ବେଶି କିଛି ପ୍ରଭେଦ ନାହିଁ
ତୁମେ ସ୍ବପ୍ନର ଘର ତୋଳିଛ
ଝିଲ୍ ମିଲ୍ ଆଲୁଅକୁ ସଜେଇ
ସେ ସହର ଗଳିର କେଉଁ ଠିକଣାରେ !
ମୁଁ ମଧ୍ୟ ଘରଟିଏ ତୋଳିଛି
ନିର୍ମଳ ଆକାଶ , ତୋଫା ଜହ୍ନ
ଆଉ ବୁଢ଼ା ହେଉନଥିବା
ବରଗଛ ଛାଇ ଯେଉଁଠି ସରେ !!!
ତୁମ ସହରେ ମଧ୍ୟ ଝଡ଼ ଆସେ
ଠିକ୍ ମୋ ଗାଁ ଭଳି,
ଉଡେଇ ନିଏ ସ୍ବପ୍ନ…
ଲଦିଦିଏ ବୋଝ ବୋଝ
ନଷ୍ଟ ହୋଇପଡିଥିବା "ଆଶା ଆକାଂକ୍ଷା"
ସତ କହିଲ !
ଝଡ଼ ଚାଲିଗଲା ପରେ
ତୁମେ ମୋ ଗାଁ
ଆଉ ମୁଁ ତୁମ ସହରକୁ
କେତେ ମନେପକେଇଛେ ?
ହଁ, ଯେତେବେଳେ ତୁମ ସହର
ରକ୍ତ ଖେଳେ
ସମ୍ପର୍କକୁ ହତ୍ୟାକରି...
ଯେତେବେଳେ ବିଚ୍ଛିନ୍ନତାବାଦ
ଭିନ୍ନକ୍ଷମ କରିଦିଏ
ମୋ ଗାଁ…
ସେତେବେଳେ ତୁମେ 'ଆହାଃ' ବୋଲି କୁହ
ଭିଟା ମାଟି ଥିବା ତୁମ ଗାଁକୁ ।
ସେତେବେଳେ ମୁଁ ମଧ୍ୟ ମନେପକାଏ
ମୋ ଗାଁ ଛାଡି ଚାଲିଯାଇଥିବା
ସହରୀ ମଣିଷ ଗୁଡିକୁ ।
ବେଶି କିଛି ପ୍ରଭେଦ ନାହିଁ
ତୁମ ସହର ମୋ ଗାଁ'ରେ…
ଅଭାବର ପ୍ରଚଣ୍ଡ ଜ୍ୱାଳାରେ
ଏ ଦୁହେଁ ଜଳନ୍ତି ।
ପ୍ରେମ ପ୍ରତାରଣାର ନିଆଁରେ
ଏ ଦୁହେଁ ଜଳନ୍ତି ।
ରାଜନୀତି ପଶାପାଲିରେ
ଏ ଦୁହେଁ ଜଳନ୍ତି ।
ଜାତି-ଧର୍ମ-ବର୍ଣ୍ଣ ଦ୍ୱାହିରେ
ଏ ଦୁହେଁ ଜଳନ୍ତି ।
◆◆◆
#ଗଳ୍ପକବିତା
ହିମାଂଶୁ ଭୂଷଣ ସାହୁ
ସୋଲଗାଡ଼ିଆ, ଢେଙ୍କାନାଳ
.jpeg)

No comments:
Post a Comment