛି ଯେହେତୁ ଟିକେ ପାଟିରେ ମାରିଦେବା ।"ଏତିକି କହି ଚିମୁଟାଏ ପାଟିରେ ମାରିଲେ । ପୁଣି ଚିମୁଟାଏ ଖାଇଦେଇ କ'ଣ ଭାବିଲେ କେଜାଣି ଦୋକାନ ଭିତରକୁ ଯାଇ ଖଣ୍ଡେ ଛେନାପୋଡ଼ କାଟି ସେଥିରୁ ଚିମୁଟେ ଖାଇଲେ । ପୁଣି ଏ ପିଲାଟି ଆଣିଥିବା ଛେନାପୋଡ଼ ରୁ ଖଣ୍ଡିଏ । ତାଙ୍କ ଆଖି ବୁଜି ହୋଇପଡୁଥାଏ ।
ପିଲାଟି ଟିକେ ଚିନ୍ତିତ ହୋଇପଡିଲା । ମନେମନେ ଭାବିଲା କିଛି ଆଉ ଖରାପ ହୋଇନି'ତ ! ସାହୁଏ ବେସିନ୍ ରେ ହାତ ଧୋଇ ହେବାକୁ ଗଲା ବେଳେ ସେ ଜରିରୁ ଚଟ୍ କରି ଛେନାପୋଡ଼ ଖଣ୍ଡିଏ ପାଟିରେ ପୁରେଇଦେଲା । ଆଃ… କି ସ୍ୱାଦ ! ସବୁଦିନ ସେ ଏଇ ଦୋକାନରୁ ଖାଏ । ଏ ଖଣ୍ଡମଣ୍ଡଳର ଚର୍ଚ୍ଚିତ ମିଠା ଦୋକାନ । କିନ୍ତୁ ଏ ସ୍ୱାଦ ଭିନ୍ନ ।
ସାହୁଏ ହସି ହସି ବାହାରକୁ ଆସି କହିଲେ "ଶୁଣେ ! ତୋ ମା କୁ କହିବୁ କାଲିଠାରୁ ଆମ ଦୋକାନ ପାଇଁ ଛେନାପୋଡ଼ ତିଆରି କରୁ । ସବୁ ଜିନିଷପତ୍ର ମୁଁ ଯୋଗାଇ ଦେବି । ମଜୁରୀ ଦେବି ଯାହା ହେବ । କ'ଣ କହୁଚୁ ?"
ଛୁଆଟିର ମୁହଁଟି ଝାଉଁଳି ପଡିଲା । କହିଲା "ତମ ଦୋକାନରୁ ତମେ ମୋତେ ସବୁଦିନ ଖଣ୍ଡେ ଲେଖାଏଁ ଦିଅ କିନ୍ତୁ ବୋଉ କ'ଣ ଦବ ? ସେ ତିଆରି କରିବ ଆଉ ମୋତେ କାମରେ ଲଗେଇବ । ମୁଁ ଜାଣିଚି ସେ ମୋତେ ଟିକେ ବି ଦେବନି । ଆଉ ତମ ମିସ୍ତ୍ରୀ କ'ଣ କରିବ ତାହେଲେ !"
ସାହୁଏ ହସିଦେଇ କହିଲେ "ତାଙ୍କ ପାଇଁ କ'ଣ କାମ ଅଭାବ ! ଆଉ ତୁ ଚିନ୍ତା କରନା, ତୋ ଭାଗ ମିଳିବ ସବୁଦିନ । ଏଥର ମୋ ଦୋକାନର ବୋଲହାକ ନକରି ତୋ ମା କଥା ଶୁଣୁ, ଆଉ ସବୁଦିନେ ଯେତିକି କହିବି ସେ ଅର୍ଡର ନେବୁ ।"
ପିଲାଟି ଖୁସି ହୋଇ ଚାଲିଯାଉଥିବା ବେଳେ ଗୁଣୁଗୁଣାଉଥାଏ "ଅଡର୍.. ଅଡର୍…।"
◆◆◆
ହିମାଂଶୁ ଭୂଷଣ ସାହୁ
ସୋଲଗାଡ଼ିଆ , ଢେଙ୍କାନାଳ , ୭୫୯୦୧୬
.jpeg)
