HIMANSHUBHUSHAN SAHOO

My photo
ନିରୋଳା ଦେଖି ଗଳ୍ପ ଗୁଡିକ ମୋତେ ପ୍ରଶ୍ନ କଲେ "ତୁ ଗଳ୍ପ କେମିତି ଲେଖୁ ?" ମୁଁ ହସିଦେଇ କହିଥିଲି "ଆପଣ ନିଜକୁ ଦେଖନ୍ତୁ , ନିଜ ଚତୁର୍ଦ୍ଦିଗ କୁ ଅନୁଭବ କରନ୍ତୁ ! ଅସରନ୍ତି ସୁଖ-ଦୁଃଖ , ଅକଳନ ହାନି-ଲାଭ , ଗଭୀର ପ୍ରେମ-ବିରହ , ଅପର୍ଯ୍ୟାପ୍ତ ଜନ୍ମ-ମୃତ୍ୟୁ !!! ସବୁତ ପ୍ରଦର୍ଶିତ ଏଠି " ଆଉ କବିତା କ'ଣ କହିଲା ଜାଣନ୍ତି ? କହିଲା, "ତୁ' ତ ନିଜକୁ ଗାଳ୍ପିକ ଭାବିଛୁ , କବିତା କିପରି ଲେଖିବୁ ?" ମୋ ଉତ୍ତର ଥିଲା.. " ସତେ'ତ ! ତୁମ ହସ ହସ ତୃପ୍ତ ବଦନରୁ ଟିକିଏ ଦୁଃଖ ଟାଣିଆଣି.. ଗାରେଇ ନଦେଲେ ମୋ ଭାବନାରେ ! ସେ କି କବିତା ?"

Sunday, February 23, 2025

ସାଳନ୍ଦୀ ସାହିତ୍ୟରୁ “ଲାଞ୍ଜ” ଅନୁଭୂତି !

  “ପାଠକ ମନରେ କିଏ କେମିତି ମଞ୍ଜି ବୁଣିବ” ତାହା ଏବେର ସମୟରେ ଆଲୋଚ୍ୟ , ଠିକ୍ ସେଇମିତି “ପାଠକ କେଉଁ ମଞ୍ଜିକୁ ବୃକ୍ଷ କରେଇପାରିବ” ତାହା ମଧ୍ୟ ।

   ଏଇ ସମ୍ଭାବନା ଓ ଅନ୍ୟାନ୍ୟ ପ୍ରାସଙ୍ଗିକତା ଭିତରେ ଏ ପ୍ରଶ୍ନ ମଧ୍ୟ ଥାଇପାରେ କି “ପାଠକର ରୁଚି , ଶ୍ରଦ୍ଧା ଓ ଚେତନା ଭିତରେ କେଉଁ ବୃକ୍ଷଟି ବଞ୍ଚିରହି ଦ୍ରୁମ ହେବ !”

   ସେଦିନ ଥିଲା ଫେବୃଆରୀ ୮ ଗୋଟିଏ ଭିନ୍ନ ସକାଳ । ପ୍ରଥମଥର ମୁଁ ଯୋଗ ଦେଇଥାଏ ଟାଇମପାସ୍ ପ୍ରଯୋଜିତ “ସାଳନ୍ଦୀ ସାହିତ୍ୟ ସଙ୍ଗମ” ରେ । କବି ଶ୍ରୀଯୁକ୍ତ ପତିତପାବନ ପାଣିଙ୍କ ସହଯୋଗରୁ ସ୍ଥାନଟି ପାଇବାରେ କୌଣସି ବାଧା ଉପୁଜିନଥିଲା । କାର୍ଯ୍ୟକ୍ରମ ଗୃହର ମୁଖ୍ୟ ଦ୍ୱାର ଡ଼ାହାଣକୁ ଖବ୍ ସୁନ୍ଦର ଭାବରେ ସଜେଇ ରଖା ଯାଇଥାଏ ଓଡ଼ିଶାର ଗଣ୍ୟମାନ୍ୟ ସାହିତ୍ୟ ବିନ୍ଧାଣିଙ୍କ ସୃଜନ ସହିତ ନୂଆ ନୂଆ ମୁହଁଙ୍କ ଯୌବନିକାଯୁକ୍ତ ପହିଲି ପହିଲି ପୁସ୍ତକ ।

   ହଠାତ ମୋ ଆଖି ପଡ଼ିଗଲା “ଲାଞ୍ଜ” ଉପରେ । ବହିଟି ବିଷୟରେ ସାମ୍ୟକ ଧାରଣା ହୁଏତ ମୁଁ କୌଣସି ଗଣମାଧ୍ୟମରେ ପାଇଥିଲି । ଅନ୍ୟ କେଇଟି ବହି ସହିତ ଲାଞ୍ଜ ହୋଇଗଲା ମୋ ପାଠକମନସ୍ଥର ଆଉ ଏକ ଫର୍ଦ୍ଦ ।

