ହାଟ ବସିଥାଏ । ହୋ ହୋ ହେଉଥାନ୍ତି ଅନେକ ଲୋକ । ତାଙ୍କ ଶବ୍ଦ ଭିଡରେ ମୁଁ ନିଜ ପରିଚୟ ଦୃଢ଼ ରଖିବାକୁ ଚିତ୍କାର କଲି "ହେଃ…! ପଚା କୋବି ଗୁଡାକ ଦେଇଦେଇ ଟଙ୍କା ନବ ନା କ'ଣ ? ଜାଲିଆତି କରୁଚ ? ଚିହ୍ନିଚ ମୋତେ !!!"
ମୋ ଆଖପାଖ ସେ ଲୋକ ଗୁଡିକ ମୋତେ ଅଣଦେଖା କଲେ । ମୋତେ ଅପମାନ ଲାଗିଲା । କେଡ଼େ ବହପ ସେମାନଙ୍କର ! ସେମାନେ ଚିତ୍କାର କରୁଥିଲା ବେଳେ ମୁଁ କୋବି ବାଛିବା ଛାଡି ସେମାନଙ୍କୁ ଅନେଇ ଥିଲି । କିନ୍ତୁ ମୋତେ ସେମାନେ ଗୁରୁତ୍ଵ ଦେଲେନାହିଁ ! ମୁଁ ରାଗ ତମ ତମ ହୋଇ ସେ ବୃଦ୍ଧ ଜଣଙ୍କୁ ଅନେଇଲି । କିନ୍ତୁ ସେ ହସ ହସ ହୋଇ କହିଲେ "ଆରେ ବାପାରେ , ଏଇ କୋବି ନିଅ । ତାଜା ଅଛି । ସେଇଟା ମୁଁ ଭୁଲରେ ଉଠେଇଦେଇଥିଲି !"
କେଜାଣି କାହିଁକି ମୁଁ ଶାନ୍ତ ପାଲଟିଗଲି । ଅବଶ୍ୟ ମୋ ପ୍ରକୃତି ସେଇଆ ନଥିଲା । ମୁଁ ଲୋକଙ୍କୁ ଚିଡ଼େ , ଚିଡାଏ , ଝଗଡା ଆରମ୍ଭ କରେ ଆଉ ଖସିଆସି ତାଳି ମାରେ । ଭାବୁଥିଲି କାହାକୁ ଗୋଟିଏ ଡାକି ପରିବା , ସେ ବୁଢା ଆଉ କିଣୁଥିବା ଲୋକ ଠକାମିରେ ପଡିବା ବିଷୟ ଉଖୁରେଇ ନିଆଁ ଲଗେଇ ଦେବାକୁ । କିନ୍ତୁ ତୋଫା ଜହ୍ନ ଭଳି ଫୁଲ କୋବି ଦେଖି ଚୁପ୍ ହୋଇଗଲି । ହଠାତ୍ ଗୋଟିଏ କବିତା ମନେ ପଡିଗଲା ଆଉ ମୁଁ ବ୍ୟଙ୍ଗାତ୍ମକ ଢଙ୍ଗରେ କୋବିଟି ଉଠାଇ ନେଇ ୨୦ ଟଙ୍କା ତାଙ୍କୁ ଧରେଇଦେଲି । ଆଉ ଶେଷକୁ କହିଲି "କବି , କୋବି ! କୋବିର କବି ।"ସେ ହସିଲେ । ଯେମିତି ସେ ଅପମାନ ନୁହେଁ , ଶାନ୍ତି ପାଉଥିଲେ ମୋ ବ୍ୟଙ୍ଗରେ ।
କିଛିଦିନ କଟିଗଲା । ଗୋଟିଏ ଏଇମିତି ସନ୍ଧ୍ୟାରେ ମୁଁ ପାଖ ବଜାର ଯାଇଥାଏ ବୁଲିବାକୁ । ନୂଆ ନୂଆ ଖୋଲିଥିବା ସେ ଚା' ଦୋକାନରେ ଭିଡ଼ ଥିଲେ । ଲୋକଙ୍କ ହାତରେ ଥଣ୍ଡା ଚା' ଥିଲା । ହୁଏତ ଜଣେ ଦି-ଜଣଙ୍କ ଗିଲାସରୁ ମରିଯାଉଥିବା ଭଳି କିଛି ବାମ୍ଫ ବାହାରୁଥିଲା । ଆଉ ଲୋକେ ହସୁଥିଲେ । ହୋ ହୋ ହୋଇ । ବୁଢା ଗୁଡାକ ! ଏଇ ହସ ଆଉ ଚା' ବୋଧେ ସେମାନଙ୍କ ଆଶ୍ରା ଥିଲା । ଗୋଟିଏ କପ୍ ଚା' ମଗେଇଦେଇ ହୋ ହୋ ଭିତରୁ ଦେଖିଲି ସେଇ ବୁଢା । କବିତା ପାଠ କରୁଛନ୍ତି । କୋବି ଆଉ କବିଙ୍କୁ ନେଇ ବ୍ୟଙ୍ଗ କବିତା ! ଶୁଣିଲି , ଦିହକୁ ନେଲି , ଅପମାନ ଜର୍ଜରିତ ମୋ ହୃଦୟ ଉଠୁଥିଲା ଆଉ ପଡୁଥିଲା । ମୋ ଭଳି ଗୋଟିଏ ଗ୍ରାହକ ପ୍ରତି କବିତାଟି ଥିଲା ତାଙ୍କ କ୍ଷୋଭ । ମୋ ଚା' ଥଣ୍ଡା ହେଲା । ଭିଡ଼ ଆଡେଇ ତାଙ୍କ ପାଖେ ପହଞ୍ଚି ଗଲି ଆଉ ସିଧା ପଚାରିଲି "ଆପଣ ଏତେ ସୁନ୍ଦର କବିତା କିପରି ଲେଖନ୍ତି ?"ସେ ମୋତେ ଚିହ୍ନି ପକେଇଲେ ଆଉ କୁଣ୍ଢେଇ ପକେଇ ହୋ ହୋ ହୋଇ ହସିଲେ । ମୁଁ ମଧ୍ୟ ହସିଲି । ଆମେ ପରିଚିତ ହୋଇଗଲୁ । ସେ ହୋଇଗଲେ ଅଂଶୁମାନ ଭାଇ ।
କେବେକେବେ ସେ ମୋ ଘରକୁ ଆସନ୍ତି । ସାପ୍ତାହିକ ହାଟରେ ଥକିଯାଇ ସନ୍ଧ୍ୟାବେଳେ । ସେ କବିତା ଆବୃତ୍ତି କରନ୍ତି । ମୁଁ ଶୁଣେ । ମୋ ବହି ଥାକରୁ ସେ କୌଣସି ଏକ କବିତା ସଙ୍କଳନ ନେଇ ପଢ଼ନ୍ତି । ବଖରାଟି କମ୍ପେ । ମନ୍ତ୍ର ଧ୍ୱନି ଭଳି ବାରମ୍ବାର ମୋ କାନ ଛୁଏଁ ତାଙ୍କ ଶବ୍ଦ । ମୋତେ ଲାଗେ ସେ କବି ।
କିନ୍ତୁ ସେ କୁହନ୍ତି ସେ ଜଣେ ପାଠକ । ଆଜୀବନ ଲେଖାକୁ ପ୍ରେମ କରୁଥିବା ପାଠକ ।
ଲେଖାକୁ କିଏ ପ୍ରେମ କରେ ? ବିଶ୍ୱାସ ହେଉନଥିଲା । "ଲେଖା" କୌଣସି ୬୦/୭୦ ଦଶକର ଯୁବତୀ ନାଁ ନୁହେଁ ତ ! ଶ୍ରୀଲେଖା , ଲେଖାମତୀ , ଇଲେଖା , ଲେଖାଶ୍ରୀ ଇତ୍ୟାଦି ? ଅବଶ୍ୟ ମୋ ଅନୁମାନ ଠିକ୍ ହେଲା । 'ଲେଖାପ୍ରିୟା' ଜଣେ ଝିଅ ଥିଲା । ତାଙ୍କ ପ୍ରେମିକା । ତାଙ୍କୁ ନେଇ ସେ କଲେଜ ବେଳେ କବିତା ଲେଖନ୍ତି । ପ୍ରେମ କରନ୍ତି ଆଉ ବିବାହର ପ୍ରତିଶ୍ରୁତି ଦିଆ ନିଆ ହୁଅନ୍ତି । ବିବାହ ପୂର୍ବରୁ କବିତା ସଙ୍କଳନ ଗୋଟିଏ ଛାପି ଉପହାର ଲେଖାପ୍ରିୟା'ଙ୍କୁ ଦେବେବୋଲି ମନସ୍ଥ କରନ୍ତି ।
