HIMANSHUBHUSHAN SAHOO

My photo
ନିରୋଳା ଦେଖି ଗଳ୍ପ ଗୁଡିକ ମୋତେ ପ୍ରଶ୍ନ କଲେ "ତୁ ଗଳ୍ପ କେମିତି ଲେଖୁ ?" ମୁଁ ହସିଦେଇ କହିଥିଲି "ଆପଣ ନିଜକୁ ଦେଖନ୍ତୁ , ନିଜ ଚତୁର୍ଦ୍ଦିଗ କୁ ଅନୁଭବ କରନ୍ତୁ ! ଅସରନ୍ତି ସୁଖ-ଦୁଃଖ , ଅକଳନ ହାନି-ଲାଭ , ଗଭୀର ପ୍ରେମ-ବିରହ , ଅପର୍ଯ୍ୟାପ୍ତ ଜନ୍ମ-ମୃତ୍ୟୁ !!! ସବୁତ ପ୍ରଦର୍ଶିତ ଏଠି " ଆଉ କବିତା କ'ଣ କହିଲା ଜାଣନ୍ତି ? କହିଲା, "ତୁ' ତ ନିଜକୁ ଗାଳ୍ପିକ ଭାବିଛୁ , କବିତା କିପରି ଲେଖିବୁ ?" ମୋ ଉତ୍ତର ଥିଲା.. " ସତେ'ତ ! ତୁମ ହସ ହସ ତୃପ୍ତ ବଦନରୁ ଟିକିଏ ଦୁଃଖ ଟାଣିଆଣି.. ଗାରେଇ ନଦେଲେ ମୋ ଭାବନାରେ ! ସେ କି କବିତା ?"

Saturday, December 20, 2025

ଫଟୋ' ଓ କଥାକାର ଶତ୍ରୁଜିତଙ୍କ ସରୋଜ ଚରିତ୍ର...

 ଦୀର୍ଘ ମାସ ହବ 'ଫଟୋ' ଗଳ୍ପ ସଂକଳନ ଖୋଜୁଥିଲି । ମୋର ମନେପଡୁଛି କି ୨୦୨୫ ଫେବ୍ରୁଆରୀ ମାସ ସାଳନ୍ଦୀ ସାହିତ୍ୟ ମଞ୍ଚରୁ ଶ୍ରୀଯୁକ୍ତ ବିଜୟ ମଲ୍ଲଙ୍କ ମୁଖରୁ ଏ ସଙ୍କଳନ ବିଷୟରେ ଶୁଣିଥିଲି । ସେଇଠୁ ଏହା ପ୍ରତି ମୋର ମୋହ ଜମିରହିଥିଲା । ୨୦୨୫ , ୭ମ ରାଜ୍ୟସ୍ତରୀୟ ପୁସ୍ତକମେଳାରୁ ସଂଗ୍ରହ କଲି ବହିଟି ।

 ବହିର ପ୍ରଥମ ମୁଦ୍ରଣରୁ (୨୦୦୪)

ଲେଖକ: ଶତ୍ରୁଜିତ

ପ୍ରକାଶକ:- ଓଡ଼ିଶା ସାହିତ୍ୟ ଏକାଡେମୀ

ମୂଲ୍ୟ ୪୦ ଟଙ୍କା (ଦ୍ଵିତୀୟ ମୁଦ୍ରଣ ଯଦି ଥିବ ଅଧିକ ଥିବ ନିଶ୍ଚିନ୍ତ)

୧୦ଗୋଟି  ଗଳ୍ପ ।

   ପ୍ରଥମ ଗଳ୍ପ "ଢାଲ" । ଯେହେତୁ ଲେଖକ ନିଜେ ଜଣେ ସାମ୍ବାଦିକ ତେଣୁ ସଂସ୍ଥାର ଯେଉଁ ଟିକିଏ ଗୁମର ରଖିଲେ ତାହା ପଠନ ପ୍ରଯୁଜ୍ୟ । ବାକି ରହିଲା କାହାଣୀ , ଭଲ । ପାଠପଢ଼ା ଯୁବକର ଦରମା ପ୍ରତି ଯେଉଁ ଆକର୍ଷଣ ଥାଏ ତାକୁ ସୁଯୋଗରେ ଲେଖିଛନ୍ତି ଓ ଶେଷ ଭାଗ ଏକ ଅଦ୍ଭୁତ ବିବରଣୀରେ ସାରିଛନ୍ତି ଯାହା ସମାଜରେ ଘଟେ ।

