ଏକବିଂଶ ଶତାବ୍ଦୀ ପରେ ଆଧୁନିକ ସାହିତ୍ୟରେ ଯୁବ ସମାଜର ଯେଉଁ ସକ୍ରିୟ ଓ ତୀବ୍ର ଅବଦାନ ରହିଆସିଲା ତାହା ଓଡ଼ିଆ ସାହିତ୍ୟରେ ଏକ ପ୍ରଖର ଅବଦାନ ବୋଲି ଯୁକ୍ତି ବାଢ଼ିହେବ । ବିସ୍ଫୋଟ ରୂପକ ଖେଳିଲା ବାସ୍ତବତାର କାହାଣୀ , ନିର୍ଭୟରେ ସତ୍ୟତାକୁ ପ୍ରତିପାଦନ କରିବାକୁ ପଛଘୁଞ୍ଚା କେହି ଦେଲେ ନାହିଁ । ତାହା ସରକାର ବିପକ୍ଷରେ ହେଉ କିମ୍ବା ସମାଜ ! ଅପରପକ୍ଷେ ବାସ୍ତୁବାଦୀତାରେ ଯଦି କାହା ସପକ୍ଷବାଦୀ ହେବାକୁ ପଡୁଛି ସେଥିରେ ମଧ୍ୟ ଅନିଚ୍ଛାର ତିଳେ ମାତ୍ର ଭୃକୁଞ୍ଚନ ଦେଖିବାକୁ ମିଳେ ନାହିଁ । ସେଇଥିପାଇଁ ହୁଏତ ନୂତନ ପିଢ଼ୀର ଲେଖାରେ ବିଦ୍ରୋହ , ବାସ୍ତବ ଓ ନିରାଧାରବାଣୀ ଅଧିକ ଦିଶେ । ସେଇ ବାସ୍ତବତାର ଛାୟାଚିତ୍ର ଆଙ୍କିବାରେ କଥାକାର ଶ୍ରୀମତୀ “ସ୍ୱାଗତିକା ନାୟକ” ସିଦ୍ଧହସ୍ତା ।
ଗୃହିଣୀ ଜୀବନରେ ସାହିତ୍ୟର ବିଶାଳ ବୃକ୍ଷରେ ଅରୁରୁକ୍ଷା ରହିବା କେତେ ଯେ କଷ୍ଟରୋମାଞ୍ଚ ତାହା ଗାଳ୍ପିକାଙ୍କ ସହିତ କଥା ହେଲେ ହିଁ ଅନୁଭବ କରିହୁଏ । ଗାଳ୍ପିକା ମତ ରଖନ୍ତି “ଜୀବନରେ ଗଳ୍ପ ଓ ଗଳ୍ପରେ ଜୀବନ” ଅର୍ଥାତ ଗଳ୍ପ ଜୀବନରୁ ଓହରି ଗଲେ ମନୁଷ୍ୟ କଷ୍ଟ ଓ ରୋମାଞ୍ଚ ଦୁହିଁଙ୍କୁ ହରେଇ ବସିବ । ସେଇ ଅନୁଭବ ହିଁ ଆଣିଦିଏ ତାଙ୍କ କଲମରୁ ଶହଶହ ଅଣୁଗଳ୍ପ “ଧାଡ଼ିଏ ଗପ” ଏବଂ ପ୍ରଥମ ଗଳ୍ପ ସଙ୍କଳନ ପୁସ୍ତକ “ଧୂସର ପାହାଡ଼ ଓ ନୀଳବର୍ଷା ।” “ଶ୍ରଦ୍ଧା ପ୍ରକାଶନୀ” ଦ୍ୱାରା ପୁସ୍ତକଟି ୨୦୨୩ ମସିହା ଶେଷରେ ମୁଦ୍ରଣ ହୋଇ ତା ୨୧.୦୧.୨୦୨୪ ରିଖ ରେ ଉନ୍ମୋଚିତ ହୋଇସାରିଥିଲା । ଅବଶ୍ୟ ଲେଖିକାଙ୍କୁ ମୁଁ “ବାଙ୍କୀରେ ବନ୍ୟା ଓ ମାନବ ଦାଶର ଚିଠି” ଗଳ୍ପରୁ ହିଁ ଚିହ୍ନି ଆସିଥିଲି । ଅବଶ୍ୟ ଗଳ୍ପ ସାଙ୍କଳନରେ ମୁଁ ଭଲପାଇଥିବା ଗଳ୍ପଟି ସ୍ଥାନିତ ନଥିବାରୁ ଟିକିଏ ମନଊଣା କରିଥିଲି ।
