HIMANSHUBHUSHAN SAHOO

My photo
ନିରୋଳା ଦେଖି ଗଳ୍ପ ଗୁଡିକ ମୋତେ ପ୍ରଶ୍ନ କଲେ "ତୁ ଗଳ୍ପ କେମିତି ଲେଖୁ ?" ମୁଁ ହସିଦେଇ କହିଥିଲି "ଆପଣ ନିଜକୁ ଦେଖନ୍ତୁ , ନିଜ ଚତୁର୍ଦ୍ଦିଗ କୁ ଅନୁଭବ କରନ୍ତୁ ! ଅସରନ୍ତି ସୁଖ-ଦୁଃଖ , ଅକଳନ ହାନି-ଲାଭ , ଗଭୀର ପ୍ରେମ-ବିରହ , ଅପର୍ଯ୍ୟାପ୍ତ ଜନ୍ମ-ମୃତ୍ୟୁ !!! ସବୁତ ପ୍ରଦର୍ଶିତ ଏଠି " ଆଉ କବିତା କ'ଣ କହିଲା ଜାଣନ୍ତି ? କହିଲା, "ତୁ' ତ ନିଜକୁ ଗାଳ୍ପିକ ଭାବିଛୁ , କବିତା କିପରି ଲେଖିବୁ ?" ମୋ ଉତ୍ତର ଥିଲା.. " ସତେ'ତ ! ତୁମ ହସ ହସ ତୃପ୍ତ ବଦନରୁ ଟିକିଏ ଦୁଃଖ ଟାଣିଆଣି.. ଗାରେଇ ନଦେଲେ ମୋ ଭାବନାରେ ! ସେ କି କବିତା ?"

Wednesday, November 26, 2025

ଝରକା ସେପାଖ :- ନିଜପାଖ ପୃଥିବୀର ବିଶ୍ଳେଷଣପକ୍ଷ…

   ସେଦିନ ଥାଏ ନଭେମ୍ବର ୨୩ ରବିବାରର ଏକ ସ୍ୱଚ୍ଛ କଅଁଳ ପ୍ରଭାତ । ସ୍ଥାନ:- ପାଣିକୋଇଲି ସ୍ଥିତ ଏକ ବିଜ୍ଞାନ ମହାବିଦ୍ୟାଳୟର ପରିସର ଯେଉଁଠି ଯାଜପୁର ଜିଲ୍ଲା ଅପରାହ୍ନ ସାହିତ୍ୟ ପକ୍ଷରୁ ଆୟୋଜନ ହୋଇଥାଏ ସାହିତ୍ୟ ବନ୍ଧୁ ମିଳନ ପର୍ବ ଓ ସେଇ ପର୍ବରେ ଉନ୍ମୋଚିତ ହେଲା କବୟତ୍ରୀ ଶ୍ରୀମତୀ ସୁପ୍ରିୟା ମହାନ୍ତିଙ୍କ ପ୍ରଥମ କବିତା ସଂକଳନ “ଝରକା ସେପାଖ” । ଉନ୍ମୋଚିତ କରିଥିଲେ କେନ୍ଦ୍ର ଶିଶୁ ସାହିତ୍ୟ ପୁରସ୍କୃତ କବି ଶ୍ରୀଯୁକ୍ତ ରାଜକିଶୋର ପାଢ଼ୀ , ବରିଷ୍ଠ ସାମ୍ବାଦିକ ଓ କବି ଶ୍ରୀଯୁକ୍ତ ଭକ୍ତ ଚରଣ ସାହୁ , ଶ୍ରୀଯୁକ୍ତ ପ୍ରଭାତ କୁମାର ମଲ୍ଲିକ , ଶ୍ରୀଯୁକ୍ତ ବଂଶୀଧର ଜେନା ,ଶ୍ରୀଯୁକ୍ତ ଶରତ ପାତ୍ର(କଥାକାର ଓ ଡ଼ି.ଏସ୍.ପି , ପୋଲିସ ବିଭାଗ) , ଶ୍ରୀମତୀ ଲକ୍ଷ୍ମୀପ୍ରିୟା ଦାସ ଓ ଶ୍ରୀଯୁକ୍ତ ଅରୁଣ କୁମାର ଦାସ ପ୍ରମୁଖଙ୍କ ସହିତ ଅନେକ ଗୁଣି ସୁସାହିତ୍ୟିକ ସମ୍ପନ୍ନ ବ୍ୟକ୍ତି ।

