HIMANSHUBHUSHAN SAHOO

My photo
ନିରୋଳା ଦେଖି ଗଳ୍ପ ଗୁଡିକ ମୋତେ ପ୍ରଶ୍ନ କଲେ "ତୁ ଗଳ୍ପ କେମିତି ଲେଖୁ ?" ମୁଁ ହସିଦେଇ କହିଥିଲି "ଆପଣ ନିଜକୁ ଦେଖନ୍ତୁ , ନିଜ ଚତୁର୍ଦ୍ଦିଗ କୁ ଅନୁଭବ କରନ୍ତୁ ! ଅସରନ୍ତି ସୁଖ-ଦୁଃଖ , ଅକଳନ ହାନି-ଲାଭ , ଗଭୀର ପ୍ରେମ-ବିରହ , ଅପର୍ଯ୍ୟାପ୍ତ ଜନ୍ମ-ମୃତ୍ୟୁ !!! ସବୁତ ପ୍ରଦର୍ଶିତ ଏଠି " ଆଉ କବିତା କ'ଣ କହିଲା ଜାଣନ୍ତି ? କହିଲା, "ତୁ' ତ ନିଜକୁ ଗାଳ୍ପିକ ଭାବିଛୁ , କବିତା କିପରି ଲେଖିବୁ ?" ମୋ ଉତ୍ତର ଥିଲା.. " ସତେ'ତ ! ତୁମ ହସ ହସ ତୃପ୍ତ ବଦନରୁ ଟିକିଏ ଦୁଃଖ ଟାଣିଆଣି.. ଗାରେଇ ନଦେଲେ ମୋ ଭାବନାରେ ! ସେ କି କବିତା ?"

Thursday, June 27, 2024

ମଦ ଓ ରତନପୁର ମରଦ

✍️ହିମାଂଶୁ ଭୂଷଣ ସାହୁ

   ଏବେ ଓଡ଼ିଶା ସରକାରଙ୍କ ନିଷ୍ପତ୍ତି ଆଲୋଚନା ଯୋଗ୍ୟ । ମଦ ବନ୍ଦ ହେବ କିମ୍ବା କମ କରିଦିଆଯିବ ତା ଉପରେ ନିର୍ଭର କରିବ ମଦୁଆ ବଢ଼ିବେ କି ଖର୍ଚ୍ଚ ଦ୍ୱିଗୁଣା ହେବ । ହଁ ମୁଁ ମଦୁଆଙ୍କ କମ୍ ହେବା କଥା ଲେଖୁନାହିଁ କାରଣ ଏଇ ନିର୍ବାଚନ ବେଳେ ଯାହା ଦେଖିଲି ସେଥିରେ ବଢ଼ିବା ବ୍ୟତୀତ କମ୍ ହେବା ଏକ ଦିବାସ୍ବପ୍ନ ଯାହା । 

  ଅନ୍ୟ ଅର୍ଥରେ ମଦ ପିଉଥିବା ପ୍ରତ୍ୟକଙ୍କୁ ମଦୁଆ କହିବା ମଧ୍ୟ ସ୍ୱାଗତଯୋଗ୍ୟ ନୁହେଁ । କାରଣ କିଛି ଲୋକ ମାସ କି ସପ୍ତାହରେ ଥରେ ଅଧେ ପିଅନ୍ତି ଯେ କି ହୁଏତ ବନ୍ଦ ହେଲେ ସେମାନଙ୍କର କୌଣସି ବିଚଳିତ ଭାବ ପ୍ରକାଶ କିମ୍ବା ତିକ୍ତ ପ୍ରତିକ୍ରିୟା ହେବ ନାହିଁ । ଧ୍ୟାନ ରଖିବାକୁ ହେବ ଯେ ବିହାରରେ ବନ୍ଦ ବେଳେ କିପରି ଲୋକ ମୃତ୍ୟୁବରଣ କଲେ ମଦ ନ ପାଇବାରୁ । ସେପରି ଓଡ଼ିଶାରେ ନହେଉ ।