ସଙ୍କଳନରେ ରହିଛି ୨୨ଗୋଟି ସୁନ୍ଦର ସରସ ଗଳ୍ପ । ଗଳ୍ପ ଗୁଡ଼ିକରେ ମିଳୁଛି ସ୍ୱାଗତିକାଙ୍କ ଦୃଶ୍ୟ ଓ ଭାବନାର କଠିନ ସତ୍ୟ । ଯେପରି ପ୍ରଥମ ଗଳ୍ପରେ ନିଜର ସ୍ୱୀକାରୋକ୍ତି ! କଥାକାର ଗଳ୍ପରେ ନରହେ ସେ କି ଗଳ୍ପ ? ସେଇଥିପାଇଁ ନିଜ କଥାରୁ ଆରମ୍ଭ କରିଛନ୍ତି ଗଳ୍ପ , ବାସ୍ତବ , ପ୍ରେମ , ସୌହାର୍ଦ୍ଦ୍ୟ ଓ ନାଲିଚାହାର ମହକରୁ । ଏବଂ ସେଇ ସମାନ ଉପାଦାନର ଅଭାବ ଗୁଡ଼ିକ ଯେ କେତେ ପୀଡ଼ା ଦାୟକ ତାହା ଦ୍ଵିତୀୟ ଗଳ୍ପ “ସନ୍ଦେହର ନଗ୍ନ ଚିତ୍ର”ରୁ ସ୍ପଷ୍ଟ ପ୍ରମାଣିତ । ପୂର୍ବ ଗଳ୍ପର ପାରସ୍ପରିକ ପ୍ରତିଦ୍ବନ୍ଦିତା ଓ ଗୁଣାତ୍ମକ ଶୈଳୀରେ ପାରିବାରିକ ସମସ୍ୟାକୁ କିପରି ଅଣାୟତ ହୋଇପଡ଼େ ସାମାନ୍ୟ ସନ୍ଦେହରୁ , ତାହା ଲିଖନୀ ଶୈଳୀକୁ ସାଧୁବାଦ ।
କିନ୍ତୁ ଦ୍ଵିତୀୟ ଗଳ୍ପରେ ଗୋଟିଏ ବ୍ୟତିକ୍ରମ ଦେଖିବାକୁ ମିଳିଲା କି “କାହାଣୀର ଶୀର୍ଷ ନେତୃତ୍ୱ ଅର୍ଥାତ ପରେଶଙ୍କ ଡାଇରୀ ପଢ଼ିଥିବା ବ୍ୟକ୍ତି କିପରି ନିଜର ଫୋନ ନମ୍ବର ଜଣେ ପଗେଳୀଙ୍କ ପାଇଁ ଛାଡ଼ି ଆସେଲେ ଯିଏ ସବୁ ସମସ୍ୟାର ଜଡ଼ ଓ ହୁଏତ ଡାଏରୀ ପଢ଼ି ପୁଣି ପାଗେଳୀ ହୋଇପାରନ୍ତି ?” ତାହା ବିଚାରଯୋଗ୍ୟ ଓ ସମାଲୋଚନାର ସରବ୍ୟ ଅବଶ୍ୟ ।
