ହଁ ଠିକ୍ , ସେ ହିଁ ଯୁଦ୍ଧ ଲଢ଼ିଛି
ତା ଭାଗ୍ୟ ଓ ଭାଗରେ ଯୁଦ୍ଧ ଲୋଡ଼ିଛି ।
ନୁହେଁ ?
ତେବେ ତୁମେ କହୁନ !
ତା ଔରସ ସଞ୍ଚାରରୁ ଭୂମି ସ୍ପର୍ଶ ପର୍ଯ୍ୟନ୍ତ
ସେ ଯୁଦ୍ଧ କରିନାହିଁ ?
ମୁହୂର୍ତ୍ତେ ମୁହୂର୍ତ୍ତେ ଗର୍ଭପାତଶୁଣି ଶୁଣି
ଦଶ ମାସ ତିଷ୍ଟିଯିବା ଗୋଟିଏ ଯୁଦ୍ଧ ନୁହେଁ କି ?
ହଁ , ଏଇ ତ ଯୁଦ୍ଧ ! ସେ ଜିଣୁଛି
ଝିଅ-ଘିଅ-ଗୁହଶବ୍ଦ ସଂଯୋଗରେ ନିଜକୁ ବାଛି ଜାଣିଛି ।
ଠିକ୍ ନା ?
ତେବେ ତୁମେ କହୁନ !
ବାପା-ବୋଉ-ଦାଦା-ଖୁଡି-ଜେଜେ-ଜେଜେମା-ମାଉସୀ-ପିଉସୀଙ୍କ
ବୋଝଶବ୍ଦ ସହ ସେ ଯୁଦ୍ଧ କରିନାହିଁ ?
ଏତେ ଏତେ ଦୈତ୍ୟ ମେଳେ
କୁନି ହସଟିଏ ହସିଦେବା ଗୋଟିଏ ଯୁଦ୍ଧ ନୁହେଁ କି ?
ହଁ , ଏଇ ତ ଯୁଦ୍ଧ ! ସେ ସହୁଛି
ସହୁଛି ବୋଲି ତ ଶିଶୁ-କିଶୋରୀ-ଯୁବତୀ ହେଉଛି !
ଠିକ୍ କହିଛି ତ ?
ତେବେ ତୁମେ କହୁନ !
କେତେକେତେ ଶିଶୁ ,କିଶୋରୀ ,ଯୁବତୀ
ପୁରୁଷ ଲୋଲୁପ ଦୃଷ୍ଟିରୁ ବଞ୍ଚି ଆସିନାହିଁ ?
ପାଦେ ପାଦେ ନିଜକୁ ଏ ବଳାତ୍କାରୀ ସମାଜରେ
ଅକ୍ଷତ ରଖିବା ଏକ ଯୁଦ୍ଧ ନୁହେଁ କି ?
ହଁ ଠିକ୍ , ସେ ହିଁ ଯୁଦ୍ଧ କରୁଛି
ବାପା-ବୋଉ-ଭାଇର ସୁରକ୍ଷା ତ୍ୟାଗ କରିଜାଣିଛି ।
ଠିକ୍ ଶୁଣିଲେ ତ ?
ତେବେ ତୁମେ କହୁନ !
ସାମାନ୍ୟ ଫ୍ରିଜ କିମ୍ବା ମଟରସାଇକେଲ୍ ପାଇଁ
ତା ଯୌବନ-ଜୀବନ-ସମ୍ମାନ ଦଳି ଦିଆଯାଉନାହିଁ ?
ନାରୀଟିଏ ଅବଳା-ସବଳା-ସରସ୍ୱତୀ-ଲକ୍ଷ୍ମୀ-ଦୁର୍ଗା-କାଳୀ ଭଳି
କ୍ଷଣେ କ୍ଷଣେ ନିଜକୁ ପରିବର୍ତ୍ତନ କରିବା ଏକ ଯୁଦ୍ଧ ନୁହେଁ କି ?
ହଁ , ଏଇ ହିଁ ଯୁଦ୍ଧ ! ସେ ଲଦି ଧରିଛି
ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସେ ଲଢ଼ି ଜାଣିଛି ।
ଠିକ୍ ପଢ଼ିଲେ ତ ?
ତେବେ ତୁମେ କହୁନ !
ଶିଶୁ-କୈଶୋର-ଯୌବନ ଯେଉଁ ମାଟି ଗଢ଼ିଥିଲା
ମୃତ୍ୟୁବେଳେ ସେତିକି ମଧ୍ୟ ତା ଭାଗ୍ୟ ତାକୁ କାହିଁ ଦିଏ ନାହିଁ ?
ଚିତାର ଅଗ୍ନି ହେଉ କି ମାଟିର ଆଲିଙ୍ଗନ ପାଇଁ
ମୃତ୍ୟୁପରେ ଜନ୍ମମାଟି ଟିକକ ଏକ ଯୁଦ୍ଧ ନୁହେଁ କି ?
◆◆◆
#ଗଳ୍ପକବିତା
✍️ହିମାଂଶୁ ଭୂଷଣ ସାହୁ
ସୋଲଗାଡ଼ିଆ
.jpeg)
