HIMANSHUBHUSHAN SAHOO

My photo
ନିରୋଳା ଦେଖି ଗଳ୍ପ ଗୁଡିକ ମୋତେ ପ୍ରଶ୍ନ କଲେ "ତୁ ଗଳ୍ପ କେମିତି ଲେଖୁ ?" ମୁଁ ହସିଦେଇ କହିଥିଲି "ଆପଣ ନିଜକୁ ଦେଖନ୍ତୁ , ନିଜ ଚତୁର୍ଦ୍ଦିଗ କୁ ଅନୁଭବ କରନ୍ତୁ ! ଅସରନ୍ତି ସୁଖ-ଦୁଃଖ , ଅକଳନ ହାନି-ଲାଭ , ଗଭୀର ପ୍ରେମ-ବିରହ , ଅପର୍ଯ୍ୟାପ୍ତ ଜନ୍ମ-ମୃତ୍ୟୁ !!! ସବୁତ ପ୍ରଦର୍ଶିତ ଏଠି " ଆଉ କବିତା କ'ଣ କହିଲା ଜାଣନ୍ତି ? କହିଲା, "ତୁ' ତ ନିଜକୁ ଗାଳ୍ପିକ ଭାବିଛୁ , କବିତା କିପରି ଲେଖିବୁ ?" ମୋ ଉତ୍ତର ଥିଲା.. " ସତେ'ତ ! ତୁମ ହସ ହସ ତୃପ୍ତ ବଦନରୁ ଟିକିଏ ଦୁଃଖ ଟାଣିଆଣି.. ଗାରେଇ ନଦେଲେ ମୋ ଭାବନାରେ ! ସେ କି କବିତା ?"

Tuesday, May 9, 2023

ମିଠା


ମୁଁ ଭଡା ନେଇଥିବା ସେ ଛୋଟ ଛୋଟ ଦୁଇବଖୁରିଆ ଘର ପାଖେ ସେ ୧୦/୧୨ ବର୍ଷର ଝିଅଟା ସବୁବେଳେ ତା ପୁରୁଣା ସାଇକେଲ ଖଣ୍ଡିଏ ଧରି ବୁଲୁଥାଏ । ମୋ ବାଇକ୍ ଯେତେବେଳେ ରାସ୍ତା ମୋଡ଼ ନେଇ ହତା ଭିତରକୁ ଯାଏ ସେ ତା ସାଇକେଲ ଘୋଷାରି ନେଇ କାନ୍ଥ ପାଖରେ ଆଉଜେଇ ହୋଇଯାଏ ।

   ଆଜି ମଧ୍ୟ ସେଇଆ ହେଲା । ଆଉଜେଇ ହୋଇ ହସିଲା । ମୁଁ ଟିକେ ହସିଦେଇ ଇଞ୍ଜିନ ବନ୍ଦ କରି ଛୋଟ ଗେଟ୍ ଟି ଖୋଲୁଥାଏ ସେ କହିଲା "ହାଇଦ୍ରାବାଦୀ ଆମ୍ବ ନା ଅନନ୍ତପୁରୀ ?"

   ମୁଁ ଲଟକେଇଥିବା କେଜିଏ ଆମ୍ବକୁ ଦେଖିଲି । କହିଲି "କେଜାଣି !" ସେ ହସିଲା । ମୁଁ ଆଶ୍ଚର୍ଯ୍ୟ ନଥିଲି । ଓଡ଼ିଶାରେ ଗୋଟିଏ ଜିଲ୍ଲାର ଆମ୍ବ ଅନ୍ୟ ଜିଲ୍ଲାରେ ନୂଆ ଦରବ । ଏଠାରେ ମଧ୍ୟ ହୋଇଥିବ ।

   "ନବୁ ? ନେ ! ଦୁଇଟି ନେ..! ପାଚିଲା ନେ ।"

   ସେ ନେଲା । ସାଇକେଲଟି ସେଇଠି ଛାଡ଼ିଦେଇ ଚାଲିଗଲା ଏକା ମୁହେଁ । ଗେଟ୍ ବନ୍ଦ କଲାବେଳେ ଭାବିଲି "ସାଇକେଲ ଟି ନେଇ ଦେଇ ଆସିବି କି ? ନା ସେଇଠି ଥିବ ? ହଁ ଥାଉ । କିଏ ନେବ ଏ ଭଙ୍ଗା ଛୋଟ ସାଇକେଲ ?"

   ହ୍ଵାଟ୍ସଆପ୍ ଷ୍ଟାଟସ୍ ରେ ଜଣେ ବନ୍ଧୁ ତା ହସ ହସ ମୁହଁ ସହ ପେଟିଏ ଆମ୍ବ ରଖି ଲେଖିଥିଲା "କଳାହାଣ୍ଡି ଆମ୍ବ" ।

   ଛୋଟ ନାଲି ପାନପାତ୍ର ସହ ଲେଖି ପଠେଇଲି "ଆମ ଘରକୁ ଦି ଟା ପଠେଇବୁ ବେ ।" ସେ "ନିଶ୍ଚିନ୍ତ" ର ଉତ୍ତର ଦେଲା ।

    ମୁଁ ଚାବି ଖୋଲି ଭିତରକୁ ଗଲି । ପୋଷାକ ବଦଳେଇବା ପୂର୍ବରୁ ଗୋଟିଏ ଆମ୍ବ ଧୋଇ ଖାଇଲି । ମିଠା । କିନ୍ତୁ କେଉଁ ରାଜ୍ୟ କି ଜିଲ୍ଲାର ଜାଣିପାରିଲି ନାହିଁ । ସେ ପିଲାଟିକୁ ମଧ୍ୟ ମିଠା ଲାଗିଥିବ । ହୁଏତ ହାଇଦ୍ରାବାଦୀ ମିଠା । ମୋତେ କଳାହାଣ୍ଡିଆ ମିଠା ଲାଗୁଥିଲା ।


#ଗଳ୍ପକବିତା

ହିମାଂଶୁ ଭୂଷଣ ସାହୁ

ସୋଲଗାଡ଼ିଆ

ଢେଙ୍କାନାଳ ୭୫୯୦୧୬



"ଗୌରୀପ୍ରଭା"ର ପ୍ରଥମ ବର୍ଷ

 ଏବେ “ ଗୌରୀପ୍ରଭା ” ପହଞ୍ଚିଛି ତୃତୀୟ ବର୍ଷରେ । ତିନି ବର୍ଷର ଯାତ୍ରାରେ ଭେଟିଛି ଅନେକ ଅନୁଭବ । ଆସନ୍ତୁ ଜାଣିବେ “ଗୌରୀପ୍ରଭା” ବାର୍ଷିକ ପତ୍ରିକାର ପ୍ରଥମ ବର୍ଷର ପା...