HIMANSHUBHUSHAN SAHOO

My photo
ନିରୋଳା ଦେଖି ଗଳ୍ପ ଗୁଡିକ ମୋତେ ପ୍ରଶ୍ନ କଲେ "ତୁ ଗଳ୍ପ କେମିତି ଲେଖୁ ?" ମୁଁ ହସିଦେଇ କହିଥିଲି "ଆପଣ ନିଜକୁ ଦେଖନ୍ତୁ , ନିଜ ଚତୁର୍ଦ୍ଦିଗ କୁ ଅନୁଭବ କରନ୍ତୁ ! ଅସରନ୍ତି ସୁଖ-ଦୁଃଖ , ଅକଳନ ହାନି-ଲାଭ , ଗଭୀର ପ୍ରେମ-ବିରହ , ଅପର୍ଯ୍ୟାପ୍ତ ଜନ୍ମ-ମୃତ୍ୟୁ !!! ସବୁତ ପ୍ରଦର୍ଶିତ ଏଠି " ଆଉ କବିତା କ'ଣ କହିଲା ଜାଣନ୍ତି ? କହିଲା, "ତୁ' ତ ନିଜକୁ ଗାଳ୍ପିକ ଭାବିଛୁ , କବିତା କିପରି ଲେଖିବୁ ?" ମୋ ଉତ୍ତର ଥିଲା.. " ସତେ'ତ ! ତୁମ ହସ ହସ ତୃପ୍ତ ବଦନରୁ ଟିକିଏ ଦୁଃଖ ଟାଣିଆଣି.. ଗାରେଇ ନଦେଲେ ମୋ ଭାବନାରେ ! ସେ କି କବିତା ?"

Tuesday, August 22, 2023

ବର୍ଷାର କବିତା

ଏବେ ଏବେ ବର୍ଷିଗଲା ଅସଳାଏ

ବେଉଷୁଣିଆ ବର୍ଷା !

ଆମ ଗାଁ କଂକ୍ରିଟ ରାସ୍ତାକୁ ଓଦା କରି

ନିଗିଡିଗଲା ମେଞ୍ଚେ ଅଳିଆ ଆବର୍ଜନା ନେଇ

ଜମାଟ ବାନ୍ଧିବାକୁ ଯେଉଁଠି ଡ୍ରେନ ଅଧା ଅଛି !!!


ବର୍ଷା !

କଂକ୍ରିଟ ରାସ୍ତାରେ ଚବ୍ ଚବ୍ କରୁଥିବା ଅଳତା ପାଦ ।

ବର୍ଷା !

ନିଗିଡ଼ା ଅଳିଆ ଭିତର କାଗଜରେ କବିତା ପଦ ।

ବର୍ଷା !

ଅଧା ମୁହଁ ଡ୍ରେନ ପାଖେ ରାଜନୀତି ଶବ୍ଦ ।


ସେଇ ଅଧା ମୁହଁ ଡ୍ରେନ ପାଖେ ଶେଉଳ ଧରିଛି

ଚେମା ନାଗ ର ପୁଅ !

ଆଖିରେ ମେଞ୍ଚେ ସ୍ବପ୍ନ ଆମ୍ବୁଲ ମାଛ ଝୋଳର

କିନ୍ତୁ ଚେମା କ'ଣ ଚାଖିବ ?

ସରକାରୀ ମଦଭାଟିରେ ତା ଶରୀର ପଡିଛି !!!


ବର୍ଷା !

କୁଡ଼ିଆକୁ ଭାଙ୍ଗି କୋଠାଟିଏର ରାଜନୈତିକ ଆଶା ।

ବର୍ଷା !

ବନ୍ୟା କ୍ଷୟକ୍ଷତିରୁ ଲୁଣ୍ଠିତ କୋଟି କୋଟି ଭରସା ।

ବର୍ଷା !

ଗରିବ ଦେଖିଥିବା ଏକ ଇନ୍ଦ୍ରଧନୁର ବିଦ୍ରୁପ ଲାଳସା ।


ଅଧା ଇନ୍ଦ୍ରଧନୁ ପୋତି ହୋଇଥିବ ନିଶ୍ଚନ୍ତା ତଇଲାରେ

ଯାଜପୁରର ଧୂଳିପ୍ରଦୂଷଣ ପାଇଁ ପିନ୍ଧିଥିବ ମାସ୍କ !

