HIMANSHUBHUSHAN SAHOO

My photo
ନିରୋଳା ଦେଖି ଗଳ୍ପ ଗୁଡିକ ମୋତେ ପ୍ରଶ୍ନ କଲେ "ତୁ ଗଳ୍ପ କେମିତି ଲେଖୁ ?" ମୁଁ ହସିଦେଇ କହିଥିଲି "ଆପଣ ନିଜକୁ ଦେଖନ୍ତୁ , ନିଜ ଚତୁର୍ଦ୍ଦିଗ କୁ ଅନୁଭବ କରନ୍ତୁ ! ଅସରନ୍ତି ସୁଖ-ଦୁଃଖ , ଅକଳନ ହାନି-ଲାଭ , ଗଭୀର ପ୍ରେମ-ବିରହ , ଅପର୍ଯ୍ୟାପ୍ତ ଜନ୍ମ-ମୃତ୍ୟୁ !!! ସବୁତ ପ୍ରଦର୍ଶିତ ଏଠି " ଆଉ କବିତା କ'ଣ କହିଲା ଜାଣନ୍ତି ? କହିଲା, "ତୁ' ତ ନିଜକୁ ଗାଳ୍ପିକ ଭାବିଛୁ , କବିତା କିପରି ଲେଖିବୁ ?" ମୋ ଉତ୍ତର ଥିଲା.. " ସତେ'ତ ! ତୁମ ହସ ହସ ତୃପ୍ତ ବଦନରୁ ଟିକିଏ ଦୁଃଖ ଟାଣିଆଣି.. ଗାରେଇ ନଦେଲେ ମୋ ଭାବନାରେ ! ସେ କି କବିତା ?"

Sunday, October 26, 2025

କୁରେଇ ଫୁଲର ଲୁହ ଓ ପାହାଡ଼ି ବାସ୍ନାର ଲୌହ ଇନ୍ଦ୍ରପୁରୀ

   ଶ୍ରୀଯୁକ୍ତ ଅମରେଶ ବିଶ୍ୱାଳଙ୍କ ବିଷୟରେ ଯେତେବେଳେ ମୁଁ କଥାକାର ଶ୍ରୀମତୀ ମହାଶ୍ୱେତା ସାହୁଙ୍କ ପାଖରୁ ଶୁଣିଥିଲି , ଜାଣିଥିଲି ଶ୍ରୀଯୁକ୍ତ ବିଶ୍ୱାଳ ପ୍ରେମ ପ୍ରଣତିକୁ ଏତେ ନିଖୁଣ ନିଢ଼ୋଳ ଭାବେ ବ୍ୟାଖ୍ୟା କରନ୍ତି ଯେ ଯୁବ ସମାଜ ତାଙ୍କ କାହାଣୀ ଚରିତ୍ର ମାନଙ୍କ ପ୍ରତି ନିଜକୁ ଆକର୍ଷିତ କରାନ୍ତି । ଏହି ହେଉଛି ଉତ୍ସର୍ଗ , ଚରିତ୍ର ପାଠକଙ୍କ ଭିତରେ ସମାହିତ ପୂର୍ବରୁ ପାଠକ ନିଜକୁ ସମର୍ପି ଦିଏ କାହାଣୀର ଚରିତ୍ର ପାଖେ । “ଓଡ଼ିଆ ଉପନ୍ୟାସର ଭାଗ୍ୟ”ରେ ସ୍ୱୟଂ କଥାକାରଙ୍କ ସ୍ବୀକାରୋକ୍ତି ମଧ୍ୟ ଏଇ ଦୃଷ୍ଟି କୋଣକୁ ଦର୍ଶାଇଛି । ପ୍ରେମ ଲେଖୁଲେଖୁ ସାମାଜିକ ସ୍ଥପତି ଉପରେ ଏକ କାହାଣୀ ପ୍ରତି ଯୁବ ସମାଜ ଆକୃଷ୍ଟ ହେବେ କି ନାହିଁ ସେ ଦ୍ଵନ୍ଦ ମଧ୍ୟର ଅବଗତି ମିଳିଛି ! କିନ୍ତୁ ସମାଜର ଭଲମନ୍ଦ କିମ୍ବା ଆରୋହଣ ସ୍ଖଳନକୁ ଆଡ଼େଇ ଦେଲେ ପ୍ରେମ କେତେଦୂର ଯୁକ୍ତିଯୁକ୍ତ ? ସେଇ କଳିଙ୍ଗନଗରରେ କ’ଣ ପ୍ରେମ ମିଳିବନାହିଁ କି !

  କଳିଙ୍ଗନଗର ଇତିହାସ ଏବେ ଖୋଜିଲେ ସଠିକ ମିଳେ ନାହିଁ । କାରଖାନା ଓ ଅପର୍ଯ୍ୟାପ୍ତ ଗାଡ଼ି ମୋଟର ଶବ୍ଦ ଭିତରେ କେଉଁଠି ରୁଦ୍ଧି ହୋଇ ରହିଯାଏ ମିନ୍ତୁ ସେ ଇତିହାସର ଲିପିବଦ୍ଧ ଦେଖାଯାଏ ସଂଗ୍ରାମୀଙ୍କ ସ୍ମୃତି ସ୍ମାରକ ପାଖେ , ବହଳ ଧୂଳିର ଆଢୁଆଳରେ । କେତେ କ’ଣ ବଦଳିଛି ଓ ବଦଳିବ ତାହାର କଳକଳ୍ପନା ଅପେକ୍ଷା କେତେ ବଦଳି ପାରିବ ନାହିଁ ତାହାର ଚର୍ଚ୍ଚା ଗୁରୁତ୍ୱପୂର୍ଣ୍ଣ ଅବଶ୍ୟ । କଥାକାର ଶ୍ରୀଯୁକ୍ତ ଅମରେଶ ବିଶ୍ୱାଳଙ୍କ ଉପନ୍ୟାସ “କୁରେଇ ଫୁଲର ଲୁହ” ବଦଳି ପାରୁନଥିବା ଲୁହର କଥା କହିବା ଆରମ୍ଭ କରିଛି । ଇତିହାସକୁ ପ୍ରଶ୍ନ କରିଛି କେଇଟି ଚରିତ୍ର ମାଧ୍ୟମରେ “ଏଇ ପରିବର୍ତ୍ତନ କ’ଣ ଅତ୍ୟନ୍ତ ଆବଶ୍ୟକ ଥିଲା ?”

