ବାଣୀବିହାର ଓଭର ବ୍ରିଜ ତଳେ ତା ବସ୍ ରେଳ ଷ୍ଟେସନ ଆଡୁ କଟକ ଅଭିମୁଖେ ମୋଡ଼ିଲା ପରେ ପରେ ସେ ଦେଖିପାରିଲା ଜଏନ୍ ପୁରୁଷ କମିଶନ୍। ତା ତଳେ ଗୋଟିଏ ମୋବାଇଲ ନମ୍ବର । ପ୍ରାୟ ଆଠଟି ଜାଗାରେ । ଏକା ଲେଖା ।
ସେ ତା ମୋବାଇଲ ବାହାର କଲା । ନମ୍ବର ଗୋଟି ଗୋଟି କରି ସ୍କ୍ରିନ ରେ ଚୟନ କରି ରହିଗଲା । ହୁଏତ ଶେଷ ଥର ପାଇଁ କିଛି ଭାବୁଥିଲା , ହଠାତ ଫୋନ ଆସିଲା । 'ବୋଉ...'
ବୋଉଙ୍କ ତାଗିଦ ଥିଲା "ତୋ ଭାରିଯାକୁ ନେଇ ତା ବାପଘରେ ଛାଡ଼େ ନଚେତ୍ ମୋ ମଲାମୁହଁ ଦେଖିବୁ ।"
କିଛିଦିନ ପୂର୍ବରୁ ପତ୍ନୀ କହୁଥିଲା "ତୁମ ବୋଉକୁ ନେଇ କେଉଁ ବୃଦ୍ଧାଶ୍ରମରେ ଛାଡ଼ ନଚେତ ମୋ ମଲା ମୁହଁ ଦେଖିବ ।"
ମୃତ୍ୟୁ ଏତେ ସହଜ ହୋଇଥାନ୍ତା କି ? ଅନ୍ତତଃ ନିଜେ ଥରେ ସେ ଦୁହିଁଙ୍କୁ କଥା ଛଳରେ କହିଦେଇଥାନ୍ତା "ତୁମେ ଦୁଇଜଣ ଚୁପ୍ ରୁହ ନଚେତ୍ ମୋ ମଲା ମୁହଁ ଦେଖିବ ।"
ଏତେ ବର୍ଷ ନିଜେ ଚୁପ୍ ରହି ରହି ପଥର ପାଲଟି ଗଲାଣି ସେ । ସେ ପଥରରେ ଏ ପୁରୁଷ କମିଶନ କି ମୂର୍ତ୍ତି ଗଢ଼ି ପାରିବ ? କେବଳ ନାରୀ ସର୍ବସଂହା ନୁହେଁ । ପୁରୁଷ ମଧ୍ୟ ଗୋଟିଏ ଗୋଟିଏ ପୃଥିବୀ ନିଜ ନିଜ ଭାଗ୍ୟର ।
ଲୋକଟି ମୋବାଇଲକୁ ପକେଟରେ ରଖିଲା । ଓଭରବ୍ରିଜ ପାରି ହୋଇ ଗାଡ଼ିଟି ମୁଖ୍ୟ ରାସ୍ତା ଧରି ସାରିଲାଣି । ଗୋଟିଏ ନୂଆ କପଲ୍ ବସିଥିଲେ ଠିକ୍ ତା ସାମ୍ନା ସିଟ୍ ରେ । ତାଙ୍କୁ ଦେଖିଲା ଆଉ ଗାଡ଼ିରେ ବାଜୁଥିବା ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ଗୀତ ସହ ନିଜ ସ୍ୱର ମିଶାଇ ଗୁଣୁଗୁଣାଇଲା ମନେମନେ ।
◆◆◆
ହିମାଂଶୁ ଭୂଷଣ ସାହୁ
#ଗଳ୍ପକବିତା
.jpeg)
No comments:
Post a Comment