ତୃତୀୟରୁ ଚାରିଟି ଗଳ୍ପ , “ବନ୍ଧ୍ୟାମାଟି ,ଫରୁଆ , ଚିତ୍ରା ସ୍ୱାଇଁ ଓ ଅଭିଶାପ” ଗୋଟିଏ ଚତୁର୍ଭୁଜା ନାରୀ ସହନଶୀଳତାର ରେଖାଖଣ୍ଡମାନ ! ସେଇ ରେଖାଖଣ୍ଡ ମଧ୍ୟରେ ସମାବିଷ୍ଟ ଚାରୋଟି କୋଣରେ ଲେଖିକା ଚିହ୍ନାଇଛନ୍ତି ପୁରୁଷର ଆତ୍ମକୈନ୍ଦ୍ରିକ ସୁପ୍ତ ଅଭିଳାଷ , ଫମ୍ପା ପୁରୁଷତ୍ୱ , ନିରୋଳା ଏକ ପ୍ରେକିକ ଓ ବୁଝାମୁଣାର ଏକ ନୂଆ ସମ୍ବନ୍ଧ । ଯଦି ଚାରୋଟିରୁ ଗୋଟିଏ ଗଳ୍ପ ମୋ ନିଜପାଇଁ ବାଛେ ତେବେ ଚତୁର୍ଥ ଗଳ୍ପରେ ଥିବା ହୁଏତ ମୋର କୌଣସି ପାପକୁ ମୁଁ ବାଛିବି । ଯଦି ଆପଣ ଭାବନ୍ତି ମୁଁ ପାପ କାହିଁକି ବାଛିଛି ତେବେ ମୋ ମତରେ “ପାପ ହିଁ ତ ନିଜ ଭିତର ଉଜ୍ଜ୍ୱଳ ଆତ୍ମଗ୍ଲାନି କିମ୍ବା ଅନୁତାପ !” କିଏ ପାପ ନକରେ ?
କିନ୍ତୁ ପାପପୁଣ୍ୟର ପରପାରେ ପ୍ରେମ କି ! ଗଳ୍ପ “ବୁଝାମଣା” ଓ “ଶ୍ୟାମାଙ୍ଗୀ”ରେ ଯେଉଁ ପ୍ରେମ ଉଲ୍ଲେଖ ଅଛି ସେଥିରେ କୌସ୍ତୁଭ ଓ ସୁବ୍ରତ ଏମିତି କି ପାପ କରିଥିଲେ ଯେ , ଯାହାଙ୍କୁ ନା ଅନୁତାପ ଥିଲା ନା ଆତ୍ମଗ୍ଲାନି ! ଥିଲା କେବଳ ସମୟ ଓ ପରିସ୍ଥିତିର ସାମ୍ନା । ପୁରୁଷର ପୂର୍ବ ପାପ ନା ନାରୀର ପ୍ରାରବ୍ଧ ପାପ ? ତଥାପି ପାଠକ ଯଦି ନିରେଖି ତର୍ଜମା କରେ , ଅନୁଭବ ହେବ ଗୋଟିଏ ଗଳ୍ପର ଦୁଇଟି ଚିନ୍ତାଧାରାକୁ ହିଁ ଲେଖିକା ଏଠାରେ ନିଜ ଶୈଳୀ ମାଧ୍ୟମରେ ଅଲଗା କରିବାକୁ ଚେଷ୍ଟା କରିଛନ୍ତି । ଯାହା କ୍ଵଚିତ ପଢ଼ିବାକୁ ମିଳେ ଗୋଟିଏ ସଙ୍କଳନରେ । ଏହା ହିଁ ଚାତୁର୍ଯ୍ୟତା । ଗଳ୍ପ ଉପସ୍ଥାପନର ଯେଉଁ ଶୈଳୀ ରହୁଛି ତାହା ମୁଖ୍ୟ ଆକର୍ଷିତ କରିବ ପାଠକଙ୍କୁ । ବିଭୋର କରିବ କିଛି ଚରିତ୍ର ଓ କାହାଣୀ । ହୁଏତ କିଛି ପାଠକଙ୍କୁ ଦୁଃଖୀ କରେଇବ ଗଳ୍ପର ଅଳ୍ପ ଦୀର୍ଘତା !
