HIMANSHUBHUSHAN SAHOO

My photo
ନିରୋଳା ଦେଖି ଗଳ୍ପ ଗୁଡିକ ମୋତେ ପ୍ରଶ୍ନ କଲେ "ତୁ ଗଳ୍ପ କେମିତି ଲେଖୁ ?" ମୁଁ ହସିଦେଇ କହିଥିଲି "ଆପଣ ନିଜକୁ ଦେଖନ୍ତୁ , ନିଜ ଚତୁର୍ଦ୍ଦିଗ କୁ ଅନୁଭବ କରନ୍ତୁ ! ଅସରନ୍ତି ସୁଖ-ଦୁଃଖ , ଅକଳନ ହାନି-ଲାଭ , ଗଭୀର ପ୍ରେମ-ବିରହ , ଅପର୍ଯ୍ୟାପ୍ତ ଜନ୍ମ-ମୃତ୍ୟୁ !!! ସବୁତ ପ୍ରଦର୍ଶିତ ଏଠି " ଆଉ କବିତା କ'ଣ କହିଲା ଜାଣନ୍ତି ? କହିଲା, "ତୁ' ତ ନିଜକୁ ଗାଳ୍ପିକ ଭାବିଛୁ , କବିତା କିପରି ଲେଖିବୁ ?" ମୋ ଉତ୍ତର ଥିଲା.. " ସତେ'ତ ! ତୁମ ହସ ହସ ତୃପ୍ତ ବଦନରୁ ଟିକିଏ ଦୁଃଖ ଟାଣିଆଣି.. ଗାରେଇ ନଦେଲେ ମୋ ଭାବନାରେ ! ସେ କି କବିତା ?"

Saturday, October 22, 2022

ପହଞ୍ଚିଛି ଶୀତ



ଭଗ୍ନ ଅଥବା ଚାକଚକ୍ୟ ମନ୍ଦିର

ଆଉ ତା' ଭିତରେ ଥିବା ପ୍ରସ୍ତର ମୂର୍ତ୍ତି ,

ଦେବତା ମଧ୍ୟ ଶୀତରେ ଘୋଡେଇ ହୋଇଥିବେ

ସଦ୍ୟଫୁଟା ସୁଗନ୍ଧ ଫୁଲ ଗୁଡିକୁ ।

କାକରରେ ଭିଜିବାକୁ ଡରିଥିବ ଝିଣ୍ଟିକା

ଭୋକ ବିକଳରେ ଆମ ଗୁହାଳ ପାଖ

କଂକ୍ରିଟରେ ଶୋଇଥିବ

ସେ ଗେମେଣା ଷଣ୍ଢ ।

ଖବର ଆସିବ ଅମକ ବୁଢ଼ୀ ଚାଲିଗଲା

ଅମୁକ ଜଣକ ଦେହର ଚାଦରଟି ଖୋଲୁ ଖୋଲୁ

ବସ୍ ଟି ଚାଲିଲା ଆଗକୁ ,

ଆହୁରି ଆଗକୁ ।


ଏହା ମଧ୍ୟ ହେବ କି !

ଦାମ ଓ ପୁହାଣ ଘର ପୁଅ ଗୁଡାକ

ସ୍କୁଲ ନ ଯାଇଁ କୋଉ ଅଳିଆରେ ନିଆଁ ଧରାଇଛନ୍ତି ?

ଦେଖ, ଦେଖ !

