ଶ୍ରୀଯୁକ୍ତ ଅମରେଶ ବିଶ୍ୱାଳଙ୍କ ବିଷୟରେ ଯେତେବେଳେ ମୁଁ କଥାକାର ଶ୍ରୀମତୀ ମହାଶ୍ୱେତା ସାହୁଙ୍କ ପାଖରୁ ଶୁଣିଥିଲି , ଜାଣିଥିଲି ଶ୍ରୀଯୁକ୍ତ ବିଶ୍ୱାଳ ପ୍ରେମ ପ୍ରଣତିକୁ ଏତେ ନିଖୁଣ ନିଢ଼ୋଳ ଭାବେ ବ୍ୟାଖ୍ୟା କରନ୍ତି ଯେ ଯୁବ ସମାଜ ତାଙ୍କ କାହାଣୀ ଚରିତ୍ର ମାନଙ୍କ ପ୍ରତି ନିଜକୁ ଆକର୍ଷିତ କରାନ୍ତି । ଏହି ହେଉଛି ଉତ୍ସର୍ଗ , ଚରିତ୍ର ପାଠକଙ୍କ ଭିତରେ ସମାହିତ ପୂର୍ବରୁ ପାଠକ ନିଜକୁ ସମର୍ପି ଦିଏ କାହାଣୀର ଚରିତ୍ର ପାଖେ । “ଓଡ଼ିଆ ଉପନ୍ୟାସର ଭାଗ୍ୟ”ରେ ସ୍ୱୟଂ କଥାକାରଙ୍କ ସ୍ବୀକାରୋକ୍ତି ମଧ୍ୟ ଏଇ ଦୃଷ୍ଟି କୋଣକୁ ଦର୍ଶାଇଛି । ପ୍ରେମ ଲେଖୁଲେଖୁ ସାମାଜିକ ସ୍ଥପତି ଉପରେ ଏକ କାହାଣୀ ପ୍ରତି ଯୁବ ସମାଜ ଆକୃଷ୍ଟ ହେବେ କି ନାହିଁ ସେ ଦ୍ଵନ୍ଦ ମଧ୍ୟର ଅବଗତି ମିଳିଛି ! କିନ୍ତୁ ସମାଜର ଭଲମନ୍ଦ କିମ୍ବା ଆରୋହଣ ସ୍ଖଳନକୁ ଆଡ଼େଇ ଦେଲେ ପ୍ରେମ କେତେଦୂର ଯୁକ୍ତିଯୁକ୍ତ ? ସେଇ କଳିଙ୍ଗନଗରରେ କ’ଣ ପ୍ରେମ ମିଳିବନାହିଁ କି !
କଳିଙ୍ଗନଗର ଇତିହାସ ଏବେ ଖୋଜିଲେ ସଠିକ ମିଳେ ନାହିଁ । କାରଖାନା ଓ ଅପର୍ଯ୍ୟାପ୍ତ ଗାଡ଼ି ମୋଟର ଶବ୍ଦ ଭିତରେ କେଉଁଠି ରୁଦ୍ଧି ହୋଇ ରହିଯାଏ ମିନ୍ତୁ ସେ ଇତିହାସର ଲିପିବଦ୍ଧ ଦେଖାଯାଏ ସଂଗ୍ରାମୀଙ୍କ ସ୍ମୃତି ସ୍ମାରକ ପାଖେ , ବହଳ ଧୂଳିର ଆଢୁଆଳରେ । କେତେ କ’ଣ ବଦଳିଛି ଓ ବଦଳିବ ତାହାର କଳକଳ୍ପନା ଅପେକ୍ଷା କେତେ ବଦଳି ପାରିବ ନାହିଁ ତାହାର ଚର୍ଚ୍ଚା ଗୁରୁତ୍ୱପୂର୍ଣ୍ଣ ଅବଶ୍ୟ । କଥାକାର ଶ୍ରୀଯୁକ୍ତ ଅମରେଶ ବିଶ୍ୱାଳଙ୍କ ଉପନ୍ୟାସ “କୁରେଇ ଫୁଲର ଲୁହ” ବଦଳି ପାରୁନଥିବା ଲୁହର କଥା କହିବା ଆରମ୍ଭ କରିଛି । ଇତିହାସକୁ ପ୍ରଶ୍ନ କରିଛି କେଇଟି ଚରିତ୍ର ମାଧ୍ୟମରେ “ଏଇ ପରିବର୍ତ୍ତନ କ’ଣ ଅତ୍ୟନ୍ତ ଆବଶ୍ୟକ ଥିଲା ?”