ଗଳ୍ପ କ୍ରମାଙ୍କ ‘୯’ , “କଖାରୁ ଫୁଲ” । ଗଳ୍ପର ନାଁ’ ବାଛିବା ଓ ସେଇ ନାଁ’କୁ ଚରିତ୍ର ରୂପକ ପ୍ରେମରେ ରଙ୍ଗେଇବାରେ ଯେଉଁ ମାଧୁର୍ଯ୍ୟତା ଉପଭୋଗ କରେ ଲେଖକ/ଲେଖିକା ଯଦି ଠିକ ସେଇ ମାଧୁର୍ଯ୍ୟତାର ଆକର୍ଷଣ ପାଠକର ମନରେ ତୀବ୍ର ରହିପରିଲା ଗଳ୍ପର ଶେଷ ଶବ୍ଦ ପର୍ଯ୍ୟନ୍ତ ତେବେ କାହାଣୀ ଓ କାହାଣିକାର ସଫଳ ହେଲା ବୋଲି ଜାଣ । ଏଇ ଗଳ୍ପଟି ଠିକ ସେଇ ମନୋଭାବର ସହିତ ଲେଖା ହୋଇଛି ଓ ମୋ ଦୃଢ଼ତା ଯେ ପ୍ରତ୍ୟକ ପାଠକ ପଢ଼ିପାରିବେ ସେଇ ମନୋଜ୍ଞ ନେଇ । କିନ୍ତୁ ତାହାର ଓଲଟା ଘଟିଛି ପରବର୍ତ୍ତୀ ଗଳ୍ପରେ । ହୁଏତ ଏହା ମୋ ପୂର୍ବ ଗଳ୍ପ ପଠନର ପୂର୍ବନିଶା ହୋଇଥାଇପାରେ ! ଅସମ୍ଭବ ନୁହେଁ , କିନ୍ତୁ ଗଳ୍ପରେ ଯେଉଁ ସ୍ପଷ୍ଟତା ତାହା ମିଳିଲା ନାହିଁ ।
ଶବ୍ଦ , ସାହିତ୍ୟ ଓ କାହାଣୀ ପଟ୍ଟଭୂମିରେ ଲେଖିକା ଯେଉଁ ଛାପ ଛାଡୁଛନ୍ତି ପ୍ରତ୍ୟକ ଗଳ୍ପରେ ତାହା ଆଲୋଚନା ଅନ୍ତର୍ଭୁକ୍ତ । ଆଧୁନିକ ସାହିତ୍ୟରେ ଅଧିକାଂଶ ପ୍ରତାରଣା , ହତ୍ୟା , ଘୃଣା କିମ୍ବା ଅବୁଝା ପ୍ରେମ ପୁଳେ ରଖି ନୂଆ କଥାକାର କଦର୍ଥ କରିପକାନ୍ତି । କିନ୍ତୁ ଶ୍ରୀମତୀ ସ୍ୱାଗତିକା ନାୟକଙ୍କ ଗଳ୍ପରେ ମୁଖ୍ୟତଃ ପାରିବାରିକ ସମସ୍ୟା ଉତ୍ତାରେ ମିଳୁଛି ଶହନଶୀଳତା , ବୁଝାମଣା , ମିଠା-ଖଟା ସମ୍ପର୍କ ଓ କିଛି କର୍ମଫଳ । ପ୍ରେମ ଓ ପରିବାର ମଧ୍ୟରେ ଦୃଢ଼ତାର ସହିତ ନାୟକ ଚୟନ କରୁଛି ନିଜ ଭାବିତବ୍ୟ ତ ସମାନ ପରିସ୍ଥିତିରେ ନାୟିକା ଆପଣାଇ ନେଉଛି କପାଳ ଭବିଷ୍ୟତ । ପୁଣି କେବେ ଭେଟ ହେଉଛି ଅଚାନକ ଦୁଇଟି ବିପରୀତ ଚାରିତ୍ରଙ୍କ ବ୍ୟତିକ୍ରମ ଜୀବନ ! ସୃଷ୍ଟି ହେଉଛି ଝଡ଼ , ପ୍ରତିଦାନ , ପ୍ରଣୟ ଓ ପ୍ରେରଣା ।