    ଦ୍ଵିତୀୟ ଗଳ୍ପ "ଫଟୋ" ! ପଢ଼ିଲା ପରେ ଜାଣିଲି ଏହା ଏକ ଖଣ୍ଡ ଉପନ୍ୟାସ ହୋଇଥିବ । କାରଣ ପ୍ରଥମ ଗଳ୍ପର ଚରିତ୍ର ଓ କାହାଣୀ ଦ୍ବିତୀୟରୁ ଲମ୍ବିଛି । କିନ୍ତୁ ଗୋଟିଏ କଥା ବୁଝିପାରିଲି ନାହିଁ କି ଯଦି ସଂସ୍ଥା ମାଲିକ ସରୋଜକୁ ଧରି ହଟେଇବାକୁ ଚାହୁଁଥିଲେ(ଗୁଣ୍ଡାଙ୍କ ଦ୍ୱାରା) ତେବେ ସେ ତାଙ୍କ ପାଖେ ଚାକିରୀ ଅବ୍ୟାହତ ରଖିଛି କେମିତି ? ସାମ୍ବାଦିକତାରେ ଏମିତି ହୁଏ କି ? ମୋତେ ଲାଗୁନି ! ତେବେ କାହାଣୀ ଗୋଟିଏ ଚାଂଚଲ୍ୟକର ପରିସ୍ଥିତି କୁ ନେଇ ଲେଖା ହେଉଛି ଏବଂ ହଠାତ ତୃତୀୟ ଗଳ୍ପରେ ଘଟୁଛି ବ୍ୟତିକ୍ରମ । ପୂର୍ବ ଦୁଇ କାହାଣୀଠାରୁ ଭିନ୍ନ ।

   ତୃତୀୟ ଗଳ୍ପ "ଅହଲ୍ୟା" । ଏକ କୈନ୍ଦ୍ରକ ଚରିତ୍ରରେ ଦେଖିବାକୁ ମିଳୁଛି ଏମିତି ଏକ ମାନସିକତା ଯାହା କଳିଯୁଗର ଲକ୍ଷ ଲକ୍ଷ ଅହଲ୍ୟା ଓ  ଅହଲ୍ୟାଜାତ ଭିନ୍ନ ଏକ ମାନସିକତା ଆଙ୍କୁଛି । ଏଭଳି ଗଳ୍ପ ମିଳେ ନାହିଁ । ଏ ଗଳ୍ପ ଓ ଗଳ୍ପର ସାରାଂଶ ଦୁର୍ମୂଲ୍ୟ ।

   ଚତୁର୍ଥ ଗଳ୍ପ "କୁହୁଡ଼ି" ଏତେ ଭଲ ଲାଗିଲା ନାହିଁ । ତୃତୀୟ ଗଳ୍ପରେ ପୂର୍ବ ଦୁଇ ଗଳ୍ପରୁ ପୃଥକ କାହାଣୀ ଓ ଚତୁର୍ଥ ଗଳ୍ପରେ ପୁଣି ପ୍ରଥମ ଦୁଇ ଗଳ୍ପର ମୁଖ୍ୟ ଚରିତ୍ରର ନାଁ ଦେଖି ଆଶ୍ଚର୍ଯ୍ୟ ଲାଗିଲା ସତ କିନ୍ତୁ ସନ୍ଦେହ ହେଉଛି କି ଏଇ କାହାଣୀ ଗୁଡ଼ିକ ପୁଣି ମିଶିବେ କି ? ଉପନ୍ୟାସ ସଦୃଶ । ଏହା ପାଠକଙ୍କୁ ଭ୍ରମରେ ପକାଉଛି କି ?

