HIMANSHUBHUSHAN SAHOO

My photo
ନିରୋଳା ଦେଖି ଗଳ୍ପ ଗୁଡିକ ମୋତେ ପ୍ରଶ୍ନ କଲେ "ତୁ ଗଳ୍ପ କେମିତି ଲେଖୁ ?" ମୁଁ ହସିଦେଇ କହିଥିଲି "ଆପଣ ନିଜକୁ ଦେଖନ୍ତୁ , ନିଜ ଚତୁର୍ଦ୍ଦିଗ କୁ ଅନୁଭବ କରନ୍ତୁ ! ଅସରନ୍ତି ସୁଖ-ଦୁଃଖ , ଅକଳନ ହାନି-ଲାଭ , ଗଭୀର ପ୍ରେମ-ବିରହ , ଅପର୍ଯ୍ୟାପ୍ତ ଜନ୍ମ-ମୃତ୍ୟୁ !!! ସବୁତ ପ୍ରଦର୍ଶିତ ଏଠି " ଆଉ କବିତା କ'ଣ କହିଲା ଜାଣନ୍ତି ? କହିଲା, "ତୁ' ତ ନିଜକୁ ଗାଳ୍ପିକ ଭାବିଛୁ , କବିତା କିପରି ଲେଖିବୁ ?" ମୋ ଉତ୍ତର ଥିଲା.. " ସତେ'ତ ! ତୁମ ହସ ହସ ତୃପ୍ତ ବଦନରୁ ଟିକିଏ ଦୁଃଖ ଟାଣିଆଣି.. ଗାରେଇ ନଦେଲେ ମୋ ଭାବନାରେ ! ସେ କି କବିତା ?"

Monday, July 31, 2023

କବି ପତିତପାବନଙ୍କ ସ୍ୱତଃ ଜୀବନମାନସ : ଆଞ୍ଜୁଳାଏ ଅଭିମାନ

 

   ଆଜିର କାବ୍ୟିକ ଭାଷା , ଚିନ୍ତାଧାରା ଓ ପ୍ରୟୋଗାତ୍ମକ ଚତୁରତା ଯାହା ସମାଜ ଓ ଅନେକ ବ୍ୟକ୍ତିକୁ ସ୍ଥାଣୁ/ବିଯୁକ୍ତାତ୍ମକ ଓ ସଂକୀର୍ଣ୍ଣତାମୟ ଚିନ୍ତାଧାରାରୁ ଉଦ୍ଧାର କରି ବ୍ୟାପକ ବିଶ୍ୱପ୍ରଯତ୍ନ ଦୃଷ୍ଟି ଦେଖାଇବାରେ ସହାୟକ ହେଉଛି ତାହା ସାଧୁବାଦର ଏକ ଦୃଷ୍ଟିକୋଣର ରୂପ ଦେଲେ କୌଣସି ବାଧା ନାହିଁ । କିନ୍ତୁ ମଧ୍ୟେ ମଧ୍ୟେ ଯେ ଏଇ ସମାଜ , ଲୋକ ଓ ବ୍ୟବସ୍ଥାଶୈଳୀ ପ୍ରତି କବି ର ନୈରାଶ୍ୟଜନକ ଟିପ୍ପଣୀ କିମ୍ବା ବିରୋଧାଭାଷର ଶବ୍ଦ ଓ ଛନ୍ଦ ମାଧ୍ୟମରେ ଅନେକଙ୍କୁ କୁଠାରାଘାତ କରେ ସେଥିରେ ସନ୍ଦେହ ନାହିଁ । ତଥାପି ସେଇ ସାବଲୀଳ ଭାଷା ହେଉ କି କଟୁ ସମାଲୋଚନା ! କବି ର କଲମ ସର୍ବଦା ଉନ୍ନତ ପରିବର୍ତ୍ତନ ଆଡକୁ ମୁହାଁଏ ବୋଲି ମୋର ବିଶ୍ୱାସ ।