"ସ୍ୱାଗତିକାଙ୍କ ଗଳ୍ପରେ ମିଳୁଛନ୍ତି ପ୍ରେମ , ପ୍ରଣୟ ଓ ପ୍ରତିଦାନର କଥା କହୁଥିବା ଏକ ଶତାବ୍ଦୀକ ଈଶ୍ୱର !।"
ଏହା ଉଲ୍ଲେଖ କରିବାର ସମସାମୟିକ କାରଣ “ଝୁମୁରି” !। ଦୁଇଟି ପୃଷ୍ଠାରେ , ଦୁଇଟି ସରଳ ନିଷ୍ପାପ ଜୀବନର ଏତେ ସୁନ୍ଦର ଅନୁଶୀଳନ ହୁଏତ ପୂର୍ବ ଏଗାରଟି ଗଳ୍ପରେ ମିଳିଥିବ କିନ୍ତୁ ଝୁମୁରି ଓ ପଡଦିଆର କାହାଣୀରେ ଯେଉଁ ନିଷ୍କଳଙ୍କ ଅର୍ଘ୍ୟ ଅଛି ତାହା ଅନ୍ୟ ଗଳ୍ପରେ ନଥାଇପାରେ ! ଯେତେବେଳେ ଝୁମୁରି ପଦିଆର “ତୁ କ’ଣ ସତରେ ପ୍ରଧାନ ଘରେ ବାହା ହବୁ ?” ପ୍ରଶ୍ନର ଉତ୍ତରରେ କହିଲା “ବାପା କଥା ଦେଇଛି , ପ୍ରଧାନ ଘର ହେଉ କି ରାଉତ ଘର । ବାପାର ଇଛା ଯୋଉଠି ସେଇଠି ବାହା ହେବି ।” ସେଇଠି କେତେ କ’ଣ ଘଟି ଯାଉଛି ନା !!! ସେଇମିତି କଖାରୁ ଫୁଲ ଗଳ୍ପରେ ଛୋଟ ପୁଅର ସେ କଖାରୁ ଫୁଲ ଚିତ୍ର ? “କୋଉ ଚିତ୍ରା ?” , ମନେଅଛି ସେ ଗଳ୍ପର ଏଇ ଗୋଟିକ ପଂକ୍ତି ? ଏବଂ ‘ବନ୍ଧ୍ୟାମାଟି’ରେ ବସୁଧା କହିଥିଲା “ମୋ ପୁଅ ଠିକ୍ ତା ବାପା ଭଳି ହବ ।” ଯଦି ଆପଣ ପଢ଼ିବେ ଅନୁଭବ କରିପାରିବେ ଗଳ୍ପ କିପରି କଥା କହେ , ଈଶ୍ୱରଙ୍କ ସଦୃଶ ଆଶୀର୍ବାଦ ଅଜାଡ଼େ । କେତେ କ’ଣ ଘଟିଯାଏ ଛାତି ଭିତର କୋରଟରେ ଗଳ୍ପ ଗୁଡ଼ିକ ପଢ଼ିଲା ବେଳେ । ସମୁଦ୍ର ଓ ଆମ ଭିତର ସମ୍ପର୍କର ଫେଣ୍ଟାଫେଣ୍ଟି ଅତୀତ ସାଉଁଟିଲାବେଳେ । ଯେମିତି ଗଳ୍ପ “ଘରଭାଙ୍ଗି” ରେ କମଳର କଥାରେ ବୋଉ ରଖିଲା “ମାଇକିନା ଝିଅ ସନମାନ କ’ଣ ଖୋଜିବୁ ?” ହଁ , ଗଳ୍ପଗୁଡ଼ିକରେ ପୁରୁଷ କିମ୍ବା ନାରୀର ଦୁଃଖ କି ସୁଖ ଯଦି ତଉଲା ଯାଏ ତେବେ ଏଇ ଗଳ୍ପ ପୂର୍ବ ପର୍ଯ୍ୟନ୍ତ ହୁଏତ ପାଠକ ସନ୍ଦିହାନ ରେ ରହିଥିବ କି କାହାର ହୃଦୟ ଅଧିକ ଫାଟି ବହିଛି ଲହୁ-ଲୁହ-ଲୟ ! କିନ୍ତୁ ଏ ଗଳ୍ପ ପରେ ନିକିତିର ନାରୀପକ୍ଷ ଓଜନ ହୋଇପଡ଼ିବ । ଅବଶ୍ୟ ନାରୀ ମାଟି , ମା’ଟି । ଓଜନ ଆକାଶ ଠାରୁ ଅଧିକ । ନୁହେଁ ? ଆକାଶକୁ କେବେ ମାପିଛ ? ନା ! ତେବେ ମାଟି ହିଁ ଓଜନ ।
ଗଳ୍ପ “ସବାଖାଇ” ପୂର୍ବରୁ ପଢ଼ିଥିଲି । ପ୍ରାୟ ୮/୧୦ ଧାଡ଼ି ପଢ଼ିଲା ପରେ ମନେପଡ଼ିଲା ଗଳ୍ପର ପୃଷ୍ଠଭୂମି । ଗଳ୍ପରେ ଦୁଇଟି ଉଦାହରଣ ଦିଆ ଯାଇଅଛି ; ଅବଳା ହୋଇ ମୃତ୍ୟୁକୁ ଅପେକ୍ଷା କର ନଚେତ ସବଳା ହୋଇ ପ୍ରତିକାର ଖୋଜ । ନିର୍ଭର ନାରୀର ସ୍ୱୟଂଚିନ୍ତା ଉପରେ । କିନ୍ତୁ ନାରୀର ଏ ସ୍ୱୟଂସିଦ୍ଧା କେତେ ଯୁକ୍ତିଯୁକ୍ତ କିମ୍ବା କେତେ ବିଧେୟ କିଛି ପୁରୁଷ ପାଖେ ? “ମନକଥା” ଗଳ୍ପରେ ନାରୀ ସ୍ୱୟଂ ସମର୍ପିତା ହୋଇଉଠୁଛି ଅର୍ଥାତ ଏକ ପାଖେ ଲେଖିକା ରଖୁଛନ୍ତି ଏକପ୍ରକାର ମନୋଜ୍ଞ ଯୁଦ୍ଧ ମୋ ମତରେ । କେବଳ ମନକଥା କୁ ନୁହେଁ “ଜେଜେମା” ଗଳ୍ପରେ ମଧ୍ୟ । ନାରୀର ଭିଭକ୍ତିକରଣ କରାଉଛନ୍ତି ଲଲମ ଓ କାହାଣୀ ମାଧ୍ୟମରେ । ଯୁବା ଓ ବୃଦ୍ଧାରେ କିପରି ମାନସ୍ତାତ୍ଵିକ ପଟ୍ଟଭୂମି ବଦଳେ ପ୍ରତ୍ୟକ ଗଳ୍ପରେ ଧୀରେ ଧୀରେ ପାଖୁଡ଼ା ଖୋଲିଲା ଭଳି ନିରେଖି ଦେଖିଲେ ଜାଣିହେଉଅଛି । ନଚେତ “ଘର ବାହୁଡା଼" ଗଳ୍ପରେ ପ୍ରଥମରୁ ମୋ ଭଳି ଝୁଣ୍ଟିବେ ! ହଁ , ମୋତେ ଅନୁଭବ ହେଉଥିଲା ପୁରୁଷ ଓ ନାରୀର ଛୋଟ ଛୋଟ କଥାରେ ଜଣେ ଘର ଛାଡ଼ି ଚାଲିଯିବାର କାରଣ କ’ଣ ହୋଇପାରେ ? ଗଳ୍ପଟି ନିରସ ରହିବ କି ! କିନ୍ତୁ ନା , ଶେଷକୁ ସୁଚାରୁରୂପେ ଅତି ଚମତ୍କାର ଶୈଳୀରେ ସାରିଦେଲେ ଗାଳ୍ପିକା । ସାଧୁ ସାଧୁ…!!!
