✍️ରୀନା'ର ରଚୟିତା:- ଶ୍ରୀମତୀ ମହାଶ୍ବେତା ସାହୁ
✍️ଗଳ୍ପ ସମୀକ୍ଷା :- ହିମାଂଶୁ ଭୂଷଣ ସାହୁ
'ରୀନା' କେବଳ ଗୋଟିଏ ଗଳ୍ପ ନୁହେଁ । ଏହା ଆମ ସମାଜର ଗୋଟିଏ ପ୍ରଶ୍ନ । ପ୍ରଶ୍ନ ଲୋକଙ୍କ ମାନସିକତା ଓ ପ୍ରଚଳିତ ଚଳଣି ବ୍ୟବସ୍ଥାକୁ ନେଇ ଯାହା ଦୀର୍ଘ ୨୨ ବର୍ଷ ହେବ ଦୃଢ଼ତାର ସହ ଓଡ଼ିଆ ସାହିତ୍ୟରେ ନିଜ ପରିଚୟ ସୃଷ୍ଟି କରିଆସିଛି ।
ରୀନା ଗଳ୍ପର ରଚୟିତା ଶ୍ରୀମତୀ ମହାଶ୍ବେତା ସାହୁ । ଜନ୍ମସ୍ଥାନ ଯାଜପୁର ଜିଲ୍ଲାରେ । ଶ୍ରୀମତୀ ସାହୁ ମାତ୍ର ୧୭/୧୮ ବୟସ ସମୟରେ ବିଭିନ୍ନ ଗଳ୍ପ ଓ କବିତା ରଚନା କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସାହିତ୍ୟ ପତ୍ରିକା "ସୁଚାରିତା" ରେ ପ୍ରକାଶ ପାଇଥିଲା ଗଳ୍ପ "ରୀନା"। ୨୦୦୦ ମସିହା ଅକ୍ଟୋବର ମାସ ପୂଜା ସଂଖ୍ୟାରେ ।
ଗଳ୍ପଟି ସେ ସମୟରେ ଖୁବ୍ ପ୍ରସିଦ୍ଧି ଅର୍ଜନ କରିଥିଲା । ଗଳ୍ପଟି ସମୟକ୍ରମେ ହିନ୍ଦୀ , ଇଂଗ୍ରେଜୀ ଓ ମରାଠୀ ଭାଷାରେ ଅନୁବାଦ ହୋଇ ଦେଶର କୋଣ ଅନୁକୋଣରେ ପ୍ରିୟଭାଜନ ହୋଇପାରିଥିଲା । ଶ୍ରୀମତୀ ସାହୁ 'ରୀନା' ଗଳ୍ପକୁ ସ୍ଥାନ ଦେଇଥିଲେ "ବିଷାଦ ବୃତ୍ତର ରାଜକୁମାର' ଗଳ୍ପ ସଂକଳନରେ ।
"ଶ୍ରୀଯୁକ୍ତ ରବି ପଟ୍ଟନାୟକ ସ୍ମୃତି ଗଳ୍ପ ପୁରସ୍କାର 'ରୀନା' ୨୦୦୧ ମସିହାରେ ପାଇଥିଲା । ଏବଂ ରୀନା ଗଳ୍ପ ପାଇଁ ଶ୍ରୀମତୀ ମହାଶ୍ୱେତାଙ୍କ ପ୍ରଶଂସାରେ ପହଞ୍ଚିଥିବା ପ୍ରସିଦ୍ଧ କଥାକାର "ଶ୍ରୀଯୁକ୍ତ ରମାକାନ୍ତ ରଥ"ଙ୍କ ଚିଠି !
💌ପ୍ରସିଦ୍ଧ କଥାକାର ଓ କବି ଶ୍ରୀଯୁକ୍ତ ରମାକାନ୍ତ ରଥଙ୍କ ଚିଠି..