    କାର୍ଯ୍ୟକ୍ରମ ଚାଲିଥାଏ । ଆଲୋଚନା ଚକ୍ରରେ ଓଡ଼ିଆ ସାହିତ୍ୟବାଗ୍ମୀ ଶ୍ରୀମତୀ ସରୋଜିନୀ ସାହୁ ହଠାତ କହିଲେ  “କିଛିଦିନ ପୂର୍ବରୁ ଗୋଟିଏ ଗଳ୍ପ ପଢ଼ିଥିଲି ତା ଶୀର୍ଷକ ଥିଲା ଲାଞ୍ଜ ! ଏତେ ଚମତ୍କାର ଓ ନିଖୁଣ ଥିଲା କି ମୁଁ ସରୋଜ ବଳଙ୍କୁ ଲେଖକଙ୍କ ଫୋନ ନମ୍ବର ମାଗି ତୁରନ୍ତ ଫୋନ କରି ପଚାରିଲି ତମେ ଗଞ୍ଜେଇ ଟାଣୁଛ କି ? ଏତେ ସୁନ୍ଦର ବିବରଣୀ ଏତେ ଅଦ୍ଭୁତ ବିନ୍ୟାସ କିପରି କଲ ଓ ଏତେ ତଥ୍ୟ କେଉଁଠୁ ପାଇଲ ?”

   ବ୍ୟାଗ୍ ଆଡ଼େଇ ଦେଖିଲି ଏଇ ସେଇ ବହି ଯାହାର ପ୍ରଶଂସା କରୁଛନ୍ତି ସୁନାମଧନ୍ୟା ଲେଖିକା ! ବହିଟିର ପ୍ରଥମ ଗଳ୍ପର ନାଁ ଥିଲା ‘ଲାଞ୍ଜ’ । ୧୨ ଗୋଟି ଗଳ୍ପର ପ୍ରଥମ ପୁଲକ!

   ଗଳ୍ପଟିର ଚରିତ୍ର ଚୟନ , ସ୍ଥାନ ନିରୂପଣ ଓ କାହାଣୀ ପଟ୍ଟଭୂମି ମୋ ପାଇଁ ଥିଲା ଭିନ୍ନ । ଗଳ୍ପର ପ୍ରାରମ୍ଭ , ମଧ୍ୟମ ଅବସ୍ଥା ଓ ଶେଷ ପର୍ଯ୍ୟାୟ ପଢ଼ିସାରିଲା ପରେ ମୁଁ ଥିଲି ବାକ୍ ନ୍ୟୁନ ଏକ ଗାଁ ଜୀବନ ନିର୍ବାହକ ଅବୁଝା ଯୁବ ସତେ ! କିଛି ଶବ୍ଦ ସହିତ ପିଲାଦିନରୁ ସଭ୍ୟ ଅସଭ୍ୟ ଭିତରେ ଯୁଦ୍ଧ ଚାଲିଥିବା ରୁ ଆଜି ପ୍ରାଞ୍ଜଳ ଭାବେ ପାଇଲି କି ସେ ଶବ୍ଦ ଗୁଡ଼ିକ ଅତ୍ୟନ୍ତ ମାର୍ଜିତ ଓ ଭଦ୍ର ଭଳି ମୋ ଚାରିପାଖେ ଘୁରି ବୁଲୁଥିଲେ ଆଉ ମୁଁ ପାଠକ ହିସାବରେ ମୋ ନିଜ ଚରିତ୍ର ସହ କେଉଁ ଚରିତ୍ରକୁ ବାଛିବି ଦ୍ଵନ୍ଦରେ ଥାଏ ।

    ଚରିତ୍ର ବାଛିବା ଓ ଚରିତ୍ରକୁ ନିଖୁଣ ତିଆରିର କଳା ଶ୍ରୀଯୁକ୍ତ ଦେବବ୍ରତଙ୍କ ଲେଖକୀୟ ଭିନ୍ନ ଭୂମିକା ଅନୁମେୟ । କାହାଣୀର ସ୍ରୋତରେ କ୍ଷଣଟିଏ ଆନମନା ହେବାର ଧୃଷ୍ଟତା ମୋ ପାଖରେ ନଥିଲା କିମ୍ବା ଏହା କହିପାରେ କଥାକାରଙ୍କ ଚାତୁର୍ଯ୍ୟରେ ପାଠକ ବାଧ୍ୟ ହୋଇପଡ଼ିବେ କାହାଣୀରେ ହଜିଯିବାକୁ । ଅବଶ୍ୟ ଇଂଜିନିୟରିଂ କଲେଜର ସେ ଖୁଣ ସହିତ ମୋ ବ୍ୟକ୍ତିଗତ ମତ ଭିନ୍ନ ଥାଇପାରେ କାରଣ ନିଜ (ଜୟନ୍ତ) ଅପାରଗତା ଓ ସ୍ଵଭାବକୁ ଘୋଡେ଼ଇ ଦେବାପାଇଁ ଲେଖକ ଅତି ସରଳଭାବେ ଦୋଷ ଲଦିଦେଲେ କଲେଜ ଜୀବନ ଉପରେ ।

