HIMANSHUBHUSHAN SAHOO

My photo
ନିରୋଳା ଦେଖି ଗଳ୍ପ ଗୁଡିକ ମୋତେ ପ୍ରଶ୍ନ କଲେ "ତୁ ଗଳ୍ପ କେମିତି ଲେଖୁ ?" ମୁଁ ହସିଦେଇ କହିଥିଲି "ଆପଣ ନିଜକୁ ଦେଖନ୍ତୁ , ନିଜ ଚତୁର୍ଦ୍ଦିଗ କୁ ଅନୁଭବ କରନ୍ତୁ ! ଅସରନ୍ତି ସୁଖ-ଦୁଃଖ , ଅକଳନ ହାନି-ଲାଭ , ଗଭୀର ପ୍ରେମ-ବିରହ , ଅପର୍ଯ୍ୟାପ୍ତ ଜନ୍ମ-ମୃତ୍ୟୁ !!! ସବୁତ ପ୍ରଦର୍ଶିତ ଏଠି " ଆଉ କବିତା କ'ଣ କହିଲା ଜାଣନ୍ତି ? କହିଲା, "ତୁ' ତ ନିଜକୁ ଗାଳ୍ପିକ ଭାବିଛୁ , କବିତା କିପରି ଲେଖିବୁ ?" ମୋ ଉତ୍ତର ଥିଲା.. " ସତେ'ତ ! ତୁମ ହସ ହସ ତୃପ୍ତ ବଦନରୁ ଟିକିଏ ଦୁଃଖ ଟାଣିଆଣି.. ଗାରେଇ ନଦେଲେ ମୋ ଭାବନାରେ ! ସେ କି କବିତା ?"

Wednesday, July 26, 2023

ନିଶ୍ଚନ୍ତା ରୁ ଆକାଶେ ମେଘ !

ନିଶ୍ଚନ୍ତା !

ଦେଖିଛ କେବେ ଆମ ନିଶ୍ଚନ୍ତା ?


ବୁଲିଆସ ଯାଜପୁର'ର ଛାଇ ଯେଉଁଠି ସରେ

ଅନ୍ଧାର ଘୋଟିଆସେ ଢେଙ୍କାନାଳର ପୂର୍ବପଟ...

ଚଣ୍ଡିଖୋଲ ରୁ ଚଡ଼େଇଧରା ପର୍ଯ୍ୟନ୍ତ

ପୋଛିଆଣି ଧୂଳି କାଦୁଅ ପ୍ରଦୂଷଣ

ଯାହା ପାଦ ପାଖେ

ଅଜାଡ଼ିଦିଏ ଆଧୁନିକତା ରାକ୍ଷସ !

ସେଇ ଆମ ନିଶ୍ଚନ୍ତା ।


ସେଇ ନିଶ୍ଚନ୍ତା ମଥାନରୁ ଆସେ ବର୍ଷା

ବାଦଲ ନଟି ଖେଳେ ମନଇଛା

କଳା ଧଳା ବାଦଲ ଯୁଦ୍ଧରେ

ଧାରେ ବିଜୁଳି ବହିଯାଏ

ଆମ ରତନପୁର ଦେଇ ଲେଥକା !

ଶୁଭ୍ର ପାଣିବଦଳ ଦିଶେ ତା ଦେହେ…

କ୍ଷୀର ଗାଧୁଆ ରାଜକୁମାରୀ ପରି ।

ସେ ଝରଣା ବହିଆସି ଯେଉଁଠି

ଆକୁଣ୍ଠ ପାନ କରାଏ ?

ସେଇଠି ମୋ ଗାଁ ସୋଲଗାଡ଼ିଆ ।


ସୋଲଗାଡ଼ିଆ , ମୋ ଗାଁ !

ବର୍ଷାର ସିକ୍ତ ପ୍ରେମରେ

ଓଦା ଓଦା ଅଭିମାନିନୀଟିଏ !

ପ୍ରଚୁର ବର୍ଷାରେ ଖିଲିଖିଲି ହୋଇ ହସିପଡ଼େ

ଉପର ସାହି ଦାଣ୍ଡ କି ମନ୍ଦିର ରାସ୍ତା ଉପରେ !