   ଯେତେବେଳେ ଶଙ୍କର ଓ ରଙ୍ଗଣୀ କଥା ଆରମ୍ଭ ହେଲା ସୁବର୍ଣ୍ଣଗିରି ପାହାଡ଼ ଶିଖରରୁ , ମୋ ସ୍ମୃତିକୁ ଧସେଇ ପଶିଆସିଲା ‘ନିଶ୍ଚନ୍ତା’ ପାହାଡ଼ । ଏଇ କେଇବର୍ଷ ଭିତରେ ନିଶ୍ଚିନ୍ନ ହୋଇପଡୁଥିବା ତା’ ଦେହର ଭଗ୍ନ ଅବସ୍ଥା ! ଆଃ… କି କଦର୍ଯ୍ୟ ଦୃଶ୍ୟ ଓ କଦର୍ଥ ମନୁଷ୍ୟର ବ୍ୟବହାର !? ଆଧୁନିକତାର ଚରମରେ ପ୍ରକୃତିକୁ ପଦାଘାତ କରି ମନୁଷ୍ୟ କ’ଣ ପ୍ରମାଣିତ କରିବାକୁ ଚାହେଁ ? ହୁଏତ ସେଇଥିପାଇଁ ଶଙ୍କର ଜାରିକା ପ୍ରଶ୍ନରେ ଗୋଟିଏ ମହା ବିସ୍ଫୋଟ ଆସିଥିଲା “ଆପଣଙ୍କ ପାଖରେ ଟଙ୍କା ଅଛି ବୋଲି ପାହାଡ଼ କାଟି ସୁନାର ସହର ତିଆରି କରି ପାରିବେ କିନ୍ତୁ ପାହାଡ଼ଟିଏ ତିଆରି କରିପାରିବେ ?”

  କଥାକାରଙ୍କ କଥନୀର ଭୂମିକାରେ ଶଙ୍କର ଜାରିକା ଏକ ଦର୍ଶନତତ୍ୱ ପାଲଟି ଯାଉଛି । ଭୂମିପ୍ରେମ , ପ୍ରିୟତମା ପ୍ରିୟ ଓ ଆସନ୍ତା ଗୁପ୍ତ ଇତିହାସର ଏକ ବଳିଷ୍ଠ ଚରିତ୍ରଙ୍କୁ ଏକାଠି କରି ଶ୍ରୀଯୁକ୍ତ ଅମରେଶ ବିଶ୍ୱାଳ ଗଢ଼ି ତୋଳୁଛନ୍ତି ଶଙ୍କର ରୂପୀ ‘ଅସ୍ତ୍ର’ , ଯେ ରବି ରାଉତ ଚରିତ୍ରରେ ରାଜନୈତିକ , ବୈଦେଶିକ , ସ୍ବଦେଶ ଅବସ୍ଥିତିକ ଓ ଆଇନ କାନୁନ ଅବଗତ ଜ୍ଞାନର ଶାଣ ପାଇ ଚିତ୍କାର କରୁଛି ସୁବର୍ଣ୍ଣ ରଜାର ପାଦଦେଶେ ନିଜର ଅଧିକାର ସାବ୍ୟସ୍ତ କରିବା ପାଇଁ । ଯାହାର ବିପକ୍ଷରେ ଯୁଗଦାନବ ରୂପେ ଠିଆ ହୋଇଛନ୍ତି ରାଜନୈତିକ , ବ୍ୟାପାରିକ , ବିସ୍ତାରବାଦୀ ଓ ବିଭତ୍ସ ପ୍ରେମସ୍ୱରୂପୀ ଏକବୈଚାରିକ ବିଶାଳ ସେନା । ହଠାତ ଏ ଯୁକ୍ତିସଙ୍ଗତ ବିପ୍ଳବରେ ତ୍ରିକୋଣୀୟ ପ୍ରେମ ସମ୍ପର୍କ ଶଙ୍କର ଓ ରଙ୍ଗଣୀ ଜୀବନରେ କ’ଣ ଘଟେଇବ ତାହା ପାଠକଙ୍କ ପାଇଁ ଆଣିଦେଇଛି ନୂଆ ଅନୁଭବ ।

   କାହାଣୀର ମଧ୍ୟଭାଗରେ ଆରମ୍ଭ ହୋଇଛି ଆନ୍ଦୋଳନ ଓ ପରେ ପରେ ଶଙ୍କର ଓ ରଙ୍ଗଣୀ ମଧ୍ୟରେ ମଧୁର ସମ୍ପର୍କ , ଯଦିଓ ଟିକିଲି କଥାଟି ଗୌଣ ହୋଇଆସିଛି  । କିନ୍ତୁ ରାଜନୀତିକ ଦାୟୀରେ ଯଦି ଆଲୋଚନା ନିଆଯାଏ ତେବେ କଥାକାରଙ୍କ ସାମ୍ବାଦିକତା ନିର୍ଭୀକତା ଓ ଲେଖନୀର ସହନଶୀଳତା ଶକ୍ତିରେ ମିଳୁଛି ଓଡ଼ିଆ ଜାତିର ଉପେକ୍ଷିତ ଓ ଲଜ୍ଜିତ ସମୟର ଗାଥା । ତଳସ୍ତର ନେତାଙ୍କ ଠାରୁ ଆରମ୍ଭ କରି ଉପର ପର୍ଯ୍ୟନ୍ତ ଯେଉଁ ଷଡ଼ଯନ୍ତ୍ରର ଚକ୍ରାନ୍ତ ଚଲେଇଛନ୍ତି ଶଙ୍କର ବିରୁଦ୍ଧରେ ତାହାର ବିବରଣୀ ଧୀରେ ଧୀରେ କାୟା ବିସ୍ତାର କରୁଛି କାହାଣୀରେ । ପ୍ରେମ , ମାତୃଭୂମି ଓ ରାଜନୀତିର ଏ ଉପନ୍ୟାସ ଯେ ଦିନେ ଉଜ୍ବଳ ତାରକା ସାଜିବ ଏଥିରେ ସନ୍ଦେହ ନାହିଁ ।