    ମାନବ ଜୀବନର ଯନ୍ତ୍ରଣାକ୍ଳିଷ୍ଟ ରୁଦ୍ଧ ଦ୍ୱାର , ପ୍ରେମ ପ୍ରତିବନ୍ଧ ଶିକୁଳିର ଶକ୍ତ ବନ୍ଧନ , ବିଚ୍ଛିନ୍ନବାଦୀ ପାରିବାରିକ ଜଞ୍ଜାଳର ଏକାକିତ୍ୱ , ଯୁଦ୍ଧମୟ ନିଶାରତ କିମ୍ବା ନିଶାମୟ ଯୁଦ୍ଧରତ ଭାଗଭାଗ ଚିନ୍ତାଧାରା , ଧର୍ମାନ୍ଧ ଯୋର ଜବରଦସ୍ତି ରେ ସାଉଁଳି ପଡୁଥିବା ସରଳତା ! ସବୁର ପରିବର୍ତ୍ତନ ନିମନ୍ତେ କବିର ଶୀତଳ ଜଳ ପ୍ରବାହ ଭଳି କବିତା ଚେଷ୍ଟାରେ ଶକ୍ତ ପ୍ରସ୍ଥର ଖଣ୍ଡନ କରିବାର ପ୍ରଚେଷ୍ଟା ଥାଏ । ଅବିରତ ଚେଷ୍ଟା ଥାଏ ନିତିଦିନିଆ ଅଳ୍ପ ଜୀବନରେ ଦୀର୍ଘ ପ୍ରଲେପ ଦେଉଥିବା ପ୍ରେମ ପରଶକୁ । ଚେଷ୍ଟା ଥାଏ ପାଶୋରି ଯାଉଥିବା କିଛି ଅତୀତକୁ ସତେଜ କରିବାକୁ । କିଛି ସୁଖ ଆଉ କିଛି ସ୍ୱାଭିମାନର ଲୁହ ଆଖିକୁ ଦେବାକୁ । ତୁମ ଅବହେଳା ଓ ମୋ ଅଣଦେଖା ସମ୍ପର୍କରେ ଆଞ୍ଜୁଳାଏ ଅଭିମାନ ଫିଙ୍ଗିଦେବାକୁ ।

   ଏହି ପରିପ୍ରେକ୍ଷୀରେ କବି ପତିତପାବନ ପାଣିଙ୍କ କବିତା

 "ଉଠ"ମନେପଡେ ।

"ଆଜି ଆକ୍ତାମାକ୍ତା ଏ ଆକାଶ

ଧୂସର ଧୁମିଳ ଏ ଓଡ଼ିଶା ମାଟି

କଳାପାହାଡ଼ର ବିଭତ୍ସ ନୃତ୍ୟରେ !

ମୁକୁନ୍ଦଦେବ ଦେଇଛି ହାତ ଟେକି

ସ୍ୱାଭିମାନୀ ଓଡ଼ିଆର ବହ୍ନି ତେଜିଛି ଆଜି ,

ଅଛ କି କେଉଁ 'ଖାରବେଳ' !!

ଅଛ କି କେଉଁ 'କପିଳେନ୍ଦ୍ରଦେବ' !!

ଚନ୍ଦ୍ରିକା ତୁଳୀରେ ଆଙ୍କିବ ଆଜି ।

ଏ ବ୍ରହ୍ମଜାତି ର ନୂଆ ଚିତ୍ର

ତୁମେ ଚିତ୍ରକରଟିଏ ସାଜି !!!

ତୁମେ ଚିତ୍ରକରଟିଏ ସାଜି !!!

.

.

.

ଏ ଓଡ଼ିଆ ଜାତି

ମଧୁ ବାରିଷ୍ଟର ଛାତି ।"

   କବିଙ୍କ ଅଭିମାନ ଯେପରି ସାମୁହିକ ଆତ୍ମଭିମାନର ଗାରିମା ପ୍ରସ୍ତୁତ କରି ଆଞ୍ଜୁଳାଏ ଆଞ୍ଜୁଳାଏ ସୁପ୍ତ ପଡିଥିବା ସ୍ୱାଭିମାନକୁ ଫିଙ୍ଗି ଚାଲିଛି ପ୍ରତ୍ୟକ ଓଡ଼ିଆଙ୍କ ମନ୍ଥରଗତି ପାଦ ପାଖେ । ତାଙ୍କ କବିତା ମାଧ୍ୟମରେ ଆମେ ବାରମ୍ବାର ପୁରୁଷ ପୁରୁଷ ଧରି ସେଇ ଗୋଟିଏ ସଂଳାପ "ସ୍ୱାଭିମାନ"ଯାହା କାନେ କାନେ କହି ଅସୁଛେ ! ତାହା ପୁଣି ସଚେତନ କରାଇଦେବାରେ ଇଙ୍ଗିତ କରାଇଛି । ଆଜିର ସୁପ୍ରୟୋଜିତ ଖଳଯୋଜନାରେ ଯାହା ଦୁର୍ଦ୍ଦିନ ଭୋଗୁଛି ଏ ଭୂମି , ତାହା ତାତ୍ସଲ୍ୟ ଭଙ୍ଗୀରେ ସୁଚାରୁରୂପେ ଉପସ୍ଥାପିତ କରିଦେଇଛନ୍ତି । ପ୍ରାଚୀନ ରୁ ଆଧୁନିକ ଓଡ଼ିଆ ସ୍ରଷ୍ଟାଙ୍କୁ ଖୋଜିଛନ୍ତି ନିଜ ଦେହେ ,ମୋ ଦେହେ ଓ ଆପଣମାନଙ୍କ ଦେହେ ।