କିନ୍ତୁ ବିଧାତାର ଇଛା ଅଲଗା ଥିଲା । ଏକ ଦୁର୍ଘଟଣାରେ ଲେଖାପ୍ରିୟା ପ୍ରାଣ ହରାଇଥିଲେ । ମାନସିକ ଭାରସାମ୍ୟ ହରାଇଲେ ଅଂଶୁମାନ । ଯେଉଁ ଚାକିରୀ , ସାହିତ୍ୟ ଆଉ ଜୀବନ ବାଛିଥିଲେ ଲେଖାପ୍ରିୟାଙ୍କ ପାଇଁ ତାହା ସମ୍ପୂର୍ଣ୍ଣ ବଦଳି ଗଲା ।
କାହାଣୀ ଶୁଣି ମୋ ଆଖିରେ ଲୁହ ନଥିଲା । କେବଳ ମେଞ୍ଚାଏ ସହାନୁଭୂତି ବିଞ୍ଚି ହୋଇପଡୁଥିଲା ତାଙ୍କ ପରିବା ଦୋକାନ ଉପରେ । ତାଙ୍କ ଅତୀତ ଉପରେ । ସେ ହରେଇଦେଇଥିବା କବିତା ଗୁଡିକ ଉପରେ ।
ଦିନେ ତାଙ୍କୁ ଡାକିଲି ମୋ ସହ ଗୋଟିଏ ସାହିତ୍ୟ ସଭାକୁ ଯିବାପାଇଁ । ସେ ମନା କଲେ , ମୁଁ ବାଧ୍ୟ କଲି । ନିମନ୍ତ୍ରଣ ପତ୍ର ସହ ପହଞ୍ଚିଗଲୁ । ତାଙ୍କର କବିତା ପ୍ରତି ସ୍ପୃହା ନଥିଲା । ଆରମ୍ଭରୁ ସେ ଢୋଳେଇବା ଆରମ୍ଭ କରିଦେଇଥିଲେ । ଆଉ ମୁଁ ପ୍ରତ୍ୟକ କବିତାରେ ତାଳି ମାରି ପ୍ରଶଂସା କରୁଥାଏ କବି ମାନଙ୍କର । କିନ୍ତୁ ମଝିରେ ଗୋଟିଏ କବିତା ପାଠ ଆରମ୍ଭରୁ ସେ ବିଳିବିଳେଇ ହୋଇ ଉଠିପଡିଲେ । ତାଙ୍କ ଦୁଇ ଆଖି ତେଜ ଜଣା ପଡୁଥାଏ । ମନରେ ଅଜସ୍ର ଉତ୍ସାହ ! ମୋ ହାତ ଧରିପକାଇ କହିଲେ "ଲେଖାପ୍ରିୟା !"
ମୁଁ କିଛି ବୁଝିପାରୁନଥାଏ । କବିତାଟି ମୁଁ ଅତି ମୁଗ୍ଧ ହୋଇ ଶୁଣୁଥାଏ ସେ ଅଧା ଲେଖା କବିତାଟି ଯାହା କବି ତାଙ୍କ ପତ୍ନୀ ଙ୍କ ପାଇଁ ରଚନା କରିଥିଲେ । କିନ୍ତୁ କବିତାର ଆଗ ପଂକ୍ତିଗୁଡିକୁ ଅଂଶୁମାନ ଭାଇ ମୋ ପାଖରେ ଗୁଣୁଗୁଣଉଥାନ୍ତି । କବିତାଟି ଏତେ ସୁନ୍ଦର ଥିଲା ଯେ , କେହି ମଧ୍ୟ ପଢି ଘୋଷି ରଖିବ । ହୁଏତ ସେ ଘୋଷି ଦେଇଥିଲେ ।
ସମ୍ବର୍ଦ୍ଧନା ଉତ୍ସବ ସରିଲା । ଆମେ ଉଠିଲୁ । ଅଂଶୁମାନ ଭାଇ ମୋତେ ଟାଣିନେଇଗଲେ ସେ କବିଙ୍କ ପାଖକୁ । ଜନସମାଗମ ଠାରୁ ଟିକେ ଦୂରକୁ ଡାକିନେଇ ପଚାରିଲେ "ସେ ସଂକଳନ ଖାତାଟି ଏବେ ମଧ୍ୟ ତୁମେ ସାଇତି ରଖିଛ ?"
କବି ମହାଶୟ ଟିକେ ଥରି ଉଠିଲେ । ସିଧା ସିଧା କହିଲେ "କିଏ ତମେ ? ମୋତେ କାହିଁକି ଏମିତି ହଇରାଣ କରୁଛ ?"