   ଗଳ୍ପଟି ସରିଲା ବେଳକୁ ଗୋଟିଏ ନୂଆ ଅନୁଭୂତି ନେଇ ମୁଁ ପୃଷ୍ଠାଟି ସାରିଛି । କିନ୍ତୁ ଦ୍ଵିତୀୟ ଗଳ୍ପ “ପୋଖରୀ , ଭୁତୁଣୀ ଓ କୁନିନାନୀ” ରେ କୌଣସି ନୂତନତ୍ୱ ପାଇଲି ନାହିଁ । ଲାଗିଲା ଯେପରି ଗଳ୍ପଟି ସୃଜନାତ୍ମକ ଭାବରେ ଲେଖକ ପୃଷ୍ଠା ଘୋଡେ଼ଇବାକୁ ବାଧ୍ୟ ହୋଇପଡ଼ିଥିଲେ । ପ୍ରଥମ ଗଳ୍ପ ପରେ ଯେଉଁ ଅଭିଳାଷ ଜାଗୃତ ହୋଇପଡ଼ିଥିଲା ଦ୍ଵିତୀୟ ଗଳ୍ପ ସକାଶେ ! ତାହା ମୁଁ ପାଇଥିଲି ତୃତୀୟ ଗଳ୍ପ “ଖବର”ରେ ।

    କ୍ଵଚିତ ଗଳ୍ପ ଥାଏ ଯେଉଁଥିରେ ଗଳ୍ପର ନାୟକ ନିଜକୁ ନିଜେ ଖୋଜେ , ପାଏ ଓ ବଞ୍ଚେ । ସେଇଥିରୁ ଗୋପାଳବାବୁ ଏକ ପାଠକତମ ବିଚାର । ଗଳ୍ପର ଯେଉଁ କେତୋଟି ଚରିତ୍ର ଖଞ୍ଜା ଯାଇଛି ତାହା ଲେଖକଙ୍କ ପାଠକମନସ୍କ ଚିନ୍ତାଧାରା , ପୂର୍ବ ଅଭିଜ୍ଞତା (ହଁ , ଅବଶ୍ୟ ଏଇ ପୂର୍ବ ଅଭିଜ୍ଞତା ଯେ ପ୍ରଥମ ଗଳ୍ପରେ ଅଛି ତାହା ଲେଖକ ସାଳନ୍ଦୀ ସାହିତ୍ୟ ସଙ୍ଗମରେ ମାନିଥିଲେ ଯାହା ଜଣେ କଥାକାରକୁ ମହାନ କରାଏ ) , ସମାଜର ଚିନ୍ତା , ସ୍ୱ ଚିନ୍ତାଧାରା ଜଡ଼ିତ । ମନୁଷ୍ୟର ଛୋଟ ନିଜମନସ୍କ ଅଥବା ନିଜସୁଖ ଯେ କେଡ଼େ ଭୟଙ୍କର ପରିସ୍ଥିତି ସୃଷ୍ଟି କରିପାରେ ତାହାର ଏପରି ଉଦାହରଣ ସାହିତ୍ୟ ଓ ସାମାଜିକ କ୍ଷେତ୍ରରେ ବିପ୍ଳବ । ପ୍ରେମ , ପରିବାର , ଦାୟିତ୍ବ ଓ ସାଧାରଣ ମନୁଷ୍ୟର ଛୋଟ ଛୋଟ ଚିନ୍ତାଧାରା କୁ ନେଇ ଅତି ଚମତ୍କାର ଭାବରେ ରଚନା ହୋଇଛି କାହାଣୀଟି । ଯେପରି ଲାଞ୍ଜ ଗଳ୍ପ ସଙ୍କଳନର ମସ୍ତିଷ୍କ ଏଇ ‘ଖବର’ ଗଳ୍ପଟି ମୋ ପାଇଁ ।