    କବିତା କଳାପକ୍ଷରେ ମୁଖ୍ୟ ଆକର୍ଷଣ ହେଉଛି ନିଦୁଆ ସମାଜ କାନରେ ଚିତ୍କାର କରି ଉଠେଇବା । ଜାତି ନାଁ ରେ ହେଉ କି ଭୂମିକା ନାଁ ହେଉ, କିମ୍ବା ସଂଗ୍ରାମ ନାଁ'ର ଦ୍ୱାହି ଦେଇ !! ସେଇ ଏକା ସ୍ୱର ଓ ଅଭିମାନ ଯୁକ୍ତ ବିରୋଧାଭାଷ ଦେଖିହୁଏ କବିତା "ଭଦ୍ରକ"ର ପ୍ରତି ଧାଡିରେ ।



"ରାମ ସେନା ଠାରୁ 

ପ୍ରଶାସନର ସେନା ଏଠି ଅଧିକ 

ଚରମ୍ପାର ପଥର ଗିଳା

କ୍ରସର୍ ଙ୍କ ଆଁ ଭିତରେ

ମରିପଡିଛି ଏଠି ସବୁଜ କ୍ଷେତ

ପାହାଡର ଛାତି ଚିରି

ବୁହା ଚାଲିଛି ଟ୍ରକ ଟ୍ରକ ରକ୍ତ ।"

.

.

"ଏଇ ଆମ ଭଦ୍ରକ

ଏ ବିଡ଼ମ୍ବନାର ନାଁ ଭଦ୍ରକ ।"

   କବି ପତିତପାବନଙ୍କ ଜନ୍ମ ଭଦ୍ରକ ଜିଲ୍ଲାରେ । ଜିଲ୍ଲାର ସଂସ୍କାର ଓ ସଂସ୍କାର ଆଢୁଆଳରେ ଚାଲିଥିବା କୁପ୍ରଥା କିମ୍ବା ଆଇନ ଅମାନ୍ୟକାରୀଙ୍କୁ ପ୍ରଶ୍ନ କରିବାର ସାମର୍ଥ୍ୟ ମଧ୍ୟ ରଖିଛନ୍ତି କବିତା ମାଧ୍ୟମରେ । ଯେମିତିକି କବିତା "ମୋ ଗାଁ ଟିକେ ଦୂରରୁ"ରେ 

"ଗାଁ ଠାକୁରାଣୀ ମନ୍ଦିର

ପାଖରେ ଚୋରା ମଦର ବେପାର

ସେଇତ ସାହା ଯୁବ ଶକ୍ତିର

ସରକାର ବି ଖୁସି…"

   କବି ଜଣେ ଯୁବକ । ଯୁବକାବସ୍ଥା ରେ ସଚେତନର କବିତା ପରିଚୟ ଦିଏ ସ୍ୱଚ୍ଛତାର ମନୋଭାବ । ଆଉ କେବେ ମୁକୁଳାଇ ଦିଅନ୍ତି କିଛି ଅତୀତକୁ ମୁକ୍ତ କରି ।

"ଯାଅ ମୁକ୍ତ ତୁମେ

ଯେ କୌଣସି ଆକାଶ ବାଛିନିଅ…"

   କିନ୍ତୁ କୌଣସି କବି କ'ଣ ସତରେ ମୁକ୍ତ ! କିନ୍ତୁ ମୁଁ ପଢ଼ିଛି ଗୋଟିଏ ବିରାଟ ବନ୍ଧନ , ଆତ୍ମସନ୍ଧିଚ୍ଛୁ ର "ଜୀବନ୍ତ ଶବ"କବିତା ମାଧ୍ୟମରେ ।

  "ତୁମେ ଭକ୍ତ

ଶରତର କାଶତଣ୍ଡି ସମ୍ଭାରରେ

ମା'ଦୁର୍ଗାଙ୍କ ଆଶିଷ ମନାସିବ ଓ

ଆଉ ଯାହା ଅଭିଶାପ ବାକି ରହିଯାଏ

ତାକୁ ସ୍ୱୟଂ ଦେବୀ ଦେଖେ

କେବେ ପୀଡ଼ିତା ଦେବୀର

ହୃଦୟ କାନ୍ଦଣା ଦେଖିଛ ?"

   ଆଃ…! ସତରେ , ଏ ମିଛମାୟା ସଂସାର ବନ୍ଧନରେ ନିଜକୁ ପେଷି ଦେଲେ ଯାଇ କେଉଁ ଦେବୀ' ମାନବୀ ରୂପରେ ଲୁହ ନିଗାଡିବା ଦେଖିହୁଏ ।

   କବି ପତିତପାବନ ଙ୍କ କବିତାରେ ତାହା ହିଁ ଦେଖିହୁଏ । କବିତାରେ ଭୋକ ଆଉ ପ୍ରାଚୁର୍ଯ୍ୟ ମଧ୍ୟ ଦେଖିହୁଏ । ଦେବୀଙ୍କ ଦୟା ଓ ଦେବୀଙ୍କ ମାୟା ମଧ୍ୟ ଦେଖିହୁଏ । ଦେଖିହୁଏ "ସ୍ୱର୍ଗ କାଳେ ଅଳ୍ପ ଦୂର !","ଫେରି ଯାଅ"କବିତା ମାଧ୍ୟମରେ । ଦେଖିହୁଏ 'ନିଖୋଜ' ଥିବା ଗୋଟିଏ ସମ୍ଭାବନା

   "ଘୁରି ବୁଲେ

    ତୋ ସ୍ମୃତିରେ

   ଟ୍ରାଫିକ୍ ଜାମ୍ ରେ ..!"

    ଟ୍ରାଫିକ ଜାମ୍ ରୁ ମନେପଡ଼ିଲା କି କବି ପତିତପାବନଙ୍କ କିଛି କବିତାରେ ଜାମ୍ ଅର୍ଥାତ କିଛି ଆଡୁଆ ଅବୁଝା ଭାବ ଦେଖିବାକୁ ମିଳେ । ଆଧୁନିକ କବିତାର ତାହା ହିଁ ସୌନ୍ଦର୍ଯ୍ୟ । ଆଧୁନିକ ଯେତେ ଅବୁଝା ହୁଏ ସେତେ ସୌନ୍ଦର୍ଯ୍ୟମୟ ! ମୁଁ ଆଶାକରୁଛି କି କବିତାମୟ ଜୀବନରେ ଟ୍ରାଫିକ ଜାମ୍ ଆସୁ । ସେଇ ଭିଡରେ ସେ ପୁଣି ଖୋଜନ୍ତୁ ନୂଆ ସମ୍ଭାବନା , ନୂଆ ସମିକରଣ , ନୂଆ କାବ୍ୟ-କବିତା ।

   ଶେଷରେ କବି ପତିତପାବନଙ୍କ ଏକ କବିତା କୀୟଦଂଶ ଏଠାରେ ରଖିବାକୁ ମୋ ମନର ବ୍ୟଗ୍ରତା ବଢୁଛି । ଆଉ ଯଦି କେହି ତାଙ୍କ ଜୀବନର ଉତ୍ଥାନପତନ ର ଉତ୍ତରରେ କିଛି ଆଶାୟୀ ଥିବେ ତେବେ ତାଙ୍କ ପାଇଁ ଏଇ କବିତାଟି ରଖି ମୁଁ ହିମାଂଶୁ ଭୂଷଣ ସାହୁ, ବିଦାୟ ନେଉଛି ।

"...ଆଉ ନିଜକୁ ବୁଝାଇ ଦିଏ

ଥକିଯିବାକୁ ମୁଁ

କାହାଣୀ ଆରମ୍ଭ କରିନଥିଲି

ହାରିଯିବାକୁ ମୁଁ

ଜୀବନ ଆରମ୍ଭ କରିନଥିଲି ।।"


#ଗଳ୍ପକବିତା

✍️ସମୀକ୍ଷକ:- ହିମାଂଶୁ ଭୂଷଣ ସାହୁ

ସୋଲଗାଡ଼ିଆ, ଢେଙ୍କାନାଳ ୭୫୯୦୧୬






No comments:

Post a Comment

"ଗୌରୀପ୍ରଭା"ର ପ୍ରଥମ ବର୍ଷ

 ଏବେ “ ଗୌରୀପ୍ରଭା ” ପହଞ୍ଚିଛି ତୃତୀୟ ବର୍ଷରେ । ତିନି ବର୍ଷର ଯାତ୍ରାରେ ଭେଟିଛି ଅନେକ ଅନୁଭବ । ଆସନ୍ତୁ ଜାଣିବେ “ଗୌରୀପ୍ରଭା” ବାର୍ଷିକ ପତ୍ରିକାର ପ୍ରଥମ ବର୍ଷର ପା...