ଯେତେବେଳେ ଶଙ୍କର ଓ ରଙ୍ଗଣୀ କଥା ଆରମ୍ଭ ହେଲା ସୁବର୍ଣ୍ଣଗିରି ପାହାଡ଼ ଶିଖରରୁ , ମୋ ସ୍ମୃତିକୁ ଧସେଇ ପଶିଆସିଲା ‘ନିଶ୍ଚନ୍ତା’ ପାହାଡ଼ । ଏଇ କେଇବର୍ଷ ଭିତରେ ନିଶ୍ଚିନ୍ନ ହୋଇପଡୁଥିବା ତା’ ଦେହର ଭଗ୍ନ ଅବସ୍ଥା ! ଆଃ… କି କଦର୍ଯ୍ୟ ଦୃଶ୍ୟ ଓ କଦର୍ଥ ମନୁଷ୍ୟର ବ୍ୟବହାର !? ଆଧୁନିକତାର ଚରମରେ ପ୍ରକୃତିକୁ ପଦାଘାତ କରି ମନୁଷ୍ୟ କ’ଣ ପ୍ରମାଣିତ କରିବାକୁ ଚାହେଁ ? ହୁଏତ ସେଇଥିପାଇଁ ଶଙ୍କର ଜାରିକା ପ୍ରଶ୍ନରେ ଗୋଟିଏ ମହା ବିସ୍ଫୋଟ ଆସିଥିଲା “ଆପଣଙ୍କ ପାଖରେ ଟଙ୍କା ଅଛି ବୋଲି ପାହାଡ଼ କାଟି ସୁନାର ସହର ତିଆରି କରି ପାରିବେ କିନ୍ତୁ ପାହାଡ଼ଟିଏ ତିଆରି କରିପାରିବେ ?”
କଥାକାରଙ୍କ କଥନୀର ଭୂମିକାରେ ଶଙ୍କର ଜାରିକା ଏକ ଦର୍ଶନତତ୍ୱ ପାଲଟି ଯାଉଛି । ଭୂମିପ୍ରେମ , ପ୍ରିୟତମା ପ୍ରିୟ ଓ ଆସନ୍ତା ଗୁପ୍ତ ଇତିହାସର ଏକ ବଳିଷ୍ଠ ଚରିତ୍ରଙ୍କୁ ଏକାଠି କରି ଶ୍ରୀଯୁକ୍ତ ଅମରେଶ ବିଶ୍ୱାଳ ଗଢ଼ି ତୋଳୁଛନ୍ତି ଶଙ୍କର ରୂପୀ ‘ଅସ୍ତ୍ର’ , ଯେ ରବି ରାଉତ ଚରିତ୍ରରେ ରାଜନୈତିକ , ବୈଦେଶିକ , ସ୍ବଦେଶ ଅବସ୍ଥିତିକ ଓ ଆଇନ କାନୁନ ଅବଗତ ଜ୍ଞାନର ଶାଣ ପାଇ ଚିତ୍କାର କରୁଛି ସୁବର୍ଣ୍ଣ ରଜାର ପାଦଦେଶେ ନିଜର ଅଧିକାର ସାବ୍ୟସ୍ତ କରିବା ପାଇଁ । ଯାହାର ବିପକ୍ଷରେ ଯୁଗଦାନବ ରୂପେ ଠିଆ ହୋଇଛନ୍ତି ରାଜନୈତିକ , ବ୍ୟାପାରିକ , ବିସ୍ତାରବାଦୀ ଓ ବିଭତ୍ସ ପ୍ରେମସ୍ୱରୂପୀ ଏକବୈଚାରିକ ବିଶାଳ ସେନା । ହଠାତ ଏ ଯୁକ୍ତିସଙ୍ଗତ ବିପ୍ଳବରେ ତ୍ରିକୋଣୀୟ ପ୍ରେମ ସମ୍ପର୍କ ଶଙ୍କର ଓ ରଙ୍ଗଣୀ ଜୀବନରେ କ’ଣ ଘଟେଇବ ତାହା ପାଠକଙ୍କ ପାଇଁ ଆଣିଦେଇଛି ନୂଆ ଅନୁଭବ ।
