HIMANSHUBHUSHAN SAHOO

My photo
ନିରୋଳା ଦେଖି ଗଳ୍ପ ଗୁଡିକ ମୋତେ ପ୍ରଶ୍ନ କଲେ "ତୁ ଗଳ୍ପ କେମିତି ଲେଖୁ ?" ମୁଁ ହସିଦେଇ କହିଥିଲି "ଆପଣ ନିଜକୁ ଦେଖନ୍ତୁ , ନିଜ ଚତୁର୍ଦ୍ଦିଗ କୁ ଅନୁଭବ କରନ୍ତୁ ! ଅସରନ୍ତି ସୁଖ-ଦୁଃଖ , ଅକଳନ ହାନି-ଲାଭ , ଗଭୀର ପ୍ରେମ-ବିରହ , ଅପର୍ଯ୍ୟାପ୍ତ ଜନ୍ମ-ମୃତ୍ୟୁ !!! ସବୁତ ପ୍ରଦର୍ଶିତ ଏଠି " ଆଉ କବିତା କ'ଣ କହିଲା ଜାଣନ୍ତି ? କହିଲା, "ତୁ' ତ ନିଜକୁ ଗାଳ୍ପିକ ଭାବିଛୁ , କବିତା କିପରି ଲେଖିବୁ ?" ମୋ ଉତ୍ତର ଥିଲା.. " ସତେ'ତ ! ତୁମ ହସ ହସ ତୃପ୍ତ ବଦନରୁ ଟିକିଏ ଦୁଃଖ ଟାଣିଆଣି.. ଗାରେଇ ନଦେଲେ ମୋ ଭାବନାରେ ! ସେ କି କବିତା ?"

Wednesday, March 27, 2024

ଜୀବନ କାହାଣୀ ନୁହେଁ

ଅତି ସହଜରେ ସେଦିନ କହିଥିଲ

"ତୁମ ଜୀବନେ ନହେଲେ ନାହିଁ

ତୁମ କାହାଣୀରେ ସ୍ଥାନ ନେବି"


"ଉପେକ୍ଷିତା ନାୟିକାର ଲୁହ

ଧର୍ଷିତା ନିରୀହର ନ୍ୟାୟ"

"ସନ୍ତାନହତ ମାତୃତ୍ୱର କୋଳ

ବୃଦ୍ଧା ବେଶରେ ବୟସର ବେଳ"

"ନିର୍ଯ୍ୟାତିତ ନବବଧୂର ଏକାନ୍ତ

ହସହସ ମୁଖେ ଝଡ଼ ଆୟତ୍ତର ଶାନ୍ତ"


ପାରିବ ?


ହୋଇପାରିବ ମୋ କାହାଣୀର

ଅସୁରୁଣୀ ବୁଢ଼ୀ ?

ସହିପାରିବ ମୋ କାହାଣୀ ନାୟିକାର

ମୃତ୍ୟୁ ବେଳର ପ୍ରତାଡ଼ନା ?

ଦେଇପାରିବ ମୋ କାହାଣୀ ନାୟିକାର

କ୍ଷଣ କ୍ଷଣର ଅନାବିଳ ପ୍ରେମ ?

ସହିପାରିବ ମୋ କାହାଣୀ ନାୟିକାର

ଦେଶପ୍ରେମ !


ନା !

ସହିବା ଏତେ ଶସ୍ତା ନୁହେଁ ।

କାହାଣୀ ଏତେ ସରଳ ନୁହେଁ ।


ତେବେ ଆଜି ମଧ୍ୟ ମୋ ଉତ୍ତରରେ

ମୁଁ ଅଟଳ…

"ତୁମେ ଚାଲିଯାଅ !

ଜୀବନ ଆଉ କାହାଣୀ

ଏତେ ସହଜ ନୁହେଁ ।"


✍️ ହିମାଂଶୁ ଭୂଷଣ ସାହୁ

#ଗଳ୍ପକବିତା

Sunday, March 24, 2024

ଅଲୋଡ଼ା ରବିବାରଟିଏ

 



 ଆଜି ପୁଣି ଗୋଟିଏ ରବିବାର , କାହାକୁ କିଛି ନପଚାରି ମୋ ବୋଉର ବିନା ଅନୁମତିରେ ଦୁଇକେଜି ରୋହି ମାଛ ଆଉ ବାସୁମତୀ ଚାଉଳ ସହ ଅନ୍ନପୂର୍ଣ୍ଣା ପତ୍ର ଦୁଇଟି ନେଇ ସିଧା ବସିଗଲା ଚୁଲି ପାଖେ ।

   ମୁଁ ଉଠିଲି , ଗରମ ଗରମ ଭୋର ର ଫୁଙ୍ଗୁଳା କେଉଁ ଏକ ପ୍ରେମିକାର ସ୍ବପ୍ନ ଦେଖୁ ଦେଖୁ !