   ଶାଣଦିଆ ଶଙ୍କରକୁ ଦନ୍ଥଡା କେମିତି କରାଯାଇଛି କିମ୍ବା ଏକ ଜନଜାତି ଛାତିରେ ପ୍ରତିପତ୍ତିଶାଳିଙ୍କ କୁଠାରଘାତ କେମିତି ପଡୁଛି ତାହାର ପ୍ରମାଣ ମିଳେ ଏଇ ଉପନ୍ୟାସର ପୃଷ୍ଠାରେ । ସୁନିୟୋଜିତ ଷଡ଼ଯନ୍ତ୍ର ଆରମ୍ଭ ହୁଏ ଶଙ୍କରର ଅନୁପସ୍ଥିତିରେ । ଅବଶ୍ୟ ଶଙ୍କରର ଉପସ୍ଥିତ ମଧ୍ୟ କିଛି ଦୃଢ଼ ଦମ୍ଭ ହୋଇପାରିନଥାନ୍ତା ସରକାରର ବିଭତ୍ସ ବ୍ୟୁହ ରଚନାରେ । କି ବିଡ଼ମ୍ବନା ! ଯାହାଙ୍କୁ ଏ ମଣିଷ ନ୍ୟାୟ ମାଗେ ସେ ହିଁ ହତ୍ୟା କରେ , ହାତ କାଟିନିଏ , ଶବ ଉପରେ ପାଦ ରଖି କହେ “ତମେ ଅସଭ୍ୟ , କୁଳିନ , ଅମଣିଷ ଓ କଦାକାର” । କଥାକାର ଠିକ କହିଛନ୍ତି ପ୍ରକୃତି ନିଜର ବିବର୍ତ୍ତନ କରାଏ କିନ୍ତୁ ମଣିଷ ପ୍ରକୃତିର ପ୍ରକ୍ରିୟାକୁ ଜୋର ଜବରଦସ୍ତ ପରିବର୍ତ୍ତନ କରାଏ । ଆଜି ସେଇ ଅଞ୍ଚଳ ଖୁବ ପ୍ରଗତିଶୀଳ । କିନ୍ତୁ ପ୍ରଶ୍ନ ଆସେ କି ଏ ପ୍ରଗତିର ମୂଲ୍ୟ କେତେ ? ଏବେ ମଧ୍ୟ ଧୂଳି କାଦୁଅରେ ପୋତି ହୋଇପଡ଼େ ସଭ୍ୟତା । ଏତେ ପ୍ରାଚୁର୍ଯ୍ୟରେ କ’ଣ ପାହାଡ଼ର ସୁଗନ୍ଧ ବାଜୁଥିବ ସେମାନଙ୍କୁ ?

   ଶେଷ ଦୃଶ୍ୟ ଏକ ରକ୍ତାକ୍ତ ଇତିହାସ । ଏକ ଉଦ୍ଦିଷ୍ଟ କଳଙ୍କିତ ଅଧ୍ୟାୟ ମୌନ ରହିଥିବା ବାକି ଜନଜାତି ପାଇଁ । ଉପନ୍ୟାସଟି ପଢ଼ିଲେ ପାଠକ ଜାଣିପାରିବେ । ଯାହାର ମୂକସାକ୍ଷୀ ନେଇ ଏବେମଧ୍ୟ ଠିଆହୋଇ ରହିଛି ଗୋଟିଏ ସ୍ମାରକ ସେଇ ଅଞ୍ଚଳରେ । ଆଉ ଶଙ୍କର ! ଜଣେ ଉଦାହରଣ ଆସନ୍ତା ଭବିଷ୍ୟତର । ହୁଏତ ଆପଣ ଶଙ୍କର ହୋଇପାରନ୍ତି କିମ୍ବା ମୁଁ ! କିନ୍ତୁ ଏତେବଡ଼ ଦୁଃଖର ପାହାଡ଼ରେ ଠିଆହୋଇ ପାରିବା ତ ?

   ଚମତ୍କାର ବିଷୟବସ୍ତୁ ଯାହା ଓଡ଼ିଶାର ଏକ ଗୁପ୍ତ ଇତିହାସ କିମ୍ବା ଅନାଲୋଚିତ ଆନ୍ଦୋଳନକୁ ଲୁଚେଇ ଦିଆଯାଇଛି ବର୍ତ୍ତମାନର ବିକାଶଉନ୍ମୁଖୀ ଚିନ୍ତାଧାରାରେ । ପ୍ରେମ , ଭୂମି ପ୍ରେମ ଓ ସାମାଜିକ ସ୍ବୀକୃତିକୁ ଅତି ସୁନ୍ଦର ଭାବରେ ବ୍ୟାଖ୍ୟା କରାଯାଇଅଛି । ରାଜନୀତି , ଶିଳ୍ପନୀତି , ପ୍ରେମନୀତି ଓ ସମାଜନୀତି କିପରି କିଛି ଅବହେଳିତ ହୋଇପଡୁଛନ୍ତି ତାହାର ଚର୍ଚ୍ଚା ନିହାତି ଆବଶ୍ୟକ ଥିଲା । ଯାଜପୁର ଜିଲ୍ଲା ଏକ ଶିଳ୍ପ କୈନ୍ଦ୍ରିକ ବୋଲି ପରିଚିତ କିନ୍ତୁ ଏହା ଏକ କୂଟ ରାଜନୈତିକ ଷଡ଼ଯନ୍ତ୍ରର ପଶାପାଲି ଏହା ମଧ୍ୟ ଉଲ୍ଲେଖ ଓ ସର୍ବବିଦିତ ହେଉଛି । ଏପରି ଏକ ନୂତନ ଓ ସତ୍ୟ ଆଧାରିତ କାହାଣୀ ପାଠକଙ୍କୁ ଭେଟି ଦେଇଥିବାରୁ କଥାକାର ଶ୍ରୀଯୁକ୍ତ ଅମରେଶ ବିଶ୍ୱାଳଙ୍କୁ ଅଶେଷ ଅଶେଷ ଧନ୍ୟବାଦ । ଆଶାକରୁଛି ପାଠକଙ୍କୁ ନୂଆ ଅନୁଭୂତି ଦେବ ଏକ ସତ୍ୟତାର ।

                                      ◆◆◆

କଥାକାରଙ୍କ ଅନ୍ୟାନ୍ୟ କୃତି....