କାହାଣୀର ମଧ୍ୟଭାଗରେ ଆରମ୍ଭ ହୋଇଛି ଆନ୍ଦୋଳନ ଓ ପରେ ପରେ ଶଙ୍କର ଓ ରଙ୍ଗଣୀ ମଧ୍ୟରେ ମଧୁର ସମ୍ପର୍କ , ଯଦିଓ ଟିକିଲି କଥାଟି ଗୌଣ ହୋଇଆସିଛି । କିନ୍ତୁ ରାଜନୀତିକ ଦାୟୀରେ ଯଦି ଆଲୋଚନା ନିଆଯାଏ ତେବେ କଥାକାରଙ୍କ ସାମ୍ବାଦିକତା ନିର୍ଭୀକତା ଓ ଲେଖନୀର ସହନଶୀଳତା ଶକ୍ତିରେ ମିଳୁଛି ଓଡ଼ିଆ ଜାତିର ଉପେକ୍ଷିତ ଓ ଲଜ୍ଜିତ ସମୟର ଗାଥା । ତଳସ୍ତର ନେତାଙ୍କ ଠାରୁ ଆରମ୍ଭ କରି ଉପର ପର୍ଯ୍ୟନ୍ତ ଯେଉଁ ଷଡ଼ଯନ୍ତ୍ରର ଚକ୍ରାନ୍ତ ଚଲେଇଛନ୍ତି ଶଙ୍କର ବିରୁଦ୍ଧରେ ତାହାର ବିବରଣୀ ଧୀରେ ଧୀରେ କାୟା ବିସ୍ତାର କରୁଛି କାହାଣୀରେ । ପ୍ରେମ , ମାତୃଭୂମି ଓ ରାଜନୀତିର ଏ ଉପନ୍ୟାସ ଯେ ଦିନେ ଉଜ୍ବଳ ତାରକା ସାଜିବ ଏଥିରେ ସନ୍ଦେହ ନାହିଁ ।
ଶାଣଦିଆ ଶଙ୍କରକୁ ଦନ୍ଥଡା କେମିତି କରାଯାଇଛି କିମ୍ବା ଏକ ଜନଜାତି ଛାତିରେ ପ୍ରତିପତ୍ତିଶାଳିଙ୍କ କୁଠାରଘାତ କେମିତି ପଡୁଛି ତାହାର ପ୍ରମାଣ ମିଳେ ଏଇ ଉପନ୍ୟାସର ପୃଷ୍ଠାରେ । ସୁନିୟୋଜିତ ଷଡ଼ଯନ୍ତ୍ର ଆରମ୍ଭ ହୁଏ ଶଙ୍କରର ଅନୁପସ୍ଥିତିରେ । ଅବଶ୍ୟ ଶଙ୍କରର ଉପସ୍ଥିତ ମଧ୍ୟ କିଛି ଦୃଢ଼ ଦମ୍ଭ ହୋଇପାରିନଥାନ୍ତା ସରକାରର ବିଭତ୍ସ ବ୍ୟୁହ ରଚନାରେ । କି ବିଡ଼ମ୍ବନା ! ଯାହାଙ୍କୁ ଏ ମଣିଷ ନ୍ୟାୟ ମାଗେ ସେ ହିଁ ହତ୍ୟା କରେ , ହାତ କାଟିନିଏ , ଶବ ଉପରେ ପାଦ ରଖି କହେ “ତମେ ଅସଭ୍ୟ , କୁଳିନ , ଅମଣିଷ ଓ କଦାକାର” । କଥାକାର ଠିକ କହିଛନ୍ତି ପ୍ରକୃତି ନିଜର ବିବର୍ତ୍ତନ କରାଏ କିନ୍ତୁ ମଣିଷ ପ୍ରକୃତିର ପ୍ରକ୍ରିୟାକୁ ଜୋର ଜବରଦସ୍ତ ପରିବର୍ତ୍ତନ କରାଏ । ଆଜି ସେଇ ଅଞ୍ଚଳ ଖୁବ ପ୍ରଗତିଶୀଳ । କିନ୍ତୁ ପ୍ରଶ୍ନ ଆସେ କି ଏ ପ୍ରଗତିର ମୂଲ୍ୟ କେତେ ? ଏବେ ମଧ୍ୟ ଧୂଳି କାଦୁଅରେ ପୋତି ହୋଇପଡ଼େ ସଭ୍ୟତା । ଏତେ ପ୍ରାଚୁର୍ଯ୍ୟରେ କ’ଣ ପାହାଡ଼ର ସୁଗନ୍ଧ ବାଜୁଥିବ ସେମାନଙ୍କୁ ?
