ନିଶ୍ଚନ୍ତା !
ଦେଖିଛ କେବେ ଆମ ନିଶ୍ଚନ୍ତା ?
ବୁଲିଆସ ଯାଜପୁର'ର ଛାଇ ଯେଉଁଠି ସରେ
ଅନ୍ଧାର ଘୋଟିଆସେ ଢେଙ୍କାନାଳର ପୂର୍ବପଟ...
ଚଣ୍ଡିଖୋଲ ରୁ ଚଡ଼େଇଧରା ପର୍ଯ୍ୟନ୍ତ
ପୋଛିଆଣି ଧୂଳି କାଦୁଅ ପ୍ରଦୂଷଣ
ଯାହା ପାଦ ପାଖେ
ଅଜାଡ଼ିଦିଏ ଆଧୁନିକତା ରାକ୍ଷସ !
ସେଇ ଆମ ନିଶ୍ଚନ୍ତା ।
ସେଇ ନିଶ୍ଚନ୍ତା ମଥାନରୁ ଆସେ ବର୍ଷା
ବାଦଲ ନଟି ଖେଳେ ମନଇଛା
କଳା ଧଳା ବାଦଲ ଯୁଦ୍ଧରେ
ଧାରେ ବିଜୁଳି ବହିଯାଏ
ଆମ ରତନପୁର ଦେଇ ଲେଥକା !
ଶୁଭ୍ର ପାଣିବଦଳ ଦିଶେ ତା ଦେହେ…
କ୍ଷୀର ଗାଧୁଆ ରାଜକୁମାରୀ ପରି ।
ସେ ଝରଣା ବହିଆସି ଯେଉଁଠି
ଆକୁଣ୍ଠ ପାନ କରାଏ ?
ସେଇଠି ମୋ ଗାଁ ସୋଲଗାଡ଼ିଆ ।
ସୋଲଗାଡ଼ିଆ , ମୋ ଗାଁ !
ବର୍ଷାର ସିକ୍ତ ପ୍ରେମରେ
ଓଦା ଓଦା ଅଭିମାନିନୀଟିଏ !
ପ୍ରଚୁର ବର୍ଷାରେ ଖିଲିଖିଲି ହୋଇ ହସିପଡ଼େ
ଉପର ସାହି ଦାଣ୍ଡ କି ମନ୍ଦିର ରାସ୍ତା ଉପରେ !
ଲୁହ ଢାଳି ମୁହଁ ଫୁଲେଇ ନିଜକୁ ଲୁଚେଇଦିଏ
ତଳ ସାହିର ଖାଲ ଢ଼ିପ କି ଅଜୟ ଦାଦାଙ୍କ
ଦୋକାନ ସମ୍ମୁଖରେରେ ।
ବାଟ ଖୋଜେ ନିଗାଡି ଦେବାକୁ ବର୍ଷା ପରେ
ଗାଁ ର ରାଜନୀତି ଅଳିଆ ଆବର୍ଜନା ,
ଯେଉଁଠି ଡ୍ରେନ ଗୁଡିକ ଅଧା ଥାଏ ।
ଧୋଇଦିଏ ଶହ ଶହ ବଗବଣି ଙ୍କ ଦୁର୍ଗନ୍ଧ
ମଠ ସାହିର ସେ ପୁରୁଖା ବରଗଛ ପାଖୁ ।
ପଶ୍ଚିମ ମେଘରେ ଦେଖାଏ ନାଲି ଇନ୍ଦ୍ରଧନୁ
ମଳିକ ସାହି ପାଖ ବଡ଼ପଡ଼ିଆ ଉପରୁ ।
ପ୍ରଖର ବର୍ଷା ସନ୍ଧ୍ୟାରେ ଶୁଣାଏ
ମଙ୍ଗଳା ସାହିର ଘଣ୍ଟ ଶବ୍ଦ ।
ଆଉ …
ଶବର ସାହିରୁ ନିଶ୍ଚନ୍ତା ରୁ ଦେଖାଏ
ଶାନ୍ତ ଗୋଟିଏ ପୃଥିବୀ !
ଏଇ ଗାଁ'ରୁ ଦିଶେ ନିଶନ୍ତାର ଆକାଶେ ମେଘ !
ଏଇ ଗାଁ'ରୁ ଦିଶେ ଲକ୍ଷ ବାଦଲର ସମାହାର !
ଏଇ ଗାଁ'ରୁ ଦିଶେ ପ୍ରଶସ୍ତ ବିଜୁଳିର ହାର !
ଏଇ ଗାଁ'ରୁ ଦିଶେ ପାଣି ବଦଳର ଡର !
ଏଇ ଗାଁ'ରୁ ଦିଶେ ରାତି ମେଘର ଦୃଶ୍ୟ !
ଏଇ ଗାଁ'ରୁ ଦିଶେ ବାଘୁତୀ ମାଆର ହସ !