ଆଃ…!!!


   ଯେଉଁ ଅବୋଧ୍ୟ ଅସାମାଜିକ ସମ୍ଭୋଗ ପାଇଁ ବର୍ଷ ବର୍ଷ ଶୀତ-ଖରା-ବର୍ଷାରେ ନିଜ ଛାତି ଦଳି ଦଳି ଚାହିଁଥିଲି , କିନ୍ତୁ ଏବେ ସେ ପାଲଟିଛି ଅଲୋଡ଼ା , ମୋ ସ୍ବପ୍ନ ସମ୍ଭୋଗ ପରେ ! କେଡ଼େ କଦର୍ଯ୍ୟ ଏ ବାସନା ?

    ବିବାହ ପରେ ଏ ପ୍ରେମିକା ସ୍ବପ୍ନ ରେ ଆସି ନିଜକୁ ସମର୍ପି ଦେବା ଗୋଟିଏ ପୁରୁଷ ପ୍ରତି ଧର୍ଷଣ କି ?

   ସୂର୍ଯ୍ୟ ଥିଲେ ଠିକ୍ ଚୁଲି ମୁଣ୍ଡ ପାଖେ । ନାଲି ପେଟ ଦେଖେଇ ଯେଉଁଠି ମଲା ମାଛଟି ଚଡ଼ ଚଡ଼ ହେଉଥାଏ , ଆଉ ବୋଉର ପାନ ଚୋବେଇବା ଓଠର ହସ ! ଠିକ ତା କାନି ପାଖେ ମୋ ପତ୍ନୀ ନିରିଖେଇ ଦେଖୁଥିଲେ , ହୁଏତ ମାଛ ତେଲର ଭୁଡୁଭୁଡୁ ଫେଣ । ସେ ରାତିରେ କି ସ୍ବପ୍ନ ଦେଖିଥିଲେ କି ? 

     "ମୋକଟ ପିନ୍ଧି କେଉଁ ରାଜକୁମାର !"

     ନା

     "ବନ୍ଦୀ ଏକ ରାଜକୁମାରୀ !"

     "ପ୍ରେମିକ !" ର ସ୍ବପ୍ନ ?

    ବିବାହ ପରେ ପ୍ରେମିକ ଶବ୍ଦ କୁ ମୁଁ ଘୃଣା କରେ ବୋଲି ଥରେ ମୋ ମତ ଦେଇଥିବାରୁ ପତ୍ନୀ କହିଥିଲେ "ତୁମେ ଗୋଟିଏ ଇଂରେଜୀ ହାସବେଣ୍ଡ ହୋଇ ରହିଗଲ ।"


    ମୁଁ ଅଳ୍ପ ହସିଲି ।


   କଳେ ପାଣି ନେଇ ଫୁର୍ କରି ଇନ୍ଦ୍ରଧନୁ ଗୋଟିଏ ଆଙ୍କିଦେଲି ମୋ ଆକାଶରେ । ତାଳି ମାରି ପୁଅ ଫେଁ ଫେଁ ହସିଲା ।

   "ବାବା ! ଆଉ ଗୋଟିଏ , ଆଉ ଗୋଟିଏ ।"


    ସୂର୍ଯ୍ୟ ଅପେକ୍ଷା କଲେ ନାହିଁ । ରବିବାର ର ବୟସ ବଢ଼ିଲା । ପଖାଳ-ଦହି-ଚୁଡା-ଗୁଡ଼ , ବାସୁଥିବା ଭାତ , ଡ଼ାଲି , ମାଛ ଭଜା ଓ ଓଲୁଅ ଚଟଣୀ ନେଇ । ପତ୍ନୀ ହସିଦେଇ କହିଲେ କିଛି କାମ ବାକି ଥିଲା କାଲିର ?


   ମୁଁ ପୁଣି ମୁହଁ ମାଡ଼ି ପଡ଼ିଗଲି , ଇନ୍ଦ୍ରଧନୁଟି ଲୀନ ହୋଇସାରିଥାଏ , ପୁଅର ଆଖିରୁ । ପତ୍ନୀଙ୍କ ମୋ ସନ୍ଦେହର ସ୍ବପ୍ନ ଶୁଖି ଯାଉଥାଏ ମାଛ ତେଲ ଭୁଟୁ ଭୁଟୁ ଶବ୍ଦରେ । ବୋଉ ନଥିଲେ ।