ଏବେ ପ୍ରତୀକ୍ଷିତ ଗଳ୍ପ “ଧୂସର ପାହାଡ଼ ଓ ନୀଳବର୍ଷା” ପାଇଁ ଖୁସି ଲାଗିଲା କି ଗଳ୍ପଟି ଶୀର୍ଷକକୁ ସାର୍ଥକ କରିଛି । ଜଣକୁ ଉହ୍ୟ ରଖି ସେଇ ଜଣକୁ ଝୁରେଇବାର ଯେଉଁ ନୂତନତ୍ୱ ପାଠକ ପାଇବେ ତାହା ଭିନ୍ନ ସ୍ୱାଦ ଦେବ । ସତରେ , ଧୂସର ଜୀବନରେ ପ୍ରେମ ନୀଳ ବର୍ଷା ହୋଇ ଫେରେ । ଗଳ୍ପରେ ଚରିତ୍ର ଚୟନ , କାହାଣୀ ଚୟନ ଓ ଶୀର୍ଷକକୁ ନେଇ ପାଠକଙ୍କ ମନ ଜିତିବା ଲେଖିକା ଠିକ୍ ବୁଝିଛନ୍ତି ।
ଶେଷ ତିନିଗଳ୍ପ । ପ୍ରଥମ ଗଳ୍ପ "ମୁଠେ ଆକାଶ"ରେ ଚିମୁଟେ ଜୀବନକୁ ଖୁବ୍ ଆଙ୍କିଲେ କଥାକାର । କିନ୍ତୁ ଶେଷ ଦ୍ଵିତୀୟ ଗଳ୍ପରେ ଟିକିଏ କୃପଣତା ଦେଖାଇଲେ ଶ୍ରୀମତୀ ସ୍ୱାଗତିକା । “ସେ” ଗଳ୍ପରେ ଯେଉଁ ଅଲୌକିକତାକୁ ଖୋଜିଲେ ତାହା ଅବିସ୍ତାର ହୋଇଉଠିଲା ! କୌଣସି ବାଧା ନଥିଲେ ମଧ୍ୟ ଇଶ୍ୱରଙ୍କ ସାନିଧ୍ୟ ପ୍ରାପ୍ତିର ଖୁବ୍ ସୁନ୍ଦର ଅନୁଶୀଳନ ହୋଇଅଛି । ତିନି ଗଳ୍ପରେ ଶେଷ ପର୍ଯ୍ୟାୟରେ ଚରିତ୍ର “ମାନବ” , ମନେପଡ଼ିଯାଉଛି ।
ପ୍ରତ୍ୟକ କାହାଣୀ ନିଜନିଜ ଭିତରେ ଏକ ଭିନ୍ନ ‘ସ୍ୱାଗତ’ । ଗାଳ୍ପିକାଙ୍କ ଏଇ ପ୍ରଥମ ଗଳ୍ପ ସଙ୍କଳନ ଓଡ଼ିଆ ସାହିତ୍ୟ ଓ ଗଳ୍ପ ଜଗତରେ ଶ୍ରଦ୍ଧା , ଆଶୀର୍ବାଦ ଓ ସମ୍ମାନ ପାଉ ଏଇତିକି ମୋର ଆଶା । ଆଶାକରୁଛି ପାଠକ ପାଠିକାଙ୍କ ଜୀବନରେ ଗଳ୍ପରେ ଥିବା ଚରିତ୍ର ଗୁଡ଼ିକ ସ୍ନେହ , ପ୍ରେମ ଓ ଉଦ୍ଦୀପନା ଆଣିଦିଅନ୍ତୁ ।
ଗଳ୍ପ ସଙ୍କଳନ ଉନ୍ମୋଚନ ବେଳର ଅମୃତ ମୁହୂର୍ତ୍ତ...
✍️ ହିମାଂଶୁ ଭୂଷଣ ସାହୁ