ଏଇ ଗାଁ'ରୁ ଦିଶେ ଦିଶେ ସବୁଜ ପୃଥିବୀ ପରଶ !
ଆଉ…
ଏଇ ଗାଁ'ରୁ ଦିଶେ ନିଶ୍ଚନ୍ତା ଭବିଷ୍ୟ ଠିକଣା !
ଏଇ ଗାଁ'ରୁ ଦିଶେ ସମୁଦ୍ରେ ଝରଣା !
କିନ୍ତୁ ଏବେ ଆଉ ଝରଣା ବହୁନି
ପାଣି ବଦଳ ରୂପନେଇ ଚାଷଜମି ଧୋଇ
ବହି ଯାଉଛି ଭୂତିଆ ପୋଲ
କି ନବା ଦୋଳପୋଲ ଦେଇ ତଳିଆ ଗାଁ କୁ ।
ଗୋପିଆ ଚଟାଣ ଆଉ କ'ଣ ଅଛି ?
ସେଠାରେ ପୋଲ ହୋଇ ପୋତି ହେଉଛି
ନିତାଇ ରାଉଳର ବିଲ ।
ବର୍ଷା ପାଣିରେ ଆଉ କେହି ପିଲା
ବନ୍ଧ ବାନ୍ଧନ୍ତି ନାହିଁ ମନ୍ଦିର ବରଗଛ ମୂଳେ
ଗାଁ ଦେଖୁନାହିଁ କାଗଜ ଡ଼ଙ୍ଗା
ସଂସାର ଡ଼ଙ୍ଗାରେ ଏଠି ସବୁ ଉବୁଟୁବୁ ପରା !!!
ବଣିଆଘର ଜଡ଼ା !
ଏବେ ଆଉ ଡ଼ଙ୍ଗା ତିଆରି କରୁନି
ଶୋଲ ସବୁ ପରା ପୋତି ହୋଇପଡିଛି
ମାର୍କେଟ କମ୍ପ୍ଲେସ ତଳେ !
ଆଉ କଦଳୀ ପଟୁଆ କିଏ ତାକୁ ଦେବ ଯେ?
"ଆଜି ଉଧାର କାଲି ବାକି" ବୋଲି
ସବୁ ଦୋକାନ ଆଗରେ ଲେଖାହେଉ ଅଛି ।
କିନ୍ତୁ ନିଶ୍ଚନ୍ତାରୁ ବର୍ଷା ମେଞ୍ଚେ ଦେଖିଲେ
ଏବେ ମଧ୍ୟ ଗାଁ ଲୋକେ ତତ୍ପର ହୋଇଉଠନ୍ତି
କୋଡ଼ି ଗୋଟିଏ ସାଇକେଲ କେରିଆଲରେ ବାନ୍ଧି
ରଥିଆ ଦାଦା ଯାଏ ଜାମୁପଶି
ସେଇଠି କୁଆଡେ ଅସଲ ଜୀବନ ଅଛି ।
ସେଇ ଜାମୁପଶି ରାସ୍ତା କଇଥ କି ଛଞ୍ଚାଣ ମୂଳେ
ମୁଁ ନିଶନ୍ତାର ବର୍ଷା ଦେଖେ ।
ଦେଖେ ଶୀତଳ ପବନ ଦେଇ ମୁକ୍ତ ଗୋଟିଏ
ହିମାଂଶୁ ବର୍ଷା ଜଳ ପିଏ ।
ଦେଖେ ନୀରବ ମୋ ଗାଁର ଚିତ୍ର !
ଦେଖେ ଯାଜପୁର ଧୂଳିର ପରାସ୍ତ ଯୁଦ୍ଧ !
ଦେଖେ ମନ୍ଦିର ଆଡୁ ଉଡ଼ିଆସୁଥିବା ପକ୍ଷୀ !
ଦେଖେ ମେଘପର୍ବରେ ମାଇଁଷିଗୋଠର ସ୍ନାନ !
ଦେଖେ କାହା ଚାଳରୁ ଉଠୁଥିବା ଧାରେ ଓଦା ଧୂଆଁ !
ଦେଖେ ଆକାଶେ ବର୍ଷାରେ ବୁନ୍ଦା ବୁନ୍ଦା ଜଳ ମୁକ୍ତା !
ଦେଖେ ନିଶ୍ଚନ୍ତାରୁ ଆକାଶେ ମେଘ !
ଦେଖେ ଆକାଶେ ମେଘରେ ମୋ ଗାଁ'ର ଚିତ୍ର !
#ଗଳ୍ପକବିତା
ହିମାଂଶୁ ଭୂଷଣ ସାହୁ
ସୋଲଗାଡ଼ିଆ, ଢେଙ୍କାନାଳ,୭୫୯୦୧୬


No comments:
Post a Comment