   ଅଲୋଡ଼ା ରବିବାରଟି ତଥାପି ଦାନ୍ତ ନିକିଟି ପଡ଼ିଥାଏ ମୋ ଲାପଟପ୍ ରେ ।

                                ◆◆◆

#ଗଳ୍ପକବିତା

✍️ହିମାଂଶୁ ଭୂଷଣ ସାହୁ

Thursday, March 21, 2024

ଯୁଦ୍ଧର କବିତା

ଚାଲିଛି ତ ଅନେକ କ୍ଷେତ୍ରରେ ଅହରହ

ବାରୁଦ , ଶକ୍ତି , ସାହସ ଓ ସମ୍ବଳର ଯୁଦ୍ଧ ।

ବଳୀ ପଡୁଛନ୍ତି ସୈନିକ

ହତ୍ୟା ହେଉଛି ଶିଶୁ

ଧର୍ଷଣ ସହୁଛି ନାରୀ

ବଧ ହେଉଛି ଆତଙ୍କବାଦୀ

ସତ କହିଲ !

ତୁମେ କେବେ କାହା ମୃତ୍ୟୁରେ ହସିନାହଁ ?


ଆସ ସେଇ ମୃତ୍ୟୁର କବିତା ଲେଖିବା

ଜୀବନ ଯୁଦ୍ଧରେ ଲୁହ-ଲହୁ ଗଣିଗଣି

କାହା ବିନାଶର ଛାତିରେ ପେଟେ ଭୋକ ଦରାଣ୍ଡିବା ।


ଏଇ ତ ତୁମେ ଭୋକିଲା ଅଛ

ରାଜନୀତି , ସୀମା ଆଉ ଗୋଷ୍ଠୀର ଆଶାରେ ।

ମୁଁ ମଧ୍ୟ ଉଣ୍ଡାଳୁଛି

ଧର୍ମ ଜାତି ବର୍ଣ୍ଣ ର ଥୋପ ଟିଏ ।

ମରିପଡୁଛି ସ୍ୱାଭିମାନ

ହତ୍ୟା ହେଉଛି ଭାବ

ଜନ୍ମ ହୋଇଉଠୁଛି ନୂଆ ନୂଆ ଦୈତ୍ୟ ।

ସତ କହିଲ !

ଇତିମଧ୍ୟରେ ଶାନ୍ତ ରହିବା ଗୋଟିଏ ଯୁଦ୍ଧ ନୁହେଁ ?


ଆସ ସେଇ ଯୁଦ୍ଧର କବିତା ଲେଖିବା

ଯୁଦ୍ଧ ଆଉ ସନ୍ଧି ଭିତର ରକ୍ତକୁ ଘୋଡେଇ

ବାରୁଦର ବାସ୍ନା ଭିତରେ ଜୀବନ ଉଣ୍ଡିବା ।


ସେଇ ଜୀବନ ଟିକକ ପାଇଁ

ହୋଇଯାଉ ପଛେ ,

ନିର୍ଣ୍ଣାୟକ ଆଉ ଏକ ଯୁଦ୍ଧ !

ମରିପଡନ୍ତୁ ଲକ୍ଷ-କୋଟି ବିକୃତ ସନ୍ଧି

ଲିଭିଯାଉ ଦାଉ ଦାଉ ଜଳୁଥିବା ସନ୍ତ୍ରାସୀ ଚିନ୍ତାଧାରା

ପୋତି ହୋଇପଡୁ ଉଦ୍ଭଟ ଜାତି-ବର୍ଣ୍ଣ ଦ୍ଵେଷ

ଲୀନ ହୋଇଯାଉ ସମ୍ଭାବ୍ୟ ଯୁଦ୍ଧର ବାରମ୍ବାରତା ।

ସତ କହିଲ !

ସେ ଯୁଦ୍ଧରେ ସତ୍ୟର ପଥ ଆମେ ବାଛିପରିବା ନାହିଁ ?


ଆସ ସେଇ ସତ୍ୟର କବିତା ଲେଖିବା

ମୃତ୍ୟୁ ଆଉ ଯୁଦ୍ଧର ଧ୍ୱଂସ ଲୀଳାରେ

ନିଜ ନିଜ ଭିତରର ଦୈତ୍ୟକୁ ନିଜେ ଦାହ କରାଇବା ।

                                ◆◆◆

#ଗଳ୍ପକବିତା

✍️ହିମାଂଶୁ ଭୂଷଣ ସାହୁ


"ଗୌରୀପ୍ରଭା"ର ପ୍ରଥମ ବର୍ଷ

 ଏବେ “ ଗୌରୀପ୍ରଭା ” ପହଞ୍ଚିଛି ତୃତୀୟ ବର୍ଷରେ । ତିନି ବର୍ଷର ଯାତ୍ରାରେ ଭେଟିଛି ଅନେକ ଅନୁଭବ । ଆସନ୍ତୁ ଜାଣିବେ “ଗୌରୀପ୍ରଭା” ବାର୍ଷିକ ପତ୍ରିକାର ପ୍ରଥମ ବର୍ଷର ପା...