ଲୁହ ଢାଳି ମୁହଁ ଫୁଲେଇ ନିଜକୁ ଲୁଚେଇଦିଏ

ତଳ ସାହିର ଖାଲ ଢ଼ିପ କି ଅଜୟ ଦାଦାଙ୍କ

ଦୋକାନ ସମ୍ମୁଖରେରେ ।

ବାଟ ଖୋଜେ ନିଗାଡି ଦେବାକୁ ବର୍ଷା ପରେ

ଗାଁ ର ରାଜନୀତି ଅଳିଆ ଆବର୍ଜନା ,

ଯେଉଁଠି ଡ୍ରେନ ଗୁଡିକ ଅଧା ଥାଏ ।

ଧୋଇଦିଏ ଶହ ଶହ ବଗବଣି ଙ୍କ ଦୁର୍ଗନ୍ଧ

ମଠ ସାହିର ସେ ପୁରୁଖା ବରଗଛ ପାଖୁ ।

ପଶ୍ଚିମ ମେଘରେ ଦେଖାଏ ନାଲି ଇନ୍ଦ୍ରଧନୁ

ମଳିକ ସାହି ପାଖ ବଡ଼ପଡ଼ିଆ ଉପରୁ ।

ପ୍ରଖର ବର୍ଷା ସନ୍ଧ୍ୟାରେ ଶୁଣାଏ

ମଙ୍ଗଳା ସାହିର ଘଣ୍ଟ ଶବ୍ଦ ।

ଆଉ …

ଶବର ସାହିରୁ ନିଶ୍ଚନ୍ତା ରୁ ଦେଖାଏ

ଶାନ୍ତ ଗୋଟିଏ ପୃଥିବୀ !


ଏଇ ଗାଁ'ରୁ ଦିଶେ ନିଶନ୍ତାର ଆକାଶେ ମେଘ !

ଏଇ ଗାଁ'ରୁ ଦିଶେ ଲକ୍ଷ ବାଦଲର ସମାହାର !

ଏଇ ଗାଁ'ରୁ ଦିଶେ ପ୍ରଶସ୍ତ ବିଜୁଳିର ହାର !

ଏଇ ଗାଁ'ରୁ ଦିଶେ ପାଣି ବଦଳର ଡର !

ଏଇ ଗାଁ'ରୁ ଦିଶେ ରାତି ମେଘର ଦୃଶ୍ୟ !

ଏଇ ଗାଁ'ରୁ ଦିଶେ ବାଘୁତୀ ମାଆର ହସ !

ଏଇ ଗାଁ'ରୁ ଦିଶେ ଦିଶେ ସବୁଜ ପୃଥିବୀ ପରଶ !

ଆଉ…

ଏଇ ଗାଁ'ରୁ ଦିଶେ ନିଶ୍ଚନ୍ତା ଭବିଷ୍ୟ ଠିକଣା !

ଏଇ ଗାଁ'ରୁ ଦିଶେ ସମୁଦ୍ରେ ଝରଣା !


କିନ୍ତୁ ଏବେ ଆଉ ଝରଣା ବହୁନି

ପାଣି ବଦଳ ରୂପନେଇ ଚାଷଜମି ଧୋଇ

ବହି ଯାଉଛି ଭୂତିଆ ପୋଲ

କି ନବା ଦୋଳପୋଲ ଦେଇ ତଳିଆ ଗାଁ କୁ ।

ଗୋପିଆ ଚଟାଣ ଆଉ କ'ଣ ଅଛି ?

ସେଠାରେ ପୋଲ ହୋଇ ପୋତି ହେଉଛି

ନିତାଇ ରାଉଳର ବିଲ ।

ବର୍ଷା ପାଣିରେ ଆଉ କେହି ପିଲା

ବନ୍ଧ ବାନ୍ଧନ୍ତି ନାହିଁ ମନ୍ଦିର ବରଗଛ ମୂଳେ

ଗାଁ ଦେଖୁନାହିଁ କାଗଜ ଡ଼ଙ୍ଗା

ସଂସାର ଡ଼ଙ୍ଗାରେ ଏଠି ସବୁ ଉବୁଟୁବୁ ପରା !!!


