ଗପଟିଏ କେଉଁ ବାଗରେ ଓ ବେଗରେ ପାଠକଙ୍କୁ ଜଡ଼େଇ ଧରେ ଓ ପାଠକ ଦଶନ୍ଧି ଧରି ଗଳ୍ପର ସାରାଂଶକୁ ଝୁରିହୁଅନ୍ତି ସେଇ ଗଳ୍ପ ହେଉଛି କଥାକାର ଶ୍ରୀଯୁକ୍ତ ଶୁଭ୍ରାଂଶୁ ପଣ୍ଡା ମହାଶୟଙ୍କ “ଚିରିଗୁଣୀ” ।
୧- ରତ୍ନାକର
ଗଳ୍ପର ମୁଖ୍ୟ ଭୂମିକାରେ ଯଦିଓ ‘ବିନୋଦ’ , କିନ୍ତୁ ଆରମ୍ଭ ହୁଏ ରତ୍ନାକର ନାମକ ଜଣେ ପୂର୍ବଜ ବେଉସାଦତ୍ତ ଦାୟିତ୍ୱସମ୍ପନ୍ନ ବ୍ୟକ୍ତିରୁ । ବେଉସା ଓ ବ୍ୟକ୍ତିଗତ ଦୃଷ୍ଟିରୁ କଥାକାର ଚରିତ୍ରକୁ ଦେଇଛନ୍ତି ଭିନ୍ନ ଏକ ରୂପରେଖ । ରତ୍ନାକର ଲକ୍ଷ୍ୟ ଅଲକ୍ଷ୍ୟରେ ହୋଇଉଠିଛି ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ର ! ଯାହାର କାମ କୁତ୍ସିତ ମନେହେଲେ ମଧ୍ୟ ବିନୋଦ ତାକୁ ଘୃଣା କରିପାରୁ ନାହିଁ କିମ୍ବା ପାଠକ ହିସାବରେ କେହି ମଧ୍ୟ ରତ୍ନାକରର କାମ ଓ ବ୍ୟବହାରିକ ଢଙ୍ଗ ଉପରେ କିଞ୍ଚିତ ମଧ୍ୟ ବିଦ୍ଵେଷ ଭାବ ରଖିପାରିବେ ନାହିଁ ।
ରତ୍ନାକର ଯେଉଁ କାମ କରିବାକୁ ଯାଉଛି ସେ କାମରେ ସାହସ , ପ୍ରତିବଦ୍ଧତା ଓ ନିଡ଼ର ଅପରିହାର୍ଯ୍ୟ । ଯଦି ଆପଣ ତା’ ମାଦକମିଶ୍ରିତ ଉଗ୍ର ରୂପ କଥା ଆଲୋଚନାକୁ ଆଣିବେ ତେବେ ହୁଏତ ଏହା ଏକ ସାଧାରଣ କଥାରେ ଚାଲିଯିବ । ସୁଟ୍ ବୁଟ୍ ଓ ଯାହାଙ୍କୁ ଆମେ ଅତିସଭ୍ୟତାର ଉଦାହରଣ ଦେଉଛେ ଯଦି ସେମାନଙ୍କର ଏହା ଏକ ବିଳାସ ! ତେବେ ଗୋଟିଏ ମୃତ ସଦ୍ୟମାତୃତ୍ୱ ପାଇବାକୁ ଯାଇଥିବା ସ୍ତ୍ରୀର ଅନ୍ତ ଟାଙ୍ଗିଆରେ ଫାଡ଼ି ଗର୍ଭମୃତ ଶିଶୁକୁ ବାହାର କରିବାର ଅର୍ଥରେ ସେ ହାଣ୍ଡିଆ ପିଇଦେବା ଆଶ୍ଚର୍ଯ୍ୟର କଥା ଆଦୌ ନୁହେଁ ।