   ଅର୍ଥାତ ମୁଁ କହିପାରେ କି ଏପରି ଲୋକ ପ୍ରାୟ ଗୋଟିଏ ଗାଁ ରେ ଅତି କମ ରେ ୧୦୦ ଜଣ ବାହାରିବେ । ସେଥିରୁ ଯୁବକ ୭୦/୮୦ ଜଣ ! ଏହା ମୁଁ ବହାସ୍ପଟ ମାରି ଲେଖୁନାହିଁ । ନିଜ ପଞ୍ଚାୟତର ଯୁବକଙ୍କ ଅବସ୍ଥା କୁ ଅନୁଧ୍ୟାନ କରି ଲେଖୁଛି । ଆଉ ହଁ ଏହା ପ୍ରମାଣ ମଧ୍ୟ ହୋଇପାରେ କି ଆମ ରତନପୁର ଗ୍ରାମପଞ୍ଚାୟତ ରେ ପ୍ରତ୍ୟକ ୧୦୦୦ ଯୁବକଙ୍କ ମଧ୍ୟରୁ ମାତ୍ର ୫/୧୦ ଜଣ ନିଶାଦ୍ରବ୍ୟ ସେବନ କରନ୍ତି ନାହିଁ । କିନ୍ତୁ ଗୁଠଖା କିମ୍ବା ପାନ ବିଡ଼ି ଆଦି କୁ ଯୋଡିଲେ ସେ ସଂଖ୍ୟା ୪/୫ ଭିତରେ ସୀମିତ ମଧ୍ୟ ରହିପାରେ ।

   ତେଣୁ ପ୍ରଶ୍ନ ଆସିପାରେ "ମଦ" ନା "ନିଶାଦ୍ରବ୍ୟ ନିଷିଦ୍ଧ ?"

   ନିଶା ଏପରି ଏକ ମାରାତ୍ମକ ରୋଗ ପାଲଟି ଗଲାଣି ଯେ ଯାହାର କୌଣସି ସମାଧାନ ବ୍ୟବସ୍ଥା ଅତି କଠିନ । ତଥାପି ସରକାର ଙ୍କ ନିଷ୍ପତ୍ତି ଉପରେ ନିର୍ଭର କରୁଛି କି ଏ କଠିନତମ ସଂଘର୍ଷରେ ଯୁବକ କିମ୍ବା ନିଶାଖୋର ଜନତାଙ୍କ କିପରି ଭାଗିଦାରୀ ରହିବ ଏକ ସୁସ୍ଥ ଓ ସରଳ ସମାଜ ଗଢିବାରେ । 

   ନିଶା ଓ ବିଶୃଙ୍ଖଳା ଯେ କେବଳ 'ମଦ' କରେ ! ଏ ଉକ୍ତି ଦେଇ ସରକାର ଭୁଲ କରୁଛନ୍ତି । କାରଣ ମଦ ବନ୍ଦ ଦ୍ୱାରା ଲୋକ ଅତ୍ୟଧିକ ପ୍ରଭାବିତ ହେବେ ବିଡ଼ି-ସିଗାରେଟ-ଗଞ୍ଜେଇ-ଚରସ ଇତ୍ୟାଦି ଆଡ଼କୁ । ତେଣୁ ଏସବୁରେ ମଧ୍ୟ ଶିକୁଳି ଲାଗିବା ଅତି ଆବଶ୍ୟକ । ଏବଂ ସବୁଠୁ ବଡ଼ କାମ ହେଲା ନିଶା ଦ୍ରବ୍ୟର ଚୋରା କାରବାର ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ।