  ବହିଟି ଉନ୍ମୋଚିତ ପରେ ମୁଁ ଖେଳାଇଦେଲି ଗୋଟିଏ ପୃଷ୍ଠା ।

      “...ମନେ ଭାବାନ୍ତର ସୃଷ୍ଟି କରିଦେଇ

        ବୋଝ ଲଦିଲେ ମଥାରେ

        ଶୈଶବ ମସ୍ତିଷ୍କ ବଳି ପଡ଼ିଗଲା

       ମମତାକୁ କିଏ ପଚାରେ ?....”

   ଆଃ…. କେତେ କରୁଣ ଅନୁନୟ ଏ ସମାଜର ବିଭତ୍ସତା ପ୍ରତି ! ସମାଜ ବାତ୍ସଲ୍ୟରୁ ତ ଆରମ୍ଭ ନିଏ , କିନ୍ତୁ ଆଜିର ସମାଜରେ ତାହା କେତେ କଳୁଷିତ ହୋଇଉଠୁଛି ତାହାର ପ୍ରତିବାଦ ଏଇ କବିତାଟି । ସେଇ ସୂକ୍ଷ୍ମ ପ୍ରତିବାଦ ଦେଖିବାକୁ ମିଳିଲା କବିତା “ହଜିଯାଇଛି ମୋ ପିଲାଦିନ” ଓ ଦ୍ଵିତୀୟ କବିତାରେ ।

      ଅର୍ଥାତ 

     “ମୁଁ ସେହି ନାରୀ , ଯାହାକୁ ସମାଜ ଭାବେ ଅଦରକାରୀ ।

      ସମାଜକୁ ଜନ୍ମଦେଲି ନିଜ ଗର୍ଭ ଚିରି…”

   କବୟତ୍ରୀଙ୍କ ଉଦାର ହୃଦୟରେ ଏ ବିରୋଧାତ୍ମକ ଆଚରଣ ଅଳ୍ପ ଥିବା ସତ୍ୱେ ଅଧିକ ରହୁଛି ଉଦାରଭାବ । ଗୋଟିଏ କବିତାର କୀୟଦଂଶ ଏପରି…

    “...ଉଚ୍ଚ ଶିକ୍ଷା ପାଇଁ ଆଗକୁ ବଢ଼ିଲେ

       ସାଙ୍ଗଟିଏ ଆସି ପଚାରେ

       ସୁଟକେଶ ସାଙ୍ଗ ପରଖି ନେ ରେ

       କିଛି ରହିଲା କି ପଛରେ ?”....

                   ଏବଂ

    … “ଦେହରୁ ଜୀବନ ଚାଲିଗଲା ପରେ

         କ’ଣ ବା ରହିବ ପଛରେ ?”...

    ଗୋଟିଏ ଅତ୍ମବୋଧ ଯେପରି ଟାଣିଓଟାରି ହେଉଛି ଏଇଠାରେ । ଲାଗିଲା ଯେପରି କବିତାଟି ଆଗରୁ ପଢ଼ିଛି । ହୁଏତ ସେଇଥିପାଇଁ ଅତ୍ମୀୟତା ଲାଗୁଛି । ଅବଶ୍ୟ କିଛି କବିତାରେ ଅଧିକ ଆଶା ରହିଯାଉଛି ମୋର । ଲାଗେ କବିତାରେ ସମାଜ ପାଇଁ ଯେତିକି ସ୍ୱର ଉତ୍ତୋଳନ କରାଯାଇଛି ତାର ସମକାଳୀନ ସ୍ଥିତିର ବ୍ୟାଖ୍ୟାର କିଞ୍ଚିତ ଅଭାବବୋଧ ରହିଯାଉଛି । ଶବ୍ଦ ଓ ସାହିତ୍ୟର ସଂହତି ଟିକିଏ କମି ଆସିଛି ।