ରତ୍ନାକର କାର୍ଯ୍ୟକୁ ସେଇଆ ହିଁ କରେଇଛନ୍ତି କଥାକାର । ସେ ଭିଡ଼ିଆଣିଛନ୍ତି ଚିରନିଦ୍ରିତ ଗୋଟିଏ ଥଣ୍ଡା ମାଂଶ ପିଣ୍ଡୁଳା ରତ୍ନାକର ହାତେ । ଟେକିଦେଇ ଯେପରି କୁହେଇଛନ୍ତି “ନିଅ , ନିଅ ତୁମ ସଂସାରକୁ ଛାରଖାର କରିବାକୁ ଉଦ୍ୟତ ଏକ ଚିରିଗୁଣୀର ଏକମାତ୍ର ସାହାରା । ଫିଙ୍ଗିଦିଅ ମାଟିର ଗର୍ଭରେ । ଅଲଗା ମୁଁ କରିଦେଇଛି ଜରାସନ୍ଧ ରୂପୀ ଶରୀରକୁ , ଭୀମ ମୁଁ ।”
ଆଃ କେଡ଼େ ଉଦ୍ଧତ ଏ ପରିସ୍ଥିତି ! ଅତୀତରେ ରତ୍ନାକର କ’ଣ କେବେ ଭାବିନଥିବ ଅନି ଆଉ ବିନୋଦଙ୍କ ସଂସାର ସନ୍ତାନମୟ ହେଉ !?” କିନ୍ତୁ କାହାଣୀର ରେଖ ରତ୍ନାକରକୁ ମୁହେଁଇ ଦେଇଛି ସଭ୍ୟ ପୃଥିବୀର ଏକ ଅନ୍ଧବିଶ୍ୱାସ ନିମିଳିତ ଅସଭ୍ୟମଗ୍ନ ଚିନ୍ତାଧାରା ଆଡ଼କୁ । ସେ ମଧ୍ୟ ପାଲଟିଛି ସେଇ ଚିନ୍ତାଧାରାର ଏକ ମୁଖ୍ୟ ବାହକ । ଯାହାକୁ ଚାହିଁଲେ ମଧ୍ୟ ସମାଜର ସେ କଳଙ୍କିତ ପୃଷ୍ଠାରୁ ପୃଥକ କରିହେବ ନାହିଁ । ଦୁର୍ଭାଗ୍ୟ….
୨- ବିନୋଦ
ବିନୋଦ’ ମୁଖ୍ୟ ଭୂମିକା ନିର୍ବାହକ ବୋଲି ପ୍ରଥମରୁ ମୁଁ କହିଆସିଛି । ଯଦିଓ ଗଳ୍ପରେ ମୁଖ୍ୟ ଭୂମିକାରେ ଜଣେ ମନୁଷ୍ୟ ନୁହେଁ ବରଂ ଏକ(କିନ୍ତୁ ଏହା ସାମୂହିକ ଭାବରେ ଧରିନିଆଯିବ) କଳୁଷିତ ଚିନ୍ତାଧାରା ହିଁ ମୁଖ୍ୟ ହୋଇଉଠେ ତଥାପି ମନୁଷ୍ୟଙ୍କ କାନ୍ଧରେ ସେଇ ଚିନ୍ତାଧାରାର ଏକ ଭୀଷଣ ଭାର ଲଦିଦେଇଛନ୍ତି କଥାକାର ଶ୍ରୀଯୁକ୍ତ ଶୁଭ୍ରାଂଶୁ ପଣ୍ଡା ମହାଶୟ । ତାହା କେମିତି !? ଯଦି ସୂକ୍ଷ୍ମ ଦୃଷ୍ଟିରୁ ଆଲୋକପାତ କରାଯାଏ ତେବେ ବିରୋଧ ନକରିବା ଏକ ମହଣୀୟ ଅପରାଧ ନୁହେଁ କି ? ଉଚ୍ଚଶିକ୍ଷା , ଚତୁରତା କିମ୍ବା ଜଣେ ନାଗରିକର ଆଇନପ୍ରଦତ୍ତ ନିମ୍ନ ଅଧିକାର ଯାହା ଥାଇ ମଧ୍ୟ କିପରି ବିନୋଦ ନିଃସହାୟ ହୋଇପଡୁଛି ତାହାର ଜ୍ୱଳନ୍ତ ଉଦାହରଣ ହେଉଛି ‘ଅନୁକରଣ’ !! କଥାକାର କିପରି ଏଇ ‘ଅନୁକରଣ’କୁ ସ୍ୱୟଂ ଭସ୍ମୀଭୂତ ଏକ ପ୍ରଥା କିମ୍ବା ଲୋକ ଡର ମଧ୍ୟରେ ଅତି ଚତୁରତାର ସହିତ ଖଞ୍ଜିଲେ ତାହା ପ୍ରସଂଶାଯୋଗ୍ୟ । ଅପରାଧ , କୁପ୍ରଥାର ଅନୁକରଣ , ଲୋକଡ଼ର ପରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରଖିଲେ ତାହା ହେଉଛି “ବାପା ହେବାର ଏକ ଦୁର୍ବାର ଅଭିସ୍ପା” ବିନୋଦ ଚରିତ୍ରରେ । ସେଇଥିପାଇଁ ଶେଷକୁ ଯେତେବେଳେ ସେ ଭବାନୀର ପ୍ରଶ୍ନ ଶୁଣୁଛି ଚମକି ପଡୁଛି । ଗୋଟିଏ କ୍ଷଣରେ ଦୀର୍ଘ ବର୍ଷର ପାହାଡ଼ ପାହାଡ଼ ଅତୀତ ଚୁନା ହୋଇଉଠୁଛି । ପତ୍ନୀର ମର ଶରୀର ତୁଛ ଲାଗୁଛି କିନ୍ତୁ କିଛିକ୍ଷଣର ପିତୃତ୍ୱ ପାଖରେ ଅସହାୟ ଜଣାପଡୁଛି ନିଜେ ।
ତେବେ ଏ ବିନୋଦ କିଏ ? ଗଳ୍ପର ଏକ ସଦସ୍ୟ ନା ପ୍ରଚଳିତ ସମାଜର ଏକ ଭୂମିକା !? ବିନୋଦ ଭିତରେ ଜଣେ ପ୍ରେମିକ , ସନ୍ଦେହ ଦୃଷ୍ଟି , ପ୍ରେମ ପର୍ଯ୍ୟାୟ , ପୁତ୍ର ଦାୟିତ୍ବ , ପରିଜନ ଭାର , ସ୍ତ୍ରୀ ସୋହାଗ , ପ୍ରତାରଣା ଓ ସନ୍ତାନ ସଦିଚ୍ଛାକୁ ପରସ୍ତ ପରସ୍ତ କରି ରଖିଲା ବେଳେ କଥାକାର ଗୋଟିଏ ସାମ୍ଭାବ୍ୟ ପ୍ରଶ୍ନ ପାଠକ ପାଇଁ ଛାଡ଼ିଦେଲେ “ବିନୋଦ ଜଣେ ପାଠକ କି ! ଅର୍ଥାତ ଆପଣ କିମ୍ବା ମୁଁ କି ?” ବିନୋଦ ଏକ ସର୍ବଶରୀରର(ମନର) ଦୁର୍ବଳତା ହୋଇଉଠୁଛି କି ?