    ପଞ୍ଚମ ଗଳ୍ପ "ଭାଉଜ" । ଛୋଟ ପରିବାରର ପୂର୍ବ ଝଡ଼କୁ ନେଇ ସଜ ସଜ ଘଟୁଥିବା ମହାଝଡ଼ରେ କିପରି ଜଣେ ପେଶିହୋଇଯାଉଛି ସେଇର ବ୍ୟାଖ୍ୟା । ସେଇଥିପାଇଁ ନାରୀଙ୍କୁ ସର୍ବସଂହା କୁହାଯାଏ । ଶ୍ୱଶୁରଙ୍କ ସେବାରେ ପତିର ରୋଷ ବୃଦ୍ଧଙ୍କ ପୂର୍ବ ଭୁଲ ପାଇଁ ଏହା ହିଁ ବିଷୟ ଆଉ ଏଇଠି ମଧ୍ୟ 'ସରୋଜ'ରୂପକ ପାତ୍ର ମୁଖ୍ୟ ହୋଇଯାଉଛି । ଧୀରେ ଧୀରେ ଲାଗୁଚି “ସରୋଜ” ନାଁ କୁ ନେଇ କଥାକାର ନିଜ ଶୈଳୀରେ ପାଠକଙ୍କୁ ହଜେଇ ଦେବାକୁ ପ୍ରାଯତ୍ନ ହୋଇପଡ଼ିଛନ୍ତି । ଭିନ୍ନ ଭିନ୍ନ ସ୍ଵାଦରେ ଗୋଟିଏ ଚରିତ୍ରକୁ ବୋଳୁଚନ୍ତି ।

   ଯେପରି ଗଳ୍ପ ଅହଲ୍ୟା ପରି 'ଲେଉଟାଣି'(ଷଷ୍ଠ ଗଳ୍ପ) ମଧ୍ୟ ଭିନ୍ନ । ସରୋଜର ରେଖ ନାହିଁ କିନ୍ତୁ ଗଳ୍ପରେ ଯେଉଁ ମୁଖ୍ୟ ଚରିତ୍ର ରହୁଛି ତାପ୍ରତି ମୋର ବିଶ୍ୱାସ ହେଉନାହିଁ । ୨୫ବର୍ଷ ପତ୍ନୀଙ୍କୁ ଅଲଗା ରଖି ଏବେ ଯାଉଛି ଆଣିବାକୁ ପୁଅ କଥାରେ ? ଏମିତି ହୁଏ ? ଅବଶ୍ୟ କାହାଣୀରେ । କିନ୍ତୁ ବସ୍ତାବତାରୁ ଦୂରରେ ଲାଗୁଛି ।

   ସପ୍ତମ ଗଳ୍ପ "ଦିନେ ସନ୍ଧ୍ୟାରେ" ସେମିତି କିଛି ଗୁରୁତ୍ୱପୂର୍ଣ୍ଣ ଭୁମିକା ନଥିଲା ଜଣେ ମାଓବାଦୀ ନେତା ଓ ସାମ୍ବାଦିକଙ୍କ ଚରିତ୍ର ଆଲେଖ୍ୟରେ । ସମାଜ କିମ୍ବା କର୍ମକୁ ଗୁରୁତ୍ୱ ଦିଆଯାଇନାହିଁ ଗଳ୍ପରେ । କିନ୍ତୁ ସେ ସମୟକୁ ଭୂମିକାରେ ନେଲେ ମଧ୍ୟ କାହାଣୀ ଏତେ ଦୃଢ଼ ଲାଗିଲା ନାହିଁ । ଆଉ ହଁ ସେ ସମୟରେ ଜଣେ ଲେଖକ ଯଦି ମାଓବାଦୀଙ୍କ ବିଷୟରେ ନଲେଖିଲେ ତେବେ ସାହିତ୍ୟରେ ଟିକିଏ ଊଣା ଯୋଗଦାନ ବୋଲି ଧରାଯାଉଥିଲା ।