✍️ହିମାଂଶୁ ଭୂଷଣ ସାହୁ
ସୋଲଗାଡ଼ିଆ , ଢେଙ୍କାନାଳ ୭୫୯୦୧୬




Sunday, October 19, 2025

"ତାପସୀ" ଦୁର୍ଗା ହୁଅ , ସଂହାର କର । ପ୍ରଣାମରେ ଲୁହ ନୁହଁ ଗର୍ବ ରହିବ ।

 ଉପନ୍ୟାସ “ତାପସୀ

"(କର୍ମ-କଷଣ ଦେହ ସହେ ,

 ଅରଣ୍ୟେ ଅଜଗର ପ୍ରାୟେ)"

✍️ ଶ୍ରୀଯୁକ୍ତ କାହ୍ନୁଚରଣ

ପ୍ରଥମ ସଂସ୍କରଣ ୧୯୮୭ , ଶ୍ରୀ ରାମ ନବମୀ

    ଉପନ୍ୟାସ ବିଷୟରେ ବହିରେ ଅନ୍ୟ କୌଣସି ତଥ୍ୟ ନଥିଲେ ମଧ୍ୟ କଥାକରଙ୍କ ଅନ୍ୟ ୫୩ ଟି ସୃଜନ ବିଷୟରେ ଶେଷ ପୃଷ୍ଠାରେ ଲିଖିତ ଅଛି । ୩୬୪ ପୃଷ୍ଠାର(ଅର୍ଦ୍ଧପାଖ ଗଣା) କାହାଣୀ ।

   ୫୦ ଗୋଟି କାଗଜ ଖେଦି ଗଲାପରେ ଅନୁଭବ ଭିନ୍ନ ନେଉଛି କିନ୍ତୁ କୁସୁମ ଓ ପରଶୁ ଜେନା ଝୁଅ 'ନଉଲି' ର ଚିଠି ସରୁନି ! କେତେ କେତେ କଥା-ନଥା , ଲୁହ-ଲହୁ , ଭଲ-ମନ୍ଦ ଅଛି । ସତରେ ଯାହା ସହ ଘଟେ ସେ ଘାଟେ ମୁହଁ ଦେଇ ବଖାଣେ । କିଏ ଗୋଟିଏ ଓଡ଼ିଆ ଅଛି ଏଇ ଚିଠିରେ ତା’ ନିଜ ଜୀବନର ଗଣ୍ଠିଏ ଦୁଃଖ ନଦେଖିବ ଦେଖିଆ ?

  ୨୦୦ଫର୍ଦ୍ଦ ସରିଲା ବେଳକୁ ଲାଗେ କାହାଣୀ ଆରମ୍ଭ ହୋଇନି ଯେମିତି । ୧୦୦ ସରିକି ପୃଷ୍ଠାରେ କିନ୍ତୁ ଚିଠି ନସରିଲା ! ତାପସୀ ଅର୍ଥାତ ତପସ୍ୱୀନି ! ସଂସାର ଭିତରେ ଏତେ ଦୁଃଖ କଷ୍ଟ ସହି ସ୍ଥିତପ୍ରଜ୍ଞ ରହିଛି ନଉଲି । ଗାଁ’ରେ ପ୍ରତି ଘରେ ଘରେ ଜଣେ ନଉଲି ଅଛନ୍ତି । କାହା ଭାଗ୍ୟରେ ପତି ପରମେଶ୍ୱର ଗୋଟିଏ ଦୈତ୍ୟ ତ କାହା ଭାଗ୍ୟରେ ଶାଶୁମା ଗୋଟିଏ ଡାକିନୀ ! ସବୁ ବିଧାତାର ଖେଳ ଲୋ ମା !! ଶଃ... ଏଭଳିଆ ଘୋଡ଼ା ମଦୁଆଙ୍କୁ ବାହା ହୋଇ ଜୀବନ ରଖିବା ଅପେକ୍ଷା ବିଷ ଦେଇ ମାରିଦେବା ଭଲ । କିନ୍ତୁ ସଉତୁଣୀ ହିସାବରେ ନଉଲୀଟି ଭାରି ଭଲ ପିଲା । କିଏ ଅବା ନିଜ ଦୁଇମାସ ଛୁଆ ଭୁଲି ସଉତୁଣୀ ପୁଅକୁ ଥନ ମେଣ୍ଢେଇ ଦେବ ? ଖାଲି ଯାହା ବାପ ଟି ତା’ର ମରିଗଲା ବୋଲି ବିଧବା ମା’ର ଦକ ବଢ଼ିଥିଲା ନା ! ନଚେତ କ'ଣ ଗାଁ’ରେ ନଉଲୀ ବିହା ହୋଇ ନଥାନ୍ତା ନା କଣ୍ ? 

ଲୋକ ବଚନ

ଆଜିକାଲି ଭାରି ପାଚନ !


ଲୋକ ମୁହଁରେ ତୁଣ୍ଡି ବାନ୍ଧିବ କିଏ ? ପୋକ ପଡ଼ୁ ।

   ଅବଶ୍ୟ ମୁଁ ଭାବିଥିଲି "ପରଶୁ ରାଉତ" ଜଣେ ଖଳନାୟକ ! କିନ୍ତୁ ଓଲଟା କଥା । ସେ ଜଣେ ନିର୍ମାୟୀ ଲୋକ । ସାଧାରଣ ବାପଟିଏ । ଆହାଃ... ଏପରି ମରଣ କାହିଁ ଲେଖେ ବିଧାତା କେଜାଣି ? ଆଉ ଏ ଦୁଃଖନ ? ବାଇଆଟିଏ । ମୁଁ ଭାବିଥିଲି ନାୟକ ! କିନ୍ତୁ ଏ ନଉଲୀ, ତା ବୋଉ, ଶାଶୁ ଆଉ ଶୋଭା ଗୋଟିଏ ଦୁଃଖର ଯାତ୍ରୀ ଯାହା ।

   ଇତିମଧ୍ୟରେ ଆଉ ଗୋଟିଏ ଚରିତ୍ର କଥା ନଲେଖି ରହିହେବ ନାହିଁ । ନାଁ "ଦୂତିକା" । ନାଁ କୁ ନେଇ କାହାଣୀର ଭାଗରେ ଗୋଟିଏ ଚରିତ୍ର ଦେଇଛନ୍ତି ଶ୍ରୀ କାହ୍ନୁଚରଣ । ଗାଁ ର ସୋସିଆଲ ମିଡ଼ିଆ ମାଇପି ଗୋଟିଏ !!!  ଆଉ ନଉଲୀ ? ଗାଁ ଝିଅ ଟି !!! ଏଇଭଳି ମାଇକିନାଙ୍କୁ ଗୋଡ଼େଗୋଡ଼େ ଚିହ୍ନେ ଯେ ! ଯା ! ଆଇଥିଲା କ’ଣ ନା ଦାନ କର ! ଶଃ । ମଦ ପିଇ ମାରୁଥିବା ଲୋକ ପାଇଁ ଦାନ ରେ କଣ ସବାଡ଼ ହେବ ?

   ଧେତ୍ … ନଉଲୀ ଲେଖିଥିବା (ଲେଖୁଥିବା) ଚିଠିରେ ରାଣ୍ଡି ପୁଅ(ମୋତେ ଦୋଷ ଦିଅନ୍ତୁ ନାହିଁ , ଫକୀରମୋହନଙ୍କ ଠାରୁ କାହ୍ନୁଚରଣ ଙ୍କ ପର୍ଯ୍ୟନ୍ତ ଏ ଶବ୍ଦ ଅଛି) ଯୋଗିଆର ଯେଉଁ କଲିଜା ! ସେ କଳିଜା ସାନ ସାନ୍ତରା ପୁଅ ଦୁଃଖନର କାହିଁ ? ଖାଲି ପୋଖରୀ କୁ ଡେଇଁ ଦି-ଟା ନିଆଶ୍ରି ପତର ଓଜନ ଜୁଆନ ଟୋକିଙ୍କୁ କଇଁ ନାଡ଼ ରୁ ଟାଣି ଆଣି ବଞ୍ଚେଇଲେ କଣ ନିଆଲ ହୋଇଯାଉଛି ! ମରିଥିଲେ ବରଂ ନଉଲୀ ସେଇ ପୋଖରୀ ପଙ୍କ ପାଣିରେ ତରି ଯାଇଥାନ୍ତା ଯେ ! 

   ୨୩୦ ପୃଷ୍ଠା ଅଧରୁ ଚିଠିଟି ସରିଲା । ଅନେଶତ ଅଧରୁ ବୋଧେ ଆରମ୍ଭ ହୋଇଥିଲା । ୧୩୦ ପୃଷ୍ଠାର(ଫାଳିକିଆ) ଚିଠି ଗୋଟିଏ ! ହୁଏତ ସାହିତ୍ୟ ଉପନ୍ୟାସ ଇତିହାସର ଏକମାତ୍ର ଦୀର୍ଘଚିଠି । ତଥାପି ଲାଗିଲା ଅଧାରେ ରହିଲା । 

 ଚିଠି ସରିଲା ନହୁଲିର । କିନ୍ତୁ ଦୁଃଖର ଘଡ଼ା ଟା ଖୋଲିଗଲା ଦୁଃଖନ ର ଛାତିରେ । ସୁଖର ଦିନ କଟାଇବାକୁ ଯାହାକୁ ଦୂର କରିଥିଲା ! ତାହାର ହାଡ଼ ରକ୍ତ ରୁ ବଜ୍ର ସଦୃଶ ଚିଠି ଚୁରମାର କରିଲା ଦୁଃଖନ କୁ । ଲୋକେ କହିଲେ "ଭଲରେ ଥାଉ କି ମନ୍ଦରେ ଥାଉ , ତା ଭାଗ୍ୟ ସେ ଭୋଗ କରୁଛି । ମୋର କି ଚାରା ?" 


   ସତରେ ଆମେ ଜଣେ ଜଣେ । ନିଜ ନିଜର ପୃଥିବୀରେ ।


"...ସେବେକା ନହୁଲୀ ଏବେକା ନହୁଲୀ ନୁହେଁ । ଅରଣ୍ୟର ଅଜଗର ପରି ସେ ତା'ର କର୍ମର କଷଣ ସହି ପାଷାଣ ପରି ଟାଣ ହୋଇଯାଇଛି । ଏବେକାର ଜୀବନ ତାକୁ ଆରେଇଗଲାଣି ।" ଏଇ ପଦକ କଥାରେ ଛାତିରେ ଗୋଟିଏ ପାହାଡ଼ ଲଦି ଦୁଃଖନ କହିଥିବ ! ଅନ୍ୟ ଜଣେ ଭାଗ୍ୟକୁ ଆଦରି ନେଇ ବଞ୍ଚିବା ଶିଖିଛି ଯଦି ଆଉ କିଏ ଜାଣିଥାଏ ତେବେ ଏ ସମ୍ବନ୍ଧ ଖୁବ୍ ଗହୀର ।

   କି କପାଳ କେଜାଣି ! ଯେଉଁ ଦୂତିକା ର "ଆ ଘର କଥା ତା ଘରେ , ତା ଘର କଥା ଆ ଘରେ" ବୋଲି ନାକ ଟେକୁଥିଲା 'ନହୁଲୀ' ! ସେଇ ବଡ଼ ବୋଲା ଜେଲ ଜିଆ ଯୋଗିଆ ମା ଦୂତିକା କୁ ଲୋଡ଼ା ସବୁବେଳେ !! 


ଅଖଞ୍ଜ ଶାଶୁ ,

ଏକା ବୋହୂ !!!

କି ଉପାୟ ଆଉ ?

    ତଥାପି ଦୂତିକାର ପୁଅ ରାଜା ପୁଅ ବିକ୍ରମକୁ ବାଡ଼େଇ ଜେଲଗଲା । କ’ଣ ଢୋ ହୋଇଗଲା କି ତା'ର ! ତେବେ ସାନ୍ତରା ମଧ୍ୟ ଜେଲ ଗଲେ । ଛୁରୀ କିଏ କାହାକୁ ମାରିଛି ଦଇବ ଜାଣେ । ଏଣେ ଯୋଗିଆ ଭଳିଆ ଜଣେ ହେଣ୍ଟାଳିଆ ଗଜା ମରଦ ଦରକାର ବିଶି  ଇଶୋଇର ଗୋଦରା ଗୋଡଟି ଛାଡ଼ି ବାକି ତିନୋଟି ଠୁକେଇ ଦେବାକୁ । ବିଚାରି ଶୋଭା ଟିକିଏ ଶାନ୍ତିରେ ତା ଘରେ ରହନ୍ତା ।

   ଉପନ୍ୟାସଟି ସରିଲା । ସରିଲା ନାହିଁ ତ ଭାରେ ଦୁଃଖ ଲଦିଦେଲା କି ଆଉ ! ସତରେ ନହୁଲୀ ଟି ‘ତାପସୀ’ ପାଲଟି ଯାଇଛି । ଦେବୀଟିଏ ହୋଇସାରିଛି । ନହେଲେ ଧରିତ୍ରୀ ଭଳି ଏତେ ବୋଝ କେମିତି ସମ୍ଭାଳିଛି ?