୩- ବୀରବର ହୋତା
ମନୁଷ୍ୟ ଅକର୍ମର ଫଳ ମୋହ ଓ ଯେଉଁଠି ଆବଶ୍ୟକ ସେଠାରେ ଉପସ୍ଥିତ ଅଛି କି ନାହିଁ ନଜାଣି ନିଜକୁ ଜୋର ପୂର୍ବକ ଯେଉଁଠି ଅନାବଶ୍ୟକ ସେଇଠି ଜାଗିରି ଦେଖାଇବା ଚରିତ୍ର ହେଉଛନ୍ତି ବୀରବର ହୋତା ! ଅବଶ୍ୟ ଏହା ଏକ ସାମାଜିକ ସମସ୍ୟା ସଂଯୋଗ ମଧ୍ୟ ହୋଇପାରେ । ସମୟର ବ୍ୟତିକ୍ରମ ଓ ସରକାରୀ କଳକବ୍ଜାର କଠୋର ଏକ ଉଦାହରଣ ପାଲଟିଛନ୍ତି ଏହି ଚରିତ୍ର । କ୍ଷୁଦ୍ର ଏକ ଗାଁ’ର ଦୀର୍ଘ କୁପ୍ରଥାରେ କିପରି ମୌନ ଜଣେ ନିଜକୁ ବିଶାଳ ଭାରତର ସ୍ୱାଧୀନ ସ୍ୱପ୍ନଦାତା କହିବୁଲନ୍ତି ତାହା ହେଉଛି ଏହି ଚରିତ୍ରର ଆଭିଲେଖ୍ୟ ।
କାହାଣୀରେ ବୀରବର ହୋତା ହୁଅନ୍ତୁ କିମ୍ବା ସମଶ୍ରେଣୀୟ ପୁରୋହିତ , ମାଲଭାଇ , ସନାତନ ଦାଶ , ବାନାମ୍ବର କିମ୍ବା ଯଥା’ ଗ୍ରାମବାସୀ ; ସଭିଏଁ ଗଳ୍ପର ଏକ ପ୍ରକାର କୁପ୍ରଥାଧର୍ମୀ ପାରିପାର୍ଶ୍ବିକ ଦୈତ୍ୟ ! ଓ ସେ ପ୍ରଥାର ବିରୋଧ କରୁଥିବା ଯତକିଞ୍ଚିତ ମଣିଷ ହେଉଛନ୍ତି ଏକ ସୁପ୍ତ ସମ୍ଭାବନା ସମାଜର । ସ୍ଥୂଳ ଦୃଷ୍ଟିରେ ଦେଖିଲେ କଥାକାର ପରଖୁଛନ୍ତି କି ପାଠକ ଚୁପ ରହି ଶେଷ ପର୍ଯ୍ୟନ୍ତ ବିଭତ୍ସତା ଦେଖିବ ନା ବିରୋଧ କରିବ ! ସେ ସମୟରେ ମଣିଷ କରେ କ’ଣ ? ଏକ ପ୍ରକାର ପ୍ରଶ୍ନ ଛାଡ଼ି ଦିଆହୋଇଛି କି ଏଭଳି ଘଟଣାରେ ମାନସିକତା ସ୍ଥିରତା କେତେ ଥାଇପାରେ ଗୋଟିଏ ସଭ୍ୟ ସମାଜରେ ?
ସେଇ ପ୍ରଶ୍ନ ହେଉଛନ୍ତି ମୁଖ୍ୟ ଚରିତ୍ର ମାନଙ୍କ ବ୍ୟତୀତ ଯେଉଁମାନେ ରହିଲେ ।
୪- ପାର୍ବତୀ ଦେବୀ
ଏକ ଅଧୁନିକା ନାରୀ , ଦୃଢ଼ମନା ଓ ସ୍ଥିରଚିତ୍ତର ମୂର୍ତ୍ତି । ଏମିତି କେଉଁ ସାହସୀ ଗାଉଁଲି ନାରୀ ଜଣେ ଅଛି ଯେ ନିର୍ବନ୍ଧଅନ୍ତେ ମୁଖ ନଚାହାଁ ପ୍ରଥାକୁ ପାଦେ ଆଡ଼େଇ ହବାକୁ ଯାଉଥିବା ବୋହୂକୁ ନେଇଯାଇଛି ସହର ନିଜ ପୁଅର ଦ୍ଵନ୍ଦ ମିମାଂଶା କରିବାକୁ ! କ୍ଵଚିତ ଏତିକି ସାହସ ଦେଖିବାକୁ ମିଳେ ।