କେତୋଟି ମଲା ମେନ୍ତେରୀ ବୁଢ଼ୀକୁତ୍ତି

ରାଜୁତି କଲେଣି ସେ ନିଆଁ ପାଖରେ ।

ଶୀତ କେବଳ ଏମାନଙ୍କୁ ନୁହେଁ

ରାତିସାରା ଖଟି ଖଟି ଗରମ ହୋଇପଡିଥିବା

ପଇ ମଉସା ଭଙ୍ଗା ଟ୍ରେକରକୁ ମଧ୍ୟ ଥରାଇ ଦିଏ ।

ଏମିତିକି ସ୍ୱାଧୀନତା ନଥାଏ ରାସ୍ତା ଧୂଳିର

ପବନରେ ଉଡିଉଡି ନିଜ ଇଛାରେ

ଦୂଷିତ କରିବାକୁ ମଣିଷଙ୍କ ଦୁନିଆ,

ଏ ଶୀତ ମାଡିବସିଛି ସାରା ଆତ୍ମାକୁ ।


ହେଲେ ମୋର ବିଶ୍ୱାସ ହେଉନି

ଏବେ ମଧ୍ୟ ସଂସାରରେ ଦୁଇଜଣ ବାକିଥିବେ

ଆମ ଗାଁ ସନା ସେଣ୍ ର ବିଧବା

ଆଉ ତା' ନ'ମାସିଆ ଛୁଆଟି ।

ସତରେ ଏମାନଙ୍କୁ କଣ ଶୀତ ଛୁଇଁଥିବ ?

ସନା ପରେ ସେ କେବେ ଦେଖିନି ଶୀତ କି ବସନ୍ତ

ଦେଖିଛି କେବଳ ଟିଙ୍କ ଭଳି ଲାଗିଥିବା ଛୁଆ ଟି ।

ଏବେ ଶୀତ ନ ଥିବ 'ମା' ର ଛିଣ୍ଡା ବିଛଣା

ଅଥବା ଫୁଙ୍ଗୁଳା ଛୁଆ ପାଟି କି ପିଚାରେ ।

ଅନାୟାସରେ ସେ ତା ଶାଢ଼ୀ ବ୍ଲାଉଜ ଖୋଲିଦେଇ

ଜାକିଧରିଥିବ ସନ୍ତକଟିକୁ

ଆଉ ସେ ଶୀତ... ?

ତାର କ'ଣ ଲାଜ ସରମ ନାହିଁ ବୋଲି ଭାବୁଛ !

ସେ ନ ଥିବ ସେଠାରେ ,

ମାଡି ବସିଥିବ ସାରା ପୃଥିବୀକୁ ,

ମା' କୁ ନୁହେଁ ।

ଶୀତ'ର ବି 'ମା' ଥିବ

ଦେଖୁନ !

କେମିତି ଲୁହ ଜକେଇଲାଣି ସେ ମାଇପିର

ଆଉ ଶୀତ ଏବେ ସେ ଘରେ ନରହି

କେମିତି ବିଞ୍ଚିଚାଲିଛି ଲୁହକୁ କାକର ବୁନ୍ଦା କରି

ସେ ମାରଣା ଷଣ୍ଢ ଉପରେ ! ……

                             #ଗଳ୍ପକବିତା


ହିମାଂଶୁ ଭୂଷଣ ସାହୁ

ସୋଲଗାଡ଼ିଆ

ଢେଙ୍କାନାଳ

୭୫୯୦୧୬



Wednesday, October 19, 2022

ତୁମ ସ୍ମୃତିରୁ ଖିଏ..

କହିବୁକି ପ୍ରିୟା ନୀରବତା ଭାଙ୍ଗି

ଓଠ ତୋ'ର କାହିଁ ବିରୋଧ କରେ

ଆଖିର କଜଳ କାନର ଝୁମୁକା

ସ୍ମୃତି ସ୍ମୃତି ବୋଲି ନୀଇତି ଝୁରେ ?


ଚିଠିର ମହକ ଯାଇନି ତୋ'ହାତୁ

ଶବ୍ଦ-ପଦ-ପ୍ରେମ ମହକ ଆସେ

ସିନ୍ଦୁର ଟିକକ ଫିକା ଫିକା ଲାଗେ

ସ୍ମିତ ହସେ ତୋ'ର ଦୁଃଖଟିଏ ଦିଶେ ।


ତୋ ମନ୍ଥର ଚାଲିରେ ମୋ ଚିତ୍କାରକୁ ମାଡି

ଚାଲିଯାଇଥିଲୁ ଦୂର ଦିଗନ୍ତ ଡେଇଁ

ମୁକ ଥିଲେ ଦୁହେଁ ଦୁହିଁଙ୍କ ଭାଗ୍ୟରେ

ନିଜ ନିଜ ଲୁହ ନିଜକୁ ପେଇ ।


ଆସିଛୁ ଫେରି ତୁ ପାଶୋରି ସେସବୁ

ପ୍ରତାରଣାର ବିରହ ଯନ୍ତ୍ରଣା !