ଏଥିମଧ୍ୟରେ ଶ୍ରୀମତୀ ମହାଶ୍ୱେତା ସାହୁ ସମୁଦାୟ ୧୮ ଗୋଟି ବହି ଲେଖିସାରିଛନ୍ତି । ସେଥିମଧ୍ୟରେ ଅଛି ଗଳ୍ପ ସଂକଳନ , ଉପନ୍ୟାସ ଏବଂ ସାହିତ୍ୟ ଶିକ୍ଷା ( "ସାହିତ୍ୟ ମନୀଷା"ଭାଗ ୦୧ ଏବଂ ଭାଗ ୦୨) । ଶ୍ରୀମତୀ ସାହୁଙ୍କ ଅନେକ ଗଳ୍ପ "OBSCURE GODDESS- A collection of stories"ରେ ସାରା ଭାରତରେ ଆଦୃତି ଲାଭ କରିଅଛି ।
ଯଦି ମୋ ନିଜ ଅନୁଭୂତି ବଖାଣେ ତେବେ ଗଳ୍ପ 'ରୀନା' ର ବୟସ ୨୦ ବେଳକୁ ତା ସହ ମୋର ପରିଚୟ । ଗୋଟିଏ ନିପଟ ଗାଉଁଲି କଳିହୁଡ଼ି ଝିଅ ! ନିଜ ଇଚ୍ଛା ଓ ସ୍ବାଧୀନତାକୁ ଯେପରି ନିଜ ମା ପେଟର ଜରାୟୁ ସହ ବଢିଥିବା ରକ୍ତ ଓ ଲାଳ ଭଳି କୋରି ଆଣିଥିଲା ତା ଜନମ ବେଳୁ । ଆଉ ତା ନାଁ ? ରୀନା ହିଁ ଠିକ୍ ରଖିଥିଲେ ଲେଖିକା ମାହାଶୟା । ଗୋଟିଏ ଅତି ସରଳ ଓ ନିଷ୍ପାପ ନାଁ । ପ୍ରତ୍ୟକ ଗାଁରେ ଅନେକଙ୍କ ମୁହଁରୁ ଶୁଣାଯାଉଥିବା ସାଧାରଣ ଡାକ ଗୋଟିଏ ।
କଥାକାର ଶ୍ରୀମତୀ ମହାଶ୍ୱେତା ସାହୁଙ୍କ ପ୍ରତ୍ୟକ ଗଳ୍ପ କିମ୍ବା ଉପନ୍ୟାସର ଶୀର୍ଷକ ଚୟନ ଏକ ସ୍ୱତନ୍ତ୍ର ପରିଚୟ ରହିଆସିଛି । 'ଶୀର୍ଷକ' ସମାଜ ଓ ଜୀବନଶୈଳୀ ଉପରେ ଜଡିତ ରହୁଥିବାରୁ ତାହା ଗଳ୍ପ କିମ୍ବା ଉପନ୍ୟାସକୁ ଆହୁରି ଦୃଷ୍ଟି ଆକର୍ଷଣ ଓ ଆତ୍ମସ୍ଥ କରିଥାଏ । 'ରୀନା' ଏହାର ଜ୍ୱଳନ୍ତ ଉଦାହରଣ । ତା ସହିତ ଚରିତ୍ର ବ୍ୟାଖ୍ୟା ଓ ପାର୍ଶ୍ଵଚରିତ୍ର ସହିତ ସମାଜର ଚିନ୍ତାଧାରାକୁ ନେଇ ଏକ ଭିନ୍ନ ଧରଣର କାହାଣୀ ।
'ରୀନା' ଗାଳି ଓ ଅପମାନକୁ ଖାତିର କରେନା । ନିଜ ଉପସ୍ଥିତିକୁ ସତ୍ ମାନେ । ହୁଏତ ସେଇଥିପାଇଁ ସେ ଏତେ ଦୃଢ଼ , ଅଣ୍ଡିରି ଆଉ ତା ମା' ଶ୍ୟାମାମଣିର ସାହସ ଥିଲା । ଏବଂ ମାଇଁର ଈର୍ଷାର କାରଣ । ଗାଁ ଜୀବନର ଅନେକ ଜଞ୍ଜାଳ ଉପସ୍ଥାପନ ମଧ୍ୟରେ ଗାଳ୍ପିକାଙ୍କ ବ୍ୟବହୃତ ଗାଉଁଲି ଶବ୍ଦ , ଗାଳି , ସମ୍ପର୍କ ଏବଂ ସାହିତ୍ୟର ମହିମାମଣ୍ଡନ କରୁଥିବା ଭାଷା ଭିତ୍ତିକ ଚାତୁର୍ଯ୍ୟତା ଗଳ୍ପକୁ ଶତାବ୍ଦୀଜୟୀ କରାଉଛି ।