କଥାକାର ପାର୍ବତୀ ଦେବୀଙ୍କୁ ଗଳ୍ପର ଶେଷ ଭାଗକୁ ଏକ ବିଚ୍ଛିନ୍ନ ଭାଗରେ ରଖିଦେବେ ବୋଲି ମୋର ଆଶା ନଥିଲା । ବୋହୂର ମୃତ ଶରୀର ଅସହାୟ ଭାବେ ଡେରା ଓ ନିର୍ଦୟ ଭାବେ ଚିରା ହେବା ପର୍ଯ୍ୟନ୍ତ ପାଠକଙ୍କ ମନରେ ଆସିବ କି “ଏଇ ଏବେ ପାର୍ବତୀ ଦେବୀ ଉଠିବେ ଓ ବିରୋଧ କରିବେ ।” କିନ୍ତୁ ନା । ସେପରି କିଛି ଘଟିଲା ନାହିଁ । ଅସ୍ପଷ୍ଟ । ନାରୀବାଦର ଯେଉଁ ମୁକ୍ତ ଆନ୍ଦୋଳନ ଆରମ୍ଭରୁ ସେ ଚରିତ୍ର ମାଧ୍ୟମରେ ଉଙ୍କି ମାରିଥିଲା ତାହା ହଠାତ ଦୁଇଟି ମୃତ ଶରୀର ଓ ଶହ ଶହ କୁସଂସ୍କାର ଅନୁଗାମୀଙ୍କ ପାଖେ ଲୀନ ହୋଇଆସିଲା । ତେବେ ଏଇ ହେଉଛି ସର୍ବସଂହା !
୫- ଅନି
ସର୍ବସଂହା ! ହା ହୁତାଶର ସ୍ୱଗତକ୍ତି ! ଓ କାହାଣୀ କୈନ୍ଦ୍ରିକ ଅବହେଳିତ ଚରିତ୍ର । ହଁ ମୋ ମତରେ ଏଇଆ ହିଁ । ଏକ ମୁଦ୍ରାର ଦୁଇପାର୍ଶ୍ବ ଜୀବନ କିଭଳି ଜଣେ ନାରୀ ଜିଇଁଥାଏ ‘ଅନି’ ଏକ ଦୃଢ଼ ଉଦାହରଣ ।
ଯାହାକୁ ପ୍ରେମ କରାଯାଏନା ତାକୁ ବାଧ୍ୟତାମୂଳକ ଦେହ ସମର୍ପଣରେ କେତେ ଯେ ଦହନ ଥାଏ ତାହା କେବଳ ଜଣେ ନାରୀ ହିଁ ଜାଣିପାରେ । କଥାକାର ଶ୍ରୀଯୁକ୍ତ ଶୁଭ୍ରାଂଶୁ ପଣ୍ଡା ଅନିର ଚରିତ୍ରକୁ ଖୁବ ନିଖୁଣ ଭାବେ ଆଙ୍କିଛନ୍ତି । ଅପବାଦ ଡେଇଁ ନାରୀର ଇଛାଶକ୍ତି ଓ ଦାୟିତ୍ଵବୋଧତାର ଭାର ଜଣେ ନାରୀ କିପରି ତୁଲେଇନିଏ ତାହା କାହାଣୀରେ ସୁସ୍ପଷ୍ଟ । କଥାକାରଙ୍କ ଗଳ୍ପରେ ଅନି ଏକ ସାମାଜିକ ଦାୟିତ୍ୱ ଓ ଲୁକ୍କାୟିତ ଆନ୍ଦୋଳନ ମଧ୍ୟ । ଅନିର କାହାଣୀ ଶେଷ ପର୍ଯ୍ୟାୟ ବେଳକୁ ମୋର ମନେପଡ଼ିଗଲା ୧୯୯୦ କିମ୍ବା ସେଇ ପୂର୍ବ ପର ଦୁଇ ବର୍ଷର ବେତାର ପ୍ରସାରଣ ନାଟକ “ମଶାଣୀ ଫୁଲ” । ସଜସଜ ନବବିବାହିତାର ମୃତ ଶରୀର ଯେତେବେଳେ ଘରଲୋକେ ମଶାଣିଆ ଦୁଇଙ୍କ ହାତେ ସମର୍ପଣ କରି ଚାଲିଯାଇଛନ୍ତି ଓ ସେ ଦୁଇଜଣ ମୃତ ହାତ ଓ ଗୋଡ଼ ଅଙ୍ଗୁଠିରୁ କାଢ଼ିଛନ୍ତି ମୁଦ୍ରିକା ମାନ । ଶବଟି ସ୍ୱଗତକ୍ତି କରିଛି ଓ ଈଶ୍ୱରଙ୍କୁ(ଏବଂ ଦୁଇ ମାଶାଣିଆଙ୍କୁ) ପ୍ରାର୍ଥନା କରିଛି !!! ଠିକ ଅନିର ଏକାବସ୍ଥା । ତା ସ୍ୱଗତକ୍ତି ମିଳିବ ପାଠକଙ୍କ ଭାବନାରେ ।
୬- ପାଠକ
ଜଣେ ପାଠକକୁ ଗଳ୍ପରେ କେଉଁ ଉପାଦାନ ଲୋଡ଼ା ? ହସ , ଲୁହ , ପ୍ରେମ , ପ୍ରତାରଣା , ସାମାଜିକ , ମାର୍ମିକ , ଆନ୍ଦୋଳିତ କିମ୍ବା ରକ୍ତପାତ ? ମୋ ମତରେ ପାଠକ ଏଇ କାହାଣୀରେ ସବୁ ପାଇବେ । ଇଂରେଜୀ ରେ ଗୋଟିଏ କଥା ଅଛି ନା “Full pack of entertainment” ! ହଁ ଏଇ ଗଳ୍ପରେ ଆପଣ ସମାଜର ସବୁ ଦିଗକୁ ସୁଚାରୁରୂପେ ଅନୁଭବ କରିପାରିବେ । ବାଧ୍ୟ ହେବେ କୌଣସି ଏକ ଚରିତ୍ରର ଚାରିତ୍ରିକ ଆଭିମୁଖ୍ୟକୁ କଳନା କରିବାକୁ । ଯେମିତି ଭବାନୀ ! ପ୍ରେମ , ଦେହ ଓ ଦେହାତୀତ ପରର ଏକ ମୁଖ୍ୟ ଭୂମିକା ନିର୍ବାହ କରେଇଛନ୍ତି କଥାକାର । ସେ ଭଲ ପାଏ , ସ୍ୱୀକାର କରେ ଲାଞ୍ଛନା , ଆଦର କରେ ଅନୁନୟ ଅନିର ଓ କୋହ ଦେଖାଏ ନିଜ ଅବାଞ୍ଛିତ ରକ୍ତର !!
ଚିରିଗୁଣୀ ଗଳ୍ପରେ ପ୍ରତ୍ୟେକ ଚରିତ୍ରଙ୍କ ଭିତରେ ମିଳୁଛି ସମାଜର ଭିନ୍ନ ଦୃଷ୍ଟିଭଙ୍ଗୀ । ଏଭଳି ସମୟଜୟୀ ଲେଖା କ୍ଵଚିତ ଆସେ । ଆଶାକରୁଛି କଥାକାରଙ୍କ ଏ ଗଳ୍ପରୂପୀ ମୃଦୁ କୁସଂସ୍କାର ବିରୋଧ ସାରା ଓଡ଼ିଶାର ପାଠକଙ୍କ ଭିତରେ ଜାଗ୍ରତ ହେବ ।
◆◆◆
✍️ହିମାଂଶୁ ଭୂଷଣ ସାହୁ
କଥାକାର ଶ୍ରୀଯୁକ୍ତ ଶୁଭ୍ରାଂଶୁ ପଣ୍ଡା ମହାଶୟଙ୍କ ପୁସ୍ତକ ସମଗ୍ର...