ମୁଁ ବୁଝିସାରି ଥାଏ । ମୋ ରାଗ ମୁଣ୍ଡ ଚଢ଼ିଗଲା । ସେ କବିଙ୍କ ପାଖକୁ ଲାଗିଯାଇ କହିଲି "ଚିହ୍ନିଚ ମୋତେ ? ଏ ସହରେ ଅନେକ କାଣ୍ଡ ମୁଁ ଭିଏଇଛି , ସତ କୁହ ନହେଲେ ଏଇଠି ତୁମ କବିତା ଆଉ ତୁମ କବିପଣକୁ ସମାଧି ଦେଇଦେବି । ଚୋର କଉଠିକାର !"
ଲୋକଟି କାନ୍ଦ କାନ୍ଦ ହୋଇଗଲେ । ନିରୀହ ଥିଲେ ବୋଧେ ! ସଙ୍ଗେ ସଙ୍ଗେ କହିଲେ "ହଁ ମୋ ପାଖରେ ଅଛି । କିନ୍ତୁ ମୁଁ ଚୋରି କରିନି । ଗୋଟିଏ ରଦିବାଲା ପାଖରୁ ମିଳିଥିଲା । ହୁଏତ ସେ ଫିଙ୍ଗିଦେଇଥିଲେ । ଅଂଶୁମାନ ନାଁ ରେ କେତେ କାହାକୁ ଖୋଜିଥାନ୍ତି ? ମୋର ଇଛା ଥିଲା କବି ହେବାପାଇଁ , ଏଇଆକୁ ସାହାରା ନେଇ କବି ହେଲି । ମୁଁ ପଠେଇବି ସେ ଖାତାଟି ।"
ମୋ ରାଗ ଶାନ୍ତ ହେଉନଥାଏ । ମୁଁ ଗର୍ଜିଉଠି କହିଲି ତେବେ ଏ ପୋଷାକ , ଯୋତା , କଲମସବୁ ତମେ ସେ ରଦି ବାଲା ପାଖରୁ ଆଣିଛ ?"
ମୋ କାନ୍ଧରେ ନରମ ପାପୁଲି ରଖି ଅଂଶୁମାନ ଭାଇ ମୋତେ ଚୁପ୍ କରାଇବା ଢଙ୍ଗରେ କହିଲେ "ତୁମେ ଶାନ୍ତ ହୁଅ । ଯାହା ହେବାର ଥିଲା ହୋଇସାରିଲାଣି । ମୁଁ ହରେଇଦେଇଥିବା ସେ ଅତୀତ ଫେରିପାଇବି । ଆଉ ଅନାବଶ୍ୟକ କଥା କାହିଁକି ?"
ସେ କବିଙ୍କୁ ମୋ ଠିକଣା ଲେଖିଦେଇ ଅଂଶୁମାନ ଭାଇଙ୍କ ପଛେ ପଛେ ଆସିଲି । ଲାଗୁଥିଲା ଯେପରି ସେ ତାଙ୍କ ଲୁହ ପୋଛୁଛନ୍ତି ।
ଆଉ ସେ କବିତା ଚୋରି ଘଟଣା !!!
କବିତାଟି ମୋ ହିସାବରେ ଚୋରି ହୋଇଯାଇଥିଲା । ସେ ବୃଦ୍ଧଙ୍କ ହିସାବରେ ତାଙ୍କ ମାନସିକ ସ୍ଥିତି ଖରାପ ବେଳେ ହଜିଯାଇଥିଲା । ସେ କବିତା ପାଠ କରିଥିବା କବିଙ୍କ ହିସାବରେ କବିତାଟି ଫିଙ୍ଗା ଯାଇଥିଲା । ପାଠକ ଓ ଶ୍ରୋତାଙ୍କ ହିସାବରେ କବିତାଟି ସାହିତ୍ୟ ରଚନାର ଅନନ୍ୟ ଉଦାହରଣ ଥିଲା । ଆଉ କବିତା ! ୟା ଭିତରେ ସେ ତା ନିଜ ପରିଚୟ ନିଜେ ସୃଷ୍ଟି କରିଥିଲା । ତା ସ୍ରଷ୍ଟାଙ୍କୁ ନିଜେ ଖୋଜିସାରିଥିଲା ।
#ଗଳ୍ପକବିତା
ସୋଲଗାଡ଼ିଆ
ଢେଙ୍କାନାଳ
୭୫୯୦୧୬
.jpeg)

👏👏❤️ ସକାଳ ସୁନ୍ଦର ହୋଇଗଲା ଲେଖା ରେ
ReplyDeleteବୋହୁତ ବୋହୁତ ଧନ୍ୟବାଦ 🙏😊
Deleteବାଃ ଭାଇ ବଢିଆ ହେଇଛି 👌👌
ReplyDeleteଅଶେଷ ଧନ୍ୟବାଦ 🙏😊
Delete