ନିଖୁଣ ଭାବେ ଧାଡି ଧାଡିରେ ଆଙ୍କି ହୋଇଛି ଗୋଟିଏ ସମାଜର ଦର୍ଶନ , ଗାଁ ପରିବେଶ , ସମ୍ପର୍କର ଅସହାୟତା , ବିଧବା ଏକ ମା'ର ନିର୍ଭରଶୀଳ ଦୁଃଖି ଜୀବନ , ଛୋଟ ଭାଇ ବୁବୁନ୍ ର ସରଳ ପ୍ରେମ , ପୁଳା ପୁଳା ଇର୍ଷାରେ ବଞ୍ଚି ରହୁଥିବା ସ୍ତ୍ରୀ ରୂପକ "ମାଇଁ", ସମସ୍ତ ସଂସାରରେ ନିଜକୁ ଏକଛତ୍ରବାଦ ଭାବୁଥିବା ଏକ କାପୁରୁଷ "ମାମୁଁ" ଏବଂ ରୀନା ଭଲପାଉଥିବା "ବୁଲ୍ ନାନୀ"।
ରୀନାର ବାଲ୍ୟ ଦୁଃଖ କେବଳ ତା'ର ନୁହେଁ , ଏହା ସମସ୍ତ ବାଲ୍ୟ ଜୀବନରେ ଦୁଃଖ , ଭୋକ ,ଅବହେଳା ପାଇଥିବା ପ୍ରତ୍ୟକ ଝିଅଙ୍କର ବୋଲି ଲେଖିକା ଦର୍ଶାଇଛନ୍ତି । ଗଳ୍ପ ମାଧ୍ୟମରେ ସମାଜ ଓ କିଛି ଲୋକଙ୍କ ଚିରାଚରିତ କୁଚକ୍ର ଅଥବା ହୀନ ମାନସିକତାକୁ ଅତ୍ୟନ୍ତ ସରଳ ଭାବରେ ବୁଝେଇବା ସହ ଗର୍ଭସଞ୍ଚାରରୁ ସନ୍ତାନର ମୃତ୍ୟୁ ପର୍ଯ୍ୟନ୍ତ ଏଭଳି କଦର୍ଯ୍ୟ ପ୍ରତିକୂଳ ପରିସ୍ଥିତିରେ କିପରି ଏକ ଅସହାୟ ମା' ଜୀବନ ଧାରଣ କରେ ତାହା ବ୍ୟାଖ୍ୟା କରିବାରେ ସମ୍ପୂର୍ଣ୍ଣ ସଫଳ ହୋଇଛନ୍ତି । ଏହା ସହିତ ନିଜକୁ "ବୁଲ୍ ନାନୀ"ରୂପେ ସଂଶ୍ଳିଷ୍ଟ କରି ପ୍ରମାଣ କରିଦେଇଛନ୍ତି ଯେ ରୀନାର ମୃତ୍ୟୁ ରେ କେବଳ ଲେଖିକାଙ୍କ କଳ୍ପିତ ଚରିତ୍ର କିମ୍ବା ପାଠକ ପାଠିକାଙ୍କ ଆଖିରେ ଲୁହ ବହିନଥିଲା । କିଛି ଲୁହର ପ୍ରାପ୍ୟ ତାଙ୍କର ମଧ୍ୟ ଥିଲା । ହୁଏତ ସେଇଥିପାଇଁ ଲେଖିଥିଲେ "ତୁ ବି ଦାୟୀ ବୁଲ୍ ନାନୀ…! ମୁଁ ତତେ ଭଲ କେତେ ପାଉଥିଲି , ଅଥଚ ତୁ ମୋତେ ଚୋରଣୀ କହି ତଡିଦେଲୁ…?"