   ନଉଲୀ ପରି ନାରୀଙ୍କୁ ନତମସ୍ତକ ପ୍ରଣାମ । କିନ୍ତୁ ଦୁର୍ଗା ହୁଅ , ସଂହାର କର । ପ୍ରଣାମରେ ଲୁହ ନୁହଁ ଗର୍ବ ରହିବ ।

                             ◆◆◆

✍️ହିମାଂଶୁ ଭୂଷଣ ସାହୁ

ସୋଲଗାଡ଼ିଆ , ଢେଙ୍କାନାଳ ୬୫୯୦୧୬

     #ଗଳ୍ପକବିତା


Thursday, October 2, 2025

ହୃଦୟର ସ୍ୱର୍ଗପୁର - ଯାଜପୁର

    ମୋ ନାଁ ହିମାଂଶୁ ଭୂଷଣ ସାହୁ , ଶ୍ରୀଯୁକ୍ତ ନୃସିଂହ ଚରଣ ସାହୁ ଓ ବିଦ୍ୟୁତ ଲତା ସାହୁଙ୍କ ବଡ଼ପୁଅ , ଘର-ସୋଲଗାଡ଼ିଆ , ଜିଲ୍ଲା-ଢେଙ୍କାନାଳ ୭୫୯୦୧୬ । ଏଇ ହେଉଛି ମୋ ପରିଚୟ । ଏଇ ପରିଚୟ ମୋର ଖୁବ ଏକ କୌତୁକ ସୃଷ୍ଟି କରାଇଥିଲା ପିଲାଦିନେ , ଯାଜପୁରର ଭିନ୍ନଭିନ୍ନ ଗାଁ’ରେ, ଯେହେତୁ ମୋ ଦୁଇ ମାମୁଁଘର (ଡଙ୍କାରୀ ଓ ଘାସିବର) , ପାଞ୍ଚ ପିଉସୀଙ୍କ ଘର , ୬/୭ ଜଣ ଭଉଣୀଙ୍କ ଘର , ଓ ଆଠ/ଦଶ ଅନ୍ୟ ବନ୍ଧୁବାନ୍ଧବଙ୍କ ଘର ଓ ଏବେ ଶ୍ବଶୁରଙ୍କ ଘର ଏଇ ଜିଲ୍ଲାରେ । ସେଇ ଦୃଷ୍ଟିରୁ ତ ମୁଁ ନିଜକୁ ଅଧା ଯାଜପୁରିଆ ଭାବେ । ଅନେକବେଳେ ମୋତେ ଶୁଣିବାକୁ ମିଳେ “ଢେଙ୍କାନାଳିଆ , ଢେଙ୍କୁ କିମ୍ବା ବଣୁଆ” । କିନ୍ତୁ ଏଇ ପରିଚୟ ମୋର ବହୁତ ସୁନ୍ଦର ଓ ପସନ୍ଦ ଥିଲା , ଅଛି । ଆତ୍ମୀୟ ଲାଗେ । ଯେଉଁଠି ନିଜ ଭୂଇଁର ପରିଚୟ ଆତ୍ମୀୟ ଲାଗେ ସେଇ ସବୁ ଅଞ୍ଚଳରେ ନିଜକୁ ଆନନ୍ଦ ଲାଗେ ଠିକ ଏଇ ଯାଜପୁର ଗଳ୍ପ ସଙ୍କଳନ ସଦୃଶ । ପହିଲି ପ୍ରେମ ସଦୃଶ ।

  ପ୍ରଥମ ଗଳ୍ପରୁ କଥାକାର ଶ୍ରୀଯୁକ୍ତ ଜ୍ୟୋତି ପ୍ରକାଶ ମହାପାତ୍ର ଆରମ୍ଭ କରିଛନ୍ତି ନିଜ କାହାଣୀରୁ । ସ୍ମୃତି ଗୁଡ଼ିକ କିପରି ଅଭୁଲା ହୋଇ ଚିରକାଳ ରହିଯାଏ ସେଇ କଥା । ପ୍ରେମ ହେଉ କିମ୍ବା କାହାପ୍ରତି ଏକ ନିବିଡ଼ ସମ୍ପର୍କ ଗଢ଼ିଉଠିବା ଏକ ଅନ୍ତରଙ୍ଗ ଆଳାପ ଭାବେ ଦ୍ଵିତୀୟ କାହାଣୀରେ ଉପସ୍ଥାପିତ କରେଇଦେଲେ । କାହାଣୀଟି ମୁଁ ଟ୍ୱିଟର ରୁ ପଢ଼ିଥିଲି , ଶ୍ରୀଯୁକ୍ତ ଅରବିନ୍ଦ ପାଢ଼ୀ ମହାଶୟଙ୍କ ଏକ ରିପ୍ଲେ ମଧ୍ୟ ଦେଖିଥିଲି । ଏଇତ ସମ୍ପର୍କ । ଆଜି ମଧ୍ୟ ଶ୍ରୀମତୀ ଉଷା ପାଢ଼ୀଙ୍କୁ ଢେଙ୍କାନାଳ ଝୁରୁଛି ସେଇଭଳି ଯାଜପୁରରେ ଶ୍ରୀଯୁକ୍ତ ଅରବିନ୍ଦ ପାଢ଼ୀଙ୍କୁ । କିନ୍ତୁ ମୁଁ ବହିଟି ପ୍ରାପ୍ତ ମୁହୂର୍ତ୍ତରେ ଖୋଜିବା ଆରମ୍ଭ କରିଥିଲି “ଅପରାହଣର ଚିଠି” ! କାହିଁକି କେଜାଣି ସାର୍ ଙ୍କ ଅନେକ ଗଳ୍ପ କବିତା ଭିତରେ ସେଇ କାହାଣୀଟି ମୋତେ ଖୁବ୍ ଛୁଇଁଥିଲା । ହୁଏତ ମୋର ଚିଠି ପ୍ରତି ଦୁର୍ବଳତା ପାଇଁ କିମ୍ବା କାହାଣୀରେ ଥିବା ସ୍ପଷ୍ଟ ବନ୍ଧୁତା ପାଇଁ ଜାଣିନି । ଆଃ… ସେଇ କାହାଣୀଟି କେତେଥର ପଢୁଛି ନୂଆ ଲାଗୁଛି । ସେତେ ଆତ୍ମିକ ଲାଗୁଛି ।