ପାଇଥିଲି ଯାହା ମୁଁ କି ଭୁଲିବି

ପାଇ ପାରିବିକି ଆଉ ତୋ ପ୍ରେରଣା ?


ଯାଅ ଯାଅ ତୁମେ ପଥ ବାଛିନିଅ

ଅଛି ବଞ୍ଚିବାକୁ ନିଜ ନିଜ ଜୀବନ 

ପଥ ଅତିକ୍ରମ କରିଦେବ ଯଦି

ମୋ ସ୍ମୃତିର ସୌଧଟେ ଗଢ଼ିବ ସେ ସ୍ଥାନ ।

                     #ଗଳ୍ପକବିତା

ହିମାଂଶୁ ଭୂଷଣ ସାହୁ

ସୋଲଗାଡ଼ିଢେଙ୍କାନାଳ

୭୫୯୦୧୬


Monday, October 10, 2022

ଶବରୀ ର ରଚୟିତା

କବିତା:- ଶବରୀ ର ରଚୟିତା



ଏହା ଅଚାନକ ତ ନୁହେଁ !

କେତେ କେତେ ଜନ୍ମର

ପୂଣ୍ୟକୁ ତୁମେ ସାଉଁଟିଛ

ଶବରୀଟିଏ ତିଆରିବାକୁ ?


ଯୁଗ ଯୁଗର ଅପେକ୍ଷାରତ

ତୁମେ ମଧ୍ୟ ଥିଲ ,

କୁହନ୍ତୁ ତ…

ତୁମେ କ'ଣ

ନିଜ ଚେହେରାକୁ

ଅସ୍ଥିର ଜଳରେ ଦେଖି

ଶବରୀ ବୋଲି ଚମକି ନଥିଲ ?


ଦେଖ ,

କେତେଥର ରାମଚନ୍ଦ୍ର

ତୁମହାତେ ଜନ୍ମିଛନ୍ତି !

ଶବ୍ଦେ ଶବ୍ଦେ ଶବରୀକୁ ଖୋଜି ।

କୁହନ୍ତୁ ତ…

କେତେଯେ ଭିଯାଇଛି ଲୁହ ,

ତୁମ ପଣତ !

ଶବରୀର କେଇବୁନ୍ଦା ବୋଲି ,

ତୁମେ କ'ଣ ଅମାନ୍ୟ କରିବ ?


ରାତିର ସେ ଧିମା-ଗାଢ଼ ଅନ୍ଧକାରରେ

କିମ୍ବା ଦିନ ଆଲୋକର ତପ୍ତ ଭାବନାରେ,

ଅନେକ ଥର ବନ ପୁଷ୍ପ ମହକ

କେତେ କେତେ ଥର ବାଜିଥିବ

ତୁମ ସମ୍ପୂର୍ଣ୍ଣ ଶରୀର ମନରେ !


ସବୁ ଅଚାନକ ତ ନୁହେଁ

ସିଏ ମଧ୍ୟ ହୁଏତ ଅପେକ୍ଷା କରିଥିଲେ

ଶବରୀର ଉପସ୍ଥିତିକୁ

ଆଉଥରେ ପାଇବାକୁ ,

ତୁମ କଲମ ମୁନରେ ।

                         #ଗଳ୍ପକବିତା


~ହିମାଂଶୁ ଭୂଷଣ ସାହୁ

ସୋଲଗାଡ଼ିଆ~

"ଗୌରୀପ୍ରଭା"ର ପ୍ରଥମ ବର୍ଷ

 ଏବେ “ ଗୌରୀପ୍ରଭା ” ପହଞ୍ଚିଛି ତୃତୀୟ ବର୍ଷରେ । ତିନି ବର୍ଷର ଯାତ୍ରାରେ ଭେଟିଛି ଅନେକ ଅନୁଭବ । ଆସନ୍ତୁ ଜାଣିବେ “ଗୌରୀପ୍ରଭା” ବାର୍ଷିକ ପତ୍ରିକାର ପ୍ରଥମ ବର୍ଷର ପା...