   ନିଶାଦ୍ରବ୍ୟ ଏତେ ପରିମାଣରେ ମୁଖ୍ୟତଃ ଯୁବକମାନଙ୍କ ଚିନ୍ତାଧାରା କିମ୍ବା କାର୍ଯ୍ୟଶୈଳୀ ରେ ପ୍ରଭାବିତ ହୋଇସାରିଛି କି ତାହା ଅକଳନୀୟ । ତାହାର ବଡ଼ ଉଦାହରଣ ପୂର୍ବ ନିର୍ବାଚନରେ ହୁଏତ ସଭିଏଁ ଦେଖିଥିବା । ଏବେ ମଧ୍ୟ କୌଣସି ବଜାର ଛକ କିମ୍ବା ଯେଉଁଠି ୫/୬ ଜଣ ଏକାନ୍ତରେ ବସିବା ଜାଗା ଅଛି ତା ଆଖପାଖରେ ମଦ ବୋତଲ ଦେଖିବାକୁ ମିଳୁଛି ।

   ଗାଁ ଗାଁରେ ଚୋରା ମଦ ବିକ୍ରି ହେଉଛି ଦୋକାନ ମାନଙ୍କରେ ଓ କିଛି ଘରେ ମଧ୍ୟ । ଥରେ ଫୋନ କଲେ ମଦ ଯୋଗାଇ ଦିଆଯାଉଛି । କିଛି ପିଲାଙ୍କ ବୟସ ଯାହା ୧୫/୧୬ ବୟସ ଆଖପାଖ ହେବ ସେମାନଙ୍କୁ ମଦ ପିଇବାର ଦେଖିବାକୁ ମିଳୁଛି । ଏମିତି କୌଣସି ପରିବାର ନାହିଁ ଯେଉଁ ପରିବାରରେ ଦୁଇ ଜଣରୁ କମ ନିଶାଖୋର ଲୋକ ମିଳିବେ !

   ଏବେ ଏମିତି ପରିବେଶ ସୃଷ୍ଟି ହୋଇଗଲାଣି କି ଯଦି କୌଣସି ଯୁବକ ମଦ ନପିଉଛି ତେବେ ଅନ୍ୟସବୁ ଆଶ୍ଚର୍ଯ୍ୟ ହୋଇ ଦେଖୁଛନ୍ତି ! ଯେପରି ସେ ପିଲାଟି କୌଣସି ଅନ୍ୟ ଗ୍ରହରୁ ଆସିଛି କିମ୍ବା ସେ ଏ ସମାଜରେ ରହିବା ଯୋଗ୍ୟ ନୁହେଁ ! କିଛିଯୁବକ ତ ଏମିତି ଅଛନ୍ତି ଯାହାଙ୍କୁ ପ୍ରତ୍ୟକ ସନ୍ଧ୍ୟାରେ ମଦ ଓ କିଛିଙ୍କୁ ଗଞ୍ଜେଇ ଯେ କୌଣସି ପରିସ୍ଥିତିରେ ଆବଶ୍ୟକ ପଡୁଛି ।

