HIMANSHUBHUSHAN SAHOO

My photo
ନିରୋଳା ଦେଖି ଗଳ୍ପ ଗୁଡିକ ମୋତେ ପ୍ରଶ୍ନ କଲେ "ତୁ ଗଳ୍ପ କେମିତି ଲେଖୁ ?" ମୁଁ ହସିଦେଇ କହିଥିଲି "ଆପଣ ନିଜକୁ ଦେଖନ୍ତୁ , ନିଜ ଚତୁର୍ଦ୍ଦିଗ କୁ ଅନୁଭବ କରନ୍ତୁ ! ଅସରନ୍ତି ସୁଖ-ଦୁଃଖ , ଅକଳନ ହାନି-ଲାଭ , ଗଭୀର ପ୍ରେମ-ବିରହ , ଅପର୍ଯ୍ୟାପ୍ତ ଜନ୍ମ-ମୃତ୍ୟୁ !!! ସବୁତ ପ୍ରଦର୍ଶିତ ଏଠି " ଆଉ କବିତା କ'ଣ କହିଲା ଜାଣନ୍ତି ? କହିଲା, "ତୁ' ତ ନିଜକୁ ଗାଳ୍ପିକ ଭାବିଛୁ , କବିତା କିପରି ଲେଖିବୁ ?" ମୋ ଉତ୍ତର ଥିଲା.. " ସତେ'ତ ! ତୁମ ହସ ହସ ତୃପ୍ତ ବଦନରୁ ଟିକିଏ ଦୁଃଖ ଟାଣିଆଣି.. ଗାରେଇ ନଦେଲେ ମୋ ଭାବନାରେ ! ସେ କି କବିତା ?"

Wednesday, June 14, 2023

ରଜ ଗପ

 

୦୧- ଡ୍ରେସ୍ ନା ମଟନ

   ପହିଲି ରଜ ବୁଧବାର । ଭଲ ବାରୀ । ଦୁଇଦି2ନ ହେବ ସାଇ ମଝିରେ ତିନୋଟି ଖାସି ବନ୍ଧା ହୋଇଛି ଦାସ ଘର ବାଡ଼ି ପଟେ । ଯାଉଣୁ ଆସୁଣୁ ସାଗର ଖାସି ଗୁଡିକୁ ଦେଖି ମେଂ ମେଂ ହୁଏ ଜିଭ କାଢି । ଗୋଟିଏ ଉପରେ ହାତ ବୁଲେଇ ଆଣି କୁହେ "ଆଉ ଦୁଇ ଦିନରେ ଭୋଜି !" ଘରେ ପ୍ରତି କଥାରେ ତା ବୋଉକୁ କହେ "ଆମର କେଜିଏ ଆଣିବୁ ।" ତା ବୋଉ କିଛି କହେ ନାହିଁ ।

   ବୁଧବାର ସକାଳୁ ସକାଳୁ ସାଗର ର ବାପା କେଜିଏ ପୋଖରୀ ମାଛ ନେଇଆଣିଲେ । କହିଲେ "ତା ପାଇଁ ଡ୍ରେସ ହଳେ ଆଣିଲି । ଭାରି ରେଟ୍ , ଖାସି ମାଉଁସ ତେଣେ ୮୫୦ ଟଙ୍କା । ତାକୁ ଯେମିତି ହେଲେ ବୁଝେଇଦିଅ ।"

   ସଗାର ର ବୋଉ ଟିକିଏ ମନଦୁଃଖ କରି କହିଲା "ହଉ , ଦେଖୁଛି ।"

   ସାଗର ସବୁ ଶୁଣୁଥାଏ । ମିଛିମିଛିକା ପୁଣି ଶୋଇପଡ଼ିଲା ।

                         ◆◆◆


୦୨- ସଂକ୍ରାନ୍ତି ସିମେଇ

   ସକାଳୁ ସକାଳୁ ପାପୁନ ନୂଆ ପୋଷାକ ପିନ୍ଧି ଜେଜେମା ସହ ମନ୍ଦିର ବାହାରିଗଲା । ବାଟ ସାରା ଦୋଳି ଖେଳ , ମଉଜ ଆଉ ମିଠା ପିଠାର ମିଠା ମିଠା ବାସ୍ନା ।

   ମନ୍ଦିରରୁ ଫେରିଆସି ହଠାତ ତା ବୋଉ କୁ କହିଲା "ମାମ୍ମା ମୁଁ ସଂକ୍ରାନ୍ତି ସିମେଇ ଖିରି ଖାଇବି ।"

   "ସଂକ୍ରାନ୍ତି ସିମେଇ ଖିରି ? ସେଇଟା ପୁଣି କଣ୍ ? ଆରେ ଆମର ଆଜି ପୋଡ଼ ପିଠା , ମଣ୍ଡା କାକରା ଆଉ ଚାଉଳ ଖିରି ହେଉଛି । ତୋ ପାଇଁ ପୁଣି ଏ ସିମେଇ ଖିରି କରିବାକୁ ହବ ନା କ'ଣ ?" ପାପୁନା ର ବୋଉ ଏତିକି କହି ରୋଷେଇ ଘରକୁ ଚାଲିଗଲେ ।

