HIMANSHUBHUSHAN SAHOO

My photo
ନିରୋଳା ଦେଖି ଗଳ୍ପ ଗୁଡିକ ମୋତେ ପ୍ରଶ୍ନ କଲେ "ତୁ ଗଳ୍ପ କେମିତି ଲେଖୁ ?" ମୁଁ ହସିଦେଇ କହିଥିଲି "ଆପଣ ନିଜକୁ ଦେଖନ୍ତୁ , ନିଜ ଚତୁର୍ଦ୍ଦିଗ କୁ ଅନୁଭବ କରନ୍ତୁ ! ଅସରନ୍ତି ସୁଖ-ଦୁଃଖ , ଅକଳନ ହାନି-ଲାଭ , ଗଭୀର ପ୍ରେମ-ବିରହ , ଅପର୍ଯ୍ୟାପ୍ତ ଜନ୍ମ-ମୃତ୍ୟୁ !!! ସବୁତ ପ୍ରଦର୍ଶିତ ଏଠି " ଆଉ କବିତା କ'ଣ କହିଲା ଜାଣନ୍ତି ? କହିଲା, "ତୁ' ତ ନିଜକୁ ଗାଳ୍ପିକ ଭାବିଛୁ , କବିତା କିପରି ଲେଖିବୁ ?" ମୋ ଉତ୍ତର ଥିଲା.. " ସତେ'ତ ! ତୁମ ହସ ହସ ତୃପ୍ତ ବଦନରୁ ଟିକିଏ ଦୁଃଖ ଟାଣିଆଣି.. ଗାରେଇ ନଦେଲେ ମୋ ଭାବନାରେ ! ସେ କି କବିତା ?"

Tuesday, March 14, 2023

ତୁମ ସହର ମୋ ଗାଁ

ବେଶି କିଛି ପ୍ରଭେଦ ନାହିଁ

ତୁମେ ସ୍ବପ୍ନର ଘର ତୋଳିଛ

ଝିଲ୍ ମିଲ୍ ଆଲୁଅକୁ ସଜେଇ

ସେ ସହର ଗଳିର କେଉଁ ଠିକଣାରେ !

ମୁଁ ମଧ୍ୟ ଘରଟିଏ ତୋଳିଛି

ନିର୍ମଳ ଆକାଶ , ତୋଫା ଜହ୍ନ

ଆଉ ବୁଢ଼ା ହେଉନଥିବା

ବରଗଛ ଛାଇ ଯେଉଁଠି ସରେ !!!


ତୁମ ସହରେ ମଧ୍ୟ ଝଡ଼ ଆସେ

ଠିକ୍ ମୋ ଗାଁ ଭଳି,

ଉଡେଇ ନିଏ ସ୍ବପ୍ନ…

ଲଦିଦିଏ ବୋଝ ବୋଝ

ନଷ୍ଟ ହୋଇପଡିଥିବା "ଆଶା ଆକାଂକ୍ଷା"

ସତ କହିଲ !

ଝଡ଼ ଚାଲିଗଲା ପରେ

ତୁମେ ମୋ ଗାଁ

ଆଉ ମୁଁ ତୁମ ସହରକୁ

କେତେ ମନେପକେଇଛେ ?


ହଁ, ଯେତେବେଳେ ତୁମ ସହର

ରକ୍ତ ଖେଳେ

ସମ୍ପର୍କକୁ ହତ୍ୟାକରି...

ଯେତେବେଳେ ବିଚ୍ଛିନ୍ନତାବାଦ

ଭିନ୍ନକ୍ଷମ କରିଦିଏ

ମୋ ଗାଁ…

ସେତେବେଳେ ତୁମେ 'ଆହାଃ' ବୋଲି କୁହ

ଭିଟା ମାଟି ଥିବା ତୁମ ଗାଁକୁ ।

ସେତେବେଳେ ମୁଁ  ମଧ୍ୟ ମନେପକାଏ

ମୋ ଗାଁ ଛାଡି ଚାଲିଯାଇଥିବା

ସହରୀ ମଣିଷ ଗୁଡିକୁ ।


ବେଶି କିଛି ପ୍ରଭେଦ ନାହିଁ

ତୁମ ସହର ମୋ ଗାଁ'ରେ…

ଅଭାବର ପ୍ରଚଣ୍ଡ ଜ୍ୱାଳାରେ

ଏ ଦୁହେଁ ଜଳନ୍ତି ।

ପ୍ରେମ ପ୍ରତାରଣାର ନିଆଁରେ

ଏ ଦୁହେଁ ଜଳନ୍ତି ।

ରାଜନୀତି ପଶାପାଲିରେ

ଏ ଦୁହେଁ ଜଳନ୍ତି ।

ଜାତି-ଧର୍ମ-ବର୍ଣ୍ଣ ଦ୍ୱାହିରେ

ଏ ଦୁହେଁ ଜଳନ୍ତି । 

                                 ◆◆◆

#ଗଳ୍ପକବିତା

ହିମାଂଶୁ ଭୂଷଣ ସାହୁ

ସୋଲଗାଡ଼ିଆ, ଢେଙ୍କାନାଳ



No comments:

Post a Comment

"ଗୌରୀପ୍ରଭା"ର ପ୍ରଥମ ବର୍ଷ

 ଏବେ “ ଗୌରୀପ୍ରଭା ” ପହଞ୍ଚିଛି ତୃତୀୟ ବର୍ଷରେ । ତିନି ବର୍ଷର ଯାତ୍ରାରେ ଭେଟିଛି ଅନେକ ଅନୁଭବ । ଆସନ୍ତୁ ଜାଣିବେ “ଗୌରୀପ୍ରଭା” ବାର୍ଷିକ ପତ୍ରିକାର ପ୍ରଥମ ବର୍ଷର ପା...