ଜଣେ ନିରୀହ ଝିଅ ପ୍ରତି ପ୍ରତାଡ଼ନା ଆଉ ମୃତ୍ୟୁରେ ଯେ ସାରା ସମାଜ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ ଦାୟୀ ! ଏହା ହୁଏତ ଜଣେ ସହିତ୍ୟିକାଙ୍କ ମମ୍ମତି ବୋଲି ମୋତେ ଧାରଣା ହେଲା । କେବଳ ଜଣେ ପାଠକ ହିସାବରେ ମୋର ଧାରଣା ନୁହେଁ ବରଂ ଜଣେ ମନୁଷ୍ୟ ହୋଇ ସମାଜରେ ଏଭଳି କିଛି ଘଟଣାକୁ ମଥାନୁଆଇଁ ସହିଯିବା ହିଁ ଏହାର କାରଣ । ମୋତେ ରୀନା'ର ଗାଁରେ ବସବାସ କରୁଥିବା ପ୍ରତ୍ୟକ ମଣିଷଙ୍କ ମୌନତା ବାସ୍ତବତାର ଦିଗରେ ପ୍ରତିଫଳିତ ମନେହେଲା ।
ଆହୁରି ଭାବବିହ୍ଵଳ କରାଇଥିଲା ରୀନା'ର ଚିଠି । ସେଇ ଛୋଟିଆ ଚିଠି ମାଧ୍ୟମରେ କଥାକାରଙ୍କ ବାରତା ଯେ ଏତେ ଦୃଢ଼ ରହିଛି ତାହା ମଧ୍ୟ ଆଲୋଚନାର ବିଷୟ । ସନ୍ତାନ ହିଁ କେବଳ ଜନ୍ମଦାତ୍ରୀର ଦୁଃଖକୁ ହାଡ଼େ ହାଡ଼େ ଚିହ୍ନେ ତାହା ପ୍ରାଞ୍ଜଳ ଭାବେ ପ୍ରତିପାଦନ ହୋଇଛି । ମୃତ୍ୟୁକୁ କୋଳେଇ ନେଉଥିବା ଝିଅଗୁଡିକ କେତେ ଯେ ଅସହାୟତା ରେ କାଳାତିପାତ କରୁଥିବେ ତାହା ଅନୁମେୟ । ଆତ୍ମପୀଡ଼ନ ରୀନା ଚିଠିର ଶବ୍ଦେ ଶବ୍ଦେ ଖୁନ୍ଦି ହୋଇଯାଇଛି ଆଉ ମା ଓ ସାନ ଭାଇ ପ୍ରତି ଜଣେ ମୃତ୍ୟୁ ସମ୍ମୁଖରେ ଥିବା ଝିଅ କିପରି ପ୍ରେମ ବର୍ଷେଇ ଚାଲିଯାଉଛି ତାହା ମଧ୍ୟ ଉପସ୍ଥାପନ କରାଇଛନ୍ତି । ଗୋଟିଏ ଚିଠିର କେଇଧାଡ଼ିରେ ଜଣେ ନାବାଳିକା କିପରି ଯୁବତୀ ହୋଇଯାଇଛି ତାହା ଅତି ଚମତ୍କାର ରୂପେ ଉପସ୍ଥାପିତ କରିଛନ୍ତି ମହାଶ୍ୱେତା ମାଡାମ ।
