କଥାକାର ସୁଦୀପ ରୋହନ ବାଘ ଜଣେ ମୁକ୍ତ ଚିନ୍ତାଧାରାର ଆଧୁନିକ ବାର୍ତ୍ତା ଓ ପୁରାତନ ସମାଜରେ ସୁପ୍ତ ପଡିରହିଥିବା ଦୃଢ଼ଚିନ୍ତାଧାରାକୁ ନିଜ କଲମ ମୁନରେ ଆଙ୍କି ବୈପ୍ଳବିକ ଭାବ ଉଦ୍ରେକ କରୁଥିବା ଜଣେ ଆଧୁନିକ ବିନ୍ଧାଣି ।
କଥାକାର ସୁଦୀପ ରୋହନ ପେଶାରେ ଜଣେ ଦକ୍ଷ ସରକାରୀ ଯନ୍ତ୍ରୀ । ନିଜ ବ୍ୟସ୍ତବହୁଳ କର୍ମମୟ ଜୀବନରୁ ସେ ସମୟ ବାହାର କରି ସାହିତ୍ୟ ପ୍ରତି ତାଙ୍କ ଅନୁରାଗ ସାବ୍ୟସ୍ତ କରନ୍ତି ଗଳ୍ପ କବିତା ମାଧ୍ୟମରେ ଓ ସାମାଜିକ ଗଣମାଧ୍ୟମରେ କିଛି ଓଡ଼ିଆ ଭାଷାକୁ କଦର୍ଥ କରୁଥିବା ସଂସ୍ଥା ଓ ବ୍ୟକ୍ତିଙ୍କୁ ସଠିକ ବାଟ ମଧ୍ୟ ଦେଖାଇବାକୁ ପଛାନ୍ତି ନାହିଁ ।
ଶ୍ରୀ ବାଘଙ୍କ କୃତିରେ ରହିଛି ସମାଜ ଓ ସଂସ୍କାରର ବାର୍ତ୍ତା ।
ଗଳ୍ପ "ପ୍ରତ୍ୟାବର୍ତ୍ତନ"ରେ "ଦ୍ୱିପାକ୍ଷିକ ପାରିବାରିକ ଆତ୍ମସମୀକ୍ଷା"।
ଗଳ୍ପ "ତଥାପି"ରେ "ଜଣେ ସଚ୍ଚୋଟ ସରକାରୀ ଶିକ୍ଷକଙ୍କ ଦୁଃଖ ଦିନମାନଙ୍କରେ ସାରା ଜୀବନ ପରିଶ୍ରମ ର ଛାତ୍ର ରୂପୀ ମଲମ ।
ଗଳ୍ପ "କିଛି ଲୁଚି ରହେନାହିଁ"ରେ ଜଳଜଳ ଦେଖାଉଥିବା ମଣିଷସମାଜର ବଡ଼ ହତ୍ୟାକାରୀର ପାପ !
ଗଳ୍ପ "ସମାଧି"ରେ ନିଶା ନିବାରଣ ସପକ୍ଷରେ ଗୋଟିଏ ସରଳ ଉପାୟ ।
ଏମିତି ଅନେକ ଚମତ୍କାର ଗଳ୍ପ ମଧ୍ୟରୁ ସର୍ବଦା ପ୍ରଶଂସନୀୟ ଓ ଲୋକାଦୃତ ସୃଷ୍ଟି "ଡ୍ରେସ ପିନ୍ଧା ସାବିତ୍ରୀ"। ଗଳ୍ପଟି ଓଡ଼ିଶାର ସୁପ୍ରସିଦ୍ଧ ଇ-ପତ୍ରିକା "ଶୁଭପଲ୍ଲବ"ର ସେପ୍ଟେମ୍ବର ୨୦୨୨ ମସିହାରେ ପ୍ରକାଶିତ ହୋଇଥିଲା ।
ଆପଣଙ୍କ ମନରେ ପ୍ରଶ୍ନ ଆସିପାରେ ଯେ "ଡ୍ରେସ ପିନ୍ଧା ସାବିତ୍ରୀ"ଶୀର୍ଷକ କାହିଁକି ? ଯେହେତୁ ଡ୍ରେସ୍ ର ଅନୁବାଦ 'ପୋଷାକ' ଓ ପୋଷାକ ରେ କି ଅର୍ଥ ଅନର୍ଥ ଅଛି ଯେ ଲେଖକ ଏଭଳି ଶୀର୍ଷକ ବାଛିଲେ ?