ବଣିଆଘର ଜଡ଼ା !

ଏବେ ଆଉ ଡ଼ଙ୍ଗା ତିଆରି କରୁନି

ଶୋଲ ସବୁ ପରା ପୋତି ହୋଇପଡିଛି

ମାର୍କେଟ କମ୍ପ୍ଲେସ ତଳେ !

ଆଉ କଦଳୀ ପଟୁଆ କିଏ ତାକୁ ଦେବ ଯେ?

"ଆଜି ଉଧାର କାଲି ବାକି" ବୋଲି

ସବୁ ଦୋକାନ ଆଗରେ ଲେଖାହେଉ ଅଛି ।

କିନ୍ତୁ ନିଶ୍ଚନ୍ତାରୁ ବର୍ଷା ମେଞ୍ଚେ ଦେଖିଲେ

ଏବେ ମଧ୍ୟ ଗାଁ ଲୋକେ ତତ୍ପର ହୋଇଉଠନ୍ତି

କୋଡ଼ି ଗୋଟିଏ ସାଇକେଲ କେରିଆଲରେ ବାନ୍ଧି

ରଥିଆ ଦାଦା ଯାଏ ଜାମୁପଶି

ସେଇଠି କୁଆଡେ ଅସଲ ଜୀବନ ଅଛି ।


ସେଇ ଜାମୁପଶି ରାସ୍ତା କଇଥ କି ଛଞ୍ଚାଣ ମୂଳେ

ମୁଁ ନିଶନ୍ତାର ବର୍ଷା ଦେଖେ ।

ଦେଖେ ଶୀତଳ ପବନ ଦେଇ ମୁକ୍ତ ଗୋଟିଏ

ହିମାଂଶୁ ବର୍ଷା ଜଳ ପିଏ ।

ଦେଖେ ନୀରବ ମୋ ଗାଁର ଚିତ୍ର !

ଦେଖେ ଯାଜପୁର ଧୂଳିର ପରାସ୍ତ ଯୁଦ୍ଧ !

ଦେଖେ ମନ୍ଦିର ଆଡୁ ଉଡ଼ିଆସୁଥିବା ପକ୍ଷୀ !

ଦେଖେ ମେଘପର୍ବରେ ମାଇଁଷିଗୋଠର ସ୍ନାନ !

ଦେଖେ କାହା ଚାଳରୁ ଉଠୁଥିବା ଧାରେ ଓଦା ଧୂଆଁ !

ଦେଖେ ଆକାଶେ ବର୍ଷାରେ ବୁନ୍ଦା ବୁନ୍ଦା ଜଳ ମୁକ୍ତା !

ଦେଖେ ନିଶ୍ଚନ୍ତାରୁ ଆକାଶେ ମେଘ !

ଦେଖେ ଆକାଶେ ମେଘରେ ମୋ ଗାଁ'ର ଚିତ୍ର !

                       ◆◆◆

#ଗଳ୍ପକବିତା

ହିମାଂଶୁ ଭୂଷଣ ସାହୁ

ସୋଲଗାଡ଼ିଆ, ଢେଙ୍କାନାଳ,୭୫୯୦୧୬


No comments:

Post a Comment

"ଗୌରୀପ୍ରଭା"ର ପ୍ରଥମ ବର୍ଷ

 ଏବେ “ ଗୌରୀପ୍ରଭା ” ପହଞ୍ଚିଛି ତୃତୀୟ ବର୍ଷରେ । ତିନି ବର୍ଷର ଯାତ୍ରାରେ ଭେଟିଛି ଅନେକ ଅନୁଭବ । ଆସନ୍ତୁ ଜାଣିବେ “ଗୌରୀପ୍ରଭା” ବାର୍ଷିକ ପତ୍ରିକାର ପ୍ରଥମ ବର୍ଷର ପା...