   ଷଷ୍ଠ ଗଳ୍ପ ‘ଅନୁନାନୀ’ ଦୁଃଖର ଏକ ଅନୁନୟ ପରିପ୍ରକାଶ । ବେଳେବେଳେ ଦୁଃଖ ସବୁକିଛି ନେଇଯାଏ କିନ୍ତୁ ଅନୁନାନୀ ଭଳି ବଞ୍ଚିବାକୁ ହୁଏ ଆଉ କାହା ପାଇଁ । ଯେମିତି ପରବର୍ତ୍ତୀ ଗଳ୍ପ ‘ବୁଢ଼ୀ କଂଟେଇ’ ରେ କେଇ ଦିନର ସମ୍ପର୍କ ! ଏଇତ ଯାଜପୁର ! ଲୁହ , ହସ , ବିଚ୍ଛେଦ ଓ ବନ୍ଧୁତାର ଖିଅ । ଭାବ ଦିଆନିଆର ସୁଅ । ସେଇ ଭାବ ଟିକକ କେତେବେଳେ ଆଣିଦିଏ ‘ଜଇଆ ପାଗଳ’ ପ୍ରତି ସହାନୁଭୂତି ତ ‘ଜହ୍ନ ରାତିର ଝିଅ’ ପାଇଁ ଟିକିଏ ମିଠା ଯନ୍ତ୍ରଣା ।

  “ଅନନ୍ତ ଗୋପାଳ ମେସ୍ (ଏବଂ ଲିଟିଲ ସିସ୍) ଓ ନକୁଳ ଦୋକାନ” କାହାଣୀ ନୁହେଁ ବରଂ ଅତୀତ ଝୁରି ହେଉଥିବା ପୂର୍ବ ଦଶକଗୁଡ଼ିକରେ ବଞ୍ଚି ଆସିଥିବା ଏକ ହୁତାସପଣ । ମଣିଷ କିପରି ମଣିଷଙ୍କୁ ଝୁରିହୁଏ ଏତେ ଭାବ ହୃଦୟରେ ସାଇତି ସେଇ ବ୍ୟାଖ୍ୟା । ‘ମହାବାତ୍ୟା’ ପରେ “ଝିଅ ଦେଖା” ଗଳ୍ପଟି ମୋତେ ଏକ ଅଦୃଶ୍ୟ ମହାବାତ୍ୟାର କୀୟଦଂଶ ଲାଗିଲା । ଯେପରି ‘ଲୀନା’ ଚରିତ୍ର ନୁହଁ , ଆଜିପର୍ଯ୍ୟନ୍ତ କଥାକାର ହିଁ ନିଜକୁ ସେଇଠି ନିଶ୍ଚଳ କରେଇ ଠିଆ କରି ଦେଇଛନ୍ତି । ବୁଦ୍ଧ ପାଲଟି ଯାଉଛନ୍ତି ନିଜେ ।

   ଅବଶ୍ୟ ଗୋଟିଏ ଦୁଇଟି କାହାଣୀ ଟିକିଏ ବ୍ୟତିକ୍ରମ ଲାଗିଲା ଅନ୍ୟ ପକ୍ଷରେ । ଅଧିକ ଭାବପ୍ରବଣତା ନେଇ କାହାଣୀର ମୂଳଦୁଆ ଟିକିଏ ଭିନ୍ନତା ଆଣିଦେଉଥିଲା ତ ବେଳେବେଳେ କଥାକାରଙ୍କ କାହାଣୀରେ ଯାଜପୁର କେବଳ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନର ବଳୟରେ ବିଦ୍ଧ ହୋଇଯାଉଥିଲା । ଚେଷ୍ଟା କରୁଥିଲା ସେଇଠୁ ମୁକୁଳି ଚାଲିଯିବାକୁ ବିସ୍ତୃତ ଭାବରେ ଅନେଇ ରହିଥିବା ପ୍ରତ୍ୟକ ଗାଁ , ନଈ , ଯୋର ପାହାଡ଼ ଆଡ଼କୁ । ସେ ଲଳିତଗିରିର ଏକାନ୍ତକୁ ।

   ‘ମଝିଆଁ ପିଉସୀ’ ଓ ‘ପୁରୀ ଗପ’ ଦ୍ୱୟରେ ପାରିବାରିକ ଆନ୍ତରିକତା ଯେତେ ମିଳିଲା ଠିକ ସେଇଭଳି ଅତ୍ମୀୟତା ମିଳିଥିଲା ‘ପାଟପୁର’ ଗଳ୍ପରେ । ପାଟପୁର ହୁଏତ ମୁଁ କେବେ ଯାଇଥିବି କିନ୍ତୁ ମନେନାହିଁ । ଏଥର ପାଟପୁର ଗଲେ ଗଳ୍ପ ଚରିତ୍ରମାନେ ହୁଏତ ମନେପଡ଼ିଯିବେ । ପ୍ରତ୍ୟକ ଗଳ୍ପରେ ଏଇ ସମ୍ବନ୍ଧ ଗୁଡ଼ିକୁ ଏତେ ନିଖୁଣ ଭାବେ ଖଞ୍ଜିଛନ୍ତି ଯେ ପାଶୋରିବା ଟିକିଏ କଠିନ ହୋଇଯିବ ।

   ସିନେମା ଓ ଦୂରଦର୍ଶନ ପ୍ରତି ସେ ସମୟର ସଠିକ ଦୁର୍ବଳତାକୁ କାହାଣୀରେ ଅତି ଚମତ୍କାର ଭାବେ ଉପସ୍ଥାପନ କରାଯାଇଅଛି । କିନ୍ତୁ ‘ସାମ୍ବାଦିକ’ କାହାଣୀ ମୋତେ ବେଖାପ ଲାଗିଲା । ମନରେ ପ୍ରଶ୍ନ ଉଠିଲା ସତରେ ସାମ୍ବାଦିକ କେବେ ନିଜ ବୃତ୍ତି ଉପରେ ସଠିକ ଖବର ଦିଅନ୍ତି ନାହିଁ ବାକି ଗଳ୍ପ ସଦୃଶ ।