ତେବେ ଆସନ୍ତୁ କିଛି ଆଲୋଚନା କରିବା ଗଳ୍ପ ଉପରେ ।
କାହାଣୀଟି ଆରମ୍ଭ ହେଉଛି ପବିତ୍ର ସାବିତ୍ରୀ ବ୍ରତର ପୂର୍ବ ପ୍ରସ୍ତୁତିରୁ । ଦେଖିବାକୁ ମିଳୁଛି ଗୋଟିଏ ଝିଅର ପରିବାର ଚିନ୍ତା ଓ ପ୍ରତ୍ୟକ ସାଜସଜ୍ଜା ରେ କିପରି ଯତ୍ନ ନେବାକୁ ହୁଏ ! ତାହା ନିଖୁଣ ଭାବେ ବର୍ଣ୍ଣନା କରାଯାଇଅଛି । ଏବଂ ହଠାତ ଝିଅର ଶାଶୁ ଶ୍ୱଶୁର ଙ୍କ ଯଦି ଠିକ ସେଇ କାର୍ଯ୍ୟବ୍ୟସ୍ତତା ଭିତରେ ଫୋନ ଆସେ ସେ ପରିସ୍ଥିତି !
ଜଣେ ଓଡ଼ିଆ ନିରୀହ ପରିବାର ର ଭିତର ଓ ବାହ୍ୟ ସମସ୍ୟା କିପରି ସୃଷ୍ଟି ହୋଇଯାଏ ଓ ତାହା ଇଙ୍ଗିତ କରେ ସମ୍ପୂର୍ଣ୍ଣ ମାନବସମାଜ ଓ ଚିନ୍ତାଧାରାକୁ !
ମୁଖ୍ୟତଃ ଦୁଇଟି ଭିନ୍ନ ଭିନ୍ନ ଚିନ୍ତାଧାରାକୁ ପ୍ରଭାବିତ କରିଲା ଭଳି ଗୁଡ଼ାଏ ପ୍ରଶ୍ନ । ଯାହା ସ୍ୱାଭାବିକ ଥାଏ ମେଞ୍ଚେ ସନ୍ଧ୍ୟାବେଳେ ଏକତ୍ରିତ ହୋଇ କାହା ଦେହ ଉପରେ ଅଟ୍ଟହାସ୍ୟ କରୁଥିବା ବିକୃତ ଚିନ୍ତାଧାରା ଓ ଶୌଚାଳୟ ସପକ୍ଷରେ ନିଜ ମନକୁ ଦୃଢ଼ କରି ବାନ୍ଧି ରଖିଥିବା 'ପ୍ରତୀକ୍ଷା' ଭଳି ସ୍ପଷ୍ଟବାଦୀ ଝିଅ ! ଗୋଟିଏ ପଟେ ସମାଜର ଦୂଷିତ ଅଧ୍ୟାୟ ଓ ଅନ୍ୟପଟେ ପରିବେଶ ପରିଚ୍ଛନ୍ନତା ପ୍ରତି ଯତ୍ନବାନ !
ଗଳ୍ପରେ ଦେଖାଦେଇଛି ଗୋଟିଏ ବିପ୍ଳବ !!!
ଯେଉଁ ସମାଜର ଗୋଟିଏ ଅଙ୍ଗ ଭାବେ "ଝିଅଟିଏ , ବିବାହ ପୂର୍ବରୁ ଶାଶୁ ଶ୍ୱଶୁରଙ୍କ ପାଖେ ନିଜ ମତ ରଖିପାରିବ ନାହିଁ !"
ଯେଉଁ ସମାଜର ଅନ୍ୟ ଏକ ଅଙ୍ଗ ଭାବେ "ବୋହୂ ପ୍ରତି ଶାଶୁର ଏକଚାଟିଆ ଅଧିକାର !"
ଯେଉଁ ସମାଜର ଗୋଟିଏ ଅଙ୍ଗ ଭାବେ "ଶାଢ଼ୀ ହିଁ ବୈବାହିକ ନାରୀର ଏକମାତ୍ର ଭୂଷଣ !"
ସେଇ ପ୍ରତ୍ୟକ ସମାଜ ପାଇଁ ଶ୍ରୀଯୁକ୍ତ ସୁଦୀପ ରୋହନ ବାଘଙ୍କ ଏ ବିପ୍ଳବର ଗଳ୍ପ "ଡ୍ରେସ ପିନ୍ଧା ସାବିତ୍ରୀ"।
ମୋତେ କାହାଣୀଟିରେ ଜୀବନର ବାସ୍ତବତା , ଲଦି ହୋଇପଡୁଥିବା ସମ୍ପର୍କର ବିରୋଧାଭାଷ , କୁସଂସ୍କାର ପ୍ରତି ସଚେତନ ଓ ଜଣେ ଦୃଢ଼ମନା ନାରୀର ବ୍ୟକ୍ତିତ୍ବ ଅନୁଭବ ହେଲା । ଆଶାକରୁଛି ଆପଣ ଗଳ୍ପ "ଡ୍ରେସ ପିନ୍ଧା ସାବିତ୍ରୀ"ପଢ଼ି ନିଜର ଅନୁଭବ ବାଣ୍ଟିବେ ।
✍️ଲେଖକ ଶ୍ରୀଯୁକ୍ତ ସୁଦୀପ ରୋହନ ବାଘ



ଧନ୍ୟବାଦ ଭାଇ
ReplyDelete