    ପାପୁନା ମନ ଦୁଃଖରେ ବସିଲା । ସେତିକିବେଳେ ତା ଜେଜେବାପା କହିଲେ "ମୁଁ ସଂକ୍ରାନ୍ତି ସିମେଇ ଖିରି ତୋ ବାପାର ପିଲାବେଳେ ବୋହୁତ ତାକୁ ଖୁଏଇଥିଲି । ତୁ ଖାଇବୁ ଯଦି ପାର୍ଲେଜି ବିସ୍କୁଟ ଦି-ପକେଟ ଆଣେ ।"

   ସିମେଇ ରେ ପାର୍ଲେଜି ବିସ୍କୁଟ ପଡି ଖିରି ହେଲା । ଆଗରୁ କେବେ ପାପୁନା ଏମିତି ଖିରି ଖାଇ ନଥିଲା । ତାକୁ ଖୁବ୍ ସୁଆଦ ଲାଗିଲା । ଜେଜେ ନାତି ମିଶି ସଂକ୍ରାନ୍ତି ସିମେଇ ଖିରି ଖାଉଥିଲେ ଆଉ ଘରଲୋକେ ଚାଉଳ ଖିରି ।

                           ◆◆◆


୦୩- ଦୋଳି ଦଉଡି

   ଗାଁରେ ସବୁତକ ଦଉଡି କାମରେ ଲାଗି ପଡିଛି । କୂଅ ତ ଆଜିକାଲି ନାହିଁ । କେବଳ ସାହୁ ଘର ଗୋଟିଏ କୂଅ ଅଛି । ସେଇ ଦଉଡି ଟି ହୁଏତ ରଜ ଦୋଳି ରେ ଲାଗି ନାହିଁ । କିନ୍ତୁ ଗରା କି ବାଲ୍ଟି ଉଠେଇ ଉଠେଇ ଓଦା ହୋଇ ପଡ଼ିଥିଲା ଯାହା ।

   ସାହୁ ଘର ପାଖ ବଗୁଲି ଗଛରେ ଯେଉଁ ପଟା ଦୋଳି ଲାଗିଥିଲା ସେଥିରୁ ଗୋଟିଏ ପାଖ ଦଉଡି ଛିଣ୍ଡି ଗଲା । ଯେଉଁଟା ଛୋଟ ଛୁଆ ସବୁ ଖେଳୁଥିଲେ । ୮/୧୦ ଟି ଛୁଆ ଏକା ସଙ୍ଗେ ଖେଳୁଥିଲେ । ସନିଆ ବୁଢ଼ା ଦୋଳି ଝୁଲେଇ ଦେଉଥିଲା । ତଳେ ବାଲି ଥିବାରୁ କିଛି କ୍ଷତି ହେଲା ନାହିଁ ।

   ଛୁଆ ସବୁ କାନ୍ଦିଲେ ଅଝଟ କଲେ ଦୋଳି ଖେଳିବାକୁ । କିନ୍ତୁ ଏ ଉଦୁଉଦିଆ ଖରାବେଳେ ରେ ସନିଆ ବୁଢ଼ା ନା ଦଉଡି ସଜାଡି ଦୋଳି ବାନ୍ଧି ପାରିବ ନା ଦଉଡି ଯୋଗାଡ଼ କରିପାରିବ ! ତେଣେ ସାମ ପଧାନ ସାହୁ ଘର କୂଅ ଦଉଡି ଖଣ୍ଡକ ଆଣି ଦୋଳି ବାନ୍ଧିବାକୁ ତର ହେଉଥାଏ , ଧୋବ ଦଳେଇ ଅଣ୍ଟାରେ ହାତ ମାରି ସ୍ୱର ଲମ୍ବେଇ କହିଲା "ଛି ଇ.. ଏଇଟା କ'ଣ ସମାଳିବ କିରେ ପୁଅ ? ପାଣି ଖାଇ ଖାଇ ଖତି ମାରିଯାଇଥିବ ପା !"

   ସନିଆ ବୁଢା ତା ନାତୁଣୀ କୁ ତୁନି କରୁ କରୁ ହସି ହସି କହିଲା "କିରେ ଧୋବ… ତୁ ପୁଣି ପାଣୁ ସାହୁର ଦଉଡି ବଳା ଉପରେ ସନ୍ଦେହ କଲୁ ? ତୋ କୂଅ ଦଉଡି ପା ସେଇ ବଳି ଦେଇଥିଲା ! ଶେଷରେ ଶଗଡ଼ ଭିଡ଼ା ହେଲା ଆଉ ଏଇ ଖଣ୍ଡକ ଯେଉଁ ଦୋଳିରେ ଭଲ ଅଛି ସେଇଟା ପା ।"

                             ◆◆◆

#ଗଳ୍ପକବିତା

ହିମାଂଶୁ ଭୂଷଣ ସାହୁ

ସୋଲଗାଡ଼ିଆ , ଢେଙ୍କାନାଳ ୭୫୯୦୧୬



"ଗୌରୀପ୍ରଭା"ର ପ୍ରଥମ ବର୍ଷ

 ଏବେ “ ଗୌରୀପ୍ରଭା ” ପହଞ୍ଚିଛି ତୃତୀୟ ବର୍ଷରେ । ତିନି ବର୍ଷର ଯାତ୍ରାରେ ଭେଟିଛି ଅନେକ ଅନୁଭବ । ଆସନ୍ତୁ ଜାଣିବେ “ଗୌରୀପ୍ରଭା” ବାର୍ଷିକ ପତ୍ରିକାର ପ୍ରଥମ ବର୍ଷର ପା...