  ବିରଜା ବେଢ଼ାରେ ମୁଁ ନିଶବ୍ଦ ହୋଇଯାଇଥିଲି ପ୍ରାୟ ଦୁଇବର୍ଷ ଆଜିର ପୂର୍ବରୁ ଯେତେବେଳେ ଗଳ୍ପଟି ଟ୍ୱିଟର ମାଧ୍ୟମରେ ପଢ଼ିଥିଲି । ଅନେକ ଖୋଜିଥିଲି ଗୁଗଲରେ କଥାଟି ସତ କି ଉଡ଼ା । ଭାରି ମନଦୁଃଖ ହୋଇଥିଲା , ଏବେ ମଧ୍ୟ । ଭାବେ ସତରେ ମା’ଙ୍କ ମୂର୍ତ୍ତି ବଦଳି ହୋଇଯାଇଛି ? ତେବେ ଏ ଜାତି ସହୁଛି କେମିତି ? କି ବିଶ୍ୱାସ ରଖିଛି ସେଇ ସ୍ଥାନରେ ! ନୂଆ ମୂର୍ତ୍ତିରେ ପୁରୁଣା ଭାବ ! ସେଇଥିପାଇଁ ଆମ ଓଡ଼ିଆ ଅତି ଉଦାର ।

   କଥାକାରଙ୍କ ଏଇ ସମ୍ପର୍କ ଉଦାରତା ସୁଅରେ ଗୋଟିଏ ଗଳ୍ପ “ଏକ ଛୋଟି ସି ଲଭ ଷ୍ଟୋରି” ଅତି ସାବଲୀଳ ଲାଗିଲା , ସେତିକି ତାଙ୍କ ସମ୍ପର୍କ କୃପଣତା ଅର୍ଥାତ ଯୋଡ଼ି ପାରୁନଥିବା ଅତୀତକୁ ଆନମନା କରିବା ଲାଗିଲା । କିଛି ଗଳ୍ପରେ ଏଇମିତି ସମ୍ପର୍କକୁ ଅଧା ବାଟରେ ଛାଡ଼ି ବଢ଼ିଯାଇଛନ୍ତି । ନଈଟିଏ ପରି । କାହାଣୀ ଗୁଡ଼ିକରେ ନିଜ ଜୀବନର ସ୍ପଷ୍ଟତା , ଉଦାରତା ଓ ସତ୍ୟତା ହିଁ ଅତି ଘନିଷ୍ଠ କରିପକାଇବ ପାଠକଙ୍କୁ ।

   ସଙ୍କଳନଟି ପଢ଼ିଲା ବେଳେ ଅନୁଭବ ହେଲା ଯେପରି ଏସବୁ କାହାଣୀ ନୁହେଁ , କଥାକରଙ୍କ ସ୍ୱଜୀବନ ଉପନ୍ୟାସ । କାହାଣୀ ଗୁଡ଼ିକ ଗୋଟିଏ ପରେ ଗୋଟିଏ ଅନୁଚ୍ଛେଦର ଆକାର ନେଇ ଆସୁଛି ନିଜର ପର୍ଯ୍ୟାୟ ମେଲେଇ । ସେଇ ପର୍ଯ୍ୟାୟରେ ଅପର୍ଯ୍ୟାପ୍ତ ପାଖୁଡ଼ା ମେଲେଇ ଗାଥା ଶୁଣାଉଛନ୍ତି ଚରିତ୍ରମାନେ । ଗଳ୍ପରେ କେବଳ ଯାଜପୁର କାହାଣୀ ରହୁନାହିଁ , ରହୁଛି ଓଡ଼ିଶାର ରାଜନୀତି , ଭୂଗୋଳ , ସାହିତ୍ୟ ଓ ସମାଜର ସ୍ଥିତି । ସମୟ କିପରି ବଦଳିବା ସହିତ ବଦଳିଛି ମାନସିକତା ଓ ସାମାଜିକତା ତାହା ପଢ଼ିବାକୁ ମିଳୁଛି । କିନ୍ତୁ କଥାକାର ଯାଜପୁର ପୁରପଲ୍ଲୀଙ୍କୁ ଅତି ଅଳ୍ପ ଆଙ୍କିଛନ୍ତି । କେଉଁଠି କଦପା ଯଦି ଯାଜପୁର ଟାଉନ ବ୍ୟତୀତ ଗାଁ ନାଁ ଆସିଯାଏ ମୁଁ ଗଳ୍ପଟି ତନ୍ନତନ୍ନ କରି ପଢ଼େ । ମନେପଡ଼େ ମାମୁଁ ଘର , ବ୍ରାହ୍ମଣୀ , ବୈତରଣୀ , ଗେଙ୍ଗୁଟି ନଦୀ , ନଈ ବଢ଼ି, ଆଖୁ , ବାଦାମ କିଆଡ଼ି ଓ ଅନେକ ପଳାଶ ବନ ।

   ଶେଷରେ ଯାଜପୁର କବିତା । ଆଃ... ସମ୍ପୂର୍ଣ୍ଣ ଗଳ୍ପ ସଙ୍କଳନର ମୁଖପତ୍ର ଏ । କଥାକାରଙ୍କ ଗଳ୍ପ ପରି କବିତାରେ ମଧ୍ୟ ନିବିଡ଼ ଆବେଗ । ଏଇ ଆବେଗ ଓ ପ୍ରେମ ରହୁ । ଯାଜପୁର ବହିଟି ପାଠକ ସ୍ନେହୀ ହେଉ । ଠିକ୍ ମା ବିରାଜାଙ୍କ ଆଶୀର୍ବାଦ ସଦୃଶ ।


            ଯାଜପୁର !

            ତୁମକୁ ଦେଖେ ମୁଁ ନିତି

            ବିରଜା ବେଢ଼ାରେ ,

            ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଲାବେଳେ

            ନାଭିଗୟା ଅନ୍ଧାରି ଗୁମ୍ଫାରେ । (ସଙ୍କଳନରୁ ଉଦୃତ)

                                     ◆◆◆

✍️ହିମାଂଶୁ ଭୂଷଣ ସାହୁ



"ଗୌରୀପ୍ରଭା"ର ପ୍ରଥମ ବର୍ଷ

 ଏବେ “ ଗୌରୀପ୍ରଭା ” ପହଞ୍ଚିଛି ତୃତୀୟ ବର୍ଷରେ । ତିନି ବର୍ଷର ଯାତ୍ରାରେ ଭେଟିଛି ଅନେକ ଅନୁଭବ । ଆସନ୍ତୁ ଜାଣିବେ “ଗୌରୀପ୍ରଭା” ବାର୍ଷିକ ପତ୍ରିକାର ପ୍ରଥମ ବର୍ଷର ପା...