   ଆପଣମାନଙ୍କୁ ଆମ ପଞ୍ଚାୟତର କିଛି ତଥ୍ୟ କହୁଛି । ଧ୍ୟାନ ଦେଇ ପଢ଼ିବେ । ଆମ ପଞ୍ଚାୟତ ରେ ପ୍ରାୟ ୨୨ ରୁ ୨୬ ଜଣ ଯୁବକ ଓ ପୁରୁଷ ଏପରି ଅଛନ୍ତି ଯାହାଙ୍କ ସ୍ୱାସ୍ଥ୍ୟ ଖୁବ୍ ଦୀର୍ଘ ଦିନ ଧରି ମାଦକ ଦ୍ରବ୍ୟ ସେବନ ଦ୍ୱାରା ଗୁରୁତର ଅବସ୍ଥାରେ । ଯଦି ଏଇ ବାର୍ତ୍ତା ଜଣେ ସ୍ତ୍ରୀଲୋକ ପଢୁଛନ୍ତି ତେବେ ଆପଣ ଆପଣଙ୍କ ଘରେ ତଦାରଖ କରିନିଅନ୍ତୁ । ସେମାନଙ୍କ ମଧ୍ୟରୁ ଆପଣଙ୍କ ଭାଇ ହୋଇଥାଇ ପାରନ୍ତି । ଆପଣଙ୍କ ପୁଅ ହୋଇଥାଇ ପାରେ । ଆପଣଙ୍କ ଦିଅର କିମ୍ବା ଦେଢଶୁର ହୋଇପାରନ୍ତି । ଆପଣଙ୍କ ସ୍ୱାମୀ ମଧ୍ୟ ହୋଇପାରନ୍ତି । ତେଣୁ ଏ ତଥ୍ୟ ଆପଣ ଖୋଜନ୍ତୁ । ଆପଣଙ୍କ ପରିବାରରେ ଖୋଜନ୍ତୁ । ଆପଣ ହିଁ ଚେଷ୍ଟା କଲେ ଏସବୁର ସମାଧାନ ହୋଇପାରିବ ।

   ହଁ , ଏସବୁକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଏକ ଦୀର୍ଘ କଠିନ କାର୍ଯ୍ୟ । କିନ୍ତୁ କିଛିଙ୍କୁ ସୁଧାରି ହେବ କିମ୍ବା କିଛିଙ୍କୁ ମଦ ଓ ନିଶାଦ୍ରବ୍ୟ ତ୍ୟାଗ କରିବାକୁ ସଂକଳ୍ପ ନେବାକୁ ହେବ । ତେବେ ଯାଇଁ ଆମ ସମାଜରେ ଗୋଟିଏ ସକାରାତ୍ମକ ଭାବ ବଢିବ । ଆଉ ଏଇ ସମାଜ ସୁଧାର କାମ କେବଳ ମହିଳା ଓ ଯୁବତୀମାନେ ହିଁ କରି ପାରିବେ ।

   କଳେ ବଳେ କୌଶଳେ ଏଇ କାମକୁ ଆପଣଙ୍କ ବ୍ରତ ଓ ସଂକଳ୍ପ ବୋଲି ମାନି ନେବାକୁ ହେବ । ତେବେ ଯାଇଁ ଆପଣଙ୍କ ପୁଅ-ଭାଇ-ସ୍ୱାମୀ-ବାପା କିମ୍ବା ପରିବାରର କୌଣସି ପୁରୁଷଙ୍କ ବଦଅଭ୍ୟାସ ଦୂର ହେବ । ସରକାର କେବଳ ନିୟମ କରିବେ କିନ୍ତୁ ମଦ/ନିଶାଦ୍ରବ୍ୟ ବିରୋଧୀ ଦୃଢ଼ ସଂଗଠନ ନାରୀଙ୍କୁ ତିଆରି କରିବାକୁ ହେବ ।

   ଏଥିପ୍ରତି ବିଚାର କରନ୍ତୁ ଓ ସଂକଳ୍ପ ନିଅନ୍ତୁ । ଦରକାର ପଡ଼ିଲେ ମଦ ନିବାରଣ ପାଇଁ ସଂଗଠନ ଗଢ଼ିବା କଥା ମଧ୍ୟ ଚିନ୍ତା କରନ୍ତୁ । ପ୍ରତ୍ୟକ ପଞ୍ଚାୟତରେ ଯଦି ୨୦୦ ଜଣ ମହିଳା ପ୍ରଣ କରିବେ ତେବେ ମଦ ବ୍ୟବସାୟ ଓ ମଦ ପିଇବା କମିଯିବ କିମ୍ବା ବନ୍ଦ ହୋଇଯିବ ।