   କେବଳ ଗୋଟିଏ ଗଳ୍ପ ହିଁ ସବୁଠୁ ଅଧିକ ଛୁଇଁଲା କିମ୍ବା ସମାଜ ଓ ବ୍ୟକ୍ତିଗତ ସ୍ତର ପାଇଁ ଉର୍ବର ତାହା ନୁହେଁ ସଙ୍କଳନର ପ୍ରତ୍ୟକ ଗଳ୍ପ ଉଦ୍ଧିଷ୍ଟ । ଯେମିତିକି ପଞ୍ଚମ ଗଳ୍ପରେ ବୟସ ପରପାରେ ଆତ୍ମିକ ପ୍ରେମ କିମ୍ବା ନବମ ଗଳ୍ପରେ ସନ୍ତାନ କାଙ୍ଗାଳ ଗୋଟିଏ ବାପର ଚରିତ୍ର ହେଉ କି ଜନ୍ମଦାତ୍ରୀର ସୁପ୍ତ ସନ୍ଦେହ କିମ୍ବା ଶେଷ ଗଳ୍ପରେ ଥିବା ଛୋଟ ଛୋଟ ଖୁସି ମଧ୍ୟରେ ପୁରୁଷ ସମାଜ ପାଇଁ ଛୋଟ ପ୍ରଶ୍ନ । ଏପରି କାହାଣୀ ଖୋଜିବା ଓ କାହାଣୀକୁ ଶବ୍ଦ , ସଂଳାପ ମାଧ୍ୟମରେ ପାଠକଙ୍କ ମନରେ ଏକ ଚଳଚ୍ଚିତ୍ର ଖଞ୍ଜିଦେବା ର ଶୈଳୀ କଥାକାର ଦେବବ୍ରତ ଦାସ ଖୁବ୍ ଜାଣିଛନ୍ତି । ତାଙ୍କ ଗଳ୍ପ କିମ୍ବା ଗଳ୍ପ ମାଧ୍ୟମରେ ରହିଛି ନିଜ ଯୁବକ ସୁଲଭ ଚପଲତା , ସଂସ୍କାର ରୂପକ ମାଦକତା , ଭାଷା ପ୍ରତି ଅନୁରାଗ ଓ ନୂତନତ୍ୱ ଖୋଜିବାର ନିଶା ।

    କେବଳ ସମାଜ ସଂସ୍କାରକ ବାର୍ତ୍ତା କିମ୍ବା ସ୍ମୃତିମାନସରେ କିଛି ଚରିତ୍ରଙ୍କ ମାଧ୍ୟମରେ ଯେ ବହିଟି ମୋହିତ କରୁଛି ତାହା ନୁହେଁ , ସଙ୍କଳନଟି ବାନ୍ଧିରଖୁଛି ଗୋଟିଏ ଅସହାୟ ପ୍ରେମିକର ଜଳାଞ୍ଜଳି ଓ ସୁବିଧାବାଦୀ ପ୍ରେମିକାର ଅସହାୟତା ପାଖେ ।

   ମୋର ଦୃଢ଼ ବିଶ୍ୱାସ ଗଳ୍ପ ଗୁଡ଼ିକ ପାଠକଙ୍କ ମନକୁ ଖୁବ୍ ଛୁଇଁବ ଓ ଗାଳ୍ପିକଙ୍କ ସାହିତ୍ୟ ଯାତ୍ରା ପାଠକ ଆଦୃତମୟ ହେବ । ଶେଷକୁ କହିବି ମୋ ପାଇଁ “ଲାଞ୍ଜ” ଆବେଗ ପରିପୂର୍ଣ୍ଣର ଗୋଟିଏ ନିରୋଳା ବ୍ୟକ୍ତିଗତ ସଞ୍ଜ । ଆଶାକରୁଛି ଗଳ୍ପସଙ୍କଳନ "ଲାଞ୍ଜ" ଟି ଆପଣମାନଙ୍କୁ ବହୁତ ପସନ୍ଦ ଆସିବ ।


କଥାକାରଙ୍କ ଅନ୍ୟାନ୍ୟ କୃତି....


✍️ହିମାଂଶୁ ଭୂଷଣ ସାହୁ

"ଗୌରୀପ୍ରଭା"ର ପ୍ରଥମ ବର୍ଷ

 ଏବେ “ ଗୌରୀପ୍ରଭା ” ପହଞ୍ଚିଛି ତୃତୀୟ ବର୍ଷରେ । ତିନି ବର୍ଷର ଯାତ୍ରାରେ ଭେଟିଛି ଅନେକ ଅନୁଭବ । ଆସନ୍ତୁ ଜାଣିବେ “ଗୌରୀପ୍ରଭା” ବାର୍ଷିକ ପତ୍ରିକାର ପ୍ରଥମ ବର୍ଷର ପା...