ଏବେ "ରୀନା" ଗଳ୍ପକୁ ୨୨ ବର୍ଷ ହୋଇସାରିଛି । ତା ସହ ଦୁଇଥର ମୋ ସାକ୍ଷାତ ହୋଇଛି । ଲାଗୁଛି ଯେମିତି ଶ୍ରୀମତୀ "ମହାଶ୍ୱତା ସାହୁ" ତାକୁ ଯିବାକୁ ଦେଇନାହାଁନ୍ତି ବରଂ ଲଗାମ ଛଡା କରେଇ ନିର୍ଧୁମ ଖରାବେଳଟାରେ ତା ଗାଁ ଦାଣ୍ଡରେ କୋଳି ଖୁଏଇ ବୁଲଉଛନ୍ତି । ତା ମାଧ୍ୟମରେ ପ୍ରଶ୍ନ କରୁଛନ୍ତି ଆମ ସମାଜର ହୀନ ପ୍ରକୃତି ପାଇଁ , ପରିବାରର ବିଭକ୍ତିକରଣ ମାନସିକତା ପାଇଁ , ମନୁଷ୍ୟର ବଦଳୁ ନଥିବା ପ୍ରବୃତ୍ତି ପାଇଁ , ଉତ୍ତର ଖୋଜୁଛନ୍ତି ବାଲ୍ୟ ଜୀବନର ସୁଖର ସନ୍ଧାନ କାହା ପାଖରେ ?
ମୋତେ ଲାଗେ 'ରୀନା' ଦୈନନ୍ଦିନ ଅପମାନ ଓ କଷଣରୁ ତରିଗଲା । ମହାଶ୍ବେତା ମାଡାମ ରୀନାକୁ ସ୍ୱଇଛା ମୃତ୍ୟୁ ରୂପକ ଅନ୍ତ ଦେଇ ତା ପାର୍ଥିବ ଶରୀରକୁ ଯାହା ଉଦ୍ଧାର କରିନେଲେ । ଆଉ ରଖିଦେଲେ ତା 'ଲୁହ' ଆଉ 'ରକ୍ତ'କୁ ପ୍ରଶ୍ନ କରି… ।
ଶ୍ରୀମତୀ ସାହୁ ଓଡ଼ିଆ ସାହିତ୍ୟର ଏକ ଦୃଢ଼ ସ୍ତମ୍ଭ ହୋଇ ଆସିଛନ୍ତି । ବର୍ତ୍ତମାନ Sushilavati government women's college, sector 2,ROURKELA ରେ ଅଧ୍ୟାପିକା ଦାୟିତ୍ୱ ତୁଲାଇବା ସହ ସାମାଜିକ ଉନ୍ନତିକରଣ କାର୍ଯ୍ୟକ୍ରମ ଓ ନାରୀ ଶିକ୍ଷା କୁ କିପରି ପ୍ରାଧାନ୍ୟ ଦିଆଯିବ ସେ ଦିଗରେ ନିଜର ଯୋଗଦାନ ମଧ୍ୟ କରିଆସୁଛନ୍ତି ।
ଅକ୍ଟୋବର ୨୨, ୨୦୨୨ ତାରିଖକୁ 'ରୀନା' ଗଳ୍ପ ୨୨ ବର୍ଷ ଅଧ୍ୟାୟ ସୃଷ୍ଟି କରିସାରିଛି । ଦୀର୍ଘ ଦିନ ଧରି ଓଡିଶା ଓ ଭାରତର ବିଭିନ୍ନ ସ୍ଥାନରେ ଚହଳ ସୃଷ୍ଟି କରିଥିବା ଏ ଗଳ୍ପ ଆହୁରି ଦୀର୍ଘ ଜୀବନ ଅତିବାହିତ କରୁ ଏହା ମୋର ପ୍ରାର୍ଥନା ।
ଗଳ୍ପ ସମୀକ୍ଷକ:- ✍️ହିମାଂଶୁ ଭୂଷଣ ସାହୁ
ସୋଲଗାଡ଼ିଆ
ଢେଙ୍କାନାଳ ୭୫୯୦୧୬
◆◆◆