ଦିଶୁଥିବ ଅସହାୟ ରଙ୍ଗୀନ ସ୍ବପ୍ନଟେ ପରି

କିନ୍ତୁ କିଏ ଗଣିବ କେତେ ରଙ୍ଗ କେତେ ରକ୍ତ !

ବିଲ ମୁହାଣରେ ତ ଏଠି ଜୀବନ ଜୀବିକା ଭାସୁଛି !!!


ବର୍ଷା !

ଅଧା ଇନ୍ଦ୍ରଧନୁରେ ସମ୍ପୂର୍ଣ୍ଣ ପ୍ରେମର ନିଶା ।

ବର୍ଷା !

ଜୀବନ ଜୀବିକରେ ସବୁଜ ସ୍ବପ୍ନଭରା ଆଶା ।

ବର୍ଷା !

ଶୀତଳ ସମୀରେ ଉଜ୍ବଳ ଏକ ପ୍ରକୃତି ଭାଷା ।




କିଏ ଦେଖୁଛି ଏଠି ବର୍ଷା , ବିଜୁଳି , ପାହାଡ଼ି ଝରଣା ?

ବେଳ କାଇଁ ମୋବାଇଲ ସ୍କ୍ରିନରୁ !

ବେଳ କାଇଁ ରାଜନୀତି ବର୍ଷାରେ ଛତା ହଟେଇବାକୁ

ବେଳ କାଇଁ ବେଙ୍ଗବେଙ୍ଗୁଲି ଗପରେ ଜୀବନ ଜିଇଁବାକୁ

ବେଳ ନାହିଁ ,ଏଠି ବର୍ଷା ଏକା ଏକା ବର୍ଷି ଯାଉଛି ।


ବର୍ଷା !

ପିଲାଦିନେ ପାଦେ ପାଣିରେ ହୀରାକୁଦ ବନ୍ଧ ବାନ୍ଧୁଥିବା ସଖା ।

ବର୍ଷା !

କିଶୋର ଉଲଗ୍ନ ଶରୀରେ ଭୂତିଆପୋଲରେ ଡେଉଁଥିବା ଯୋଦ୍ଧା ।

ବର୍ଷା !

ଯୁବକ ଉନ୍ମାଦରେ ମୁହଁ ଭିଜା ଓଦାଓଦା ପ୍ରେମର କବିତା ।

                               ◆◆◆


#ଗଳ୍ପକବିତା

ସୋଲଗାଡ଼ିଆ , ଢେଙ୍କାନାଳ ୭୫୯୦୧୬



Thursday, August 3, 2023

ଦୁଇଟି ଚିନ୍ତାଧାରାର ଯୁଦ୍ଧ:- ଡ୍ରେସ ପିନ୍ଧା ସାବିତ୍ରୀ


   କଥାକାର
ସୁଦୀପ ରୋହନ ବାଘ ଜଣେ ମୁକ୍ତ ଚିନ୍ତାଧାରାର ଆଧୁନିକ ବାର୍ତ୍ତା ଓ ପୁରାତନ ସମାଜରେ ସୁପ୍ତ ପଡିରହିଥିବା ଦୃଢ଼ଚିନ୍ତାଧାରାକୁ ନିଜ କଲମ ମୁନରେ ଆଙ୍କି ବୈପ୍ଳବିକ ଭାବ ଉଦ୍ରେକ କରୁଥିବା ଜଣେ ଆଧୁନିକ ବିନ୍ଧାଣି ।

    କଥାକାର ସୁଦୀପ ରୋହନ ପେଶାରେ ଜଣେ ଦକ୍ଷ ସରକାରୀ ଯନ୍ତ୍ରୀ । ନିଜ ବ୍ୟସ୍ତବହୁଳ କର୍ମମୟ ଜୀବନରୁ ସେ ସମୟ ବାହାର କରି ସାହିତ୍ୟ ପ୍ରତି ତାଙ୍କ ଅନୁରାଗ ସାବ୍ୟସ୍ତ କରନ୍ତି ଗଳ୍ପ କବିତା ମାଧ୍ୟମରେ ଓ ସାମାଜିକ ଗଣମାଧ୍ୟମରେ କିଛି ଓଡ଼ିଆ ଭାଷାକୁ କଦର୍ଥ କରୁଥିବା ସଂସ୍ଥା ଓ ବ୍ୟକ୍ତିଙ୍କୁ ସଠିକ ବାଟ ମଧ୍ୟ ଦେଖାଇବାକୁ ପଛାନ୍ତି ନାହିଁ ।