   ଯଦି ମୋ କଥାରେ ବିଶ୍ୱାସ ହେଉନାହିଁ । ତେବେ ଆପଣ ଆମ ସୋଲଗାଡ଼ିଆ ସ୍ଥିତ ଦୁଇଟି କଇଁଆ ଧାଡି , ଦୋଳିଆ ପୋଲ , ଖେଳ ପଡ଼ିଆ , ଜିରେଶାଳୀ , ଜୋର ପାଖ ଓ ଆମ୍ବ ତୋଟା ପଡ଼ିଆ , ବଡ଼ ପଡ଼ିଆ ରାସ୍ତା , ବନ୍ଧହୁଡ଼ା ବନ୍ଧ ତଳ , ବଡପୋଖରୀ ବନ୍ଧ ତଳ ଓ ମାନିଆଁ ଦାଣ୍ଡି ପୋଲ ପାଖ ଅଞ୍ଚଳ ବୁଲି ଆସନ୍ତୁ । ଶହ ଶହ ମଦ ବୋତଲ ମିଳିବ । କେବଳ ଆମ ଗାଁ ନୁହେଁ ଚଣ୍ଡିଆ ଗାଁ ଚାରିପାଖ ହେଉ କି ମଣିଛକ କିମ୍ବା ଲେଥକା ଯିବା ରାସ୍ତା । ହାତୀ ପଡ଼ିଆ ଆଉ ଯେଉଁ ଖଳା ତିଆରି ହୋଇଛି ନିଶ୍ଚନ୍ତା ଯିବା ରାସ୍ତାରେ ସେଠାରେ ମଧ୍ୟ ଶହ ଶହ ମଦ ବୋତଲ ମିଳିବ । ଆହୁରି ଅନେକ ଜାଗା ଅଛି ଗଣିଲେ ସରିବ ନାହିଁ । ଏସବୁ ବନ୍ଦ ହେବା ଆବଶ୍ୟକ । ଏସବୁ ଆପଣ ହିଁ ବନ୍ଦ କରିପାରିବେ । ଜଣେ ଭଉଣୀ , ଜଣେ ସ୍ତ୍ରୀ , ଜଣେ ମା ହିଁ ବନ୍ଦ କରିପାରିବ । 🙏

                            ◆◆◆

ସୋଲଗାଡ଼ିଆ

ଢେଙ୍କାନାଳ

#ଗଳ୍ପକବିତା

Saturday, June 1, 2024

ଆସ ମୋ ଗାଁ ବୁଲିବା

ଆସ ମୋ ଗାଁ ବୁଲିବା ,

ନିଶ୍ଚନ୍ତାର କୋଳେ ଯେଉଁ ଘାସ ସମୁଦ୍ର

ତାକୁ ପାରିହୋଇ ଜିରେଶାଳି ବିଲ ଦୁଇହୁଡ଼ା ଭିତରେ

ଯେଉଁ ପାଣି ମାଲଟି ଆତ୍ମହତ୍ୟା କରିଥିଲା ?

ସେଇଠି ଠିଆ ହେଲେ ମୋ ଗାଁ ପ୍ରାଞ୍ଜଳ ଦିଶେ ।

ସେଇ ଶୁଖିଲା ବିଲରୁ ମୋ ଗାଁ ବୁଲିବା ।


ଚଢ଼ିଯିବା ବନ୍ଦ ପଡ଼ିଥିବା

ଜୋର ପାଖରେ ଯେଉଁ ଅଧାଗଢା ପାଣି ଟାଙ୍କି ?

ତା ମଥାନରୁ କେଇଟି ଶୁଖିଲା ପୋଖରୀ ଦେଖିବା ।

ସେଇଠି ଚଢ଼ିଗଲେ ମୋ ଗାଁ ମାନଚିତ୍ର ଦିଶେ

ସେଇ ପାଣି ନଥିବା ଟାଙ୍କିରୁ ଶୁଖିଲା ରାଜନୀତି ଶିଖିବା ।


ବୁଲିଯିବା ଗାଁ ବିଦ୍ୟାଳୟ

ରଙ୍ଗହୀନ କାନ୍ଥ , ଢଙ୍ଗହୀନ ପରିବେଶ

ତାରି ଭିତରୁ କୁନି କୁନି ପିଲାଙ୍କ

"ସତ କହି ପଛେ ମଲେ ମରିବି" ଶୁଣି ଆସିବା ।

ସେଇଠି କୁଆଡେ ଅତୀତର ବାସ୍ନା ଥାଏ

କେଇ କ୍ଷଣ ନିଜକୁ ସଚ୍ଚୋଟ ତ ଭାବିନେବା !