   ଅଷ୍ଟମରେ "ଗୋଟେ ପ୍ରେମ ଗଳ୍ପ" ! ଆଃ..ଚମତ୍କାର ଭାବେ ଗଳ୍ପଟି ଆରମ୍ଭରୁ ଶେଷପର୍ଯ୍ୟନ୍ତ ବାନ୍ଧିରଖିଲା । ଯେଉଁ ପ୍ରେମ ମଣିଷ ଗପ/କବିତା/ଉପନ୍ୟାସ ଇତ୍ୟାଦିରେ ପାଇବାକୁ ଖୋଜେ କିମ୍ବା ଲେଖିବାକୁ ଚେଷ୍ଟାକରେ ସେଇ ପ୍ରେମ ଯେ ନିଜ ପାଖରେ,ନିଜଭିତରେ ଥାଏ ତାହା ପ୍ରଥମେ ଜାଣିବାକୁ ପଡ଼େ । ବାକି କାହାଣୀ ମିଛ/ଫାନ୍ଦ ହୋଇପାରେ , ନିଜେ ତ ନୁହେଁ !!

    ବହୁତ ଛୋଟ ଗଳ୍ପଟିଏ "ଦର୍ପଣ ଭାଙ୍ଗିଗଲା" କିନ୍ତୁ ବଢ଼ିଆ ଗପଟିଏ । କିଶୋର/ଯୁବକଙ୍କ ଛାତି ତଳେ ଥିବା ଗୋଟିଏ କୁହୁଳା ଦିକିଦିକି ଇଛାଟିଏ ଯେମିତି ଏ ଗପଟି ଠିକ ସେଇମିତି । ଶେଷକୁ ଅବଶ୍ୟ କାହାଣୀର ସୁଅ ହସ ଆଡ଼କୁ ଟାଣିନେଲା ଯାହା ମୁଁ ଆରମ୍ଭରୁ ଭାବିଥିଲି । କହିବାକୁ ଗଲେ ଆମ ୮୦/୯୦ ଦଶକର ଛୋଟ ପ୍ରେମ ଗଳ୍ପଟିଏ ।

   ଶେଷ ଗଳ୍ପ "ହୋଲି" । ଜଣେ ସାଧାରଣରୁ ଦୈତ୍ୟମର୍ଦିନୀ ଯାତ୍ରାରେ କେଵ ଟିକିଏ ସାହସ ଲୋଡ଼ାର ଯେଉଁ ପାରିଭାଷା ଅଛି ମୋ ମତରେ ପାଠକ ବୁଝିବା ଉଚିତ । ରେବତୀକୁ ସର୍ବଦା ଯେଉଁ ଦୁର୍ବଳା ରଖାଯାଇଛି ତାହାର ଏକ କ୍ଷୁଦ୍ର ପ୍ରତିବାଦ ଏ ଗଳ୍ପ । ଚମତ୍କାର !!! ସଙ୍କଳନ ସରିଲା ଏବଂ ଜାଣିଲି ଗୋଟିଏ ଚରିତ୍ର ନାଁ ନେଇ ଅନେକ ଗଳ୍ପ ଲେଖିବାର ଚତୁରତା ଏ ।

   ସର୍ବମୋଟ ଗଳ୍ପ ସଂକଳନ ଗୋଟିଏକ ବହୁତ ଉପଯୋଗୀ ଓ ସମୟ ସାପେକ୍ଷ ଲାଗିଲା ।

                                       ◆◆◆



✍️ହିମାଂଶୁ ଭୂଷଣ ସାହୁ

ସୋଲଗାଡ଼ିଆ , ଢେଙ୍କାନାଳ ୭୫୯୦୧୬

         


"ଗୌରୀପ୍ରଭା"ର ପ୍ରଥମ ବର୍ଷ

 ଏବେ “ ଗୌରୀପ୍ରଭା ” ପହଞ୍ଚିଛି ତୃତୀୟ ବର୍ଷରେ । ତିନି ବର୍ଷର ଯାତ୍ରାରେ ଭେଟିଛି ଅନେକ ଅନୁଭବ । ଆସନ୍ତୁ ଜାଣିବେ “ଗୌରୀପ୍ରଭା” ବାର୍ଷିକ ପତ୍ରିକାର ପ୍ରଥମ ବର୍ଷର ପା...