    ଶ୍ରୀ ବାଘଙ୍କ କୃତିରେ ରହିଛି ସମାଜ ଓ ସଂସ୍କାରର ବାର୍ତ୍ତା । 

   ଗଳ୍ପ "ପ୍ରତ୍ୟାବର୍ତ୍ତନ"ରେ "ଦ୍ୱିପାକ୍ଷିକ ପାରିବାରିକ ଆତ୍ମସମୀକ୍ଷା"। 

   ଗଳ୍ପ "ତଥାପି"ରେ "ଜଣେ ସଚ୍ଚୋଟ ସରକାରୀ ଶିକ୍ଷକଙ୍କ ଦୁଃଖ ଦିନମାନଙ୍କରେ ସାରା ଜୀବନ ପରିଶ୍ରମ ର ଛାତ୍ର ରୂପୀ ମଲମ । 

   ଗଳ୍ପ "କିଛି ଲୁଚି ରହେନାହିଁ"ରେ ଜଳଜଳ ଦେଖାଉଥିବା ମଣିଷସମାଜର ବଡ଼ ହତ୍ୟାକାରୀର ପାପ !

   ଗଳ୍ପ "ସମାଧି"ରେ ନିଶା ନିବାରଣ ସପକ୍ଷରେ ଗୋଟିଏ ସରଳ ଉପାୟ ।

   ଏମିତି ଅନେକ ଚମତ୍କାର ଗଳ୍ପ ମଧ୍ୟରୁ ସର୍ବଦା ପ୍ରଶଂସନୀୟ ଓ ଲୋକାଦୃତ ସୃଷ୍ଟି "ଡ୍ରେସ ପିନ୍ଧା ସାବିତ୍ରୀ"। ଗଳ୍ପଟି ଓଡ଼ିଶାର ସୁପ୍ରସିଦ୍ଧ ଇ-ପତ୍ରିକା "ଶୁଭପଲ୍ଲବ"ର ସେପ୍ଟେମ୍ବର ୨୦୨୨ ମସିହାରେ ପ୍ରକାଶିତ ହୋଇଥିଲା ।

   ଆପଣଙ୍କ ମନରେ ପ୍ରଶ୍ନ ଆସିପାରେ ଯେ "ଡ୍ରେସ ପିନ୍ଧା ସାବିତ୍ରୀ"ଶୀର୍ଷକ କାହିଁକି ? ଯେହେତୁ ଡ୍ରେସ୍ ର ଅନୁବାଦ 'ପୋଷାକ' ଓ ପୋଷାକ ରେ କି ଅର୍ଥ ଅନର୍ଥ ଅଛି ଯେ ଲେଖକ ଏଭଳି ଶୀର୍ଷକ ବାଛିଲେ ?

   ତେବେ ଆସନ୍ତୁ କିଛି ଆଲୋଚନା କରିବା ଗଳ୍ପ ଉପରେ ।

   କାହାଣୀଟି ଆରମ୍ଭ ହେଉଛି ପବିତ୍ର ସାବିତ୍ରୀ ବ୍ରତର ପୂର୍ବ ପ୍ରସ୍ତୁତିରୁ । ଦେଖିବାକୁ ମିଳୁଛି ଗୋଟିଏ ଝିଅର ପରିବାର ଚିନ୍ତା ଓ ପ୍ରତ୍ୟକ ସାଜସଜ୍ଜା ରେ କିପରି ଯତ୍ନ ନେବାକୁ ହୁଏ ! ତାହା ନିଖୁଣ ଭାବେ ବର୍ଣ୍ଣନା କରାଯାଇଅଛି । ଏବଂ ହଠାତ ଝିଅର ଶାଶୁ ଶ୍ୱଶୁର ଙ୍କ ଯଦି ଠିକ ସେଇ କାର୍ଯ୍ୟବ୍ୟସ୍ତତା ଭିତରେ ଫୋନ ଆସେ ସେ ପରିସ୍ଥିତି !

   ଜଣେ ଓଡ଼ିଆ ନିରୀହ ପରିବାର ର ଭିତର ଓ ବାହ୍ୟ ସମସ୍ୟା କିପରି ସୃଷ୍ଟି ହୋଇଯାଏ ଓ ତାହା ଇଙ୍ଗିତ କରେ ସମ୍ପୂର୍ଣ୍ଣ ମାନବସମାଜ ଓ ଚିନ୍ତାଧାରାକୁ ! 