ଘେରାଏ ପହଁରିବା ଆଦର୍ଶ ନାଁ ନେଇ

ପ୍ରଶାସନିକ ହତ୍ୟା ହୋଇଥିବା ପୋଖରୀ ରେ

ଅଣ୍ଡାଳିବା ପିଲାଦିନର ବୁଡ଼ ପରେ ବୁଡ଼ ଅତୀତ ।

ସେଇଠି ପରା ଲୁଚିରହିଛି ଲକ୍ଷଲକ୍ଷ ଟଙ୍କାର କାର୍ଯ୍ୟଫଳକ

ଆସ , ସଚ୍ଚୋଟ ମୁଖା ପିନ୍ଧା ଦୈତ୍ୟ ଦେଖିଆସିବା ।


ସେଇ ହୁଡ଼ାରୁ ତ ଦିଶେ ମୋ ଗାଁ ମନ୍ଦିର !

ଯେଉଁଠି ତାସ୍ ପାଲି କି ହେଁ ହେଁ ଫେଁ ଫେଁ ମନା !!!

କିନ୍ତୁ ମୁଁ ଶୁଣେ ଗାଁ ଭାଗ ଭାଗ ଯୋଜନା

ଶହ ଶହ ରାଜନୈତିକ ବୈଠକ

ସେଇଠି ତ ମୌନ ରୁହନ୍ତି ଈଶ୍ୱର ପଥର ଭିତରେ

ଆସ , ଭକ୍ତି ଥାଉ କି ନଥାଉ ମଥାନତ ହୋଇଯିବା ।


ଦେଖିଯିବା ଖେଳପଡ଼ିଆ ,ଦୋଳିଆ-ନବା-ଭୁତିଆ ପୋଲ

ହାତୀ ପଡ଼ିଆରୁ ମାନିଆଁ ଦାଣ୍ଡି କି କଇଁଆ ଧାଡି ବୁଲିବା !

ପାଦେ ପାଦେ ଗଣିନେବା ମାତାଲ ଯୁବକଙ୍କ ଛାତି

ଗୋଟିଏ ନିଶାଖୋର ପଞ୍ଚାୟତ

ଶହ ଶହ ନିର୍ଲଜ ଯୁବକଙ୍କ ମୃତ ଭବିଷ୍ୟ…

ସେଇ ନିଶାରୁ ଆମ ଗାଁ ଅଣ୍ଡାଳିବା ।


ଆସ ମୋ ଗାଁ ଦେଖିବା ।

                                   ◆◆◆

✍️ହିମାଂଶୁ ଭୂଷଣ ସାହୁ

ସୋଲଗାଡ଼ିଆ

#ଗଳ୍ପକବିତା

"ଗୌରୀପ୍ରଭା"ର ପ୍ରଥମ ବର୍ଷ

 ଏବେ “ ଗୌରୀପ୍ରଭା ” ପହଞ୍ଚିଛି ତୃତୀୟ ବର୍ଷରେ । ତିନି ବର୍ଷର ଯାତ୍ରାରେ ଭେଟିଛି ଅନେକ ଅନୁଭବ । ଆସନ୍ତୁ ଜାଣିବେ “ଗୌରୀପ୍ରଭା” ବାର୍ଷିକ ପତ୍ରିକାର ପ୍ରଥମ ବର୍ଷର ପା...