HIMANSHUBHUSHAN SAHOO

My photo
ନିରୋଳା ଦେଖି ଗଳ୍ପ ଗୁଡିକ ମୋତେ ପ୍ରଶ୍ନ କଲେ "ତୁ ଗଳ୍ପ କେମିତି ଲେଖୁ ?" ମୁଁ ହସିଦେଇ କହିଥିଲି "ଆପଣ ନିଜକୁ ଦେଖନ୍ତୁ , ନିଜ ଚତୁର୍ଦ୍ଦିଗ କୁ ଅନୁଭବ କରନ୍ତୁ ! ଅସରନ୍ତି ସୁଖ-ଦୁଃଖ , ଅକଳନ ହାନି-ଲାଭ , ଗଭୀର ପ୍ରେମ-ବିରହ , ଅପର୍ଯ୍ୟାପ୍ତ ଜନ୍ମ-ମୃତ୍ୟୁ !!! ସବୁତ ପ୍ରଦର୍ଶିତ ଏଠି " ଆଉ କବିତା କ'ଣ କହିଲା ଜାଣନ୍ତି ? କହିଲା, "ତୁ' ତ ନିଜକୁ ଗାଳ୍ପିକ ଭାବିଛୁ , କବିତା କିପରି ଲେଖିବୁ ?" ମୋ ଉତ୍ତର ଥିଲା.. " ସତେ'ତ ! ତୁମ ହସ ହସ ତୃପ୍ତ ବଦନରୁ ଟିକିଏ ଦୁଃଖ ଟାଣିଆଣି.. ଗାରେଇ ନଦେଲେ ମୋ ଭାବନାରେ ! ସେ କି କବିତା ?"

Tuesday, August 22, 2023

ବର୍ଷାର କବିତା

ଏବେ ଏବେ ବର୍ଷିଗଲା ଅସଳାଏ

ବେଉଷୁଣିଆ ବର୍ଷା !

ଆମ ଗାଁ କଂକ୍ରିଟ ରାସ୍ତାକୁ ଓଦା କରି

ନିଗିଡିଗଲା ମେଞ୍ଚେ ଅଳିଆ ଆବର୍ଜନା ନେଇ

ଜମାଟ ବାନ୍ଧିବାକୁ ଯେଉଁଠି ଡ୍ରେନ ଅଧା ଅଛି !!!


ବର୍ଷା !

କଂକ୍ରିଟ ରାସ୍ତାରେ ଚବ୍ ଚବ୍ କରୁଥିବା ଅଳତା ପାଦ ।

ବର୍ଷା !

ନିଗିଡ଼ା ଅଳିଆ ଭିତର କାଗଜରେ କବିତା ପଦ ।

ବର୍ଷା !

ଅଧା ମୁହଁ ଡ୍ରେନ ପାଖେ ରାଜନୀତି ଶବ୍ଦ ।


ସେଇ ଅଧା ମୁହଁ ଡ୍ରେନ ପାଖେ ଶେଉଳ ଧରିଛି

ଚେମା ନାଗ ର ପୁଅ !

ଆଖିରେ ମେଞ୍ଚେ ସ୍ବପ୍ନ ଆମ୍ବୁଲ ମାଛ ଝୋଳର

କିନ୍ତୁ ଚେମା କ'ଣ ଚାଖିବ ?

ସରକାରୀ ମଦଭାଟିରେ ତା ଶରୀର ପଡିଛି !!!


ବର୍ଷା !

କୁଡ଼ିଆକୁ ଭାଙ୍ଗି କୋଠାଟିଏର ରାଜନୈତିକ ଆଶା ।

ବର୍ଷା !

ବନ୍ୟା କ୍ଷୟକ୍ଷତିରୁ ଲୁଣ୍ଠିତ କୋଟି କୋଟି ଭରସା ।

ବର୍ଷା !

ଗରିବ ଦେଖିଥିବା ଏକ ଇନ୍ଦ୍ରଧନୁର ବିଦ୍ରୁପ ଲାଳସା ।


ଅଧା ଇନ୍ଦ୍ରଧନୁ ପୋତି ହୋଇଥିବ ନିଶ୍ଚନ୍ତା ତଇଲାରେ

ଯାଜପୁରର ଧୂଳିପ୍ରଦୂଷଣ ପାଇଁ ପିନ୍ଧିଥିବ ମାସ୍କ !

ଦିଶୁଥିବ ଅସହାୟ ରଙ୍ଗୀନ ସ୍ବପ୍ନଟେ ପରି

କିନ୍ତୁ କିଏ ଗଣିବ କେତେ ରଙ୍ଗ କେତେ ରକ୍ତ !

ବିଲ ମୁହାଣରେ ତ ଏଠି ଜୀବନ ଜୀବିକା ଭାସୁଛି !!!


ବର୍ଷା !

ଅଧା ଇନ୍ଦ୍ରଧନୁରେ ସମ୍ପୂର୍ଣ୍ଣ ପ୍ରେମର ନିଶା ।

ବର୍ଷା !

ଜୀବନ ଜୀବିକରେ ସବୁଜ ସ୍ବପ୍ନଭରା ଆଶା ।

ବର୍ଷା !

ଶୀତଳ ସମୀରେ ଉଜ୍ବଳ ଏକ ପ୍ରକୃତି ଭାଷା ।




କିଏ ଦେଖୁଛି ଏଠି ବର୍ଷା , ବିଜୁଳି , ପାହାଡ଼ି ଝରଣା ?

ବେଳ କାଇଁ ମୋବାଇଲ ସ୍କ୍ରିନରୁ !

ବେଳ କାଇଁ ରାଜନୀତି ବର୍ଷାରେ ଛତା ହଟେଇବାକୁ

ବେଳ କାଇଁ ବେଙ୍ଗବେଙ୍ଗୁଲି ଗପରେ ଜୀବନ ଜିଇଁବାକୁ

ବେଳ ନାହିଁ ,ଏଠି ବର୍ଷା ଏକା ଏକା ବର୍ଷି ଯାଉଛି ।


ବର୍ଷା !

ପିଲାଦିନେ ପାଦେ ପାଣିରେ ହୀରାକୁଦ ବନ୍ଧ ବାନ୍ଧୁଥିବା ସଖା ।

ବର୍ଷା !

କିଶୋର ଉଲଗ୍ନ ଶରୀରେ ଭୂତିଆପୋଲରେ ଡେଉଁଥିବା ଯୋଦ୍ଧା ।

ବର୍ଷା !

ଯୁବକ ଉନ୍ମାଦରେ ମୁହଁ ଭିଜା ଓଦାଓଦା ପ୍ରେମର କବିତା ।

                               ◆◆◆


#ଗଳ୍ପକବିତା

ସୋଲଗାଡ଼ିଆ , ଢେଙ୍କାନାଳ ୭୫୯୦୧୬



No comments:

Post a Comment

"ଗୌରୀପ୍ରଭା"ର ପ୍ରଥମ ବର୍ଷ

 ଏବେ “ ଗୌରୀପ୍ରଭା ” ପହଞ୍ଚିଛି ତୃତୀୟ ବର୍ଷରେ । ତିନି ବର୍ଷର ଯାତ୍ରାରେ ଭେଟିଛି ଅନେକ ଅନୁଭବ । ଆସନ୍ତୁ ଜାଣିବେ “ଗୌରୀପ୍ରଭା” ବାର୍ଷିକ ପତ୍ରିକାର ପ୍ରଥମ ବର୍ଷର ପା...