   ମୁଖ୍ୟତଃ ଦୁଇଟି ଭିନ୍ନ ଭିନ୍ନ ଚିନ୍ତାଧାରାକୁ ପ୍ରଭାବିତ କରିଲା ଭଳି ଗୁଡ଼ାଏ ପ୍ରଶ୍ନ । ଯାହା ସ୍ୱାଭାବିକ ଥାଏ ମେଞ୍ଚେ ସନ୍ଧ୍ୟାବେଳେ ଏକତ୍ରିତ ହୋଇ କାହା ଦେହ ଉପରେ ଅଟ୍ଟହାସ୍ୟ କରୁଥିବା ବିକୃତ ଚିନ୍ତାଧାରା ଓ ଶୌଚାଳୟ ସପକ୍ଷରେ ନିଜ ମନକୁ ଦୃଢ଼ କରି ବାନ୍ଧି ରଖିଥିବା 'ପ୍ରତୀକ୍ଷା' ଭଳି ସ୍ପଷ୍ଟବାଦୀ ଝିଅ ! ଗୋଟିଏ ପଟେ ସମାଜର ଦୂଷିତ ଅଧ୍ୟାୟ ଓ ଅନ୍ୟପଟେ ପରିବେଶ ପରିଚ୍ଛନ୍ନତା ପ୍ରତି ଯତ୍ନବାନ !

   ଗଳ୍ପରେ ଦେଖାଦେଇଛି ଗୋଟିଏ ବିପ୍ଳବ !!!

   ଯେଉଁ ସମାଜର ଗୋଟିଏ ଅଙ୍ଗ ଭାବେ "ଝିଅଟିଏ , ବିବାହ ପୂର୍ବରୁ ଶାଶୁ ଶ୍ୱଶୁରଙ୍କ ପାଖେ ନିଜ ମତ ରଖିପାରିବ ନାହିଁ !"

   ଯେଉଁ ସମାଜର ଅନ୍ୟ ଏକ ଅଙ୍ଗ ଭାବେ "ବୋହୂ ପ୍ରତି ଶାଶୁର ଏକଚାଟିଆ ଅଧିକାର !"

   ଯେଉଁ ସମାଜର ଗୋଟିଏ ଅଙ୍ଗ ଭାବେ "ଶାଢ଼ୀ ହିଁ ବୈବାହିକ ନାରୀର ଏକମାତ୍ର ଭୂଷଣ !"

   ସେଇ ପ୍ରତ୍ୟକ ସମାଜ ପାଇଁ ଶ୍ରୀଯୁକ୍ତ ସୁଦୀପ ରୋହନ ବାଘଙ୍କ ଏ ବିପ୍ଳବର ଗଳ୍ପ "ଡ୍ରେସ ପିନ୍ଧା ସାବିତ୍ରୀ"।

   ମୋତେ କାହାଣୀଟିରେ ଜୀବନର ବାସ୍ତବତା , ଲଦି ହୋଇପଡୁଥିବା ସମ୍ପର୍କର ବିରୋଧାଭାଷ , କୁସଂସ୍କାର ପ୍ରତି ସଚେତନ ଓ ଜଣେ ଦୃଢ଼ମନା ନାରୀର ବ୍ୟକ୍ତିତ୍ବ ଅନୁଭବ ହେଲା । ଆଶାକରୁଛି ଆପଣ ଗଳ୍ପ "ଡ୍ରେସ ପିନ୍ଧା ସାବିତ୍ରୀ"ପଢ଼ି ନିଜର ଅନୁଭବ ବାଣ୍ଟିବେ ।

✍️ଲେଖକ ଶ୍ରୀଯୁକ୍ତ ସୁଦୀପ ରୋହନ ବାଘ





#ଗଳ୍ପକବିତା
ସମୀକ୍ଷକ:-ହିମାଂଶୁ ଭୂଷଣ ସାହୁ
ସୋଲଗାଡ଼ିଆ, ଢେଙ୍କାନାଳ ୭୫୯୦୧୬



"ଗୌରୀପ୍ରଭା"ର ପ୍ରଥମ ବର୍ଷ

 ଏବେ “ ଗୌରୀପ୍ରଭା ” ପହଞ୍ଚିଛି ତୃତୀୟ ବର୍ଷରେ । ତିନି ବର୍ଷର ଯାତ୍ରାରେ ଭେଟିଛି ଅନେକ ଅନୁଭବ । ଆସନ୍ତୁ ଜାଣିବେ “ଗୌରୀପ୍ରଭା” ବାର୍ଷିକ ପତ୍ରିକାର ପ୍ରଥମ ବର୍ଷର ପା...