   କବୟତ୍ରୀ ସୁପ୍ରିୟା ମହାନ୍ତିଙ୍କ କବିତାରେ ପୁଣି ମିଳୁଛି କ୍ଷୁଦ୍ର କବିତରେ ବୃହତ୍ତମ ପଦନାଦ । 

      “ମାଆର ଗାଳି ତ ନିମପତ୍ର

      ଆକଟ ତୁଳସୀ

      ସେନେହ ଶରଧାବାଲି

      ନାଲିଆଖି ଶାଗ ମିଶାମିଶି ।”

   ସଂତୃପ୍ତ ଏ କବିତାର ମର୍ମ । ଏକ ସ୍ୱୟଂ ସମ୍ପୂର୍ଣ୍ଣ ଅନୁଧାବନର ଯାତ୍ରା । କଲମର କାଳୀରେ ବେଳେବେଳେ ସମାଜର କାଳୀମା ଆଙ୍କିଛନ୍ତି ତ ବେଳେବେଳେ ସମ୍ପର୍କର ଇନ୍ଦ୍ରଧନୁ । କବୟିତ୍ରୀଙ୍କ ଶିକ୍ଷକତା ଓ ପାରିବାରିକ ଜୀବନର ଅନୁଭୂତି ଅଧିକ ରୁଦ୍ଧିମନ୍ତ କରୁଛି କବିତା ଗୁଡ଼ିକୁ । ପ୍ରଥମ ବହି ସର୍ବଦା କଥାକାରର ନିଜ ହୃଦୟ ସମୀପରେ ରହେ । ଆଶାକରୁଛି “ଝରକା ସେପାଖ” କବିତା ସଙ୍କଳନ ଠିକ ସେଇପରି ପାଠକଙ୍କ ହୃଦୟରେ ବାସ କରିବ । ଅନେକ କବିତାର ସାରରେ ପାଠକଟିଏ ନିଜ ମନକୁ ସମାଜ ଚଳଣୀର ବିମୁଖତାକୁ ତଉଲି ପାରିବ ।

                                 ◆◆◆

   କବୟତ୍ରୀଙ୍କୁ ଏ ସାହିତ୍ୟ ଯାତ୍ରାର ଅଶେଷ ଶୁଭେଚ୍ଛା , କବୟତ୍ରୀ "ସୁପ୍ରିୟା ମହାନ୍ତି"ଙ୍କ ପ୍ରଥମ କବିତା ସଙ୍କଳନ "ଝରକା ସେପାଖ" ବହିର ଏହା ଏକ ସୂକ୍ଷ୍ମ ଅଭିମତ । ଆଶାକରୁଛି ତାଙ୍କ ଏ ଯାତ୍ରା ସୁଗମ ଓ ସାହିତ୍ୟ ସମ୍ପନ୍ନ ହେଉ ।🙏 ….




✍️ହିମାଂଶୁ ଭୂଷଣ ସାହୁ
ସୋଲଗାଡ଼ିଆ , ଢେଙ୍କାନାଳ , ୭୫୯୦୧୬



"ଗୌରୀପ୍ରଭା"ର ପ୍ରଥମ ବର୍ଷ

 ଏବେ “ ଗୌରୀପ୍ରଭା ” ପହଞ୍ଚିଛି ତୃତୀୟ ବର୍ଷରେ । ତିନି ବର୍ଷର ଯାତ୍ରାରେ ଭେଟିଛି ଅନେକ ଅନୁଭବ । ଆସନ୍ତୁ ଜାଣିବେ “ଗୌରୀପ୍ରଭା” ବାର୍ଷିକ ପତ୍ରିକାର ପ୍ରଥମ ବର୍ଷର ପା...