ଶେଷ ଦୃଶ୍ୟ ଏକ ରକ୍ତାକ୍ତ ଇତିହାସ । ଏକ ଉଦ୍ଦିଷ୍ଟ କଳଙ୍କିତ ଅଧ୍ୟାୟ ମୌନ ରହିଥିବା ବାକି ଜନଜାତି ପାଇଁ । ଉପନ୍ୟାସଟି ପଢ଼ିଲେ ପାଠକ ଜାଣିପାରିବେ । ଯାହାର ମୂକସାକ୍ଷୀ ନେଇ ଏବେମଧ୍ୟ ଠିଆହୋଇ ରହିଛି ଗୋଟିଏ ସ୍ମାରକ ସେଇ ଅଞ୍ଚଳରେ । ଆଉ ଶଙ୍କର ! ଜଣେ ଉଦାହରଣ ଆସନ୍ତା ଭବିଷ୍ୟତର । ହୁଏତ ଆପଣ ଶଙ୍କର ହୋଇପାରନ୍ତି କିମ୍ବା ମୁଁ ! କିନ୍ତୁ ଏତେବଡ଼ ଦୁଃଖର ପାହାଡ଼ରେ ଠିଆହୋଇ ପାରିବା ତ ?
ଚମତ୍କାର ବିଷୟବସ୍ତୁ ଯାହା ଓଡ଼ିଶାର ଏକ ଗୁପ୍ତ ଇତିହାସ କିମ୍ବା ଅନାଲୋଚିତ ଆନ୍ଦୋଳନକୁ ଲୁଚେଇ ଦିଆଯାଇଛି ବର୍ତ୍ତମାନର ବିକାଶଉନ୍ମୁଖୀ ଚିନ୍ତାଧାରାରେ । ପ୍ରେମ , ଭୂମି ପ୍ରେମ ଓ ସାମାଜିକ ସ୍ବୀକୃତିକୁ ଅତି ସୁନ୍ଦର ଭାବରେ ବ୍ୟାଖ୍ୟା କରାଯାଇଅଛି । ରାଜନୀତି , ଶିଳ୍ପନୀତି , ପ୍ରେମନୀତି ଓ ସମାଜନୀତି କିପରି କିଛି ଅବହେଳିତ ହୋଇପଡୁଛନ୍ତି ତାହାର ଚର୍ଚ୍ଚା ନିହାତି ଆବଶ୍ୟକ ଥିଲା । ଯାଜପୁର ଜିଲ୍ଲା ଏକ ଶିଳ୍ପ କୈନ୍ଦ୍ରିକ ବୋଲି ପରିଚିତ କିନ୍ତୁ ଏହା ଏକ କୂଟ ରାଜନୈତିକ ଷଡ଼ଯନ୍ତ୍ରର ପଶାପାଲି ଏହା ମଧ୍ୟ ଉଲ୍ଲେଖ ଓ ସର୍ବବିଦିତ ହେଉଛି । ଏପରି ଏକ ନୂତନ ଓ ସତ୍ୟ ଆଧାରିତ କାହାଣୀ ପାଠକଙ୍କୁ ଭେଟି ଦେଇଥିବାରୁ କଥାକାର ଶ୍ରୀଯୁକ୍ତ ଅମରେଶ ବିଶ୍ୱାଳଙ୍କୁ ଅଶେଷ ଅଶେଷ ଧନ୍ୟବାଦ । ଆଶାକରୁଛି ପାଠକଙ୍କୁ ନୂଆ ଅନୁଭୂତି ଦେବ ଏକ ସତ୍ୟତାର ।
◆◆◆
କଥାକାରଙ୍କ ଅନ୍ୟାନ୍ୟ କୃତି....



.jpeg)


